ଜୟନ୍ତୀ ଅବସରରେ ବାବା ଆମତେଙ୍କୁ ଶ୍ରଦ୍ଧାଞ୍ଜଳି

0

ପ୍ରଖ୍ୟାତ ସମାଜସେବୀ ତଥା କୁଷ୍ଠରୋଗୀମାନଙ୍କର ଥଇଥାନ ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିବା ସାମାଜିକ କର୍ମୀ ମୁରଲୀଧର ଦେବୀଦାସ ଆମତେ ବା ବାବା ଆମତେଙ୍କର ଆଜି ଜନ୍ମତିଥି। ଏହି ଅବସରରେ ତାଙ୍କ ଅମ୍ଳାନ ସ୍ମୃୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଗୁଗୁଲ ମଧ୍ୟ ଡୁଡୁଲ ସହିତ ମିଶି ବାବା ଆମତେଙ୍କ ୧୦୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି।

୧୯୧୪ ମସିହାରେ ଆଜିର ଦିନରେ ଅର୍ଥାତ ଡିସେମ୍ବର ୨୬ତାରିଖରେ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହିଙ୍ଗନାଘାଟରେ ଏକ ଧନାଢ୍ୟ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଦେବୀଦାସ ଆମତେ ଇଂରେଜ ସରକାରଙ୍କ ଅଧୀନରେ ଜିଲ୍ଳା ପ୍ରଶାସନ ଏବଂ ରାଜସ୍ୱ ସଂଗ୍ରହ ବିଭାଗରେ କାର୍ଯ୍ୟ କରିଥିଲେ। ତେବେ ପିଲାଦିନେ ମୁରଲୀଧରଙ୍କ ଶ୍ରଦ୍ଧା ନାମ ଥିଲା ‘ବାବା’। ପରେ ସେହି ‘ବାବା’ ନାମ ସହିତ ନିଜ ସାଙ୍ଗିଆ ଯୋଡି ସେ ବାବା ଆମତେ ଭାବେ ସୁନାମ ଅର୍ଜ୍ଜନ ଥିଲେ। ଏକ ଧନୀ ଓ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ସେ ବେଶ ଆରମ ଦାୟକ ଜୀବନ ଯାପନ କରିଥିଲେ। କିନ୍ତୁ ତତ୍କାଳୀନ ସମାଜରେ ଜାତିବାଦକୁ ନେଇ ଚାଲିଥିବା ଭେଦଭାବକୁ ସେ ମାନୁ ନଥିଲେ ଏବଂ ସବୁବର୍ଗର ପିଲାମାନଙ୍କ ସହିତ ମିଶୁଥିଲେ ଓ ସେମାନଙ୍କ ସହିତ ତାଙ୍କର ବନ୍ଧୁତା ଥିଲା।

ବିଏ,ଏଲଏଲ.ବି ଶିକ୍ଷା ପରେ ସେ ୱାର୍ଦ୍ଧାରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରାଧୀନ ଭାରତରେ ସେ ଇଂରେଜ ସରକାର ବିରୁଦ୍ଧରେ ମୋକଦ୍ଦମା ଲଢିବାକୁ ପଛାଇ ନ ଥିଲେ। ଏପରିକି ୧୯୪୨ ଭାରତଛାଡ ଆନ୍ଦୋଳନ ସମୟରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ମହାତ୍ମା ଗାନ୍ଧୀଙ୍କ ସେବା ଗ୍ରାମରେ ସେ କଛି ସମୟ ଅତିବାହିତ କରିଥିଲେ ଏବଂ ଜୀବନରେ ଶେଷ ସମୟ ପର୍ଯ୍ୟନ୍ତ ଗାନ୍ଧିବାଦକୁ ଅନୁସରଣ କରିଥିଲେ।
ସେହି ସମୟରେ କୁଷ୍ଠରୋଗକୁ ନେଇ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁପ୍ରଥା ପ୍ରଚଳିତ ଥିଲା। ସେତେବେଳେ ଏହାକୁ ଡିଆଁରୋଗ ଭାବେ ବିବେଚନା କରାଯାଉଥିଲା। କିନ୍ତୁ ବାବା ଆମତେ ଏହାର ଘୋର ବିରୋଧ କରୁଥିଲେ। ଲୋକମାନଙ୍କ ମନରୁ ଏହି ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ସେ କୁଷ୍ଠ ରୋଗୀର ଶରୀରରୁ ଭୁତାଣୁକୁ ନେଇ ଇଂଜେକସନ ମାଧ୍ୟମରେ ନିଜ ଶରୀରରେ ପ୍ରବେଶ କରାଇଥିଲେ।

