BJD Bijuli 480×75 Mob

ଗ୍ରୀଷ୍ମଦାଉରୁ ନିଜକୁ କେମିତି ରଖିବେ ସୁରକ୍ଷିତ?

BJD Bijuli 480×75 Mob

ଭୁବନେଶ୍ଵର: ଆମ ଦେଶ ଏକ ଗ୍ରୀଷ୍ମ ପ୍ରଧାନ ଦେଶ। ସାଧାରଣତଃ ଖରାଦିନେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ଆମ ଦେଶବାସୀଙ୍କ ପାଇଁ କିଛି ନୂଆକଥା ନୁହେଁ। ମାର୍ଚ୍ଚ ମାସରୁ ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଜୁନ୍‌ ମାସ ମଧ୍ୟଭାଗ ଯାଏ ଚାଲୁ ରହିଥାଏ। ବହୁବିଧ କାରଣରୁ ବାୟୁମଣ୍ଡଳର ତାପମାତ୍ରା ଦିନ ପରେ ଦିନ ବଢ଼ିବା ସହିତ ଆମ ରାଜ୍ୟର ୧୮ଟି ଜିଲାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବା ଦ୍ବାରା ଚାରିଆଡ଼େ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆସନ୍ତୁ ଜାଣିବା କେମିତି ଆମେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇପାରିବା। ଏବେ ଦେଶର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଚାଲିଛି। ତେବେ ଅତି ଦରକାର ନଥିଲେ ଦେଶର ଅନ୍ୟ କୌଣସି ଅଞ୍ଚଳ ଗସ୍ତରେ ନଯିବା ଉଚିତ।
ଇତି ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ରକ୍ଷାପାଇବାକୁ ଲୋକେ ନିଜ ଶରୀରକୁ ଜଳକ୍ଲିଷ୍ଟରେ ନରଖି ପ୍ରଚୁର ଜଳପାନ, ପଣା ଇତ୍ୟାଦି ପିଇବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ଜନିତ କାରଣରୁ ଦେହରୁ ଝାଳ ବୋହିବା ଦ୍ବାରା ସୃଷ୍ଟି ହେଉଥିବା ଜଳାଭାବ ଅବସ୍ଥାକୁ ଏହା ମାଧ୍ୟମରେ ସମାଧାନ କରାଯାଇପାରିବ। ବରିଷ୍ଠ ନାଗରିକ, ମହିଳା ତଥା ଶିଶୁମାନେ ଗ୍ରୀଷ୍ମ ପ୍ରବାହ ବେଳେ ଯଦି ଗୃହତ୍ୟାଗ କରନ୍ତି ତେବେ ସେମାନେ ସାଙ୍ଗରେ ପାଣି ବୋତଲ, ଛତା, ଯୋତା ସହ କିଛି ପ୍ରତିରୋଧକ ଔଷଦ ମଧ୍ୟ ଧରି ଯିବାର ଆବଶ୍ୟକତା ରହିଛି। ପୁରୁଷ ଓ ମହିଳାମାନେ ମୁଣ୍ଡକୁ ଥଣ୍ଡା ରଖିବାକୁ ଓଦା ଗାମୁଛା, ରୁମାଲ ଇତ୍ୟାଦି ସାଙ୍ଗରେ ନେଲେ ଭଲ। ସ୍ବାସ୍ଥ୍ୟ ବିଭାଗ ଖରାରେ ଯାତାୟତ କରୁଥିବା ଲୋକେ ପଇଡ଼ ପାଣି, ଲେମ୍ବୁ ପାଣି ମିଶା ସରବତ, ଦହି ପାଣି, ଫଳରସ, ଫଳ, ଘର ରନ୍ଧା ଖାଦ୍ୟ ସହ ସାଧା ପାଣି ମଧ୍ୟ ପ୍ରଚୁର ପିଇବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ତେବେ ମଦ୍ୟପାନ ଓ ବିଡ଼ି, ସିଗାରେଟ୍‌ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାର ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦିନ ୧୧ଟାରୁ ୩ଟା ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପ୍ରାୟତଃ ହେଉଥିବାରୁ ଏହି ସମୟରେ ଘରୁ ନ ବାହାରିବା ଉଚିତ। ଅତ୍ୟଧିକ ଗ୍ରୀଷ୍ମତାପ ମଧ୍ୟରେ ରହିଲେ ଲୋକଟିଏ ଚେତା ହରାଇ ପଡ଼ିଯିବା ସହ, ଶରୀରରେ ଜଳହୀନତା ଦେଖାଯିବାର ଭୟ ରହିଛି। ଏଭଳି କ୍ଷେତ୍ରରେ ତୁରନ୍ତ ଚିକିତ୍ସାଳୟର ସାହାଯ୍ୟ ନିଆଯିବା ଆବଶ୍ୟକ। ବିଶ୍ବସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଉପଦେଶ ଅନୁସାରେ ଯେଉଁଲୋକେ ଜରୁରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ କାମକୁ ବାହାରିବା ପୂର୍ବରୁ ଓଆର୍‌ଏସ୍‌ ଭଳି କେତେକ ପାନୀୟ ନିଜ ସହିତ ନେବା ଆବଶ୍ୟକ। ଏହା ପାନ ମାଧ୍ୟମରେ ଝାଳ ଦ୍ବାରା ଶରୀରରୁ କମିଯାଇଥିବା ସୋଡିୟମ ଓ ପୋଟାସିୟମ ମାତ୍ରା ପୁନଶ୍ଚ ଆସିଯାଇ ଶରୀରକୁ ଗ୍ରୀଷ୍ମରୁ ସୁରକ୍ଷା ଦେଇଥାଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଗ୍ରୀଷ୍ମପ୍ରବାହ ନେଇ ସଚେତନତା। ତାପମାତ୍ରା କେତେ ବଢ଼ୁଛି ତାହା ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ହୁଏତ ଜାଣିବା ସମ୍ଭବ ନୁହେଁ; କିନ୍ତୁ ଏଥିରୁ ବର୍ତ୍ତୀବାର ବାଟ କ’ଣ ସେ ସମ୍ପର୍କରେ ସମସ୍ତେ ସଚେତନ ହେବା ଜରୁରୀ। କାରଣ ଏହାର ପ୍ରଭାବ କେତେ ଭୟଙ୍କର ସେ ସମ୍ପର୍କରେ ୧୯୯୮ରେ ଆମ ରାଜ୍ୟରେ ଘଟିଥିବା ଅଂଶୁଘାତ ଓ ୨୦୦୦ ଲୋକଙ୍କ ଆକସ୍ମିକ ଅସହାୟ ମୃତ୍ୟୁ ଆମକୁ ସୂଚନା ଦେଇଥାଏ।

Comments are closed.