୨୦୨୩ – ବିଜ୍ଞାନରେ ଭାରତର ସ୍ୱର୍ଣ୍ଣିମ ଇତିହାସ

ଇସ୍ରୋ ରଚିଲା ଇତିହାସ
୨୦୨୩ ଅଗଷ୍ଟ ୨୩ ତାରିଖ। ଏହି ଦିନ ସାରା ବିଶ୍ବରେ ଭାରତୀୟମାନଙ୍କୁ ଗର୍ବିତ କରି ଇସ୍ରୋ ଦ୍ବାରା ପ୍ରେରିତ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରଥମଥର ସଫଳତାର ସହିତ ଅବତରଣ କରି ଇତିହାସ ରଚିଥିଲା। ୬୧୫କୋଟି ଟଙ୍କାର ବଜେଟ୍‌ ଦ୍ବାରା ସଂଚାଳିତ ଏହି ଯୋଜନା ସମସ୍ତ ଭାରତବାସୀଙ୍କ ପାଇଁ ଥିଲା ଅବିଶ୍ବସନୀୟ, ଅଦ୍ବିତୀୟ। ଭାରତୀୟମାନଙ୍କର ଏହି ସଫଳତା ଚନ୍ଦ୍ରପୃଷ୍ଠରେ ବିକଶିତ ଭାରତର ଶଙ୍ଖନାଦ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ବହୁ ଦେଶରୁ ଭାରତକୁ ଏଭଳି ବିରଳ କାର୍ଯ୍ୟ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଭାରତର ଏହି ସଫଳତା ଥିଲା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ପୃଥିବୀର ପ୍ରଥମ ମିଶନ୍‌। ଏହି ସଫଳତା ଭାରତୀୟ ବିଜ୍ଞାନ ବିଶେଷ ଭାବେ ମହାକାଶବିଜ୍ଞାନୀମାନଙ୍କ ଶ୍ରମ ଓ ନିଷ୍ଠାପର କାର୍ଯ୍ୟର ପ୍ରତୀକ ବୋଲି କୁହାଯାଇପାରେ। ବିଗତ ୧୦ ବର୍ଷର ଇତିହାସକୁ ପର୍ଯ୍ୟବେକ୍ଷଣ କଲେ, ଆମେ ଏହି ସମୟରେ ଭାରତୀୟ ମହାକାଶ ବିଜ୍ଞାନ ସାରା ବିଶ୍ବରେ ଅନ୍ୟ ହାତଗଣତି ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିଛି ବୋଲି କହିପାରିବା।

ଚନ୍ଦ୍ର ପରେ ସୂର୍ଯ୍ୟ ଅଭିମୁଖେ ଆଦିତ୍ୟ ଏଲ୍-୧
ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନେ ୨୦୨୩ ସେପ୍ଟେମ୍ବର ମାସ ୨ତାରିଖରେ ଆଦିତ୍ୟ ଏଲ୍-୧ ମିଶନ୍‌ ପ୍ରେରଣ କରି ଏଥିରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିବା ଦେଶବାସୀଙ୍କୁ ଉଲ୍ଲସିତ କରିଛି। ଉଲ୍ଲେଖନୀୟ ବିଷୟ ହେଉଛି ଏହା ଥିଲା ଭାରତର ପ୍ରଥମ ସୂର୍ଯ୍ୟଙ୍କ ଅଭିମୁଖେ ଯାତ୍ରା ଯୋଜନା। ଯାତ୍ରାକାଳରେ ସୂର୍ଯ୍ୟଯାନ ସଫଳତାର ସହ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ଭେଦ କରି ଏହା ହାଲୋ ଅର୍ବିଟ୍‌ରେ ପହଞ୍ଚି ସେଠାରେ କାର୍ଯ୍ୟ କରୁଛି। ଏହି ଯାନ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି। ଏହି ଦୂରତା ପୃଥିବୀ-ସୂର୍ଯ୍ୟ ଦୂରତାର ମାତ୍ର ୧ ପ୍ରତିଶତ। ଏହି ଯାନ ଏଠାରେ ପୃଥିବୀ ପରିକ୍ରମଣ କରିବା ସହ ସୂର୍ଯ୍ୟର ବାହ୍ୟ ସ୍ତର କରୋନାର ଉତ୍ତାପ ଓ ସୌର ବାୟୁର ବୃଦ୍ଧି, ସୌର ଚୁମ୍ବକୀୟ ଝଡ଼, ପୃଥିବୀର ବାୟୁମଣ୍ଡଳ ଉପରେ ଏହାର ପ୍ରଭାବ ବିଷୟରେ ଅଧ୍ୟୟନ କରିବ। ଏସବୁ ଗବେଷଣା କାମ କରିବାକୁ ଏଥିରେ ୭ଟି ଯନ୍ତ୍ରାଂଶ ସଂଯୋଗ କରାଯାଇଛି। ଏହା ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା। ପୂର୍ବରୁ ଆମେରିକା, ଜର୍ମାନୀ ଓ ୟୁରୋପୀୟ ସ୍ପେସ୍ ଏଜେନ୍ସି ସୂର୍ଯ୍ୟ ସମ୍ପର୍କରେ ମୋଟ୍ ୨୨ଟି ଅନୁଧ୍ୟାନ କରିଛନ୍ତି।

