www.samajalive.in
Monday, December 15, 2025
24.1 C
Bhubaneswar

‘ଆଦର୍ଶ ମଣିଷ ଯଦି ଦେଖିବାକୁ ଚାହଁ ଧାଇଁଯାଇ ଥରେ ଦେଖିଆସ ମଧୁରାଓ।’

ସାହିତ୍ୟ ସଭ୍ୟତାର ଆଦ୍ୟ ଉନ୍ମେଷ; ମାନବର ହିତ ସାଧନା ପାଇଁ ଅଭିପ୍ରେତ ଏକ ସାଂସ୍କୃତିକ ବିଭବ। ସାହିତ୍ୟର ଭାଷା- ସମନ୍ବୟ ଓ ସଂହତିର ଭାଷା; ସଂପ୍ରୀତି ଓ ସୌହାର୍ଦ୍ୟ ଭାଷା, ସ୍ନେହ, ସଦ୍‌ଭାବ ଓ ସଦିଚ୍ଛାର ଭାଷା। ଏହା ସମାଜର ସମୃଦ୍ଧି ଓ ଅନ୍ତରୀଣ ବିକାଶ ପାଇଁ ଅଭିପ୍ରେତ। ବିପର୍ଯ୍ୟୟ ବା ବିନାଶ ପାଇଁ ନୁହେଁ ପାରସ୍ପରିକ ସଦ୍‌ଭାବ ଓ ସମବେଦନା ହେଉଛି ସାହିତ୍ୟିକର ପ୍ରାଣପ୍ରବାହ। ଯେଉଁଠି ସଦ୍‌ଭାବ ନାହିଁ, ସମବେଦନା ନାହିଁ, ସେଠାରେ ସାହିତ୍ୟ ନାହିଁ। ଏହି ସଦ୍‌ଭାବନାର ସଂକଟରୁ ଯେଉଁ ନିକୃଷ୍ଟ ମାନସିକତା ଉତ୍ପନ୍ନ ହୁଏ ତାହା ପରେ ପ୍ରତିଦ୍ବନ୍ଦ୍ବିତା ଓ ମନାନ୍ତରର ରୂପ ନିଏ। ଏହି ପ୍ରତିଦ୍ବନ୍ଦ୍ବିତାରୁ ପରଶ୍ରୀକାତରତା ଜାତ ହୁଏ, ଯାହା ବସୁଧୈବ କୁଟୁମ୍ବକମ୍‌ ଭାବର ପରିପନ୍ଥୀ।
ଏହି ପରିପ୍ରେକ୍ଷୀରେ ଇତିହାସର ଏକ ନିର୍ଦିଷ୍ଟ ସମୟରେ ଏକ ସ୍ତରର ସାହିତ୍ୟିକମାନଙ୍କର ପାରସ୍ପରିକ ମନୋଭାବକୁ ବିଚାରକୁ ନିଆଯାଇପାରେ। ଉଦାହରଣ ସ୍ବରୂପ ରାଧାନାଥଙ୍କ ଯୁଗ ବା ଆଦ୍ୟ ଆଧୁନିକ ଯୁଗର ତିନିଜଣ ଯୁଗାନ୍ତକାରୀ ସାହିତ୍ୟ ରଥୀ- ଫକିର ମୋହନ, ମଧୁସୂଦନ ଓ ରାଧାନାଥଙ୍କ ଦୃଷ୍ଟାନ୍ତ ପ୍ରଣିଧାନଯୋଗ୍ୟ। ଏହି ତିନି ବିଶିଷ୍ଟ ସାହିତ୍ୟରଥୀ ଏକ ସମୟରେ ଓଡ଼ିଆ ସାହିତ୍ୟ ଜଗତକୁ ମଣ୍ଡନ କରିଥିଲେ। ହେଲେ ସେମାନଙ୍କ ମଧ୍ୟରେ ସାମାନ୍ୟତମ ଅସହିଷ୍ଣୁ ବା ପରଶ୍ରୀକାତର ଭାବ ନଥିଲା। ବରଂ ପାରସ୍ପରିକ ଶୁଭେଚ୍ଛା, ସଦିଚ୍ଛା ଓ ପ୍ରଶଂସା ଭାବ ଭରି ରହିଥିଲା। ଜଣେ କବି ବା କଥାକାରର ସୃଷ୍ଟି ସର୍ଜନା ଅନ୍ୟ ଦ୍ବାରା ସମାଦୃତ ହେଉଥିଲା।
କଟକର କାଳୀଗଳିରେ ଯେତେବେଳେ ମଧୁସୂଦନ ଓ ରାଧାନାଥ ଅବସ୍ଥାନ କରୁଥିଲେ, ସେହି ସମୟରେ ପ୍ରାୟ ପ୍ରତିଦିନ ମଧୁସୂଦନ ରାଧାନାଥଙ୍କ ପାଦସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରୁଥିଲେ। ରାଧାନାଥ ମଧ୍ୟ ତାଙ୍କର ଏକ ପୁସ୍ତକ ମଧୁସୂଦନଙ୍କୁ ଉତ୍ସର୍ଗ କରିଥିଲେ। ମଧୁସୂଦନ ରାଧାନାଥଙ୍କ ପୁସ୍ତକରେ ନିଜର ଅଭିମତ ଲେଖିଥିଲେ। ଏହି ଦୁଇଜଣ ଖ୍ୟାତନାମା କବିଙ୍କ ଭିତରେ ଅତ୍ୟନ୍ତ ମଧୁର ସମ୍ପର୍କ ଥିଲା।
