ବାଲେଶ୍ବର ଜିଲାରେ ବାତ୍ୟା ମୁକାବିଲା ନିମନ୍ତେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ, ପ୍ରଶାସନକୁ ସହଯୋଗ କରିବା ସହ ସତର୍କ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ

ବାଲେଶ୍ବର: ବାତ୍ୟା ’ଦାନା’ କୁ ଦୃଷ୍ଟିରେ ରଖି ଆଜି ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଓ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୋଲିସ ଉପ-ମହାନିରୀକ୍ଷକ (ପୂର୍ବାଞ୍ଚଳ ଜୋନ) ଡ଼. ସତ୍ୟଜିତ ନାୟକ, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥି ସହିତ ସମସ୍ତ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇ ନିଜ ନିଜ ଅଞ୍ଚଳର ସ୍ଥାନାନ୍ତରର ସ୍ଥିତି ଏବଂ ତତ୍ସମ୍ବନ୍ଧିତ ଜାରି ରହିଥିବା କାର୍ଯ୍ୟକଳାପ ବିଷୟରେ ବିବରଣୀ ପ୍ରଦାନ କରିଥିଲେ ଓ
ଉକ୍ତ ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସହାୟତା ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ଆକଳନ କରାଯିବା ସହିତ ବିପର୍ଯ୍ୟୟ ପ୍ରସ୍ତୁତିର ବିଭିନ୍ନ ଦିଗକୁ ସତର୍କତାର ସହ ସମୀକ୍ଷା କରାଯାଇଥିଲା ଓ ଏଥିସହିତ ସ୍ଥାନାନ୍ତର ପ୍ରକ୍ରିୟା, ଊର୍ଦ୍ଧ୍ବାରକାରୀ ଦଳ ମୁତୟନ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ଓ ବିକଳ୍ପ ସୁରକ୍ଷିତ ଆଶ୍ରୟସ୍ଥଳୀ ଉପରେ ବିଶେଷ ଆଲୋଚନା କରାଯାଇ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଏହି ବୈଠକରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରମୁଖତଃ ବୟସ୍କ ନାଗରିକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଓ ଆବଶ୍ୟକ ସ୍ଥଳରେ ଅଙ୍ଗନବାଡି ଦିଦିଙ୍କୁ ନିୟୋଜିତ କରିବା ପାଇଁ ଧାର୍ଯ୍ୟ କରାଯାଇଛି ଓ ସମସ୍ତ ଆଶ୍ରୟସ୍ଥଳୀରେ ଯେପରି ସ୍ଥାନାନ୍ତରିତ ଜନସାଧାରଣଙ୍କୁ ସଠିକ ସମୟରେ ଖାଦ୍ୟ ଯୋଗାଇ ଦିଆଯାଇ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି ଓ ପ୍ରଭାବିତ ଅଞ୍ଚଳରେ ଶତପ୍ରତିଶତ ସ୍ଥାନାନ୍ତର ନିଶ୍ଚିତ କରିବାକୁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ତଦାରଖ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସମସ୍ତ ଊର୍ଦ୍ଧ୍ବାର କାର୍ଯ୍ୟଗୁଡିକ ଉପରେ ନଜର ରଖାଯାଇଛି ଓ

ଆନ୍ତଃବିଭାଗୀୟ ସମନ୍ୱୟର ଗୁରୁତ୍ୱ ଉପରେ ଶ୍ରୀ ଚକ୍ରବର୍ତ୍ତୀ ଗୁରୁତ୍ୱାରୋପ କରିବା ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସୂଚନା ଥାଉ କି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସକ୍ରିୟ କରାଯାଇଛି। ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Comments are closed.