ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ଯୁବକଙ୍କ ଝୁଲନ୍ତା ମୃତଦେହ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି। ଗ୍ରାମର ହାଇୱେ ଢାବା ସମ୍ମୁଖରେ ଥିବା ଜଙ୍ଗଲରେ ଯୁବକଙ୍କ ମୃତଦେହ ଝୁଲୁଥବା ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ଡାକି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଲେ ସୀମାନ୍ତ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ତରୁଣ ନାଗ(୨୩)।

ସୂଚନା ଅନୁଯାୟୀ, ଯୁବକ ଜଣକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ହେବ ଭଲପାଇ ଆସୁଥିଲେ। ଗତ ଗୁରୁବାର ରାତ୍ରିରେ ଉଭୟ ପ୍ରେମିକ ଓ ପ୍ରେମିକା ଘରୁ ବାହାରି ଚାଲି ଆସିଥିଲେ। ପ୍ରେମିକାଙ୍କ କହିବା ଅନୁଯାୟୀ ଉଭୟେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ, କିନ୍ତୁ ପ୍ରେମିକଙ୍କ ମୃତ୍ୟୁ ହୋଇଯାଇଥିଲା ଓ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଗଲେ ବୋଲି ପ୍ରେମିକା ଜଣକ ସ୍ଥାନୀୟ ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ମୃତ ଯୁବକଙ୍କ ପରିବାର ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି କିନ୍ତୁ ପ୍ରକୃତରେ ତରୁଣଙ୍କୁ ପ୍ରେମଜନିତ ଜାତିଆଣ ବ୍ୟାପାରକୁ ନେଇ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭଯୋଗ କରିଛନ୍ତି। ପୁଲିସ ପ୍ରେମିକାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଆସନ୍ତାକାଲି ସାଇଣ୍ଟିଫିକ ଟିମ୍ ଓ ଡଗ୍‌ ସ୍କ୍ୱାଡ୍‌ ଆସିବା ପରେ ମୃତଦେହ ଉଦ୍ଧାର କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ଅମ୍ବଦଳା ଥାନା ଆଇଆଇସି କାର୍ତ୍ତିକ ନାଏକ ପ୍ରକାଶ କରିଛନ୍ତି।

Comments are closed.