ଖୋଲୁଛି ଆମେରିକା ଚାଲାକିର ଗୁମର
ଆମେରିକା ପ୍ରଶାସନ ବିଶ୍ବର ବହୁ ରାଷ୍ଟ୍ରରେ ବିନା ନିମନ୍ତ୍ରଣରେ ବଡ଼ଭାଇ ପଣିଆ ଦେଖାଇ ହସ୍ତକ୍ଷେପ କରିଆସିଛି
ଖଲିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ପ୍ରଦାନ ପ୍ରସଙ୍ଗକୁ ନେଇ ଭାରତ ଓ କାନାଡା ସମ୍ପର୍କ ତିକ୍ତ ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଆମେରିକାର ମନ୍ତବ୍ୟ ଭାରତକୁ ସମର୍ଥନ କରିବା ଭଳି ମନେହେଉଥିଲା। ନିକଟରେ ଜି-୨୦ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୋଗଦେବା ଏବଂ ଏହି ବୈଶ୍ୱିକ ସମ୍ମିଳନୀ ସଫଳ ହୋଇଛି କହିବା ଘଟଣାରୁ ନୂଆଦିଲ୍ଲୀ ପ୍ରତି ଆମେରିକାର ବିଶ୍ୱାସ ଓ ସମର୍ଥନ ବୃଦ୍ଧିପାଇଛି ବୋଲି ଭାରତ ଧରିନେଇଥିଲା। ଏପରି କି ଆମେରିକାର ଜଣେ ବରିଷ୍ଠ ରାଜନେତା କାନାଡା ପରିବର୍ତ୍ତେ ଭାରତକୁ ସମ୍ପର୍କ ନିବିଡ କରିବା ନିମନ୍ତେ ତାଙ୍କ ଦେଶ ଅଗ୍ରାଧିକାର ଦେବ ବୋଲି କହିବା ବିଷୟ ଆମେରିକା-ଭାରତ ସମ୍ପର୍କର ନିବିଡତାକୁ ଦର୍ଶାଇଥିଲା; କିନ୍ତୁ ଆମେରିକା କୌଣସି ସମୟରେ ବିଶ୍ୱସନୀୟ ନୁହେଁ ବୋଲି ନିଜକୁ ପ୍ରତିପାଦିତ କରିଛି।
ବିଶ୍ୱରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ବୈରଭାବ ସୃଷ୍ଟି କରିବା ଏବଂ ପରିଣତିରେ ସେମାନଙ୍କୁ ଧ୍ୱଂସ ମୁଖକୁ ଠେଲିଦେବା ଆମେରିକାର ମୂଳ ଉଦ୍ଦେଶ୍ୟ ହୋଇ ରହିଆସିଛି। ସାମ୍ପ୍ରତିକ ସମୟରେ ରୁଷ-ୟୁକ୍ରେନ ଯୁଦ୍ଧ ତାହାର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ବୁଝାମଣା କରି ଯୁଦ୍ଧ ପରିସ୍ଥିତି ଏଡ଼ାଇବାକୁ ପରାମର୍ଶ ଦେବା ପରିବର୍ତ୍ତେ ଆମେରିକା ଯେଉଁଭଳି ଭାବରେ ୟୁକ୍ରେନକୁ ଉସୁକାଇ ଯୁଦ୍ଧକୁ ଠେଲିଦେଲା, ତାହାର ପରିଣତି ଏବେ ୟୁକ୍ରେନ ଭୋଗୁଛି। ରୁଷିଆର ଘନ ଘନ ଆକ୍ରମଣରେ ୟୁକ୍ରେନ ଏବେ ଧ୍ୱସ୍ତ ବିଧ୍ୱସ୍ତ। ସେହି ରାଷ୍ଟ୍ରର ଲକ୍ଷାଧିକ ନାଗରିକ ଅନ୍ୟ ରାଷ୍ଟ୍ରଗୁଡିକୁ ପଳାୟନ କରି ସେଠାରେ ଶରଣାର୍ଥୀ ଭାବରେ ଦୁର୍ବିସହ ଜୀବନ ବିତାଉଛନ୍ତି। ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକାର ଚାଲାକିକୁ ବୁଝିସାରିଥିଲେ ମଧ୍ୟ ନେଡିଗୁଡ କହୁଣିକୁ ବୋହି ସାରିଲାଣି। ଯୁଦ୍ଧରୁ ଓହରିଲେ ୟୁକ୍ରେନ ତାଙ୍କ ହାତରୁ ଯିବ, ଯୁଦ୍ଧ ଲାଗିରହିଲେ ମଧ୍ୟ ୟୁକ୍ରେନର ସମ୍ପୂର୍ଣ୍ଣ ବିନାଶ ହେବ। ସେହି ଦୃଷ୍ଟିରୁ ଆମେରିକା ନିକଟରୁ ଯେତିକି ସମର୍ଥନ ମିଳୁଛି ସେଥିରେ ରୁଷିଆ ଆକ୍ରମଣର ଜବାବ ଦେବାକୁ ପ୍ରୟାସ ଜାରି ରଖିଛି ୟୁକ୍ରେନ। ଠିକ୍ ସେମିତି ଭାରତ-କାନାଡା ବିବାଦକୁ ନେଇ ଆମେରିକା ଚାଲାକି ଏବେ ଧରାପଡ଼ିଛି। ଶିଖ୍ ଆତଙ୍କବାଦୀ ହରଦୀପ ନିଜ୍ଜାର ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ନେଇ କାନାଡା କରିଥିବା ଅଭିଯୋଗକୁ ବାଇଡେନ୍ ପ୍ରଶାସନ ସମର୍ଥନ ଜଣାଇଛନ୍ତି।
