ପଞ୍ଚମ ଶିଳ୍ପ ବିପ୍ଳବ ଓ କୃତ୍ରିମ ମେଧା

ସଭ୍ୟତାର ପ୍ରାରମ୍ଭକାଳରୁ ମଣିଷ ନିର୍ଭରଶୀଳ ହୋଇଆସିଛି ପ୍ରଯୁକ୍ତି ବିଦ୍ୟା ଉପରେ। ପ୍ରାଗ୍‌ ଐତିହାସିକ ଯୁଗରେ ନିଆଁର ଆବିଷ୍କାର ଓ ଚକର ଉଦ୍‌ଭାବନ ଠାରୁ ଆରମ୍ଭ କରି ଆଧୁନିକ ଯୁଗର କୃତ୍ରିମ ମେଧା ପର୍ଯ୍ୟନ୍ତ। ତେବେ ଏହାର ପ୍ରଭାବ ପ୍ରଥମେ ଗଭୀର ଭାବେ ଅନୁଭୂତ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀର ଏବଂ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ। ବିଶେଷକରି ୧୮୨୦ରୁ ୧୮୪୦ ମସିହା ମଧ୍ୟରେ ଏହା ଶୀର୍ଷଦେଶରେ ଉପନୀତ ହୋଇଥିଲା। ଏହି ସମୟ ମଧ୍ୟରେ ଯାନ୍ତ୍ରିକ ତନ୍ତ୍ର, ଷ୍ଟିମ୍ ଇଂଜିନ୍ ଆଦିର ଉଦ୍‌ଭାବନ, ଇନ୍ଧନ ରୂପେ କୋଇଲାର ବ୍ୟବହାର ଲୁହା ଉତ୍ପାଦନ ଭଳି ପ୍ରଯୁକ୍ତି ବିଦ୍ୟାର ବିକାଶ ଫଳରେ ଶିଳ୍ପ କ୍ଷେତ୍ରରେ ଯାନ୍ତ୍ରିକୀକରଣ ପ୍ରାଧନ୍ୟ ଲାଭ କରିବାକୁ ଲାଗିଲା। ଅତଏବ ଏଥିରେ ଆସିଲା ବୈପ୍ଳବିକ ପରିବର୍ତ୍ତନ, ଯାହାକି ‘ଶିଳ୍ପ ବିପ୍ଳବ’ ନାମରେ ପରିଚିତ ହେଲା। ଏହା ପ୍ରସାରିତ ହୋଇଚାଲିଲା ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ। ଇତି ମଧ୍ୟରେ ସିମେଣ୍ଟ, ବିବିଧ କୃତ୍ରିମ ରସାୟନ, କାଚ ଇତ୍ୟାଦିର ପ୍ରସ୍ତୁତି ଏବଂ ଖଣି ଖନନ ଓ ଖଣିଜ ପଦାର୍ଥମାନ ଉତ୍ତୋଳନ, ଆଲୋକ ତଥା ତାପ ସୃଷ୍ଟି କରିବାରେ ପ୍ରାକୃତିକ ବାଷ୍ପ ଓ ଖଣିଜ ତୈଳର ବିନିଯୋଗ, ଗମନାଗମନ ଏବଂ ଏପରି କି କୃଷିକ୍ଷେତ୍ରରେ ମଧ୍ୟ ବିବିଧ ଯାନ୍ତ୍ରିକ ବ୍ୟବସ୍ଥା ଉପଯୋଗ ହେବାକୁ ଲାଗିଲା।
ସମାଜ ଉପରେ ଏହାର ପ୍ରଭାବ ଥିଲା ଅତି ସୁଦୂର ପ୍ରସାରୀ। ଏହା ଫଳରେ ଉତ୍ପାଦନ ବୃଦ୍ଧିପ୍ରାପ୍ତ ହେଲା। ହେଲେ ତତ୍‌ ସ​‌େ​‌ଙ୍ଗ ସଙ୍ଗେ ବଢ଼ିଚାଲିଲା ମଣିଷର ଜୀବନଧାରଣ ପାଇଁ ବିବିଧ ଆବଶ୍ୟକତା ଏବଂ ସେତେବେଳେ ସରସ ସୁନ୍ଦର ଜୀବନଟିଏ ଜିଇବା ପାଇଁ ଆବଶ୍ୟକ ହେଉଥିବା ସାଧନର ମାତ୍ର ୪୦ରୁ ୬୦ ଶତାଂଶ ତାକୁ ପ୍ରାପ୍ତହେଲା। ସେଥି ସହିତ ବେକାରୀ ମଧ୍ୟ ବଢ଼ିଲା। ଅତଏବ ଏ ଶିଳ୍ପ ବିପ୍ଳବ ଦ୍ବାରା ଲୋକଙ୍କର