ଅବ୍ୟବସ୍ଥାରେ ସରିଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଉଦବେଗ ପ୍ରକାଶ କଲେ ବିକଳାଙ୍ଗ ମଞ୍ଚ ଜିଲା ସଭାପତି
ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲା ସାମାଜିକ ସୁରକ୍ଷା ଅଧିକରୀ ବଳରାମ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ବ୍ଲକ ଅଧ୍ୟକ୍ଷା ନମିତା କହଁର, ଜିଲା ପରିଷଦ ସଭ୍ୟ ନୀଳ ଗିରିଶ ଦିଗାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠୀ, ଏ ପି ଓ ସୁମନ୍ତ ଉଠାଣ ସିଂହଙ୍କ ସହ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁମନ୍ତ କୁମାର ମାଝୀ ଓ ସ୍ୱାସ୍ଥ୍ୟ ବିଭାଗ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇ ଭିନକ୍ଷମମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ। ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପ୍ରଶାସନ ତରଫରୁ ଆୟୋଜନ କରାଯାଉଥିବା ବେଳେ ଏବେ ମଧ୍ୟ ଉପାନ୍ତ ଅଞ୍ଚଳରେ ଭିନ୍ନକ୍ଷମ ଲୋକେ ସୂଚନା ଅଭାବରୁ ସରକାରଙ୍କ ଦିଆଯାଉଥିବା ସୁବିଧା ପାଇ ପାରୁନାହାନ୍ତି। ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ସତ କିନ୍ତୁ ପ୍ରଶାସନ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରଚାର ପ୍ରସାର କିମ୍ବା ସୂଚନା ଅଭାବରୁ ବହୁ ଭିନ୍ନକ୍ଷମ ବ୍ୟକ୍ତି ସରକାରଙ୍କଠାରୁ ମିଳୁଥିବା ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଅନୁଷ୍ଠିତ ଶିବିରରେ ଜିଲା ବିକଳାଙ୍ଗ ମଞ୍ଚର ସଭାପତି ରାଜୁ ଦିଗାଲ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟକ୍ରମକୁ କେବଳ ପ୍ରହସନ ବୋଲି କହିଥିଲେ। କୌଣସି ପାଣି ବ୍ୟବସ୍ଥା କିମ୍ବା ଯିବା ଆସିବା ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ କୌଣସି ବ୍ୟବସ୍ଥା କରା ଯାଇନଥିଲା। ଭିନ୍ନକ୍ଷମମାନଙ୍କ ପାଇଁ ବ୍ଲକ ପରିସରରେ ଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଥିବା ବେଳେ ଖୋଲିଥିବା ଶୌଚାଳୟ ଦୁର୍ଗନ୍ଧ ଓ ବ୍ୟବହାର ଅନୁପଯୋଗୀ ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହ ତାଙ୍କ ସହ ଆସିଥିବା ସହଯୋଗୀ। ଏହି କାର୍ଯ୍ୟକ୍ରମରେ ବ୍ଲକର ୨୪ଟି ପଞ୍ଚାୟତରୁ ୧୫୬ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜିକରଣ କରିଥିବା ବେଳେ ୪ଟି ହ୍ବିଲ ଚେୟାର, ୩ ଜଣକୁ ୩ ଚକିଆ ସାଇକେଲ, ୨ ଜଣକୁ ଆଶା ବାଡ଼ି ପ୍ରଶାସନ ତରଫରୁ ପ୍ରଦାନ କରା ଯାଇଥିଲା। ଆଗାମୀ ଦିନରେ ଗୋଛାପଡାଠାରେ ମଧ୍ୟ ଏକ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ଫିରିଙ୍ଗିଆ ଗୋଷ୍ଠୀଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।
Comments are closed.