ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ମହାକାଶ ଯାତ୍ରାକୁ ନାସା ପକ୍ଷରୁ ପୁଣି ସ୍ଥଗିତ ରଖାଯାଇଛି। ଫଳରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶ ଯିବାକୁ ଉଦ୍ୟତ ସୁନିତାଙ୍କୁ ଦ୍ବିତୀୟ ଥର ଏହି ଅଭିଯାନରେ ନିରାଶ ହେବାକୁ ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭାରତୀୟ ସମୟ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ସୁନିତା ଓ ବଚ୍ ୱିଲମୋରଙ୍କୁ ନେଇ ମହାକାଶଯାନ ଯାତ୍ରାରମ୍ଭ କରିବ ବୋଲି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। ତେବେ ଉଡାଣ ଆରମ୍ଭ ହେବାର ମାତ୍ର ୩ ମିନିଟ ପୂର୍ବରୁ ଆଟଲାସ ଭି ରକେଟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଉଡାଣକୁ ବାତିଲ କରାଯାଇଛି। ଚଳିତବର୍ଷ ମେ’ ୭ରେ ସୁନିତା ଓ ୱିଲମୋର ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିବେ ବୋଲି ସ୍ଥିର ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାସା ଏହାକୁ ବାତିଲ କରିବା ସହ ପରବର୍ତ୍ତୀ ଉଡାଣ ଜୁନ ୨କୁ ଧାର୍ଯ୍ୟ କରିଥିଲା। ସୁନିତା ପୂର୍ବରୁ ଦୁଇଥର ମହାକାଶ ଯାତ୍ରା କରିସାରିଥିବାବେଳେ ୩୨୨ ଦିନ ମହାକାଶରେ ବିତାଇଛନ୍ତି। ଏଥସହିତ ସେ ୨୯ ଘଣ୍ଟା ୧୭ ମିନିଟ ମହାକାଶରେ ପଦଯାତ୍ରା କରିସାରିଛନ୍ତି।
Popular Categories



