ରକ୍ତ ସଙ୍କଟ – ୩ ମାସ ହେଲା ବିଜେଡିର ରକ୍ତ ସଂଗ୍ରହ ଅଭିଯାନ ବନ୍ଦ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରେ ଦେଖାଦେଉଛି ରକ୍ତ ସଙ୍କଟ। ରୋଗୀଙ୍କୁ ମିଳୁନି ଆବଶ୍ୟକ ମୁତାବକ ରକ୍ତ। ପୂର୍ବ ଅପେକ୍ଷା ରକ୍ତଦାନ ଶିବିର ଆୟୋଜନ କମିଥିବାରୁ ସ୍ବେଚ୍ଛାକୃତ ରକ୍ତ ସଂଗ୍ରହ ହ୍ରାସ ପାଇଛି। କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ଆୟୋଜିତ ଶିବିରରୁ ମିଳୁଥିବା ରକ୍ତ ସମୁଦ୍ରକୁ ଶଙ୍ଖେ ସଦୃଶ। ଏଭଳି ସ୍ଥିତିରେ ରକ୍ତାଭାବ ଉତ୍କଟ ହେଲାଣି। ସରକାର ଚାହିଦା ମେଣ୍ଟାଇ ପାରୁନାହାନ୍ତି। ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର, ବିଏମ୍ସି, ରେଡକ୍ରସ୍ ରକ୍ତଭଣ୍ଡାର ସମେତ କଟକର ଏସ୍ସିବି ରକ୍ତ ଭଣ୍ଡାର ହେଉ କି ରେଡକ୍ରସ୍ ରକ୍ତ ଭଣ୍ଡାର, ସବୁଠି ରକ୍ତର ଅଭାବ। ଅଧିକାଂଶ ରୋଗୀଙ୍କ ସମ୍ପର୍କୀୟଙ୍କୁ ରକ୍ତ ଦେଇ ରକ୍ତ ନେବାକୁ ଭଣ୍ଡାର ପକ୍ଷରୁ କୁହାଯାଇଛି। ଅନ୍ୟଥା ରୋଗୀ ସମ୍ପର୍କୀୟ ଚଢ଼ା ମୂଲ୍ୟରେ କଳାବଜାରରୁ ରକ୍ତ କିଣୁଛନ୍ତି।
ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି) ଓ କିଛି ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ ସେମାନଙ୍କ ସାମାଜିକ ଦାୟିତ୍ବବୋଧ ପାଳନ ସ୍ବରୂପ ଗତ କିଛି ବର୍ଷ ଧରି ବ୍ୟାପକ ରକ୍ତଦାନ ଶିବିର ଆୟୋଜନ ମାଧ୍ୟମରେ ରକ୍ତ ଅଭାବ ମେଣ୍ଟାଇ ଆସୁଥିଲେ। ଏବେ ବିଜେଡି ସରକାର କ୍ଷମତାଚ୍ୟୂତ ହେବା ସହିତ ରକ୍ତ ସଂଗ୍ରହ ଅଭିଯାନ ବନ୍ଦ ହୋଇଯାଇଛି। ବିଜେଡି ପକ୍ଷରୁ ପ୍ରଥମେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଥିଲା। ପରେ ଏହାକୁ ବ୍ୟାପକ ଓ ଲୋକାଭିମୁଖୀ କରିବା ପାଇଁ ୨୦୨୦ ଅଗଷ୍ଟରୁ ‘ଓଡ଼ିଶା ମୋ ପରିବାର’ ଆରମ୍ଭ କରାଯାଇଥିଲା। ଜୀବନ ବିନ୍ଦୁ ସହ ଓଡ଼ିଶା ମୋ ପରିବାର ମିଳିତ ଭାବେ ଦଳ ପକ୍ଷରୁ ସାରା ରାଜ୍ୟରେ ରକ୍ତ ସଂଗ୍ରହ ଅଭିଯାନ ଚଳାଇଥିଲେ। ରକ୍ତଦାନ ଶିବିର ଆୟୋଜନ ସହିତ ଅଙ୍ଗଦାନ, ପ୍ଲାଜ୍ମା ଭଳି ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ସେବାମୂଳକ କାର୍ଯ୍ୟ ହାତକୁ ନେଇଥଲା। ଗତ ୪୧ ମାସ ମଧ୍ୟରେ ଏହି ଅଭିଯାନ ମାଧ୍ୟମରେ ରେକର୍ଡ ପରିମାଣ ୪ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମେ’ରେ ପ୍ରାୟ ୫ଶହ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରାଜ୍ୟର ୫୪ ସରକାରୀ ରକ୍ତ ଭଣ୍ଡାର ସହ ଯୋଗସୂତ୍ର ରକ୍ଷା କରି ଥାଲାସେମିଆ, ସିକିଲସେଲ, ଦୁର୍ଘଟଣା ସହ ଅନ୍ୟ ରୋଗୀ ଓ ଆହତଙ୍କୁ ରକ୍ତ ଯୋଗାଇ ଦିଆଯାଉଥିଲା। ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ପାଇଁ ସ୍ବତନ୍ତ୍ର ସହାୟତା ନମ୍ବର ଜାରି କରାଯିବା ସହ ପ୍ରତି ମାସରେ ଏକ ‘ନ୍ୟୁଜ୍ ଲେଟର’ ପ୍ରକାଶ ପାଉଥିଲା। ଅଭିଯାନ ପକ୍ଷରୁ ଶିବିର ଆୟୋଜକଙ୍କୁ ଆର୍ଥିକ ସହାୟତା ସହ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଉଥିଲା।