ସେ ସମୟର ଅନ୍ୟ ଜଣେ କବି ଓ ବିଶିଷ୍ଟ କଥାକାର ଫକିରମୋହନଙ୍କ ବ୍ୟକ୍ତିତ୍ବ କିଛି କମ୍‌ ସୌହାର୍ଦ୍ୟପୂର୍ଣ୍ଣ ନ ଥିଲା। ସେ ଥିଲେ ଗୁଣଗ୍ରାହୀ। ମଧୁସୂଦନଙ୍କ ଆଦର୍ଶ ବ୍ୟକ୍ତିତ୍ବରେ ଉଦ୍‌ବୁଦ୍ଧ ହୋଇ ଲେଖିଥିଲେ:
‘ଆଦର୍ଶ ମଣିଷ ଯଦି ଦେଖିବାକୁ ଚାହଁ
ଧାଇଁଯାଇ ଥରେ ଦେଖିଆସ ମଧୁରାଓ।’
ରାଧାନାଥ ମଧ୍ୟ କମ୍‌ ଉଚ୍ଚମନା ଓ ଗୁଣଗ୍ରାହୀ ନଥିଲେ। ସେ କବିସୂର୍ଯ୍ୟ ବଳଦେବ ରଥଙ୍କ ମୃତ୍ୟୁ ପରେ ଲେଖିଥିଲେ-
‘‘ଧନ୍ୟ ରଥ ତୁମ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟୀ ତୁମେ ଉତ୍କଳ ଭୁବନେ।’’
କବି ଗଙ୍ଗାଧର ମେହେର ଥିଲେ ବେଶ୍‌ ଉଚ୍ଚମନା ଓ ବନ୍ଧୁବତ୍ସଳ। ମଧୁସୂଦନ ରାଓଙ୍କ ମୃତ୍ୟୁପରେ ସେ ତାଙ୍କର କବିତାର ଉଚ୍ଚ ପ୍ରଶଂସା କରିବା ଛଳରେ ତାଙ୍କର ସ୍ବର୍ଗ ଯାତ୍ରା କାମନା କରିଥିଲେ। ତାଙ୍କ ଭାଷାରେ-
‘‘କବିତା ସକଳ ତୁମ ଦେବକନ୍ୟା ବେଶେ
ଘେନି ଯିବେ ସମାଦର କରି ସ୍ବର୍ଗ ଦେଶେ।’’
ଏହି ଆଦୃତି, ସଦିଚ୍ଛା ଓ ଶୁଭାକାଙ୍‌କ୍ଷା ନିଶ୍ଚିତ ଏକ ଉଚ୍ଚତର ମାନବୀୟ ଗୁଣାବଳୀ, ଯାହା ସୁସାହିତ୍ୟିକମାନଙ୍କ ଠାରେ ପରିଦୃଷ୍ଟ ହୁଏ। ଏହି ପ୍ରବୃତ୍ତି ସଭ୍ୟ, ସଂସ୍କୃତି, ସରସ ମନୋଭବ ଓ ସ୍ବଚ୍ଛ ମାନସିକତାର ପ୍ରବୃତ୍ତି।
ସାହିତ୍ୟ ଜନ୍ମନିଏ ଯୁଗଯନ୍ତ୍ରଣାରୁ। ସହିତ୍ୟିକ ସୃଷ୍ଟି କରେ ସହିଷ୍ଣୁତାର ତାଜ। ସେ ପରସ୍ପରକୁ ଈର୍ଷା କରେ ନାହିଁ, ଶ୍ରଦ୍ଧା କରେ; କୁତ୍ସାରଟନା କରେ ନାହିଁ, ଶୁଭ ମନାସେ। ବାସ୍ତବରେ ପରଶ୍ରୀକାତରତା, ଆତ୍ମକୈନ୍ଦ୍ରିକତା, ନିନ୍ଦା, ଅପବାଦ, ଘୃଣା, ବିଭେଦ ଓ ଅସହିଷ୍ଣୁତାର ଯେଉଁଠି ଶେଷ ହୋଇଛି, ସେଇଠୁ ଆରମ୍ଭ ହୋଇଛି, ସାହିତ୍ୟିକର ସାମ୍ରାଜ୍ୟ- ସାହିତ୍ୟର ସ୍ବର୍ଣ୍ଣ ରାଜବାଟୀ- କବିର କୋଣାର୍କ। ଭରିରହିଛି ସେଠି ସହଯୋଗିତା, ସହୃଦୟତା, ସହନଶୀଳତା, ସହଭାଗିତା, ମାନବିକତା ଓ ଉଦାରତାର ବହୁ ଅମୂଲ୍ୟ ବିଭବ।
