ଚାଲାଣ ସମୟରେ ଧରାପଡ଼ିଲା ୬୦ କିଗ୍ରା ଗଞ୍ଜେଇ

ସମ୍ବଲପୁର: ସମ୍ବଲପୁର ଦେଇ ଦେଶର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଅବୈଧ୍ୟ ରୂପେ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ନିୟମିତ ଚେକିଂ କରୁଛି। ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ ଏକ୍ସପ୍ରେସ ୱେର ଶାସନ ଟୋଲ ଗେଟ ନିକଟରେ ଚେକିଂ ସମୟରେ ଏକ ଦାମୀକିଆ ମାରୁତି କାରରୁ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣ ସମୟରେ ଧରାପଡ଼ିଛି। ଗାଡି ମଧ୍ୟରୁ ଅବୈଧ୍ୟ ରୂପେ ଚାଲାଣ କରାଯାଉଥିବା ୬୦ କିଗ୍ରା ଗଞ୍ଜେଇ ଧରାପଡ଼ିଥିବା ବେଳେ ଏ ନେଇ ୨ ଜଣ ଚାଲାଣକାରୀ ଝାରଖଣ୍ଡ ରାଜ୍ୟ ଛତ୍ରା ଜିଲା ନିବାସୀ ବିଟୁ କୁମାର (୨୨) ଓ ମଧୁ କୁମାର (୨୦)ଙ୍କୁ ଧରିଛି।

ସେମାନଙ୍କ ନିକଟରୁ ପୁଲିସ ଗଞ୍ଜେଇ ସମେତ ୨ଟି ସ୍ମାର୍ଟ ମୋବାଇଲ ଫୋନ ମଧ୍ୟ ଜବତ କରିଛି। ଏଣୁ ଅବକାରୀ ବିଭାଗ ସମ୍ବଲପୁରର ମୋବାଇଲ ୟୁନିଟ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଗଞ୍ଜେଇ, ଗାଡି ଓ ମୋବାଇଲ ଫୋନ ଗୁଡିକୁ ଜବତ କରାଯାଇଛି। ପୁଲିସ ଜେରା ସମୟରେ ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇ ଗୁଡିକୁ ଅଧିକ ଲାଭ ଆଶାରେ ଅବୈଧ୍ୟ ରୂପେ ଫୁଲବାଣୀ ଅଞ୍ଚଳରୁ ଝାରଖଣ୍ଡ ରାଜ୍ୟକୁ ଚାଲାଣ କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ଜବତ ହୋଇଥିବା ଗଞ୍ଜେଇ, ଗାଡି ଓ ମୋବାଇଲ ଫୋନ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ କହିଛି।

Comments are closed.