ଏଠାରେ ସୂଚାଇଦେଉଛୁ ଯେ କାନାଡା ସରକାର ଆମେରିକାର ଏକାନ୍ତ ଅନୁଗତ। ଏହି କାରଣରୁ ବାଇଡେନ୍ ପ୍ରଶାସନ କାନାଡାକୁ ସମର୍ଥନ ଜଣାଇ କହିଛନ୍ତି, କାନାଡା ଯେଉଁ ଅଭିଯୋଗ ଆଣିଛି ତାହାର ତଦନ୍ତ ପ୍ରକ୍ରିୟାରେ କାନାଡା ସହିତ ନୂଆଦିଲ୍ଲୀ ସହଯୋଗ କରୁ; କିନ୍ତୁ ଓଟ୍ଟାୱା ପକ୍ଷରୁ ଏ ପର୍ଯ୍ୟନ୍ତ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ବାବଦରେ କିଛି ତଥ୍ୟଗତ ପ୍ରମାଣ ଉପସ୍ଥାପନ କରାଯାଇନାହିଁ। ତାଙ୍କର ମୌଖିକ ଅଭିଯୋଗକୁ ଆମେରିକା ସମର୍ଥନ ଜଣାଇବା ଘଟଣାରୁ ବାଇଡେନଙ୍କର କାନାଡା ପ୍ରୀତି ଏବଂ ଭାରତ ବିରୋଧୀ ମନୋଭାବ ସ୍ପଷ୍ଟ ଜଣାଯାଉଛି। ବାଇଡେନ୍ ଏହା ମଧ୍ୟ କହିଛନ୍ତି ଯେ, ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେରିକା ଗଭୀର ଚିନ୍ତିତ ଏବଂ ଆମେରିକା ଦୃଷ୍ଟିକୋଣରୁ କାନାଡା ଏହି ଘଟଣାର ତଦନ୍ତ କରିବା ଉଚିତ୍ ଓ ସେଥିରେ ଭାରତ ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ।
ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ମଧ୍ୟ ଏହା କହିବାକୁ ପଛାଇ ନାହାନ୍ତି ଯେ, ନିଜ୍ଜାର ହତ୍ୟା ଘଟଣାରେ ନୂଆଦିଲ୍ଲୀର ହାତ ରହିଥିବା ନେଇ ୱାଶିଂଟନ ନିର୍ଣ୍ଣୟରେ ପହଞ୍ଚିଛି। ଏହା ପରେ ଏବେ କେବଳ କାନାଡା ନୁହେଁ; ଆମେରିକା-ଭାରତ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। କାନାଡା ସରକାର ନିଜ୍ଜାରଙ୍କୁ ଗୁରୁଦ୍ୱାରାର ଜଣେ ସନ୍ଥତୁଲ୍ୟ ମୁଖ୍ୟ ବୋଲି ଉପସ୍ଥାପନ କରୁଥିବାବେଳେ ତାଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ସେ ଆତଙ୍କବାଦ ସପକ୍ଷରେ ଯୁକ୍ତି ଦର୍ଶାଉଥିବା ଏବଂ ଭାରତର ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ହତ୍ୟା ଘଟଣାକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜ୍ଜାର ନିହତ ହେବା ପୂର୍ବରୁ ନୂଆଦିଲ୍ଲୀ ବହୁବାର ତାଙ୍କର ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲା; କିନ୍ତୁ ସେହି ସମୟରେ ଆମେରିକା ପ୍ରଶାସନ ନୀରବ ରହିଥିଲା। ଏପରି କି ସାନ୍ ଫ୍ରାନସିସ୍କୋସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ ଏବଂ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଚମକ ଦିଆଯିବା ଘଟଣାରେ ମଧ୍ୟ ଆମେରିକା ଚୁପ୍ ରହିଥିଲା। ଏବେ ନିଜ୍ଜାର ହତ୍ୟା ଘଟଣାର ତଦନ୍ତ କରାଯିବା ଏବଂ ତାହା ସମ୍ପୂର୍ଣ୍ଣ କରିବା ସପକ୍ଷରେ ବାଇଡେନ୍ ପ୍ରଶାସନ ଯୁକ୍ତି ଦର୍ଶାଉଛନ୍ତି। ଏହାଦ୍ୱାରା ଭାରତକୁ ବନ୍ଧୁ ବୋଲି କହି ପଛରୁ ଛୁରି ମାରୁଥିବା ଆମେରିକାର ଚରିତ୍ର ପଦାକୁ ଆସିଛି। କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରରେ ଏଭଳି ଘଟଣା ଘଟାଇବା ବିଷୟକୁ ଆମେରିକା ଅତ୍ୟନ୍ତ ଗୁରୁତ୍ୱର ସହିତ ଗ୍ରହଣ କରିଛି ବୋଲି ଆମେରିକା କହୁଥିବାବେଳେ ଆମେରିକାର ଏଭଳି ଆଭିମୁଖ୍ୟକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ଆମେରିକାର ଏଭଳି କାର୍ଯ୍ୟ କାହାକୁ ଅଛପା ନାହିଁ।
ଆମେରିକା ପ୍ରଶାସନ ବିଶ୍ୱର ବହୁ ରାଷ୍ଟ୍ରରେ ବିନା ନିମନ୍ତ୍ରଣରେ ବଡ଼ଭାଇପଣିଆ ଦେଖାଇ ହସ୍ତକ୍ଷେପ କରିଆସିଛି। ଗୋଟିଏ ରାଷ୍ଟ୍ରକୁ ଉସୁକାଇ ଅନ୍ୟ ରାଷ୍ଟ୍ରରେ ବିଶୃଙ୍ଖଳା ସୃଷ୍ଟିରୁ ନେଇ ରକ୍ତପାତ କରିଚାଲିଛି। ଏଭଳି ପରିସ୍ଥିତିରେ ଆମେରିକାର କିଛି କୂଟନୈତିକ ଓ ରାଜନୈତିକ ବିଶ୍ଳେଷକଙ୍କ ମତ ଯେ, ଆମେରିକା ତାହାର ଏଭଳି ଭାରତ ବିରୋଧୀ ଆଭିମୁଖ୍ୟରୁ ଦୂରେଇ ରହିବା ଉଚିତ୍। କାରଣ ଟ୍ରୁଡୋଙ୍କର ନିଜ ଦେଶରେ ସଂଖ୍ୟାଲଘୁ ସରକାର ରହିଥିବା ଏବଂ ତାଙ୍କର ଲୋକପ୍ରିୟତା ହ୍ରାସ ପାଉଥିବାରୁ ସେ ଭାରତ ବିରୋଧରେ ଏଭଳି ଏକ ଅଭିଯୋଗ ଆଣି ଦେଶବାସୀଙ୍କ ଦୃଷ୍ଟି ସେହି ଆଡେ ନେବାକୁ ପ୍ରୟାସ କରୁଛନ୍ତି। ତାହାଛଡା ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ଖଲିସ୍ତାନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରୁଡୋଙ୍କୁ କଡା ଭାଷାରେ କହିବା ଘଟଣା ମଧ୍ୟ ଟ୍ରୁଡୋଙ୍କୁ ବାଧିଛି। ଯେଉଁଥିପାଇଁ ସେ ଔଷଧ ବିକଳରେ ତାଟିଆ କାମୁଡିବା ଆରମ୍ଭ କରିଛନ୍ତି। ଶିଖ୍ମାନଙ୍କ ସମର୍ଥନ ନ ମିଳିଲେ ଯେ କୌଣସି ସମୟରେ ତାଙ୍କ ଗାଦି ଚାଲିଯିବାର ଭୟ ତାଙ୍କୁ ଘାରିଛି। ସେଥିରେ ଆମେରିକା ତାଙ୍କୁ ସମର୍ଥନ ଦେଇ ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରୁଛି। ଏ କ୍ଷେତ୍ରରେ କାନାଡା ଯେ ଆମେରିକା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ସାବ୍ୟସ୍ତ ହୋଇଛି। ତାହା ସହିତ ଚୀନର ପ୍ରତିପତ୍ତିକୁ ରୋକିବା ଦିଗରେ ଆମେରିକା ପ୍ରଶାସନ ଭାରତକୁ ରଣକୌଶଳାତ୍ମକ ସମର୍ଥନ କରୁଥିବା ବିଷୟ ସ୍ପଷ୍ଟ ହୋଇଛି। ଏହା ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଚେତିବାର ସମୟ ହୋଇଛି।
Comments are closed.