ସାହିତ୍ୟ ଯେଉଁଠି ସଦ୍‌ଭାବ ସେଇଠି, ସଂହତି ସେଇଠି। କୁତ୍ସା ଯେଉଁଠି ଅପବାଦ ଯେଉଁଠି, ଅପସଂସ୍କୃତି ସେଇଠି, ହୀନମନ୍ୟତା ସେଇଠି।
ସଂସ୍କୃତରେ କୁହାଯାଇଛି- ଅୟଂ ନିଜ ପରୋବେତି ଗଣନା ଲଘୁଚେତସାଂ
ଉଦାର ଚରତାନାଂ ତୁ ବସୁଧୈବ କୁଟୁମ୍ବକମ୍‌।
ସାହିତ୍ୟିକର ମାନସିକ ଚେତନା ଉଦାର, ସହନଶୀଳ, ସର୍ବଜନ ପ୍ରେମ, ବିଶ୍ବଜନ ପ୍ରୀତି ମହାଭାବ। ନିଜ, ପର, ଘୃଣା, ଈର୍ଷା, କୁଟିଳ, ଜଟିଳ, କ୍ରୂର ଭାବ ନୁହେଁ। ପରସ୍ପରକୁ ପଶ୍ଚାତ୍‌ ଦିଗକୁ ଆକର୍ଷଣ କରୁଥିବା ତଥାକଥିତ ଓଡ଼ିଆ କଙ୍କଡ଼ାର ଭାବ ନୁହେଁ, ପରସ୍ପରକୁ ଅଗ୍ରଗାମୀ ହେବା ପାଇଁ ନିରନ୍ତର ପ୍ରେରଣା ଦେବାର ସୁମଧୁର ଭାବ। ସମାଜକୁ ଶୃଙ୍ଖଳିତ, ସମନ୍ବିତ ଓ ସମୃଦ୍ଧ କରିବା, ପରିବେଶକୁ ସରସ, ସୁନ୍ଦର ଓ ସବୁଜ କରି ଗଢ଼ିବା ହୃଦୟକୁ ନିର୍ମଳ, ଅନାବିଳ ଓ ପବିତ୍ର କରିବାର ସ୍ବର୍ଗୀୟ ମନୋଭାବ।
ଗୋପବନ୍ଧୁଙ୍କ ବିଶ୍ବଜନ ପ୍ରେମ, (ମୋ ପ୍ରାଣ ପ୍ରେମଧାରେ ଭାସିବ ଧରା, ହେବ ଏ ବିଶ୍ବ ମୋର ପ୍ରେମ ପ୍ରସରା) ମଧୁସୂଦନଙ୍କର ଅମୃତ ସୃଷ୍ଟି, (ମଧୁମୟ ସୃଷ୍ଟି, ସୁଧାମୟ ସୃଷ୍ଟି, ଏ ସୃଷ୍ଟି ଅମୃତମୟ ହେ, ମଧୁର ଜୀବନ କରିବ କ୍ଷରଣ ତୋ ପାପମରଣ ଭୟ ହେ) ଜଗନ୍ନାଥ ଦାସଙ୍କ ଅମୃତ ବିନୟ ବଚନ, କହି ତୋଷିବ ପ୍ରାଣୀ ମନ, ଦୀନକୃଷ୍ଣଙ୍କ (କରୁଣା ହୃଦୟ ନିରତେ ହୁଅ, କର ଦୀନେ ଦାନ) ସଚ୍ଚିରାଉତରାଙ୍କ-
‘‘ତମେ ଯହିଁ ଦେଖ ଶିଳାରେ /
ଶିଳାରେ ରମ୍ୟକଳାର ରୂପ….’’
କାଳିନ୍ଦୀ ପାଣିଗ୍ରାହୀଙ୍କ ଗାନ୍ଧାରୀଙ୍କ ମୁଖର ଭାଷା, ଯାଅ ବୀର ରଣେ ଧରଣୀ ବକ୍ଷୁ ପାପରାଶି ହେଉ କ୍ଷୟ।
ସେହି ଜାଗତିକ, ମହାମାନବିକ, ମଧୁମୟ, ସୁଧାମୟ ଭାବାଧାରାର ଦ୍ୟୋତକ। ସାହିତ୍ୟ ଓ ସୌହାର୍ଦ୍ୟର ଅବିଚ୍ଛେଦ୍ୟ ସେତୁବନ୍ଧ। ଶତ୍ରୁକୁ ଯିଏ ସମାଦର କରେ, ପ୍ରତିଦ୍ବନ୍ଦ୍ବୀକୁ ଯିଏ ଭଲପାଏ ସେ ହିଁ ସଚ୍ଚା ସାହିତ୍ୟପ୍ରାଣ।

 

- Advertisement -

ଡ. ଅଲେଖ ଚନ୍ଦ୍ର ପଢ଼ିଆରୀ

ପ୍ରାକ୍ତନ ଶାସନ ସଚିବ, ଓଡ଼ିଶା ସରକାର

ଦୂରଭାଷ:୯୯୩୭୦୬୨୦୦୧

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories