ଆମ ଜଙ୍ଗଲ ସମ୍ପଦ: ଏକ ବିଶ୍ଳେଷଣାତ୍ମକ ଚିତ୍ର
ଡ. ବିଜୟ କେତନ ପଟ୍ଟନାୟକ
ଡେରାଡୁନ୍ସ୍ଥିତ, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା, ୧୯୮୭ ମସିହା ପରଠାରୁ ପ୍ରତି ଦୁଇ ବର୍ଷରେ ଭାରତରେ ତଥା ଅନ୍ୟାନ୍ୟ ରାଜ୍ୟରେ ଜଙ୍ଗଲର ସ୍ଥିତି ଉପରେ ଏକ ରିପୋର୍ଟ ପ୍ରକାଶ କରି ଆସୁଛନ୍ତି। ଏହା ପୂର୍ବରୁ ଅଶୀ ଦଶକର ମଧ୍ୟଭାଗରେ, ହାଇଦ୍ରାବାଦସ୍ଥିତ ଜାତୀୟ ଜଙ୍ଗଲ ସମ୍ପଦ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଏହି ରିେପାର୍ଟରେ ୧୯୭୨-୭୫ ଏବଂ ୧୯୮୦-୮୨ ମଧ୍ୟରେ ଥିବା ଜଙ୍ଗଲର ଆୟତନ ଉପରେ ଏକ ତୁଳନାତ୍ମକ ଚିତ୍ର ପ୍ରକାଶ ପାଇଥିଲା। ଏହି ସାତ ବର୍ଷର ସମୟ ଅବଧି ଭିତରେ ଦେଶରେ ବାର୍ଷିକ ୧.୩ ନିୟୁତ ବା ୧୩ଲକ୍ଷ ହେକ୍ଟର ଜଙ୍ଗଲ ସମ୍ପଦ ନଷ୍ଟ ହୋଇଛି। ଏମିତି ଏକ ଉଦ୍ବେଗଜନକ ରିପୋର୍ଟ ଜଙ୍ଗଲ ନିକଟରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅଙ୍ଗାରକାମ୍ଳ ବିଶୋଷଣ କ୍ଷେତ୍ରରେ ଜଙ୍ଗଲର ସ୍ବାସ୍ଥ୍ୟର ଅବନତିକୁ ପ୍ରତିଫଳିତ କରିଥିଲା। ଫଳସ୍ବରୂପ ସଂରକ୍ଷଣଠାରୁ ଆରମ୍ଭ କରି ଚାରାରୋପଣ ଓ ବନ ପରିଚାଳନା ଆଦି ସମସ୍ତ କ୍ଷେତ୍ରରେ ବନବିଭାଗ ଦ୍ବାରା ତତ୍ପରତା ପ୍ରକାଶ ପାଇଲା।
୧୯୮୭ ମସିହାରେ ପ୍ରଥମଥର ପାଇଁ ଭାରତୀୟ ବନସର୍ବେକ୍ଷଣ ସଂସ୍ଥା ସାଟେଲାଇଟ ଫଟୋଚିତ୍ର ବିଶ୍ଳେଷଣ କରି ଦେଶରେ ଜଙ୍ଗଲର ଆୟତନ ୬,୪୦,୮୧୯ ବର୍ଗ କିଲୋମିଟର ଥିବାର ଦର୍ଶାଇଥିଲା। ଏହା ଦେଶର ଭୌଗୋଳିକ ଆୟତନର ମାତ୍ର ୧୯.୪୫ ପ୍ରତିଶତ ଅଟେ। ଏହା ପରଠାରୁ ପ୍ରତି ଦୁଇବର୍ଷ ଅନ୍ତରରେ ‘ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ପ୍ରକାଶ ପାଇଆସୁଛି। ୨୦୨୧ ମସିହାେର ପ୍ରକାଶିତ ସର୍ବେଶଷ ରିପୋର୍ଟରେ ଦେଶେର ଜଙ୍ଗଲର ଆୟତନ ୭, ୧୩, ୭୮୯ ବର୍ଗ କି.ମି.କୁ ବୃଦ୍ଧିପାଇଛି। ଏହା ଦେଶର ଭୂଭାଗର ୨୧.୭୧ ପ୍ରତିଶତ। ୧୯୮୭ରୁ ୨୦୨୧-୩୪ ବର୍ଷ ମଧ୍ୟରେ ଦେଶରେ ମୋଟ ଜଙ୍ଗଲରର ଆୟତନ ୭୨,୯୭୦ ବର୍ଗ କି.ମି. ବୃଦ୍ଧି ପାଇଛି। ଏହି ହିସାବରେ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ଆୟତନକୁ ବିଚାରକୁ ନିଆଯାଇନାହିଁ। ବିଶେଷଜ୍ଞମାନଙ୍କ ମତରେ ଅେନକତ୍ର ଚା’,କଫି, ତାଳ, ଖଜୁର, ନଡ଼ିଆଗଛ ଏବଂ ବ୍ୟକ୍ତିଗତ ମାଲିକାନାରେ ଥିବା ପ୍ଲାଣ୍ଟେସନକୁ ମଧ୍ୟ ଜଙ୍ଗଲ ରୂପେ ଦର୍ଶାଯାଇଛି। ୨୦୧୫ ପରଠାରୁ ପ୍ରକାଶିତ ୨୦୧୭,୨୦୧୯ ଏବଂ ୨୦୨୧ ତିନିଟି ସର୍ଭେ ରିପୋର୍ଟରେ ଦେଶରେ ଜଙ୍ଗଲ ଆୟତନ (ବୃକ୍ଷ ଆଚ୍ଛାଦିତ ଅଞ୍ଚଳକୁ ବାଦଦେଇ) ଯଥାକ୍ରମେ ୬,୭୭୮,୩୯୭୬ ଏବଂ ୧୫୪୦ ବର୍ଗ କି.ମି. ବୃଦ୍ଧି ପାଇଛି। ଅଥଚ ବିଗତ ଦଶକରେ ବିଶ୍ବର ମୋଟ ଜଙ୍ଗଲ ସମ୍ପଦ ହ୍ରାସ ପାଇଛି।
ବିଶ୍ବର ୨.୪ ପ୍ରତିଶତ ଭୂଭାଗକୁ ନେଇ ଭାରତ ଜଙ୍ଗଲ ସମ୍ପଦ କ୍ଷେତ୍ରରେ ବିଶ୍ବରେ ଦଶମ। ଏଠାରେ ବିଶ୍ବର ୧୭ ଭାଗ ମନୁଷ୍ୟ ଓ ୧୮ଭାଗ ଗୋମହିଷାଦି ପଶୁ ଅଛନ୍ତି। ଆମ ରାଜ୍ୟ ଓଡ଼ିଶା କଥା ବିଚାରକୁ େନଲେ ବିଗତ ତିନିଗୋଟି ସର୍ଭେ ରିପୋର୍ଟରେ ରାଜ୍ୟର ଜଙ୍ଗଲ ଆୟତନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ୨୦୧୫ରୁ ୨୦୧୭ ମଧ୍ୟରେ ୮୮୫ ବର୍ଗ କି.ମି.,୨୦୧୭ରୁ ୨୦୧୯ ମଧ୍ୟରେ ୨୭୪ ବର୍ଗ କି.ମି ଏବଂ ୨୦୨୧ ସର୍ଭେ ରିପୋର୍ଟରେ ୨୦୧୯ ଅପେକ୍ଷା ୫୩୭ ବର୍ଗ କି.ମି ବୃଦ୍ଧି ପାଇଛି। ଅର୍ଥାତ ଗତ ଛଅ ବର୍ଷରେ ରାଜ୍ୟରେ ଜଙ୍ଗଲର ଆୟତନ ୧୬୯୬ ବର୍ଗ କି.ମି. ବୃଦ୍ଧି ଘଟିଛି। ଦେଶର ଓ ଆମ ରାଜ୍ୟରେ ବିଗତ କିଛି ବର୍ଷ ଧରି ଜଙ୍ଗଲର ଆୟତନ ବୃଦ୍ଧି ଘଟୁଥିବା ଏକ ଶୁଭ ଲକ୍ଷଣ; କିନ୍ତୁ ଏହା ସହିତ ୨୦୨୧ ସର୍ଭେ ରିପୋର୍ଟରେ ଅନ୍ୟ ଯେଉଁ ଏକ ତଥ୍ୟ ପ୍ରକାଶ ପାଇଛି। ତାହା ନିତାନ୍ତ ଭାବେ ଉଲ୍ଲେଖଯୋଗ୍ୟ।
ଦେଶରେ ନଥିପତ୍ରଭୁକ୍ତ ଜଙ୍ଗଲ (ରେକେର୍ଡଡ ଫରେଷ୍ଟ)ର ଆୟତନ ହେଉଛି ୭,୭୫,୨୮୮ ବର୍ଗ କି.ମି। ସର୍ଭେ ରିପୋର୍ଟରେ ଦର୍ଶାଯାଇଥିବା ଦେଶର ମୋଟ ଜଙ୍ଗଲ ଆୟତନ ମଧ୍ୟରୁ ନଥିପତ୍ର ଭୁକ୍ତ ଜଙ୍ଗଲରେ ରହିଛି ମାତ୍ର ୫,୧୬,୬୦୦ ବର୍ଗ କି.ମି.। ଅର୍ଥାତ୍ ଦେଶର ମୋଟ ଜଙ୍ଗଲ ଆୟତନରୁ (୭,୧୩,୭୮୮-୫,୧୬,୬୦୦ = ୧୯୭୧୮୮) ୧,୯୭,୧୮୮ ବର୍ଗ କି.ମି. ଜଙ୍ଗଲ ସରକାରୀ ରେକର୍ଡଭୁକ୍ତ ଜଙ୍ଗଲ ପରିସୀମା ବାହାରେ ରହିଛି। ଏହା ଦେଶର ମୋଟ ଜଙ୍ଗଲ ଆୟତନର ୨୭.୬୨ ପ୍ରତିଶତ। ଏହା ସହିତ ଯଦି ରିପୋର୍ଟରେ ଦର୍ଶାଯାଇଥିବା ବୃକ୍ଷ ଆଚ୍ଛାଦିତ ଅଞ୍ଚଳ (ଟ୍ରିକଭର)କୁ ବିଚାରକୁ ନେବା ତେବେ ଏହି ପରିସଂଖ୍ୟାନ ୨,୫୭,୮୦୦ ବର୍ଗ କି.ମି. ହେବ; ଯାହାକି ଦେଶର ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟର ଆୟତନଠାରୁ ମଧ୍ୟ ଅଧିକା। ଆମ ରାଜ୍ୟ ଓଡ଼ିଶାର ମଧ୍ୟ ସେହି ଅନୁରୂପ ଅବସ୍ଥା। ସର୍ଭେ ରିପୋର୍ଟର ତଥ୍ୟ ମୁତାବକ, ରାଜ୍ୟର ମୋଟ ୫୨,୧୧୬ ବର୍ଗ କି.ମି. ଜଙ୍ଗଲରୁ ମାତ୍ର ୩୨,୬୮୬ ବର୍ଗ କି.ମି. ଜଙ୍ଗଲ ନଥିପତ୍ରଭୁକ୍ତ ଜଙ୍ଗଲ। ରାଜ୍ୟ ବନ ବିଭାଗର ରେକର୍ଡରେ ଦର୍ଶାଯାଇଥିବା ନଥିପତ୍ରଭୁକ୍ତ ଜଙ୍ଗଲର ଆୟତନ ୫୮,୧୩୬ ବର୍ଗ କି.ମି.। ଏଥିରୁ ଦୁଇଟି କଥା ପ୍ରମାଣିତ ହେଉଛି। ପ୍ରଥମଟି ଆମର ରେକର୍ଡଭୁକ୍ତ ଜଙ୍ଗଲର ପ୍ରାୟ (୫୮,୧୩୬-୩୨,୬୮୬=୨୫,୪୫୦) ୨୫,୪୫୦ ବର୍ଗ କି.ମି ଅର୍ଥାତ୍ ୪୩.୭୭ ପ୍ରତିଶତ ଅଞ୍ଚଳ ଏବେ ବୃକ୍ଷଶୂନ୍ୟ। ଦ୍ବିତୀୟଟି ରାଜ୍ୟର ପ୍ରାୟ ୧୯୫୦୦ ବର୍ଗ କି.ମି. (୫୨,.୧୫୬-୩୨,୬୮୬=୧୯,୪୭୦ – ୧୯,୫୦୦) ଆୟତନର ସର୍ଭେରେ ଦର୍ଶାଯାଇଥିବା ଜଙ୍ଗଲ ରେକର୍ଡ ବାହାର ଜମିରେ ରହିଛି। ଯାହାକି ରାଜ୍ୟର ମୋଟ ଜଙ୍ଗଲ ଆୟତନର ୩୭.୩୫ ପ୍ରତିଶତ ଅଟେ। ଏହା ସହିତ ବୃକ୍ଷ ଆଚ୍ଛାଦିତ ଅଞ୍ଚଳକୁ ବିଚାରକୁ ନେଲେ ଏହି ପରିସଂଖ୍ୟାନ ୪୫ ପ୍ରତିଶତରୁ ଅଧିକ ହେବ। କେବଳ ଓଡ଼ିଶା ନୁହେଁ; ଅଧିକ ଜଙ୍ଗଲ ଥିବା ରାଜ୍ୟ ମଧ୍ୟ ପ୍ରଦେଶରେ ମଧ୍ୟ ସରକାରୀ ରେକର୍ଡଭୁକ୍ତ ଜଙ୍ଗଲ ଜମିରେ ନଥିବା ଜଙ୍ଗଲର ଆୟତନ ୩୨ ପ୍ରତିଶତ, ଆନ୍ଧ୍ରରେ ୩୫ ପ୍ରତିଶତ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ୪୧ ପ୍ରତିଶତ ଏବଂ ଝାଡ଼ଖଣ୍ଡରେ ୫୦ ପ୍ରତିଶତରୁ ଅଧିକ ଅଟେ।
ସରକାରୀ ରେକର୍ଡ ବା ନଥି ପତ୍ରରେ ଥିବା ଜଙ୍ଗଲ ମଧ୍ୟରେ ରହିଛି ସଂରକ୍ଷିତ ଜଙ୍ଗଲ, ରକ୍ଷିତ ଜଙ୍ଗଲ ଏବଂ କୌଣସି ଶ୍ରେଣୀଭୁକ୍ତ ହୋଇ ନଥିବା ଜଙ୍ଗଲ। ଅନ୍ୟ ପଟେ ସର୍ଭେ ରିପୋର୍ଟରେ ଦର୍ଶାଯାଇଥିବା ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ମଧ୍ୟରେ ରହିଛି ଅତି ଘଞ୍ଚଜଙ୍ଗଲ (ମୁକୁଟ ସାନ୍ଦ୍ରତା ୭୦ ପ୍ରତିଶତରୁ ଅଧିକ), ମଧ୍ୟମ ଘଞ୍ଚ ଜଙ୍ଗଲ (ସାନ୍ଦ୍ରତା ୪୦ରୁ ୭୦ ପ୍ରତିଶତ) ଏବଂ ଖୋଲା ଜଙ୍ଗଲ (ସାନ୍ଦ୍ରତା ୧୦ରୁ ୪୦ ପ୍ରତିଶତ)। ବିସ୍ମୟର କଥା, ୧୯୨୭ ମସିହାରେ ପ୍ରଣୀତ ଜାତୀୟ ଜଙ୍ଗଲ ନୀତି ବା ତା’ ଉପରେ ଆଧାରିତ ଓଡ଼ିଶା ଜଙ୍ଗଲ ଆଇନ, ୧୯୭୨ରେ ଜଙ୍ଗଲ ଶବ୍ଦର ସଂଜ୍ଞା ନିରୂପଣ କରାଯାଇ ନାହିଁ। କେବଳ ଜାତୀୟ ସର୍ବେକ୍ଷଣ ସଂସ୍ଥାର ବିଚାର ଆଧାରରେ, ଯେଉଁଠି ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ଆୟତନ ୧ ହେକ୍ଟରରୁ ଅଧିକ ହୋଇଥିବ ଏବଂ ମୁକୁଟ, ସାନ୍ଦ୍ରତା ୧୦ ପ୍ରତିଶତରୁ ଅଧିକ ଥିବ ତାକୁ ଜଙ୍ଗଲ କୁହାଯିବ। ମାନ୍ୟବର ସୁପ୍ରିମକୋର୍ଟ ‘ଗୋଦାବର୍ମନ’ କେସ୍ରେ ୧୯୮୦ରେ ପ୍ରଣୀତ ‘ଜଙ୍ଗଲ ସଂରକ୍ଷଣ ଆଇନ’ର ପର୍ଯ୍ୟାଲୋଚନା ସମୟରେ ଜଙ୍ଗଲର ବ୍ୟାଖ୍ୟା କରି କହିଛନ୍ତି, ଅଭିଧାନ ଭାବାର୍ଥ ସଙ୍ଗେସଙ୍ଗେ, କୌଣସି ସରକାରୀ ନଥିପତ୍ରରେ ‘ଜଙ୍ଗଲ’ ସୂଚିତ ହୋଇଥିବା ସ୍ଥାନକୁ ମଧ୍ୟ ଜଙ୍ଗଲ କୁହାଯାଏ। ତେଣୁ ଏହି ସବୁ ଜମିକୁ କେନ୍ଦ୍ର ବନ ମନ୍ତ୍ରାଳୟର ଅନୁମତି ବିନା କେବଳ ଚାରାରୋପଣ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ। ସ୍ବାଭାବିକ ଭାବେ ପ୍ରଶ୍ନ ଉଠିପାରେ, ଯଦି ଦେଶର ମୋଟ ନଥିପତ୍ରଭୁକ୍ତ ୭,୭୫,୨୮୮ ବର୍ଗ କି.ମି. ଜଙ୍ଗଲ ଜମିରୁ କେବଳ ମାତ୍ର ୫,୧୬,୬୦୦ ବର୍ଗ କି.ମି. ଜମିରେ ଜଙ୍ଗଲ ରହିଛି, ତେବେ ବଳକା ୨,୫୮,୨୮୪ ବର୍ଗ କି.ମି. ଜମି ଗଲା କୁଆଡେ? ସେ ଜମିର ବର୍ତ୍ତମାନ ସ୍ଥିତି କ’ଣ? ଏହା କ’ଣ ଅବକ୍ଷୟିତ ନା ସଂପୂର୍ଣ୍ଣ ବୃକ୍ଷଶୂନ୍ୟ?
କିମ୍ବା ଏହା ଅନଧିକାର ଜବରଦଖଲରେ ଅଛି, ନା ଅନ୍ୟ କୌଣସି ଭାବେ ସରକାରୀ ବିନାନୁମତିରେ ବ୍ୟବହୃତ ହେଉଛି? ସରକାରୀ ରେକର୍ଡରେ ଥିବା ଜଙ୍ଗଲ ଜମିର ଏକ ତୃତୀୟାଂଶ ଆଜି ଅପହଞ୍ଚ ବା ଏହାର ସ୍ଥିତି ପ୍ରଶ୍ନବାଚୀ। ଉଭୟ ୨୦୧୯ ଏବଂ ୨୦୨୧ ସର୍ଭେ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାଯାଏ, ଏହି ଦୁଇ ବର୍ଷ ଭିତରେ ନଥିପତ୍ରଭୁକ୍ତ ଜଙ୍ଗଲ ଜମିରେ ଜଙ୍ଗଲର ପରିମାଣ ଆଦୌ ବଢ଼ିନାହିଁ। ଯାହା ବୃଦ୍ଧି ପାଇଛି, ତାହା ରେକର୍ଡ ଜଙ୍ଗଲ ଜମି ବାହାରେ ବଢ଼ିଛି। ଏତେ ପରିମାଣର ରେକର୍ଡରେ ଥିବା ଜଙ୍ଗଲ ଜମିକୁ କେବଳ କାଗଜପତ୍ରର ଜଙ୍ଗଲ ଭାବରେ ଛାଡ଼ି ଦିଆଯାଇ ନପାରେ। ଉଭୟ ଦେଶ ଓ ରାଜ୍ୟର ବନବିଭାଗ ଅଧୀନରେ ହଜିଯାଇଥିବା ଏହି ଜମିକୁ ତୁରନ୍ତ ଚିହ୍ନଟ କରି ଡିଜିଟାଲ ମ୍ୟାପ ପ୍ରସ୍ତତ କରିବା ସହିତ ଏହାକୁ ବିଭାଗୀୟ ପ୍ଲାଣ୍ଟେସନ ବା କ୍ଷତିପୂରକ ବନୀକରଣ ଦ୍ବାରା ପୁନଃଜୀବିତ କରିବା ଆମର ଲକ୍ଷ୍ୟ ହେବା ଉଚିତ୍।
Comments are closed.