ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି କୈଳାସ ସିଂହ, ସରକାରଙ୍କୁ ଯୋଗାଉଛନ୍ତି ପ୍ରାମାଣିକ ବିହନ
ସାଲେପୁର: ପିଲା ବୟସରେ ବାପାଙ୍କୁ ହରାଇଥିଲେ। ମାଟ୍ରିକ୍ ପରେ ଆଉ ପାଠ ପଢ଼ି ନପାରି ଯୁବ ବୟସରେ କୃଷି କାର୍ଯ୍ୟକୁ ଆପଣାଇଥିଲେ। ଏବେ ୬୮ବର୍ଷ ବୟସରେ ନିଜର ଚାଷ ଜମିରେ ଉନ୍ନତ ତଥା ଜୈବିକ ପ୍ରଣାଳୀରେ ଚାଷ କରି ରାଜ୍ୟ ତଥା ଦେଶର ଜଣେ ଅଗ୍ରଣୀ ଚାଷୀର ପରିଚୟ ପାଇଛନ୍ତି ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଗୋଡ଼ା ଗ୍ରାମର କୈଳାସ ସିଂହ।
ପ୍ରାୟ ୭ଏକରରୁ ଅଧିକ ଜମିରେ ସେ ପ୍ରତିବର୍ଷ ପନିପରିବା ଚାଷ କରି ଆସୁଛନ୍ତି। ଏଥିସହିତ ଧାନ, ମୁଗ, ନଡ଼ିଆ, ଆମ୍ବ, ସପୁରି, କଦଳୀ ଚାଷ ସହ ସେ ସମନ୍ୱିତ କୃଷି ଚାଷ ଯୋଜନାରେ ମହୁ ଚାଷ, ଜିଆ ଖତ ଚାଷ, ମାଛ ଚାଷ, ଗାଈ, ଛେଳି, ବତକ ଚାଷ କରିଆସୁଛନ୍ତି। ଚଳିତ ବର୍ଷ ସେ ମିଠା ମକା ଚାଷ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜଣେ ଅଗ୍ରଣୀ ଚାଷୀ ରୂପେ ସମ୍ବର୍ଦ୍ଧିତ ହୋଇ କୃଷି ବିଭାଗ ପକ୍ଷରୁ ୧ଲକ୍ଷ ୬ହଜାର ୮ଶହ ଟଙ୍କା ପ୍ରୋତ୍ସାହନ ରାଶି ପାଇଛନ୍ତି।
ସେହିପରି ସେ କୃଷି ବୈଷୟିକ ବିଦ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଓଡ଼ିଶା ସରକାରଙ୍କର ବିଭିନ୍ନ ଯୋଜନାରେ ଅଗ୍ରଣୀ ଚାଷୀଭାବେ ବିଭିନ୍ନ ରାଜ୍ୟକୁ ଯାଇ ଚାଷ ସମ୍ପର୍କରେ ଅନୁଧ୍ୟାନ କରିବା ସହ ପ୍ରଶିକ୍ଷଣ ନେଇଛନ୍ତି। କିଛିବର୍ଷ ତଳେ ସେ ୧ ଗୁଣ୍ଠ ଜମିରେ ଖଣ୍ଡଗିରି ଧାନ ଚାଷ କରି ୧ କ୍ୱିଣ୍ଟାଲ ଧାନ ଅମଳ କରି ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଚାଷରେ ସେ ଜୈବିକ ଖତ ପ୍ରୟୋଗ କରି ରାଜ୍ୟ ସରକାରଙ୍କୁ ପ୍ରାମାଣିକ ବିହନ ଯୋଗାଇ ଆସୁଛନ୍ତି। ଚଳିତବର୍ଷ ସେ ୬୦କ୍ୱିଣ୍ଟାଲ ପ୍ରାମାଣିକ ବିହନ ସରକାରଙ୍କୁ କ୍ୱିଣ୍ଟାଲ ପିଛା ୨୭୫୦ ଟଙ୍କାରେ ବିକ୍ରି କରିଥିବାବେଳେ ମଣ୍ଡିରେ ୮୦ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି। ୧୨ଗୁଣ୍ଠ ପୋଖରୀରେ ମାଛ ଚାଷ କରିଥିବାବେଳେ ସେ ବର୍ଷକୁ ପ୍ରାୟ ୪୦ହଜାର ଟଙ୍କା ଲାଭ ପାଉଛନ୍ତି।
ଗୋ ପାଳନରେ ମଧ୍ୟ ତାଙ୍କୁ ମିଳିଛି ସଫଳତା। ବଡ଼ପୁଅ ଚାଷ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ଚାଷକାମକୁ ଆଜିର ଯୁବକ ନାକ ଟେକୁଥିବାବେଳେ କୈଳାସ ସିଂହ କୁହନ୍ତି, ନିଷ୍ଠାର ସହ ଚାଷ କାର୍ଯ୍ୟ କଲେ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସଫଳତା ମିଳିବ।
Comments are closed.