ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କୁ ଯୋଗାଇ ଦିଆଯାଉ ସ୍ବାସ୍ଥ୍ୟ ବୀମା
ପିପିଲି :ପିପିଲି ବ୍ଲକ ଅଞ୍ଚଳର ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସ୍ଥାନୀୟ ମକରବା ସ୍ଥିତ ଶୈବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା।
ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ପେନ୍ସନ କାର୍ଯ୍ୟ ଦିର୍ଘଦିନ ଧରି ଡି.ଇ.ଓ ଙ୍କ କାର୍ଯ୍ୟାଳୟରେ ପଡିରହିଥିବାରୁ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏଦିଗରେ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଯାତ୍ରାକାଳୀନ ଗାଡି ଭଡାରେ ରିହାତି ବ୍ୟବସ୍ଥା ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ଆଦି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଏ ସଂପର୍କିତ ଏକ ଦାବିପତ୍ରକୁ ସରକାରଙ୍କୁ ପ୍ରଦାନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ସଂଘ ପକ୍ଷରୁ ହେବାକୁ ଥିବା କୃତୀ ଛାତ୍ରଛାତ୍ରୀଙ୍କ ସଂବର୍ଦ୍ଧନା କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସେବାମୂଳକ କାର୍ଯ୍ୟକ୍ରମ ସଂପର୍କରେ ସଂଘର ସଂପାଦକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜ୍ଜୁନ ଘୋଡେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉପସଭାପତି ସଚ୍ଚିକାନ୍ତ ନାୟକ, ଲକ୍ଷ୍ମୀଧର ପ୍ରଧାନ, ସତ୍ୟାନନ୍ଦ ଦାଶ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସହସଂପାଦକ ରଘୁନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.