‘ଗଗନାୟନ’ ପାଇଁ ପ୍ରସ୍ତୁତି
ସମସ୍ତ ଗବେଷଣା କାର୍ଯ୍ୟ ଠିକ୍ ରୂପେ ସଂଚାଳିତ ହେଲେ ଭାରତ ୨୦୨୪ ଡିସେମ୍ବର ମାସରେ ମହାକାଶକୁ ପ୍ରଥମଥର ପାଇଁ ମଣିଷ ପଠାଇବାକୁ ଇସ୍ରୋ ଅଧ୍ୟକ୍ଷ ଘୋଷଣା କରିବା ଭାରତୀୟଙ୍କୁ ଆନନ୍ଦ ଦେଇଛି। ଏହି ଯାନରେ ୨ ବା ୩ଜଣ ମହାକାଶ ଯାତ୍ରୀ ଯାତ୍ରା କରିବେ। ଏଥିପାଇଁ ପ୍ରାଥମିକ ସ୍ତରରେ ଅନେକ ପରୀକ୍ଷା କରାଯାଇଛି। ଏହି ଯାତ୍ରାରେ ଟିଭି-ଡି୧ ମହାକାଶଯାନ ବ୍ୟବହୃତ ହେବ। ଏହି ମହାକାଶଚାରୀମାନେ ପୃଥିବୀ ଚତୁଃପାର୍ଶ୍ବରେ ୨।୩ଥର ପ୍ରଦିକ୍ଷଣ କରିବା ସହ ଫେରିବା ସମୟରେ ମହାକାଶଯାନ ସମୁଦ୍ରର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବ। ଏଥିପାଇଁ ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ରମ ଚାଲିଛି।ପ୍ରଥମ ପର୍ଯ୍ୟାୟରେ ମହାକାଶକୁ ମାନବବିହୀନ କ୍ୟାପସୁଲରେ ‘ବ୍ୟୋମିତ୍ର’ ନାମକ ଏକ ମହିଳା ରୋବଟ୍‌କୁ ପ୍ରେରଣ କରାଯାଇ ଯାତ୍ରାର ସୁବିଧାଅସୁବିଧା ନିରୀକ୍ଷଣ କରାଯିବ। ଦରକାର ହେଲେ ୨୦୨୫ରେ ମାନବକୁ ପ୍ରେରଣ କରାଯିବ ବୋଲି କୁହାଯାଇଛି।