ଜୀବନଧାରଣ ଶୈଳୀ କିଛି ବଦଳିଲା ସତ, ତେବେ ଏଥିରେ ମୁଖ୍ୟତଃ ଲାଭବାନ ହେଲେ ଉଚ୍ଚ ତଥା ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଲୋକେ, ଶିଳ୍ପପତି ଓ ବ୍ୟବସାୟୀମାନେ। ପୁନଶ୍ଚ ଏହା ପରିବେଶ ଓ ପରିସଂସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇଲା।
ତତ୍ପରେ ଆସିଲା ଦ୍ବିତୀୟ ଶିଳ୍ପବିପ୍ଳବ, ୧୮୫୦ରୁ ୧୮୭୦ ମସିହା ମଧ୍ୟରେ, ଅର୍ଥାତ୍ ଊନବିଂଶ ଶତାବ୍ଦୀର ଶେଷ ଭାଗକୁ। ଏହାର ବିଶିଷ୍ଟତାର ସୂଚକ ଥିଲା ବିଦ୍ୟୁତ୍‌, ଖଣିଜ ବାଷ୍ପ ଏବଂ ଖଣିଜ ତୈଳର ନୂତନ ବ୍ୟବହାର, ବିବିଧ ବୈଦ୍ୟୁତିକ ଯନ୍ତ୍ରପାତିର ଉଦ୍‌ଭାବକ, ଅନ୍ତର୍ଦହନ ଇଂଜିନ୍‌ ଏବଂ ତଦ୍‌ଚାଳିତ ଯାନବାହନ ତଥା କଳକାରଖାନା, ଇସ୍ପାତ ଓ କୃତ୍ରିମ ରସାୟନ ସମେତ ବିବିଧ ଶିଳ୍ପୋଦ୍ଭାଜନ, ଟେଲିଫୋନ ଏବଂ ଟେଲିଗ୍ରାଫ୍‌ ଆଦି ଯୋଗାଯୋଗ ଅବସ୍ଥାର ଆରମ୍ଭ ଇତ୍ୟାଦି, ଅତଏବ ଏହା ଆଧୁନିକ ଯାନ୍ତ୍ରିକ ଜୀବନର ମୂଳଦୁଆ ସ୍ଥାପନ କଲାବୋଲି କୁହାଯାଇପାରେ।
ଏହାର ଗୋଟିଏ ଶତାବ୍ଦୀ ଅନ୍ତେ, ଅର୍ଥାତ୍ ବିଂଶ ଶତାବ୍ଦୀର ଶେଷାର୍ଦ୍ଧ (୧୯୬୦-୭୦ ଦଶକ) ବେଳକୁ ଆବିର୍ଭାବ ଘଟିଲା ତୃତୀୟ ଶିଳ୍ପ ବିପ୍ଳବର, ଯାହାର ବାହକ ଥିଲେ ନାଭିକୀୟ ଶକ୍ତି ଉତ୍ପାଦନ ଏବଂ ଉନ୍ନତ ଶ୍ରେଣୀର ବୈଦ୍ୟୁତିକ ଯନ୍ତ୍ରପାତି, ଟେଲି ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ସମେତ ମହାକାଶ ଜୈବ ପ୍ରଯୁକ୍ତି ବିଦ୍ୟା ଭଳି ଅତ୍ୟାଧୁନିକ ବିଜ୍ଞାନ କ୍ଷେତ୍ରରେ ବୈପ୍ଳବିକ ବିକାଶ। ଏ ସମୟର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଉଦ୍‌ଭବନ ହେଲା ଉନ୍ନତ କମ୍ପ୍ୟୁଟର ଏବଂ ରୋବୋଟ, ଯାହାକି ଉଚ୍ଚସ୍ତରୀୟ ସ୍ବୟଂଚାଳିତ ଯୁଗର ମୂଳଦୁଆ ସ୍ଥାପନ କଲା।
