ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀ ଓ ସମୂହ ମୁଖାନୃତ୍ୟ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଦୂର ସାଉଥ୍‌ କୋରିଆର ବିିଭିନ୍ନ ଚିତ୍ରଶିଳ୍ପୀମାନଙ୍କର ପ୍ରାୟ ୧୫୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ଚିତ୍ରକଳା ପ୍ରଦର୍ଶନୀରେ ସାଉଥକୋରିଆର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ସହ ୨୨ ଜଣ କୋରିଆନ୍‌ ମୁଖାନୃତ୍ୟ ଶିଳ୍ପୀ ଓ ଓଡ଼ିଶାର ମୁଖାଶିଳ୍ପୀମାନେ ସେମାନଙ୍କର ସମୂହ ନୃତ୍ୟ ସଂଗ୍ରହାଳୟର ଉଦ୍ୟାନରେ ପ୍ରଦର୍ଶନ କରିଛନ୍ତି । ଏହା ଦ୍ୱାରା ପାରସ୍ପରିକ ସଦ୍‌ଭାବ ବଢ଼ିବା ସହ ଉଭୟ ଦେଶ ପରସ୍ପରର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଅବଗତ ହୋଇପାରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ  ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ  ମଧୁସୂଦନ ଦାଶ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ସାଉଥ୍‌କୋରିଆର ଅନନ୍ୟ ଲୋକକଳାକୁ ନେଇ ଜୀବନ୍ତ ହୋଇ ଉଠିଥିବା ଚିତ୍ରକଳାଗୁଡ଼ିକୁ ଦେଖି ଅତିଥି ଏବଂ ଦର୍ଶକମାନେ ବିଭୋର ହୋଇଥିଲେ । ଶିଳ୍ପୀମାନଙ୍କର ଶୈଳ୍ପିକ ନୈପୁଣ୍ୟ ସାଉଥ୍‌କୋରିଆର ଲୋକକଳାକୁ ଉଜ୍ଜୀବିତ କରୁଛି । ୨୨ ଜଣ ନୃତ୍ୟଶିଳ୍ପୀ କୋରିଆରୁ ଆସି ନୃତ୍ୟ ପ୍ରଦର୍ଶନ କରିବା ଅବସରରେ ଓଡ଼ିଶାର ମୁଖାନୃତ୍ୟଶିଳ୍ପୀମାନଙ୍କୁ ସମୂହ ନୃତ୍ୟ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା । ପୁରୀର ସାହିନୃତ୍ୟ, ଭଞ୍ଜନଗରର ପଶୁନୃତ୍ୟ ସେମାନଙ୍କ ସହ ତାଳଦେଇ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଉଦ୍‌ଘାଟିତ ମଞ୍ଚର ନାମ ‘ବର୍ଣ୍ଣାଳୀ’ ରଖାଯାଇଛି ।

prayash

ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀମାନେ ଶ୍ରୀଜଗନ୍ନାଥ ଅଷ୍ଟକମ୍‌ରେ ମଞ୍ଚ ବନ୍ଦନା କରିଥିଲେ । ଏକାସାଙ୍ଗରେ କୋରିଆନ୍‌ ଏବଂ ଓଡ଼ିଶାର ମୁଖାନୃତ୍ୟ ଗୋଟିଏ ଛନ୍ଦରେ ପ୍ରଦର୍ଶନ କରିବା ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହାକୁ ବହୁସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରତି ଶନିବାର ଓ ରବିବାର ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସନ୍ଧ୍ୟା ୬ଟା ‘ବର୍ଣ୍ଣାଳୀ’ ରଙ୍ଗମଞ୍ଚରେ ପରିବେଷିତ ହେବ । ଏହି କାର୍ଯ୍ୟକ୍ରମକୁ ସଂଗ୍ରହାଳୟର ଅଧିକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପରିଚାଳନା କରିଥିଲେ ଏବଂ ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଅତସୀ ଦାସ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ସଂଜୟ ଆଚାର୍ଯ୍ୟ, ଜୟନ୍ତୀ ଦୋରା, ଦାସ୍‌ବେନ୍‌ହୂର, ଚିତ୍ରଶିଳ୍ପୀ ରାମହରି ଜେନା, ଗଜେନ୍ଦ୍ର ସାହୁ, ବି.କେ. ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପାଢ଼ୀ, ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.