କମୁଛି ମଣିଷର ବଂଶବୃଦ୍ଧି କ୍ଷମତା
ବିଜ୍ଞାନ ବଳରେ ଆମେ ମଣିଷ ଜାତି ଏବେ ଚରମ ଉନ୍ନତିରେ ପହଞ୍ଚିଥିବାବେଳେ ମଣିଷର ବଂଶବୃଦ୍ଧି କ୍ଷମତା କ୍ରମେ ବହୁବିଧ କାରଣରୁ କମିକମି ଯାଉଛି ବୋଲି ଆନ୍ତର୍ଜାତିକ ସ୍ତରରେ ଘୋଷଣା ଆତଙ୍କ ଆଣିଛି। ଏହା ମଣିଷ ସମାଜ ପାଇଁ ଏକ ନିରବ ଘାତକ ସାଜିଛି। ଏବେ ଜନ୍ମସଂଖ୍ୟା ଆଗାମୀ ୨୦ ବର୍ଷ ମଧ୍ୟରେ ଏଭଳି କମିବ ଯେ ସେଥିନେଇ ସବୁଆଡ଼େ ଚିନ୍ତା ବଢ଼ିଛି। ଇତିମଧ୍ୟରେ ପିଲାଙ୍କ ସଂଖ୍ୟା ହ୍ରାସ ଯୋଗୁଁ ଜାପାନରେ ଏକହଜାର ସ୍କୁଲ ବନ୍ଦ ହୋଇଯାଇଛି। ଏହାର କାରଣ ସମ୍ପର୍କରେ କୁହାଯାଇଛି ଯେ ଅତିରିକ୍ତ ଧୂମ୍ରପାନ(ପୁରୁଷମାନଙ୍କ-କ୍ଷେତ୍ରରେ) ଓ ସ୍ତ୍ରୀ-ପୁରୁଷଙ୍କ କ୍ଷେତ୍ରରେ ଅତ୍ୟଧିକ କର୍ମଜନିତ ଚାପ। ଆଗାମୀ ସମୟରେ ପୁରୁଷଙ୍କ କ୍ଷେତ୍ରରେ ଶତକଡ଼ା ୭୦ ଭାଗ ଓ ମହିଳାଙ୍କ କ୍ଷେତ୍ରରେ ଶତକଡ଼ା ୪୦ ଭାଗରୁ ଅଧିକ ସନ୍ତାନ ସୃଷ୍ଟି ପାଇଁ ଆବଶ୍ୟକ ଦକ୍ଷତା କମିଯିବ ବୋଲି ଇତିମଧ୍ୟରେ ଜାତିସଂଘ ପକ୍ଷରୁ ମଧ୍ୟ ଘୋଷଣା କରାଯାଉଛି। ତେବେ ଏହା ଭିତରେ ମଧ୍ୟ ଲୋକଙ୍କ ବଞ୍ଚିବା ସମୟ ବଢ଼ିବଢ଼ି ଚାଲିଛି। ପୃଥିବୀର ଅନେକ ଦେଶରେଏହା ଦେଖାଦେଲାଣି। କେତେକ ଦେଶ ସରକାର ନିଜ ଦେଶରେ ଜନ୍ମହାର ବୃଦ୍ଧି କରିବାକୁ ମହିଳାମାନଙ୍କୁ ଶିଶୁ ଜନ୍ମ ପାଇଁ ବହୁବିଧ ସୁବିଧା ସୁଯୋଗ ପ୍ରଦାନ କରିବା ଆରମ୍ଭ କଲେଣି। ୨୦୫୦ମସିହା ମଧ୍ୟରେ ମଣିଷ ଜାତି, ସମାଜ ପାଇଁ ଆସୁଥିବା ଏହି ଅଦେଖା ଆତଙ୍କରୁ ମୁକ୍ତି ହିଁ ଆଗାମୀ ବର୍ଷ ପାଇଁ ଏକ ଆହ୍ବାନ ହୋଇଛି।

ଭାରତର ପ୍ରଥମ ସୌର ସହର
୨୦୨୩, ସେପ୍ଟେମ୍ବର ମାସ ୬ତାରିଖରେ ମଧ୍ୟପ୍ରଦେଶ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେଶର ସୌରଶକ୍ତି ଦ୍ବାରା ପରିଚାଳିତ ପ୍ରଥମ ସହର ‘ସାନଚି’ର ଶୁଭ ଉଦ୍‌ଘାଟନ କରିଥିଲେ।ଏହି ସହରର ସମସ୍ତ ଆବଶ୍ୟକ ଶକ୍ତି ସ୍ଥାପିତ ସୌର କୋଷରୁ ସଂଗୃହୀତ ହୋଇ ସହରକୁ ଯୋଗାଉଛି। ଏହା ଫଳରେ କେବଳ ସେହି ସହରରୁ ୧୪୩୨୪ ଟନ୍‌‌ ବାର୍ଷିକ ଅଙ୍ଗାରକାମ୍ଳ ସୃଷ୍ଟିକୁ ରୋକାଯାଇପାରିବ। ନିକଟରେ ଅନ୍ୟ ଏକ ସୌରକୋଷ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ କରାଯାଇଛି ଯାହା କି ସେଠାରେ ଚାଷ କାର୍ଯ୍ୟରେ ଆବଶ୍ୟକ ବିଦ୍ୟୁତ୍ ଶକ୍ତି ଯୋଗାଇଦେବ।

