କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିରରେ ଭିଡ଼
ଭବାନୀପାଟଣା: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ଜିଲାର ତେଲ, ଉଦନ୍ତି, ହାତୀ, ରେତ ନଦୀ ସମେତ ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ବଡି ଭୋରରୁ ବୁଡ଼ ପକାଇଛନ୍ତି। ପରେ ଜିଲ୍ଲାର ମାଣିକେଶ୍ଵରୀ, ଲଙ୍କେଶ୍ଵରୀ, କନକଦୂର୍ଗା, ଭଣ୍ଡରଘରଣି, ଦନ୍ତେଶ୍ୱରୀ, ଜଳେଶ୍ଵର, ପାରଦେଶ୍ୱର ଆଦି ମନ୍ଦିରରେ ଶିବ ପାର୍ବତୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ରାଜରାଜେଶ୍ଵର ଏବଂ ରାଜରାଜେଶ୍ଵରୀ ବେଶ ଦର୍ଶନ ପାଇଁ ଗୁର୍ଜୀମୁଣ୍ଡା ଯୋଗମାୟା ଦେବୀ ପୀଠ ଏବଂ ପାତାଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ପରିଲକ୍ଷିତ ହେଇଛି। ଏଥିସହିତ ଗୁର୍ଜୀମୁଣ୍ଡାସ୍ଥିତ ଦେବଗୁମ୍ଫାରେ ମଧ୍ୟ ଠାକୁର ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଥିଲେ। ସେହିଭଳି ପ୍ରାଚୀନ ଶୈବପୀଠ ବେଲଖଣ୍ଡି ମନ୍ଦିରରେ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ ତଥା ତେଲନଦୀର ସଂଗମସ୍ଥଳିରେ ପ୍ରସାଦ ସେବନ ପାଇଁ ଜିଲା ତଥା ଜିଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ସହରର କଲେଜ୍ ଛକରେ ଗତରାତି ତମାମ ଦଣ୍ଡନାଚ ପ୍ରଦର୍ଶିତ ହୋଇଥିଲା। ଶ୍ରଦ୍ଧାଳୁମାନେ ଉଜାଗର ରହି ସକାଳେ ରମସାଗର ପୋଖରୀରେ ବୁଡ଼ ପକାଇଥିଲେ।
Comments are closed.