ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ସରପଞ୍ଚ ସଂଘ 

କେନ୍ଦୁଝରଗଡ଼: ୧୫ଦଫା ଦାବିରେ କେନ୍ଦୁଝର ଜିଲା ସରପଞ୍ଚ ମହାସଂଘ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସରପଞ୍ଚ ମହାସଂଘ ସଭାପତି ଭାଗିରଥୀ ସିଂହଙ୍କ ନେତୃତ୍ୱରେ ଶତାଧିକ ସରପଞ୍ଚ ସ୍ଥାନୀୟ କାଳୀପଡ଼ିଆରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡ଼ିଶା ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୂର୍ଣ୍ଣ କରୁଛି ବୋଲି ରାଜ୍ୟ ସରପଞ୍ଚ ମହାସଂଘର ସଭାପତି ରୋମାଞ୍ଚ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଭିଯୋଗ କରିଛନ୍ତି। ସମ୍ବିଧାନରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତକୁ ଅଖଣ୍ଡ କ୍ଷମତା ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ପଞ୍ଚାୟତମାନଙ୍କୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ବର୍ତ୍ତମାନ ସରକାର ବିଭିନ୍ନ କ୍ଷେତ୍ରରେ ସରପଞ୍ଚମାନଙ୍କ ଦାବିକୁ କର୍ଣ୍ଣପାତ କରୁନଥିବା ରାଜ୍ୟ ମହାସଂଘ ସାଧାରଣ ସମ୍ପାଦକ ତପନ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି। ସରପଞ୍ଚମାନଙ୍କୁ ପାରିଶ୍ରମିକ ବାବଦ ମାସିକ ୩୦ ହଜାର ଟଙ୍କା ଓ ୱାର୍ଡମେମ୍ବରମାନଙ୍କୁ ୫ ହଜାର ଟଙ୍କା ପ୍ରଦାନ, ସରପଞ୍ଚମାନଙ୍କୁ ଅବସରକାଳୀନ ଭତ୍ତା ଅନ୍ୟୁନ୍ୟ ୧୦ହଜାର ଟଙ୍କା, ସରପଞ୍ଚମାନଙ୍କୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ସାମିଲ ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ, କାର୍ଯ୍ୟକାଳ ସମୟରେ ମୃତ୍ୟୁ ହେଲେ ୨୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ, କେନ୍ଦୁଝର ଜିଲାରେ ଡିଏମଏଫ ପାଣ୍ଠିରୁ ପ୍ରତି ପଞ୍ଚାୟତକୁ ବର୍ଷକୁ ଅନ୍ୟୁନ୍ୟ ୨୦ ଲକ୍ଷ ଟଙ୍କା ଅନୁଦାନ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫୦୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି, ପଞ୍ଚାୟତରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ କଚ୍ଚା ଘରକୁ ପକ୍କା ଗୃହ ନିର୍ମାଣ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ(ବିକଳାଙ୍ଗ, ବିଧବା, ବାର୍ଦ୍ଧକ୍ୟ)ଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ୪୫ଦିନ ଭିତରେ ନିଶ୍ଚିତ ଭତ୍ତା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ଆଦି ୧୫ଦଫା ଦାବିକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ ନକଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଜିଲା ସରପଞ୍ଚ ମହାସଂଘ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ ସଭାରେ ଚେତାବନୀ ଦିଆଯାଇଛି। ସରପଞ୍ଚମାନଙ୍କ ୧୫ଦଫା ଦାବିକୁ ସରକାର ତୁରନ୍ତ ପୂରଣ ନକଲେ ଏହା ପ୍ରତିବାଦରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ସରପଞ୍ଚ ମାନଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲା ସରପଞ୍ଚ ମହାସଂଘ ଜିଲା ସାଧାରଣ ସମ୍ପାଦିକା ସିଲାରାଣୀ କାଣ୍ଡି ଚେତାବନୀ ଦେଇଛନ୍ତି।

Comments are closed.