ଉଡ଼ନ୍ତା ମଣିଷ
କିଛି ବର୍ଷ ପୂର୍ବେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଏୟାର କ୍ରାଫ୍ଟ କମ୍ପାନୀ ପକ୍ଷରୁ ଆକାଶର କମ ଉଚ୍ଚତାରେ ଅଳ୍ପବାଟ ଉଡ଼ିପାରୁଥିବା ଏକ କ୍ଷୁଦ୍ର ଉଡ଼ନ୍ତା ଯାନ ନିର୍ମାଣ କରାଯାଇଥିଲା। ଏହି ଯନ୍ତ୍ରକୁ ନିଜ ଶରୀରରେ ବାନ୍ଧି ତଥା ଏକ ସ୍ବତନ୍ତ୍ର ହେଲମେଟ୍‌ ପିନ୍ଧି କେବଳ ଜଣେ ବ୍ୟକ୍ତି କିଛି ବାଟ ଉଡ଼ିଯାଇପାରୁଥିଲା। ପରେ ଏହା ଉପରେ ବିଶେଷ ଗବେଷଣା ହୋଇନଥିଲା। ତେବେ ୨୦୧୬ ମସିହାରୁ ବ୍ରିଟେନର ଜଣେ ବିମାନଚାଳକ ରିଚାର୍ଡ ବ୍ରାଓନିଙ୍ଗ ଆକାଶରେ ସ୍ବାଧୀନ ଭାବେ ମଣିଷ ଉଡ଼ିବା ବ୍ୟବସ୍ଥା ଉପରେ ଗବେଷଣା ଆରମ୍ଭ କରିଥିଲେ ଓ ୨୦୧୮ ମସିହାରୁ ଏଥିରେ ନିଷ୍ଠାପର ଭାବେ କାର୍ଯ୍ୟ କରି ୨୦୨୨ରେ ଏଭଳି ଏକ ଜେଟ୍‌ପ୍ୟାକ ପ୍ରସ୍ତୁତ କଲେ ଯାହାକୁ ପିନ୍ଧି ଏବେ ମଣିଷ ୩୬୫୮ ମିଟର ଉଚ୍ଚତା ଯାଏ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ସହଜରେ ଉଡ଼ିଯାଇ ପୁଣି ଇଚ୍ଛା ଅନୁସାରେ ପୃଥିବୀ ପୃଷ୍ଠକୁ ଫେରିଆସି ପାରୁଛି। ଏବେ ଏହି ଜେଟ୍‌ପ୍ୟାକ୍‌ ଆଗାମୀ ଦିନରେ ଲୋକପ୍ରିୟ ହେବା ଆଶା କରାଯାଉଛି ଓ ମଣିଷ ପକ୍ଷୀ ଭଳି ଆକାଶରେ ଯେ ଇଚ୍ଛା ଅନୁସାରେ ଉଡ଼ିପାରିବ ତାହା ସତ୍ୟ ହେବାକୁ ଯାଉଛି।

ମିଳିଲା ନୂତନ ପ୍ରଜାତି ଡାଇନୋସର୍ ଜୀବାଶ୍ମ
୨୦୨୩ ସେପ୍ଟେମ୍ବର ମାସ ୭ତାରିଖରେ ପୃଥିବୀପୃଷ୍ଠର ପୁରାତନ ବିଶାଳ ଜୀବ ଡାଇନୋସରର ଏକ ନୂଆ ପ୍ରଜାତିର ଜୀବାଶ୍ମ ଇଜିପ୍ଟର ମିଡ୍ ୱେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟର ନୃତତ୍ତ୍ବବିତ୍‌ମାନେ ଆବିଷ୍କାର କରିଛନ୍ତି। ଏହାର ବିଶାଳକାୟ ଲମ୍ବା ବେକ ହିଁ ପ୍ରମୁଖ ଚରିତ୍ର। ଏହି ବିଶାଳ ଜୀବଟି ତୃଣଭୋଜୀ। ହେଲେ ଉଲ୍ଲେଖନୀୟ ବିଷୟ ହେଉଛି ଏହାର ଆକାର ହାତୀ ଉଚ୍ଚତାର। ଏହାର ନାମ ଇଗାଇ ସେମକୁହୁ।

