ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଆଜି ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ବର : ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଦୁଇଟି ଲଘୁଚାପ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଣିବ। ଏହାଛଡ଼ା ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି। ୨୪ ଓ ୨୫ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହାଦ୍ବାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ଏବଂ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଦୂର ହେବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ଜୁଲାଇ ୧୫ ରୁ ୩୧ ତାରିଖ ଯାଏଁ ଧାନ ରୁଆ ଓ ବେଉଷଣ ପାଇଁ ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ସୋମବାର ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି। ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ରହିଛି। ଏହା କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ। ଏହାସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ପ୍ରଭାବରେ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୭୫.୩ ମି.ମି., ଝାରସୁଗୁଡ଼ାରେ ୬୩.୯ ମି.ମି., ନବରଙ୍ଗପୁରରେ ୪୮.୨ ମି.ମି., ଛତ୍ରପୁରରେ ୩୮.୪ ମି.ମି., କୋରାପୁଟରେ ୪୫.୨ ମି.ମି. ବାଲେଶ୍ବରରେ ୨୬.୮ ଏବଂ କେନ୍ଦ୍ରାପଡ଼ାରେ ୨୬.୬ ମି.ମି. ବର୍ଷା ହୋଇଛି। ଆଜି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୭ ରୁ ୧୮ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Comments are closed.