prayash

ପରେ ସେ ମହାରାଷ୍ଟ୍ରରେ କୁଷ୍ଠରୋଗୀଙ୍କ ଥଇଥାନ ପାଇଁ ସେ ତିନୋଟି ଆଶ୍ରମ ପ୍ରତିଷ୍ଠା କରିଥିଲେ। ୧୯୪୯ ମସିହା ଅଗଷ୍ଟ ୧୫ ତାରିଖରେ ସେ ଆନନ୍ଦବନଠାରେ ଏକ ଗଛ ତଳେ ଡାକ୍ତରଖାନା ଆରମ୍ଭ କରିଥିଲେ। ପରେ ବାବା ଆମତେ ନିଜ ପତ୍ନୀ ସାଧନା ଆମତେଙ୍କ ସହିତ ମିଶି ୧୯୫୦ରେ କୁଷ୍ଠରୋଗୀମାନଙ୍କ ପାଇଁ ଏକ ସଂଗଠନ ପ୍ରତିଷ୍ଠା କରି ସେମାନଙ୍କ ସେବା କରିଥିଲେ।

୧୯୭୩ରେ ଗଡଚିରୋଲି ଜିଲ୍ଳାର ଆଦିବାସୀ ମାଦିଆ ଗଣ୍ଡମାନଙ୍କ ଉନ୍ନତି ପାଇଁ ଲୋକବିହାରୀ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ। ୧୯୯୦ରେ ସେ ନର୍ମଦା ବଞ୍ଚାଅ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସାମଜସେବା ଓ ସାମାଜିକ କାର୍ଯ୍ୟ ପାଇଁ  ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଭାରତ ସରକାର ୧୯୭୧ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୧୯୮୬ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ୧୯୮୫ରେ ତାଙ୍କୁ ରମଣ ମାଗାସେସ ପୁରସ୍କାର ପ୍ରଦାନ କରାଯାଇଥିଲା। ମାନବିକ ଅଧିକାର ସୁରକ୍ଷା ପାଇଁ ୧୯୮୮ରେ ତାଙ୍କୁ ମିଳିତ ଜାତିିସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ୧୯୯୦ରେ ବାବା ଆମତେଙ୍କୁ ଟେମ୍ପଲେଟନ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୧୯୯୯ରେ ତାଙ୍କୁ ମର୍ଯ୍ୟାଦା ଜନକ ଡ଼କ୍ଟର ଆମ୍ବେଦକର ଅନ୍ତର୍ଜାତୀୟ ପୁରସ୍କାର ଏବଂ ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭାରତ ସରକାର ମଧ୍ୟ ବାବା ଆମତେଙ୍କ ସମ୍ମାନରେ ସ୍ବତନ୍ତ୍ର ଡାକ ଟିକଟ ପ୍ରକାଶ କରିଥିଲେ।

୨୦୦୮ ମସିହା ଫେବୃୟାରୀ ୯ ତାରିଖରେ ୯୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କିନ୍ତୁ ସମାଜ ସେବା ଓ କୁଷ୍ଠରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ସେବା ବାବା ଆମତେଙ୍କୁ ଚିର ସ୍ମରଣୀୟ କରି ରଖିଛି।

kalyan agarbati
Leave A Reply