www.samajalive.in
Monday, December 15, 2025
17.1 C
Bhubaneswar

ଆଜି ଖୋଲିବ ରତ୍ନଭଣ୍ଡାର

  • ଦିନ ୧ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା 
  •    ଭିତରେ ଓ ବାହାରେ ସଶସ୍ତ୍ର ପୁଲିସ ଫୋର୍ସ
  •  ରହିବେ ଡାକ୍ତରୀ ଦଳ ,ଅଗ୍ନିଶମ କର୍ମଚାରୀ
  •  ସାପ ଭୟ ଦୂର ପାଇଁ ସ୍ନେକ୍‌ ହେଲପ୍‌ ଲାଇନ୍‌ ସହାୟତା
  •  ଜରୁରୀ ପରିସ୍ଥିତି ପାଇଁ ସଜାଗ ରହିବ ଓଡ୍ରାଫ୍ଟ ଟିମ୍‌
  •  ଗଜପତିଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଯାଞ୍ଚ ଦାବି 
ପୁରୀ : ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ଦିନ ୨ଟାରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ୧୦ଜଣିଆ କମିଟି ଧୋତି ଓ ଗାମୁଛା ପିନ୍ଧି ଭିତରେ ପ୍ରବେଶ କରିବେ। ଶ୍ରୀମନ୍ଦିରର ଚାରୋଟି ଦ୍ୱାରରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବ। ମନ୍ଦିର ଭିତରେ ୨ପ୍ଲାଟୁନ ଫୋର୍ସ ସମେତ ଡାକ୍ତରୀ ଦଳ ଉପସ୍ଥିତ ରହିବେ। ଭିତରେ ସାପଥିବା ଆଶଙ୍କା କରି ସ୍ନେକ ହେଲପ ଲାଇନ ସହାୟତା ମଗାଯାଇଥିବା ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଜଗମୋହନରେ ଥିବା ବାହାର ଭଣ୍ଡାରଘର ଦେଇ କମିଟିର ସଭ୍ୟମାନେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ। ମେଟାଲ ଡିଟେକ୍ଟର ମାଧ୍ୟମରେ ସେମାନଙ୍କୁ ଯାଞ୍ଚ କରାଯିବ। ଗଜପତି ମହାରାଜାଙ୍କ ପ୍ରତିନିଧି, ଛତିଶା ନିଯୋଗ ମହାନାୟକ, ଦେଉଳ କରଣ, ତଡ଼ଉ କରଣ, ଭଣ୍ଡାର ମେକାପ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ୨ଜଣ ଅଧିକାରୀ, କୋର୍‍ କମିଟି ସଭ୍ୟ ପ୍ରଫେସର ଜି.ସି ମିତ୍ର ଏବଂ ଏନ୍‍.ସି ପାଲ, ହାଇକୋର୍ଟଙ୍କ ପକ୍ଷରୁ ଏନ.ସି ମହାନ୍ତି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବେ। ଛାତ, କାନ୍ଥ ଏବଂ ଚଟାଣ ଯାଞ୍ଚ ପରେ କମିଟିର ସଭ୍ୟମାନେ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିବେ।
ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀଲୋକନାଥଙ୍କ ଅନୁମତି ନିଆଯିବ। ୧୦ଜଣ ସଭ୍ୟ ଏକାଠି ରତ୍ନଭଣ୍ଡାରରେ ପ୍ରବେଶ କରିବେ ଏବଂ ବାହାରିବେ। କୌଣସି ସଭ୍ୟ ଯେପରି ରତ୍ନବାକ୍ସ କିମ୍ବା ଅଳଙ୍କାର ସ୍ପର୍ଶ ନକରନ୍ତି ସେଥିପ୍ରତି ଭଣ୍ଡାର ମେକାପ ତୀକ୍ଷ୍‍ଣ ନଜର ରଖିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ମାର୍ଗଦର୍ଶିକା (ଏସ୍‍ଓପି) ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ସହ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଜଡ଼ିତ ଥିବାରୁ ରତ୍ନଭଣ୍ଡାର ରହସ୍ୟ ବାହାରେ ପ୍ରଘଟ କରାଯିବ ନାହିଁ। ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ କମିଟିର ସଭ୍ୟମାନେ ମୁଦି, ଚେନ, ବ୍ରେସଲେଟ ବାହାର କରି ପ୍ରଶାସନ ପାଖରେ ଜମା କରିବେ। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସ୍‍ଡମା) ପକ୍ଷରୁ ଓଡ୍ରାଫ୍ଟ ଟିମ ମନ୍ଦିର ବେଢାରେ ସଜାଗ ହୋଇ ରହିବେ। ଡାକ୍ତରୀ ଦଳଦ୍ୱାରା କମିଟି ସଭ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗମଣ୍ଡପ ପରେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୨ଘଣ୍ଟା ସମୟ ଲାଗିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସକ, ଜିଲାପାଳ, ଏସ୍‍ପି, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର ଏବଂ ଅନନ୍ତ ତିଆଡିଙ୍କୁ ରତ୍ନଭଣ୍ଡାର ଯାଞ୍ଚ କମିଟିରେ ସାମିଲ କରାଯିବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ପ୍ରେସ୍‍ ବିଜ୍ଞପ୍ତିରେ ଏଥିନେଇ ସୂଚନା ଦିଆଯାଇଛି। ମୁକ୍ତିମଣ୍ଡପ ଏବଂ ବେହେରଣ ଦ୍ୱାରଠାରେ ୨ଟି ପର୍ଯ୍ୟାୟରେ ଯାଞ୍ଚ କରାଯିବ। ଭିତର ଅନ୍ଧକାର ଥିବାରୁ ଟର୍ଚ୍ଚଲାଇଟ ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରାଯିବ। ବୁଧବାର ଦିନ ୧୨ଟା ସୁଦ୍ଧା ପୁରୀ ଟ୍ରେଜେରିରୁ ରତ୍ନଭଣ୍ଡାର ଚାବି ଅଣାଯିବ। ଯାଞ୍ଚ ପରେ ଗଜପତିଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଚାବି ପକାଯିବ। କମିଟିର ସମସ୍ତ ସଭ୍ୟ ଯାଞ୍ଚ ରିପୋର୍ଟରେ ସ୍ୱାକ୍ଷର କରିବେ। ତାହାକୁ ଭିଡିଓଗ୍ରାଫି କରାଯିବ। ରତ୍ନଭଣ୍ଡାର ଯାଞ୍ଚ ପରେ ଶ୍ରୀମନ୍ଦିର ଶୋଧ କରାଯାଇ ମହାପ୍ରଭୁଙ୍କ ନୀତି ଅନୁଷ୍ଠିତ ହେବ ଏବଂ ଦର୍ଶନ ପାଇଁ ଭକ୍ତଙ୍କୁ ଭିତରକୁ ଛଡାଯିବ ବୋଲି ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ପ୍ରକାଶ କରିଛନ୍ତି।
ଗଜପତିଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଯାଞ୍ଚ ଦାବି
ପୁରୀ  : ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଯାଞ୍ଚ କରାଯିବାକୁ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ଦାବି କରିଛି। ଗଜପତିଙ୍କ ପୂର୍ବପୁରୁଷ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ସୁନାରୁପା ଓ ହୀରାନୀଳା ଅଳଙ୍କାର ଦାନ କରିଥିବାରୁ ଯାଞ୍ଚ ବେଳେ ତାଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣ ସମ୍ପାଦକ କାଶୀନାଥ ଖୁଣ୍ଟିଆ କହିଛନ୍ତି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଗଜପତି ମହାରାଜା ଶ୍ରୀଜୀଉଙ୍କ ଆଦ୍ୟ ସେବକ ଏବଂ ପରିଚାଳନା କମିଟିର ସ୍ଥାୟୀ ସଭାପତି। ତେଣୁ ତାଙ୍କ ପ୍ରତିନିଧିଙ୍କ ପରିବର୍ତ୍ତେ ନିଜେ ଗଜପତି ମହାରାଜା ରତ୍ନଭଣ୍ଡାର ଯାଞ୍ଚ ବେଳେ ଉପସ୍ଥିତ ରହିବା ଉଚିତ। ସେଥିରେ ବ୍ୟତିକ୍ରମ ପରମ୍ପରାର ଉଲ୍ଲଙ୍ଘନ ବୋଲି ଶ୍ରୀ ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ଉପସଭାପତି କାଶୀନାଥ ଖୁଣ୍ଟିଆ, ସଂଯୋଜକ ଦେବେନ୍ଦ୍ର ନାରାୟଣ ବ୍ରହ୍ମଚାରୀ, ବାଳକୃଷ୍ଣ ପ୍ରତିହାରୀ, ଦୋଳଗୋବିନ୍ଦ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories