ପିତାଙ୍କ ପ୍ରେମରେ ‘ଆନିମଲ’ ସାଜିଲେ ରଣବୀର କପୁର; ଟ୍ରେଲର ଦେଖି ଟାଙ୍କୁରି ଉଠିବ ଲୋମ

ମୁମ୍ବଇ: ସନ୍ଦୀପ ରେଡ୍ଡୀ ବାଙ୍ଗା ନିର୍ଦେଶିତ ରଣବୀର କପୁର ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ୍’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏବେ ଦର୍ଶକଙ୍କ ଉତ୍ସାହକୁ ଦୁଇଗୁଣିତ କରିବା ପାଇଁ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ୍’ର ଦମ୍‌ଦାର ଟ୍ରେଲର ରିଲିଜ୍‌ କରାଯାଇଛି। ଟ୍ରେଲରରେ ଜବରଦସ୍ତ ଆକ୍ସନ ଦୃଶ୍ୟର ଝଲକ୍‌ ଦେଖିବାକୁ ମିଳିଛି।

‘ଆନିମଲ୍’ ଟ୍ରେଲରରେ ରଣବୀର କପୁର ଏବଂ ବବି ଦେଓଲଙ୍କ ଭୟଙ୍କର ଅବତାର ଦେଖିବାକୁ ମିଳିଛି। ଟ୍ରେଲର ଆରମ୍ଭ ହେଉଛି ରଣବୀର ଓ ଅନୀଲ କପୁରଙ୍କଠାରୁ। ଏଥିରେ ଦର୍ଶାଯାଇଛି ଯେ, ରଣବୀର ଏଭଳି ଏକ ପରିବେଶରେ ବଢିଛନ୍ତି, ଯେଉଁଠି ସେ ପିଲାଦିନରୁ ହିଁ ହିଂସ୍ର ହୋଇଯାଇଛନ୍ତି। ଏଥିସହ ତାଙ୍କ ପିତା ଏବଂ ତାଙ୍କ ମଧ୍ୟରେ ଦୂରତା ରହିଛି। ରଣବୀରଙ୍କ କଥା ଶୁଣିବା ପରେ ଅନୀଲ ମଧ୍ୟ ଭୟଭୀତ ହୋଇଯାଉଛନ୍ତି, କାରଣ ପୁଅର ହିଂସ୍ର ହେବାର କାରଣ ସେ ନିଜେ।

ତେବେ ସମୟ ସହିତ ପରିବର୍ତ୍ତନ ଆସୁଛି। ଅନୀଲ କପୁରଙ୍କୁ ଗୁଳି ବାଜୁଛି, ଏହାପରେ ପିତା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ବଦଳିଯାଉଛି। ପିତାଙ୍କ ପ୍ରତି ତାଙ୍କ ଭଲପାଇବା ରଣବୀରଙ୍କୁ ଆହୁରି ହିଂସ୍ର କରିଦେଉଛି ଏବଂ ଶତ୍ରୁମାନଙ୍କୁ ଖୋଜି ଖୋଜି ମାରିବାକୁ ଯୋଜନା କରୁଛନ୍ତି। ରଣବୀର କହୁଛନ୍ତି, ‘ଯିଏ ମୋ ବାପାଙ୍କ ଉପରକୁ ଗୁଳି ଚଳାଇଛି, ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଜ ହାତରେ ତା’ର ଗଳା କାଟିବି’, ଏବଂ ତା’ପରଠୁ ଆରମ୍ଭ ହେଉଛି ମୃତ୍ୟୁର ଖେଳ।

ଟ୍ରେଲର ଶେଷ ଭାଗରେ ବବି ଦେଓଲଙ୍କ ଝଲକ୍‌ ଦେଖିବାକୁ ମିଳିଛି। ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଛନ୍ତି। ତାଙ୍କର ଏହି ଅବତାର ଲୋକଙ୍କୁ ଡରାଇବାକୁ ଯଥେଷ୍ଟ। ରଶ୍ମିକାଙ୍କ ଦମ୍‌ଦାର ଅଭିନୟର ଝଲକ୍‌ ମଧ୍ୟ ଟ୍ରେଲରରେ ନଜର ଆସିଛି। ଚଳିତ ବର୍ଷ ଡିସେମ୍ବର ୧ରେ ପ୍ରେକ୍ଷାଳୟକୁ ଆସିବ ‘ଆନିମଲ୍‌’। ଏହା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟଲମ ଭାଷାରେ ମୁକ୍ତିଲାଭ କରିବ।

Comments are closed.