ଦେଶର ପ୍ରଥମ ଡିଜିଟାଲ୍ ବିଜ୍ଞାନ ପାର୍କ
ଅଗଷ୍ଟ ୧, ୨୦୨୩। ଏହି ଦିନ କେରଳରେ ସ୍ଥାପନ କରାଯାଇଛି ଦେଶର ପ୍ରଥମ ଡିଜିଟାଲ୍ ବିଜ୍ଞାନ ପାର୍କ। ଏଠାରେ ପ୍ରକାଶ ଯୋଗ୍ୟ ଯେ ୩ ଦଶନ୍ଧୀ ତଳେ କେରଳ ରାଜ୍ୟରେ ହିଁ ଦେଶର ପ୍ରଥମ ଆଇ.ଟି ପାର୍କ ସ୍ଥାପିତ ହୋଇଥିଲା। ଏଭଳି ପାର୍କର ପ୍ରଥମ ତଥା ପ୍ରଧାନ କାର୍ଯ୍ୟ ହେଉଛି ଏକ ପ୍ରାକୃତିକ ପରିସଂସ୍ଥା ସ୍ଥାପନ କରିବା ଯେଉଁଠାରେ ବିଭିନ୍ନ ବିଜ୍ଞାନ ଅନୁଷ୍ଠାନ, କମ୍ପାନୀ, ବିଶ୍ବବିଦ୍ୟାଳୟ, ଗବେଷଣାଗାର ନିଜ ମଧ୍ୟରେ ଏହି ସଂସ୍ଥା ମାଧ୍ୟମରେ ସଂଯୋଗ ସ୍ଥାପନ କରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ନାମ ଗବେଷଣା ଫଳ ଓ ବ୍ୟବସାୟିକ କାର୍ଯ୍ୟ ପହଞ୍ଚାଇବାରେ ସକ୍ଷମ ହେବେ।

ପ୍ରଥମ ସ୍ବୟଂଚାଳିତ ଉଡ଼ନ୍ତା ଟ୍ୟାକ୍ସି
୨୦୨୩, ଜୁନ୍ ମାସ ୮ ତାରିଖଷର ଇସ୍ରାଏଲ୍ ସ୍ବୟଂ ସଂଚାଳିତ ଏକ ଉଡ଼ନ୍ତା ଟ୍ୟାକ୍ସି ପ୍ରସ୍ତୁତ କରିପାରିଛି। ଏହା ସହଜରେ ଲୋକଙ୍କ ଜିନିଷପତ୍ର ବୋହିବାଠାରୁ ଆରମ୍ଭ କରି ଅନ୍ୟ ଦ୍ରବ୍ୟ ପରିବହନ କରି ଟ୍ରାଫିକ୍‌ରେ ଦେଖାଯାଉଥିବା ଭିଡ଼ରୁ ଲୋକଙ୍କୁ ରକ୍ଷା କରିପାରିବ। ଫ୍ରାନ୍ସରେ ମଧ୍ୟ ଏଭଳି ଏକ ଉଡ଼ନ୍ତା ଟ୍ୟାକ୍ସି ନିର୍ମାଣ କାର୍ଯ୍ୟ ସରିଛି, ଯାହାକୁ ୨୦୨୪ ଗ୍ରୀଷ୍ମ ଅଲିମ୍ପିକ୍ସ ଉତ୍ସବରେ ପ୍ୟାରିସ୍‌କୁ ଆସୁଥିବା ପ୍ରାୟ ୬ଲକ୍ଷ ଅତିଥିଙ୍କ ଯୋଗାଯୋଗ ଓ ବିଭିନ୍ନ ସ୍ଥାନକୁ ଯାତ୍ରା କାର୍ଯ୍ୟରେ ବ୍ୟବହାର କରାଯିବ। ଏହା ସ୍ବତନ୍ତ୍ର ବ୍ୟାଟେରୀ ଦ୍ବାରା ସଂଚାଳିତ ହେଉଛି ତେଣୁ ବିପଦର ସମ୍ଭାବନା କମ୍।

ପରମାଣୁ ଶକ୍ତିରେ ସଂଚାଳିତ ହେବ ରକେଟ୍
ଭାବା ପରମାଣୁ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଓ ଇସ୍ରୋର ବୈଜ୍ଞାନିକମାନେ ମିଳିତ ଭାବେ ପରମାଣୁ ଶକ୍ତିରେ ସଂଚାଳିତ ଏକ ରକେଟ୍ ଇଞ୍ଜିନ୍ ନିର୍ମାଣ କରିଛନ୍ତି ଯାହା ଜୁଲାଇ ୧୬, ୨୦୨୩ରେ ପ୍ରଥମଥର ପାଇଁ ଲୋକଲୋଚନକୁ ଆସିଛି। ଏଭଳି ଇଞ୍ଜିନ୍‌ର ନାମ ରେଡିଓ ଥର୍ମୋଇଲେକଟ୍ରିକ୍ ଜେନେରେଟର୍। ଏଥିରେ ରକେଟ ସଂଚାଳିତ ହୋଇପାରିବ।

