www.samajalive.in
Sunday, December 7, 2025
23.1 C
Bhubaneswar

ବାଂଲାଦେଶରେ ତେଜୁଛି ସଂରକ୍ଷଣ ବିରୋଧୀ ହିଂସା: ଢାକାରେ କର୍ଫ୍ୟୁ, ସେନାର ଫ୍ଲାଗ୍‌ମାର୍ଚ୍ଚ

ଢାକା : ସରକାରୀ ଚାକିରିରେ ପ୍ରସ୍ତାବିତ ସଂରକ୍ଷଣ ବ୍ୟବସ୍ଥା ପ୍ରତିବାଦରେ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଏହି ହିଂସାରେ ୧୧୫ ଜଣ ପ୍ରାଣ ହରାଇସାରିଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସେନାକୁ ମୁତୟନ କରାଯାଇଛି। ଶନିବାର ସେନା ଯବାନମାନେ ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ଲକ୍ଷ୍ୟ କରାଯାଇଛି। ବିକ୍ଷୋଭକାରୀମାନେ ଯେପରି ସରକାରୀ କାର୍ଯ୍ୟାଳୟ କିମ୍ବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ଆଡକୁ ଅଗ୍ରସର ହୋଇନପାରିବେ, ସେଥିପାଇଁ ଯବାନମାନେ ଏକାଧିକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛନ୍ତି। ଢାକାରେ ୧୪୪ ଧାରା ଲାଗୁ କରାଯାଇଥିବା ସତ୍ତ୍ବେ ବିକ୍ଷୋଭକାରୀମାନେ ପୁଲିସ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଉଥିଲେ ସୁଦ୍ଧା ଆଶାନୁରୂପ ସଫଳତା ମିଳିପାରୁନାହିଁ। ହିଂସା ରୋକିବାରେ ପୁଲିସ ଅସମର୍ଥ ହେବାରୁ ସରକାର ଦେଶରେ କର୍ଫ୍ୟୁ (ସାନ୍ଧ୍ୟ ଆଇନ) ଲାଗୁ କରିଥିବାବେଳେ ସେନାକୁ ଆଇନ ଶୃଙ୍ଖଳା ଦାୟିତ୍ବ ଦିଆଯାଇଛି। ଶନିବାର ସକାଳୁ ରବିବାର ଦିନ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାକୁ ଶନିବାର ଦୁଇ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ରବିବାର ସ୍ଥିତି ସମୀକ୍ଷା କରାଯିବା ପରେ କର୍ଫ୍ୟୁ ମିଆଦ ବୃଦ୍ଧି ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। କର୍ଫ୍ୟୁ ସମୟରେ ବାହାରେ ବୁଲୁଥିବା ଲୋକଙ୍କ ପରିଚୟ ପତ୍ରକୁ ସେନା ଯବାନ ଯାଞ୍ଚ କରୁଥିବା ଟିଭି ଫୁଟେଜରୁ ଜଣାପଡିଛି। ଗୁରୁବାରଠାରୁ ବାଂଲାଦେଶରେ ଇଣ୍ଟରନେଟ୍‌ ସେବାକୁ ବାତିଲ କରାଯାଇଛି। ଫଳରେ ବିଶ୍ବର ଅନ୍ୟ ଦେଶ ସହ ବାଂଲାଦେଶର ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇପଡିଛି। ବିକ୍ଷୋଭକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ତାଙ୍କର ସ୍ପେନ ଓ ବ୍ରାଜିଲ ଗସ୍ତକୁ ବାତିଲ କରିଛନ୍ତି। ଶୁକ୍ରବାର ଉତ୍ତ୍ୟକ୍ତ ଲୋକେ ନରସିଙ୍ଗଡି ଜିଲାର ଏକ ଜେଲ୍‌ରେ ନିଆଁ ଲଗାଇବା ସହ ସେଠାରେ ଅଟକ ଥିବା ୮୫୦ ବିକ୍ଷୋଭକାରୀଙ୍କୁ ମୁକୁଳାଇଛନ୍ତି। ସୂଚନା ମୁତାବକ ୧୯୭୧ରେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମରେ ଯେଉଁମାନେ ଝାସ ଦେଇଥିଲେ ସେମାନଙ୍କ ପରିବାର ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଶେଖ ହସିନା ସରକାର ନିକଟରେ ଘୋଷଣା କରିଛନ୍ତି। ଏଥିରେ କ୍ଷୁବ୍ଧ ହୋଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶିତ ହେଉଛି। ବାଂଲାଦେଶର ଲୋକସଂଖ୍ୟା ୨୦ କୋଟି ହୋଇଥିବାବେଳେ ବେକାରୀଙ୍କ ସଂଖ୍ୟା ପ୍ରାୟ ୪ କୋଟି। ପ୍ରଧାନମନ୍ତ୍ରୀ ଶେଖ ହସିନା ୨୦୧୮ରେ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲେ ସୁଦ୍ଧା ଚଳିତବର୍ଷ ଜୁନରେ ଅଦାଲତ ଏହାକୁ ପୁନଃ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ହସିନା ସରକାର ଏହି ରାୟ ପ୍ରତିବାଦରେ ସୁପ୍ରିମକୋର୍ଟରେ ଆବେଦନ କରିଥିବାବେଳେ ନିମ୍ନ ଅଦାଲତଙ୍କ ରାୟକୁ ସ୍ଥଗିତ ରଖିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭କୁ ଧାର୍ଯ୍ୟ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories