ମତଦାନ କେନ୍ଦ୍ର ବୁଲି ଦେଖିଲେ ଧର୍ମଗଡ଼ ଉପଜିଲ୍ଲାପାଳ
କଲମପୁର: ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଶନିବାର ଦିନିକିଆ କଲମପୁର ଗସ୍ତ କରିଛନ୍ତି। ୨୦୨୪ ସାଧାରଣ ନର୍ବାଚନ ପୂର୍ବରୁ ଶେଷ ଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ମତଦାତାମାନେ ମତଦାନ କେନ୍ଦ୍ରକୁ ଆସି ସେମାନଙ୍କ ନାମ ତାଲିକା ଯାଞ୍ଚ କରାଇବା ସହ ତୃଟି ସଂଶୋଧନ କରାଇ ପାରିବେ। ଏହାସହ ନୂତନ ମତଦାତାମାନେ ସେମାନଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମ ତଦାରଖ କରିବା ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳ ଶ୍ରୀ ଦରୱାନ କଲମପୁର ଗସ୍ତରେ ଆସି ବଙ୍କାପଲା, ଦେପରୁ, ଇଛାପୁର, କଲମପୁର, ବିରିପୁର, କସାବାହୀ ଆଦି ୧୩ଗୋଟି ମତଦାନ କେନ୍ଦ୍ର ବୁଲି ଦେଖିବାସହ ବୁଥସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କଲମପୁର ବ୍ଲକରେ ପ୍ରାୟ ୪୪,୬୧୫ ଜଣ ମତଦାତାଙ୍କ ମଧ୍ୟରୁ ୨.୩୨୦ଜଣ ପୁରୁଷ ମତଦାତା ଥିବା ବେଳେ ୨୨,୨୯୫ ଜଣ ମହିଳା ମତଦାତା ରହିଥିବା ସୂଚନା ମିଳିଛି। ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରସାଦ ତିର୍କୀ, ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର, ସହକାରୀ ଜିଲ୍ଲାପାଳ ଧରଣୀଧର ବେହେରା ନୋଡାଲ ଅଫିସର ନରେନ୍ଦ୍ର ଜଗତ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ କଲମପୁର ବ୍ଲକ ନୋଡାଲ ସୁପରଭାଇଜର ତୁଳାରାମ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.