www.samajalive.in
Friday, December 5, 2025
20.1 C
Bhubaneswar

ଆଜି ମୋଦୀ-ଜିନପିଙ୍ଗ୍‌ ଆଲୋଚନା

ମସ୍କୋ : ୟୁକ୍ରେନ-ରୁଷ୍‌ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି। ରୁଷ୍‌ର କାଜାନରେ ଆୟୋଜିତ ୧୬ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମଙ୍ଗଳବାର ପୁଟିନଙ୍କ ସହିତ ମୋଦୀ ଦ୍ବିପାକ୍ଷିକ କଥାବାର୍ତ୍ତା କାଳରେ ଏହା କହିଛନ୍ତି। ପୁଟିନଙ୍କୁ ମୋଦୀ କହିଛନ୍ତି ଯେ ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ସେ ତାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି। ଏହି ଯୁଦ୍ଧର ଯଥାଶୀଘ୍ର ଅନ୍ତ ଘଟାଇ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତ ପୂର୍ଣ୍ଣ ସମର୍ଥନ କରିବ। ଭାରତର ସମସ୍ତ ଉଦ୍ୟମ ମାନବବାଦକୁ ଗୁରୁତ୍ବ ଦିଏ। ଭାରତ ବିଶ୍ବାସ କରେ ଯେ ପ୍ରତ୍ୟେକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରାଯାଇପାରିବ। ରୁଷ୍-ୟୁକ୍ରେନ ଯୁଦ୍ଧକୁ ଦୁଇବର୍ଷ ଅତିକ୍ରାନ୍ତ ହୋଇସାରିଥିବାବେଳେ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ହୋଇପାରୁ ନାହିଁ। ତେଣୁ ଯୁଦ୍ଧ ପରିବର୍ତ୍ତେ କୂଟନୈତିକ ଆଲୋଚନା ଦ୍ବାରା ବିବାଦର ସମାଧାନ ପାଇଁ ଉଭୟ ଦେଶ ଆଗେଇ ଆସିବା ଦରକାର ବୋଲି ମୋଦୀ କହିଛନ୍ତି। ଗତ ଜୁଲାଇରେ ମଧ୍ୟ ମୋଦୀ ତାଙ୍କ ରୁଷ୍ ଗସ୍ତ କାଳରେ ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ପୁଟିନଙ୍କୁ କହିଥିଲେ। ଗତ ଜୁଲାଇରେ ଭାରତ-ରୁଷ୍ ମଧ୍ୟରେ ୨୨ତମ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ରୁଷ୍-ୟୁକ୍ରେନ ଯୁଦ୍ଧ ସହିତ ଦୁଇ ନେତା ବିଶ୍ବ ସମସ୍ୟା ଓ ଦ୍ବିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଭାରତ ସହିତ ରୁଷ୍ ସମ୍ପର୍କର ନିବିଡତାକୁ ପୁଟିନ ସ୍ବୀକାର କରିବା ପୂର୍ବକ କହିଥିଲେ ଯେ ଭାରତ ଓ ରୁଷ୍ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ମୂଳ ସଦସ୍ୟ। ଆମର ସମ୍ପର୍କରେ ଏପରି ନିବିଡତା ରହିଛି ଯେ ଆମ ପାଇଁ ଟ୍ରାନ୍ସଲେସନ (ଅନୁବାଦ)ର ଆବଶ୍ୟକ ପଡିନଥାଏ। ଆସନ୍ତା ଡିସେମ୍ବର ୧୨ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଆନ୍ତଃସରକାରୀ ସମ୍ମିଳନୀରେ ଯୋଗ ଦେବାକୁ ପୁଟିନ ଭାରତ ଯିବେ ବୋଲି ଘୋଷଣା କରିଛନ୍ତି। ରୁଷର କାଜାନ ସହରରେ ପୁଟିନଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହୋଇଛି। ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ଭାରତ, ରୁଷ୍ ବ୍ୟତୀତ ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ ସଦସ୍ୟ ରହିଛନ୍ତି। ଏହି ସମ୍ମିଳନୀ ଅବସରରେ ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଅନ୍ୟାନ୍ୟ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ଜିନ୍‌ପିଙ୍ଗଙ୍କ ସହ ମୋଦୀ ଆଜି ଦ୍ବିପାକ୍ଷିକ ଆଲୋଚନା କରିବା କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଥିବା ଭାରତର ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ସ୍ପଷ୍ଟ କରିଛି। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ପ୍ରକାର ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇନାହିଁ।
ବୈଶ୍ୱିକ ବିକାଶ କାର୍ଯ୍ୟସୂଚୀ, ବହୁପକ୍ଷବାଦ ସୁଧାର, ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସହଯୋଗ, ନମନୀୟ ଯୋଗାଣ ଶୃଙ୍ଖଳ ଗଠନ, ସଂସ୍କୃତିକୁ ପ୍ରୋତ୍ସାହନ ଏବଂ ଲୋକଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି।
ରୁଷ୍‌ ଗସ୍ତକାଳରେ ମୋଦୀଙ୍କୁ ଏଠାର ନାଗରିକମାନେ କୃଷ୍ଣ ଭଜନ ମାଧ୍ୟମରେ ସ୍ବାଗତ କରିଥିଲେ। ସାଧାରଣତଃ ରାଜନେତାଙ୍କ ଆଗମନ ସମୟରେ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ। ମାତ୍ର ଭାରତୀୟ ବଂଶୋଦ୍ଭବ ରୁଷ୍ ନାଗରିକମାନେ ମୋଦୀଙ୍କ ଆଗମନ ସମୟରେ ସାମୂହିକ କୃଷ୍ଣ ଭଜନ ଗାନ କରିଥିଲେ। ସେମାନେ ହାତରେ ତ୍ରିରଙ୍ଗା ପତାକା ଧରିବା ସହିତ ସଂସ୍କୃତରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ରୁଷ୍‌ର କାଜାନ ସହରରେ ମୋଦୀ ପହଞ୍ଚିବା ପରେ ରିପବ୍ଲିକ ଅଫ୍ ତାତାରସ୍ତାନ ରୁସ୍ତମ ମିନିଖାନୋଭର ମୁଖ୍ୟ ତାଙ୍କୁ ସ୍ବାଗତ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories