ରାସ୍ତା ଉପରେ ଦୋକାନ ଓ ଗାଡ଼ି ପାର୍କିଂ, ପ୍ରଶାସନ ନିରବଦ୍ରଷ୍ଟା
ଠାକୁରମୁଣ୍ଡା : ରାସ୍ତା ଉପରେ ରହିଛି ଦୋକାନ ଓ ଚାଲିଛି ଗାଡ଼ି ପାର୍କିଂ। ରାଜ୍ୟ ରାଜପଥ ନଂ ୫୩ ରାସ୍ତା ଆନନ୍ଦପୁର-କରଞ୍ଜିଆ ରାସ୍ତା ଠାକୁରମୁଣ୍ଡା ବଜାର ଦେଇ ଯାଇଥିବା ବେଳେ ବଜାରର ଟ୍ରାଫିକ ଅବ୍ୟବସ୍ଥା କହିଲେ କୂଳ କୁଟୁମ୍ବକୁ ଲାଜ। କିଛି ଅସାଧୁ ଦୋକାନୀ ବଜାର ମୁଖ୍ୟ ରାସ୍ତା ଉପରେ ଦୋକାନ ମେଲାଇ ବସିବା ଦ୍ବାରା ବହୁତ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ବସ୍ ଷ୍ଟପେଜ ପାଖ ଦୋକାନଗୁଡିକ ରାସ୍ତା ଉପରକୁ ମାଡିଯାଇଥିବାରୁ ମଝି ରାସ୍ତାରେ ଗାଡି ପାର୍କିଂ କରି ଦୋକାନକୁ ଯାଉଛନ୍ତି ଗରାଖ। ପୂର୍ତ୍ତ ବିଭାଗ ପକ୍ଷରୁ ଲାଗିଥିବା ସୂଚନା ଫଳକଗୁଡିକ ଦୋକାନ ଭିତରେ ହଜିଯାଇଛି। ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ପାଇଁ ରାଜରାସ୍ତା ଉପରେ ବ୍ୟବସାୟିକ ପ୍ରତିଷ୍ଠାନ ଗଢିଉଠିଛି। ବଜାରରେ ରହିଥିବା ଦୋକାନ ବଜାର ପୁରାପୁରି ଭାବରେ ରାସ୍ତାକୁ ଓଗାଳି ନିଜ ବ୍ୟବସାୟ ଜମାଇ ବସିଛନ୍ତି। ଏପରିକି ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଦୋକାନ ସମ୍ମୁଖକୁ ଯାନାବାହାନ ରଖିଥିବା ବେଳେ ରୋଡ ଉପରେ ଗ୍ରାହକ ପାର୍କିଂ କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ହୋଇଛି। ଏନେଇ ବଜାରର ମୁଖ୍ୟ ରାସ୍ତା କଡରେ ଲାଗିଥିବା ପୂର୍ତ୍ତ ବିଭାଗ ଦ୍ବାରା ସୂଚନା ଫଳକ(ଥାନା ଓ ଡାକ୍ତରଖାନା) ଦୋକାନ ଭିତରେ ହଜିଗଲାଣି। ଏନେଇ ବଜାରର ରାସ୍ତା ତଥା ଛକ ସ୍ଥାନଗୁଡିକରେ ମଧ୍ୟ ଦୁଇଟି ଭାରି କିମ୍ବା ହାଲୁକା ଯାନ ପରସ୍ପରକୁ ଅତିକ୍ରମ କରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି। ଅନେକ ସମୟରେ ଲୋକେ ଚାଲି ଚାଲି ରାସ୍ତାରେ ଯିବାକୁ କଷ୍ଟ ହେଉଛି। ଏଭଳି ସ୍ଥିତିରେ ବଜାରରେ ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳିବା ନେଇ ପୁଲିସ ପ୍ରଶାସନ ହାତ ଟେକି ଦେଇଥିବା ଆଲୋଚନା ହେଉଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି। ବଜାରର ଦୋକାନଗୁଡିକ ଅହେତୁକ ଭାବରେ ନିଜ ପାର୍କିଂ ବ୍ୟବସ୍ଥା ନକରି ରାସ୍ତାକୁ ମାଡି ଖୋଲାଯାଇଛି। ଭେଣ୍ଡିଂ ଜୋନ୍ ଅଭାବରୁ ବିଶେଷ କରି ପରିବା ବଜାର ବେଳେ ବେଳେ ରାସ୍ତା ଉପରେ ବସିଛି। ଏନେଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବଜାରର ରାସ୍ତାଗୁଡିକୁ ଅତିକ୍ରମଣ ମୁକ୍ତ କରାଗଲେ ଟ୍ରାଫିକ ସମସ୍ୟା ଶୀଘ୍ର ସୁଧୁରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ବିଷୟରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ କାଳିଚରଣ ସିଂଙ୍କୁ ପଚାରିବାରୁ ମୋ କଥା ଶୁଣୁ ନାହାନ୍ତି ତହସିଲଦାରଙ୍କୁ ଜଣାଇବି ବୋଲି କହିଥିଲେ ।
Comments are closed.