ମାନବ ବିହୀନ ପରୀକ୍ଷାଗାର
ଅଗଷ୍ଟ ୬ତାରିଖଏ ୨୦୨୩। ଏହି ଦିନ ତାମିଲନାଡ଼ୁରେ ଡ୍ରୋନ୍‌ ଦ୍ବାରା ସଂଚାଳିତ ଏକ ପରୀକ୍ଷାଗାର ଖୋଲାଯାଇଛି। ସାମରିକ ବିଭାଗରେ କାର୍ଯ୍ୟରତ ସେନା କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ଆଉ ନିଜ ଶରୀରର କେତେକ ପଦାର୍ଥ ପରୀକ୍ଷା ପାଇଁ ନ ଆସି ଡ୍ରୋନ୍‌ ଦ୍ବାରା ଦୂରରୁ ପ୍ରେରଣ କରି ଫଳ ପାଇପାରିବେ। ୪୫ କୋଟି ଟଙ୍କା ବିନିଯୋଗରେ ଅଢ଼େଇ ଏକର ସ୍ଥାନରେ ସ୍ଥାପିତ ଏଭଳି ପରୀକ୍ଷା କେନ୍ଦ୍ର ଦେଶରେ ପ୍ରଥମ।

ଶୀର୍ଷରେ କୃତ୍ରିମ ବୁଦ୍ଧିମତ୍ତା
ସାରା ପୃଥିବୀରେ ଏବେ କୃତ୍ତିମ ବୁଦ୍ଧିମତ୍ତାର ବିକାଶ ସହ ଅଧିକାଂଶ କ୍ଷେତ୍ରରେ ଏହାର ବ୍ୟବହାର ନେଇ ଭବିଷ୍ୟତରେ ଏହାର ରୂପରେଖ ସମ୍ପର୍କରେ ବହୁବିଧ ଆଲୋଚନା ଚାଲିଛି। ମାନବ ଆକୃତିର କିନ୍ତୁ ପ୍ରକୃତିରେ ମଣିଷ ଠାରୁ ଅଲଗା ନିର୍ଜୀବ ମାତ୍ର କର୍ମକ୍ଷେତ୍ରରେ ସଜୀବ ଏହି ସୃଷ୍ଟି ଏବେ ଏପରି ମଣିଷ ଦ୍ବାରା ହେଉଥିବା କାମ ନାହିଁ ଯାହା ସେ କରିନପାରିବ। ଶିକ୍ଷା ଦାନ ଠାରୁ ଆରମ୍ଭ କରି, କଳାକାରଙ୍କ କାର୍ଯ୍ୟ ନିଖୁଣ ଭାବେ କରିବା ଠାରୁ ଅଭିନୟ କରିବା, ଅନେକ କମ୍ପ୍ୟୁଟର ଏକୁଟିଆ ସଂଚାଳନ କରିବା, ସମ୍ବାଦ ପାଠକ, ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବା, ମହାକାଶ ଯାତ୍ରା ଓ ଗବେଷଣା ସଠିକ୍‌ ରୂପେ କରିବା ଠାରୁ ଆରମ୍ଭ କରି କୃଷି କ୍ଷେତ୍ରରେ ଚାଷ, ଡ୍ରୋନ ନିଜେ ଉଡ଼ାଇ ସାର ପ୍ରୟୋଗ, ଔଷଧ ସିଞ୍ଚନ ସବୁ କରିପାରୁଛି। ତେବେ ପ୍ରଶ୍ନ ଉଠେ ଯଦି ଗୋଟିଏ ନିର୍ଜୀବ ମେସିନ୍‌ ସବୁ କରିପାରେ ତେବେ ଭବିଷ୍ୟତରେ ପୃଥିବୀର ୮୪୨ କୋଟି ​‌େ​‌ଲାକ କରିବେ କ’ଣ ? ଏହା ଏକ ଗୁରୁତର ପ୍ରଶ୍ନ ଭାବେ ଏବେ ଅନେକ ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା କରାଯାଇଛି ଓ ଏହା ଉପରେ ଚିନ୍ତନ ଆରମ୍ଭ ହୋଇଛି।

 

Comments are closed.