ଲକ୍ଷ୍ମୀ ବସ୍ ଯୁଗରେ କମିନି କୁକୁଡ଼ା ଗାଡ଼ିର ଚାହିଦା
ଭବାନୀପାଟଣା: କଳାହାଣ୍ଡିରେ ଏବେ ଯୁଆଡେ ଦେଖିଲେ ଖାଲି ଲକ୍ଷ୍ମୀ ବସ୍। ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ମୋଟ ୬୩ଟି ଲକ୍ଷ୍ମୀ ବସ୍ ଗଡୁଛି। ବିଶେଷକରି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ସରକାର ଏହି ବସ୍ ସେବା ଆରମ୍ଭ କରିଛନ୍ତି। ହେଲେ ଏଭଳି ସମୟରେ ମଧ୍ୟ ‘କୁକୁଡ଼ା ଗାଡ଼ି’ର ଚାହିଦା କମିନାହିଁ। ଜିଲା ମହକୁମାରୁ ଥୁଆମୂଳ ରାମପୁର ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳ ଭାବେ ପରିଚିତ ନାକାରୁଣ୍ଡିକୁ ଚାଲୁଥିବା ଛୋଟ ମିନିବସ୍ଟି ଲୋକଙ୍କ ମଧ୍ୟରେ ‘କୁକୁଡ଼ା ଗାଡ଼ି’ ଭାବେ ପରିଚିତ। ଏକଦା ଏହି ଗାଡ଼ିର ଚାରିପଟେ ଜାଲି ଲଗାଯାଇ କୁକୁଡ଼ା ପରିବହନ ହେଉଥିଲା। ହେଲେ ଏଥିରୁ ଭଲ ଆୟ ହେଉନଥିବାରୁ ଗାଡ଼ି ମାଲିକ ପ୍ରାୟ ୭ ବର୍ଷ ତଳେ ଗାଡି ଚାରିପଟେ ଚଦର ଲଗାଇ, ସିଟର ବ୍ୟବସ୍ଥା କରି ଗାଡିଟିକୁ ମିନି ବସରେ ରୂପାନ୍ତରିତ କଲେ। ସେବେଠାରୁ ନାକରୁଣ୍ଡି ଅଞ୍ଚଳବାସୀଙ୍କ ପାଇଁ ସାହାରା ପାଲଟି ଯାଇଛି ଏହି କୁକୁଡ଼ା ଗାଡି। ଏବେ କିନ୍ତୁ ଯାତ୍ରୀ ପରିବହନ ହେଉଥିଲେ ବି ଗାଡ଼ିର ନାଁ ପୂର୍ବବତ କୁକୁଡ଼ା ଗାଡି ଭାବେ ପରିଚିତ। ପ୍ରତିଦିନ ସକାଳ ୭ଟାରୁ ନାକରୁଣ୍ଡିରୁ ବାହାରି ଦିନ ପ୍ରାୟ ୯ଟା ବେଳକୁ ଗାଡ଼ିଟି ଭବାନୀପାଟଣା ପହଞ୍ଚେ। ଏଠାରେ ନିୟମିତ ଭାବେ ଗାଡି ମାଲିକଙ୍କ ହୋଟେଲ ନିକଟରେ ଗାଡ଼ିଟି ଦିନ ଦୁଇଟା ଯାଏଁ ରହେ। ତାପରେ ଦୁଇଟା ବେଳକୁ ଏଠାରୁ ଯାତ୍ରୀଙ୍କୁ ନେଇ ନାକରୁଣ୍ଡି ଅଭିମୁଖେ ବାହାରେ। ସେଠାରେ ଅପରାହ୍ନ ପ୍ରାୟ ୫ଟା ବେଳକୁ ପହଞ୍ଚି ରାତ୍ରୀ ଜାପାନ କରେ । ୨୧ ଟି ସିଟ ବିଶିଷ୍ଟ ଏହି ଗାଡିରେ ନାକରୁଣ୍ଡିକୁ ଟିକେଟ ଖର୍ଚ୍ଚ ୬୦ ଟଙ୍କା ହେଇଥିବା ବେଳେ ଦୈନିକ ପ୍ରାୟ ୩୦ ଜଣ ଯାତ୍ରୀ ନାକରୁଣ୍ଡି ତଥା ଆଖପାଖ ଅଞ୍ଚଳକୁ ଯିବାଆସିବା କରନ୍ତି। ବିଶେଷକରି