ପାରାଦୀପ: ପାରାଦୀପ ବନ୍ଦରରେ ଜାହାଜରୁ ସନ୍ଦେହଜନକ ଭାବେ ଜବତ ହୋଇଥିବା ୨୨ ପ୍ୟାକେଟ୍ରେ କୋକେନ୍ ଥିବା ସ୍ପଷ୍ଟ ହୋଇଛି। ସୀମା ଶୁଳ୍କ ବିଭାଗ ପକ୍ଷରୁ ବିସ୍ତୃତ ଯାଞ୍ଚ ପରେ ଏହା କୋକେନ ବୋଲି ସ୍ପଷ୍ଟ ହୋଇଛି। ୨୦ କେଜିରୁ ଊର୍ଦ୍ଧ୍ବ ପରିମାଣର ଏହି କୋକେନର ମୂଲ୍ୟ ପ୍ରାୟ ୨୨୦ କୋଟି ଟଙ୍କା ବୋଲି ହେବ ଅନୁମାନ କରାଯାଇଛି। ଇଣ୍ଡୋନେସିଆରୁ ଏହି କୋକେନ ଆସୁଥିଲା ଏବଂ ପାରାଦୀପ ଦେଇ ଡେନମାର୍କକୁ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଡ୍ରଗ୍ସ ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଏହାପରେ ପିଆଇସିଟି ବର୍ଥରେ ଲାଗିଥିବା ଜାହାଜରୁ ସନ୍ଦେହଜନକ ଭାବେ ୨୨ଟ ପ୍ୟାକେଟ୍ ଜବତ କରାଯାଇଥିଲା। ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘ଏମ୍ଭି ଦେବୀ’ଜାହାଜରୁ ଏହି ୨୨ଟ ପ୍ୟାକେଟ୍ ଜବତ ହୋଇଥିଲା। ଜବତ ପରେ ଜାହାଜର ସବୁ ଅପରେସନ ବନ୍ଦ କରି କଷ୍ଟମ ଅଧିକାରୀ ତନାଘନା ଆରମ୍ଭ କରିଥିଲେ।