୨୦୨୪ ସାଧାରଣ ନିର୍ବାଚନ ଯୋଗୁଁ ମେ’ରୁ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ବନ୍ଦ ରହିଥିଲା। ନିର୍ବାଚନରେ ବିଜେଡିର ପରାଜୟ ପରେ ଶିବିର ବନ୍ଦ ହୋଇଗଲାଣି। ଏବେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ। ରାଜଧାନୀର ବାପୁଜୀନଗରସ୍ଥିତ ‘ଓଡ଼ିଶା ମୋ ପରିବାର’ ଅଭିଯାନର କାର୍ଯ୍ୟାଳୟ ବନ୍ଦ ହୋଇଥିବାବେଳେ ସୂଚନା ପାଇଁ ରହିଥିବା ସାମାଜିକ ଗଣମାଧ୍ୟମ ଗ୍ରୁପ୍ ମଧ୍ୟ ବନ୍ଦ କରାଯାଇଛି। କାର୍ଯ୍ୟାଳୟରେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ପ୍ରାୟ ତିନି ମାସ ହେଲା ନ୍ୟୁଜ୍ ଲେଟର ପ୍ରକାଶ ପାଉନାହିଁ। ମେ’ରୁ ‘ଓଡ଼ିଶା ମୋ ପରିବାର’ ସ୍ଥାଣୁ ପାଲଟି ଯାଇଛି। ଏହା ରକ୍ତ ସଂକଟର ଅନ୍ୟତମ କାରଣ ପାଲଟିଛି। ସରକାରରୁ ଯିବା ପରେ ବିଜେଡି ତା’ର ସଙ୍ଗଠନକୁ ସଜାଡ଼ିବା ପାଇଁ ପ୍ରଚେଷ୍ଟା କରୁଛି; କିନ୍ତୁ ‘ଓଡ଼ିଶା ମୋ ପରିବାର’କୁ ନେଇ କୌଣସି ନିଷ୍ପତ୍ତି ନେଇନି। ପ୍ରାୟ ତିନି ମାସ ହେଲା କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଆଗାମୀ ଦିନରେ ଅନୁଷ୍ଠାନର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟର ଅନ୍ୟ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରକ୍ତଦାନ ସମ୍ପର୍କିତ କୌଣସି ସ୍ବତନ୍ତ୍ର ଅଭିଯାନ କରାଯାଇନାହିଁ। ସାମାଜିକ ସଂଗଠନଗୁଡ଼ିକ ଦ୍ବାରା ସଂଗୃହୀତ ରକ୍ତ କୁଳୋଉନାହିଁ।
ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି ଯେ ଏବେ ଦଳ ପକ୍ଷରୁ ଏହି ଅଭିଯାନକୁ ବନ୍ଦ କରାଯାଇଛି। ମେ’ରୁ ଦଳର ଶୀର୍ଷ ନେତାଙ୍କ ପରାମର୍ଶରେ ଏହାକୁ ବନ୍ଦ ରଖାଯାଇଛି। ଅଭିଯାନ ରାଜ୍ୟରେ ରକ୍ତ ଅଭାବ ପୂରଣ କରିବାରେ ପ୍ରମୁଖ ଭୂମିକା ନେଇଥିଲା। ସବୁ ରକ୍ତ ଭଣ୍ଡାରର ସ୍ଥିତି ନିୟନ୍ତ୍ରଣ କରି ଆବଶ୍ୟକତା ମୁତାବକ ଶିବିର କରାଯାଉଥିଲା। ‘ଓଡ଼ିଶା ମୋ ପରିବାର’ ଓ ‘ଜୀବନ ବିନ୍ଦୁ’ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବା ପରେ ରକ୍ତ ସଙ୍କଟକୁ ଦୃଷ୍ଟିରେ ରଖି କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ଜରିଆରେ ବ୍ୟକ୍ତିଗତ ଉଦ୍ୟମରେ ରକ୍ତ ଅଭାବ ଦୂର ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି। ‘ଅମୃତ ବିନ୍ଦୁ’ ନାମରେ ଏକ ନୂଆ ଅଭିଯାନ ଆରମ୍ଭ କରିବି। ଆସନ୍ତା ୧୩ରୁ ଏହି ଅଭିଯାନ ଆରମ୍ଭ ହେବ। ସାରା ରାଜ୍ୟରେ କିଭଳି ଗୋଟିଏ ଛାତ ତଳେ ରକ୍ତ ସଂଗ୍ରହ ହେବ ସେନେଇ ପ୍ରଚେଷ୍ଟା ଚଳାଇଛି ବୋଲି ଅରୂପ କହିଛନ୍ତି।
Comments are closed.