ଭବାନୀପାଟଣାରୁ ମୋହନଗିରି, ନାକରୁଣ୍ଡି, ଆନିକନା, ଆମଝୋଲା, ସେପେସକନ୍ଦା, ମେଲଘରା ଆଦି ଗାଁଲୋକ ମୁଖ୍ୟତଃ ଏହି ଗାଡି ଉପରେ ହିଁ ନିର୍ଭର କରନ୍ତି। ତେବେ ପୁରୁନାଗୁମା, ସାଇସୂର୍ଣ୍ଣୀ ଆଦି ରାସ୍ତାକଡ ଗାଁ ଲୋକେ ମଧ୍ୟ ଏହି ଗାଡିରେ ଯାତାୟତ କରନ୍ତି। ଗାଡ଼ି ଚାଳକ ବୃନ୍ଦାବନ ରେଲି ମଧ୍ୟ ସାଇସୂର୍ଣ୍ଣୀ ବାସିନ୍ଦା। ଏଣୁ ଗାଡ଼ିଟି ଯାତ୍ରୀ ଏବଂ ଚାଳକ ଉଭୟଙ୍କ ପାଇଁ ସୁବିଧାଜନକ ହୁଏ। ତେବେ କେବଳ ଯାତ୍ରୀ ନୁହେଁ ବିଭିନ୍ନ ଦୋକାନୀଙ୍କ ଜିନିଷ, ସ୍ଥାନୀୟ ଅଞ୍ଚଳବାସୀଙ୍କ ଉତ୍ପାଦିତ ଦ୍ରବ୍ୟକୁ ଭବାନୀପାଟଣାରେ ବିକ୍ରିବଟା ପାଇଁ ଏହି କୁକୁଡ଼ା ଗାଡ଼ି ହିଁ ଏକମାତ୍ର ଭରସା। ନାକରୁଣ୍ଡି ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ନଥିବାରୁ ଭବାନୀପାଟଣାରେ ରହୁଥିବା ସେ ଅଞ୍ଚଳ ଅଧିବାସୀଙ୍କ ଚିଠି ଏବଂ ସୂଚନାର ଆଦାନପ୍ରଦାନ ପାଇଁ ମାଧ୍ୟମ ସାଜେ ଏହି କୁକୁଡ଼ା ଗାଡ଼ି। ଏକଦା ବଣପାହାଡ ଘେରା ଥୁଆମୁଲ ରାମପୁର ବ୍ଲକର ଆଭ୍ୟନ୍ତରିଣ ଅଞ୍ଚଳ ଭାବେ ନାକରୁଣ୍ଡି ଅଞ୍ଚଳକୁ ଯାତାୟତର କୌଣସି ସୁବିଧା ନଥିଲା। ମ୍ୟାଲେରିଆ ପାଇଁ ନାକରୁଣ୍ଡି ନାଁ ଶୁଣିଲେ ସହରୀ ଲୋକଙ୍କୁ ଜ୍ଵର ହୋଇଯାଉଥିଲା।
ଏବେ କିନ୍ତୁ ସାଇସୁର୍ଣିରୁ ନାକରୁଣ୍ଡୀ ପଂଚାୟତ ମହକୁମା ଯାଏଁ ପ୍ରଧାନମନ୍ତ୍ରୀ ସଡ଼କ ହେଲାଣି। ନାକରୁଣ୍ଡି ରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର, ହାଇସ୍କୁଲ ଉପରେ ୧୫ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ଏପରିକି ସିଲଟ ପଞ୍ଚାୟତ ଲୋକେ ମଧ୍ୟ ଜିଲା ମହକୁମା ଭବାନୀପାଟଣା ଆସିବାକୁ ନାକରୁଣ୍ଡିରେ ଭୋରରୁ ପହଞ୍ଚି କୁକୁଡ଼ା ଗାଡିରେ ଆସନ୍ତି। ହେଲେ ଲୋକଙ୍କ ଏତେସବୁ ଆବଶ୍ୟକତା ସତ୍ତ୍ବେ ଜିଲା ମହକୁମାରୁ ନାକରୁଣ୍ଡିକୁ ସରକାରୀ ଗମନାଗମନର ବ୍ୟବସ୍ଥା ଏଯାଏଁ ହୋଇପାରିଲା ନାହିଁ, ଏହା ହିଁ ବିଡ଼ମ୍ବନାର ବିଷୟ।
Comments are closed.