ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସରପଞ୍ଚଙ୍କ ଫୋନରେ ଧମକ, ଥାନାରେ ମାମଲା ରୁଜୁ

ସମ୍ବଲପୁର : ସମ୍ବଲପୁର ସଦର ଥାନାଞ୍ଚଳ ଅନ୍ତର୍ଗତ କବରାପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୌଶଲ୍ୟ ବେହେରାଙ୍କୁ କବରାପାଲି ଗ୍ରାମର ସରପଞ୍ଚ ଅନ୍ତର୍ଯ୍ୟମୀ ପ୍ରଧାନ ଫୋନ ଯୋଗେ ଅଶ୍ରାବ୍ୟା ଭାଷାରେ ଗାଳିଗୁଲଜ କରି ଧମକଚମକ ଦେବାର ଅଭିଯୋଗ ଥାନାରେ ହୋଇଛି। ସଦର ଥାନାରେ ବୁଧବାର ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷୟତ୍ରୀ କୌଶଲ୍ୟା ବେହେରାଙ୍କୁ ମଙ୍ଗଳାବର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ କବରାପାଲି ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ ତାଙ୍କର ମୋବାଇଲ ଫୋନରୁ କଲ କରି ବିଗତ ଦିନରେ ଖୋଳା ଯାଇଥିବା ନଳକୂପର ବିଲ ସମ୍ବନ୍ଧରେ ଆଲୋଚନା କରିଥିଲେ।

କିଛି ସମୟ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଅଚାନକ ରାଗି ଯାଇ ଅଶାଳିନ ତଥା ଅଭଦ୍ର କଥାବାର୍ତ୍ତା କରିବା ସହିତ ତୁମେ ଅଭିଯୋଗ କରିବାରୁ ମୋର ନଳକୂପ ବିଲ ହୋଇ ପାରୁ ନାହିଁ ବୋଲି କହିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବିଭିନ୍ନ ପ୍ରକାରର ଧମକଚମକ ଦେଇଥିଲେ। ଏଣୁ ତାଙ୍କର ଜୀବନ ପ୍ରତି ବିପଦ ରହିଥିବାର ଦର୍ଶାଇ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବେହେରା ସଦର ଥାନାରେ ଅଭିଯୋଗ କରିଛନ୍ତି।

ଏଥି ସହ ଶ୍ରୀମତୀ ବେହେରା ଆହୁରୀ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ ଯେଉଁ ଦିନ ନଳକୂପ ଖୋଳା ଯାଇଥିଲା, ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିନା ସୂଚନା ଏବଂ ସକାଳ ୬ଟା ସମୟରେ ଛୁଟି ଦିନରେ ନଳକୂପ ଗାଡିକୁ ସ୍କୁଲର ମୁଖ୍ୟ ଦ୍ୱାର ଭାଙ୍ଗି ବିନା ଅନୁମତିରେ ଗାଡିକୁ ଭିତରକୁ ପ୍ରବେଶ ଶ୍ରୀ ପ୍ରଧାନ କରାଇଥିଲେ। ନିକଟ ଅତୀତରେ ଅନେକ ଥର ନିଶାପାନ କରି ବିଦ୍ୟାଳୟକୁ ଆସି ବିଭିନ୍ନ ପ୍ରକାରର କାମ ପାଇଁ ବଚସା କରି ଆସୁଛନ୍ତି। ଶ୍ରୀ ପ୍ରଧାନଙ୍କ ତତ୍ୱାବଧାନରେ ହୋଇଥିବା କାର୍ଯ୍ୟ ଯଥା ପ୍ରବେଶ ଦ୍ୱାର ଭଙ୍ଗାଯିବା, ପାଇଖାନା ଓ ପିଇବା ପାଣି ସୁବିଧା ଆଦି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ପାରି ନାହିଁ। ଏଣୁ ଏହାର ନିରପେକ୍ଷ ତଦନ୍ତ କରାଯାଏ ତାଙ୍କ ଦୁର୍ନୀତି ଲୋକଲୋଚନ ସମ୍ମୁଖକୁ ଆସିବ ବୋଲି ଶ୍ରୀମତୀ ବେହେରା ତାଙ୍କର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ଏଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ରକାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଥାନାଧିକାରିଣୀ ସାବିତ୍ର ବଳ କହିଛନ୍ତି। ଅପରପକ୍ଷରେ ସରପଞ୍ଚ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଫୋନ ମାଧ୍ୟମରେ ଦେଇଥିବା ଧମକର ଅଡିଓ ରେକର୍ଡିଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Comments are closed.