‘ଦାନା’ର ମୁକାବିଲା ପାଇଁ ନୀଳଗିରି ବୈଠକ, ୨୪ଘଣ୍ଟିଆ ସଜାଗ ରହିବାକୁ ନୀଳଗିରି ବିଧାୟକଙ୍କ ଜରୁରୀକାଳୀନ ଆଲୋଚନା

ନୀଳଗିରି: ବାତ୍ୟା ‘ଦାନା’ର ମୁକାବିଲା ପାଇଁ ୨୪ଘଣ୍ଟିଆ ସଜାଗ ରହିବାକୁ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଆଜି ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କ ସହ ଜରୁରୀକାଳୀନ ଆଲୋଚନା କରିଛନ୍ତି । କୌଣସି ପରିସ୍ଥିତିରେ ଯେମିତି ନୀଳଗିରି ଅଞ୍ଚଳରେ ଧନଜୀବନ ପ୍ରତି ବିପଦ ନଆସେ, ସେ ସମ୍ପର୍କରେ ଅଧିକ ଯତ୍ନବାନ ହେବାକୁ ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକ ଶ୍ରୀ ଖଟୁଆ ପରାମର୍ଶ ଦେଇଥିଲେ । ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଆୟୋଜିତ ବୈଠକରେ ବିଧାୟକ ଶ୍ରୀ ଖଟୁଆ ପୌରୋହିତ୍ୟ କରିଥିବା ବେଳେ ଏଥିରେ ଉପଜିଲାପାଳ ଶୁଭଶ୍ରୀ ରଥ ଉପସ୍ଥିତ ରହି ‘ଦାନା’ର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୁଥାଳ, ତହସିଲଦାର ଦୀପ୍ତିମୟୀ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅପରପକ୍ଷରେ ‘ଦାନା’ର ପ୍ରଭାବରେ ଆଜି ପୂର୍ବାହ୍ନରେ ନୀଳଗିରି ଅଞ୍ଚଳରେ ପାଗ କୋହଲା ରହିଥିବା ବେଳେ ଅପରାହ୍ନରେ ବର୍ଷା ସହ ଜୋରରେ ପବନ ବୋହିଥିଲେ ହେଁ ନୀଳଗିରି ଅଞ୍ଚଳରେ କୌଣସି କ୍ଷୟକ୍ଷତି ଘଟିନାହିଁ । ଅପରପକ୍ଷରେ କେହି ଭୟଭୀତ ନହେବାକୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ ପ୍ରମୁଖ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେଇଥିବା ଦେଇଛନ୍ତି ।

Comments are closed.