ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବସ ଧର୍ମଘଟ କରିବାକୁ ବସ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ସରକାର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ବସ ଧର୍ମଘଟ ଆରମ୍ଭ ହେବ ଏବଂ ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଏଥର ଶିକ୍ଷାନୁଷ୍ଠାନରେ ନିୟୋଜିତ ଘରୋଇ ବସ ମଧ୍ୟ ଧର୍ମଘଟରେ ସାମିଲ ହେବେ ବୋଲି ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି।
ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ସାରା ରାଜ୍ୟରେ ସବୁ ବସ୍ ମାଲିକ ଯୋଗଦେଇ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ସରକାର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ବସ ଧର୍ମଘଟ ଆରମ୍ଭ ହେବ ଏବଂ ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡୁଥିବା ବସ୍ ଭିତରେ ଘରୋଇ ବସଗୁଡ଼ିକ ସାମିଲ ଓ ‘ମୋ ବସ୍’ ସହରାଞ୍ଚଳ ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳକୁ ନଚଲାଇବା ପାଇଁ ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନେ ଦାବି କରିଥିଲେ।
ଏହାବ୍ୟତୀତ ଅନେକ ଗୁଡ଼ିଏ ଦାବି ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆଜିପର୍ଯ୍ୟନ୍ତ ପରିବହନ ଆୟୋଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇପାରି ନାହିଁ। ଯାହାକୁ ନେଇ ବସ୍ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।



