ଗୋପବନ୍ଧୁ ମହିଳା କନିଷ୍ଠ କଲେଜର ବାର୍ଷିକ ଉତ୍ସବ
ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ)ର ୩୪ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କଲେଜର ପୂର୍ବତନ ଅଧ୍ୟକ୍ଷ ଶିଶିର କୁମାର ଉଦୟ ସିଂହ ମୁଖ୍ୟଅତିଥି, ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଏବଂ ଗୋପବନ୍ଧୁ ଡିଗ୍ରୀ ମହିଳା କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ଶିକ୍ଷାହିଁ ଜୀବନର ଶ୍ରେଷ୍ଠ ଉପଲବ୍ଧି ବୋଲି କହିବା ସହ ଶିକ୍ଷା ଗ୍ରହଣ ସମୟକୁ ସଦୁପଯୋଗ କରି ଏକାଗ୍ରତା ଓ କଠିନ ଅଧ୍ୟବସାୟ ଦ୍ୱାରା ସଫଳତାର ଶୀର୍ଷକୁ ଛୁଇଁ ପାରିବେ ବୋଲି ବାର୍ତ୍ତା ଦେଇଥିଲେ। ପ୍ରାରମ୍ଭରେ କଲେଜର ଛାତ୍ରୀମାନେ ବେଦପାଠ ସହିତ ସ୍ୱାଗତ ସଂଗୀତ ଗାନ କରିଥିଲେ। ଏହି ଅବସରରେ କଲେଜର ମୁଖପତ୍ର ‘ମନସ୍ୱିନୀ’ର ତ୍ରୟୋଦଶ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବରିଷ୍ଠ ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଏହିସବୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଗୋପବନ୍ଧୁ ମହିଳା କନିଷ୍ଠ କଲେଜ ପରିସରରେ ପୋସ୍ ଆଇନ ସଂପର୍କୀତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଦୀପ୍ତ କୁମାର ସାହୁ ଏହାକୁ ଉଦ୍ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରିଥିଲେ। ପୋସ୍ ଆଇନ୍ ବାଳିକା, ଯୁବତୀ ଓ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନାକୁ ରୋକିବା ଏବଂ ଅପରାଧିଙ୍କୁ କଠୋର ଦଣ୍ଡ ଦେବା ଉଦ୍ଦେଶ୍ୟରେ ପୋସ୍ ଆଇନ୍ ପ୍ରଣିତ ହୋଇଛି ବୋଲି ଏଡିଜେ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏହି ଆଇନର ବିଭିନ୍ନ ଦିଗ ଉପରେ ସେ ପର୍ଯ୍ୟାଲୋଚନା କରି ଏହାର ଆବଶ୍ୟକତା ପଡିଲେ ଆଦୌ ପଛଘୁଞ୍ଚା ନଦେଇ ଏବଂ ନଲୁଚାଇ ଆଇନର ଆଶ୍ରୟ ନେବା ପାଇଁ ସେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଓକିଲ ସଂଘର ସଭାପତି ଜଗଦାନନ୍ଦ ତ୍ରିପାଠୀ, ସଂପାଦକ ବନବିହାରୀ ସାହୁ, ଆଇନଜୀବୀ ଜ୍ଞାନପ୍ରକାଶ ଧଳସାମନ୍ତ, ଶ୍ରୀନିବାସ ଦାସ ପ୍ରମୁଖ ଯୋଗଦେଇ ଏହି ପୋସ୍ ଆଇନ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଓକିଲ ସଂଘ ସଭାପତି ଶ୍ରୀ ତିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.