ଆଠଗଡ: ଆଠଗଡ ଅଞ୍ଚଳରେ ଗଣେଶ ଭଷାଣୀରେ ଏକ ଅଭାବନୀୟ ଘଟଣା ଘଟିଛି। ଯୁବକଙ୍କୁ ଆକ୍ରମଣ ଘଟଣାରେ ଯୁବକ ଜଣଙ୍କ ଆଖି ହରାଇବା ଭଳି ଘଟଣା ଘଟିଛି। ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ପରେ ମଧ୍ୟ ପୁଲିସ ହାତ ଖାଲି ଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଗତ ୪ ତାରିଖରେ ଆଠଗଡ ଥାନା ଅନ୍ତର୍ଗତ ଆଙ୍କୁଲା (ଗୋଡିସାହି)ରେ ଗଣେଶ ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଥିଲା। ଗଣେଶ ଭଷାଣୀ ଯାଉଥିବା ବେଳେ ଗ୍ରାମର ବିଶ୍ବଜିତ ରାଉତ ଭଷାଣୀ ଦେଖୁଥିଲେ। ଏହି ସମୟରେ ହଠାତ ୩ ଜଣ ଯୁବକ ବିଶ୍ବଜିତକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବିଶ୍ବଜିତ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଯୁବକ ମାନେ ତାଙ୍କୁ ଠେଙ୍ଗାରେ ପିଟିଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ଛୁରୀରେ ବିଶ୍ବଜିତର ବାମ ଆଖିକୁ ଭୁଷି ଦେଇଥିଲା। ତୁରନ୍ତ ତାଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକର ଏକ ଘରୋଇ ଆଖି ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସତ୍ତ୍ୱେ ମଧ୍ୟ ବାମ ଆଖିଟି ନଷ୍ଟ ହୋଇ ଯାଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ଘଟଣା ସଂପର୍କରେ ବିଶ୍ବଜିତଙ୍କ ମା ସବିତା ରାଉତ ଆଠଗଡ ଥାନାରେ ଗତ ୫ ତାରିଖରେ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ। ଏ ବିଷୟରେ ଆଠଗଡ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କୁ ଯୋଗାଯୋଗ କରିବାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି। ଯଦି ପୁଲିସରେ ଅଭିଯୋଗ କରିବ ତମ ପରିବାରକୁ ଗୋଟି ଗୋଟି କରି ହାଣିବା ସହ ବୋମା ମାଡ କରି ଉଡେଇ ଦେବୁ ବୋଲି ଅଭିଯୁକ୍ତଙ୍କ ଧମକ ପରେ ପରିବାର ଲୋକ ଘର ଛାଡ଼ି ବର୍ତ୍ତମାନ ଅନ୍ୟତ୍ର ଜଣେ ସଂପର୍କୀୟ ଘରେ ରହୁଥିବା ଜଣାପଡିଛି।