ବର୍ତ୍ତମାନ ଏକବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ବିତୀୟ ଦଶକରେ ଚତୁର୍ଥ ଶିଳ୍ପ ବିପ୍ଳବ ଆସି ଉପନୀତ ହୋଇଛି। ସୌର, ବାୟୁ ଏବଂ ଭୂ-ତାପଜ ଭଳି ପୁନଃ ନବୀକରଣକ୍ଷମ ଶକ୍ତିର ଉତ୍ସ ପ୍ରତି ଗୁରୁତ୍ବ, ଡିଜିଟାଲ୍‌ ପ୍ରଯୁକ୍ତି ବିଦ୍ୟା ଦ୍ରୂତ ତ୍ବରାନ୍ବିତ ହେବା, ଇଣ୍ଟର୍‌ନେଟ୍‌ର ବ୍ୟାପକ ବିନିଯୋଗ, ଶିଳ୍ପ କ୍ଷେତ୍ରରେ ସ୍ମାର୍ଟ କମ୍ପ୍ୟୁଟର୍‌, ରୋବୋର୍ଟ ଆଦିର ବ୍ୟାପକ ଅନୁପ୍ରବେଶ ଏହାର ଗୋଟିଏ ଗୋଟିଏ ବୈଶିଷ୍ଟ୍ୟ। ତେବେ, ଏସବୁ ସହିତ କୃତ୍ରିମ ମେଧାର ଆବିର୍ଭାବ ସୃଷ୍ଟି କରିଛି ଅନେକ ଆଶା ଓ ଆଶଙ୍କା। ଆମ ଜୀବନଧାରା ଏବଂ କର୍ମ ଶୈଳୀରେ ଏହା ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ଶିଳ୍ପ, ଶ୍ରମ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବ୍ୟବସାୟ, ଅର୍ଥନୀତି ଇତ୍ୟାଦି ସମସ୍ତ କ୍ଷେତ୍ରରେ ଏହାର ଗୁରୁତ୍ବ ପ୍ରକଟିତ ହେବାକୁ ଲାଗିଲାଣି ଏବଂ ତହିଁରୁ ସୂଚନା ମିଳିଲାଣି ଏକ ନୂତନ ଭବିଷ୍ୟତର ଯଥାଶୀଘ୍ର ପଞ୍ଚମ ଶିଳ୍ପବିପ୍ଳବ ଆଗମନର ୨୦୫୦ରୁ ୨୦୭୫ ମଧ୍ୟରେ । ଏହାର ରୂପରେଖ ଯେ’ କିପରି ହେବ ତାହାର ପୂର୍ବାନୁମାନ କରିବାକୁ ଲାଗିଲେଣି ବୈଜ୍ଞାନିକ ଏବଂ ପ୍ରଯୁକ୍ତି ବିଜ୍ଞାନୀମାନେ।
ଏଥିରେ କୃତ୍ରିମ ମେଧା ମୁଖ୍ୟନାୟକ ହେବା ଦୃଷ୍ଟିରୁ ପ୍ରଥମେ ଶିଳ୍ପକ୍ଷେତ୍ର ସ୍ବୟଂଚାଳିତ, ଶ୍ରମମୁକ୍ତ ଏବଂ ପରିବେଶ ସହାୟକ ହେବ। କୃଷିରେ ମଧ୍ୟ ଆସିବ ଅନୁରୂପ ପରିବର୍ତ୍ତନ। ଫଳରେ ଏ ଉଭୟ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ତାହା ଅଧିକ ଲାଭଜନକ ହେବ। ତେବେ ଏହା ବେକାରୀ ସମସ୍ୟା ସୃଷ୍ଟି କରିବ ବୋଲି କେତେକ ମହଲରେ ଆଶଙ୍କା ପ୍ରକଟ କରାଯାଏ। ଅନ୍ୟପକ୍ଷରେ ଅନେକ ବୈଜ୍ଞାନିକ ଏହାର ବିରୋଧ କରନ୍ତି। ସେମାନଙ୍କ ମତରେ ଏହା ବରଂ ଶ୍ରମିକମାନଙ୍କୁ ଅଧିକ କୁଶଳୀ ହେବାର ଅବକାଶ ଦେବ ଏବଂ ସେମାନଙ୍କ ଦୈହିକଶ୍ରମ ହ୍ରାସ କରିବ। ସେହିପରି ସ୍ବାସ୍ଥ୍ୟସେବାରେ କୃତ୍ରିମ ମେଧା ଆଣିବ ବୈପ୍ଳବିକ ପରିବର୍ତ୍ତନ। ଏହାଦ୍ବାରା ତ୍ରୁଟିମୁକ୍ତ ଭାବେ ଏବଂ ସ୍ବଳ୍ପ ସମୟ ମଧ୍ୟରେ ବିବିଧ ରୋଗର ନିରୂପଣ ଏବଂ ଉପଯୁକ୍ତ ଚିକିତ୍ସା କରାଯାଇପାରିବ। ଏଥିପାଇଁ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଦୂରରେ ଥାଇ ଏହାରି ମାଧ୍ୟମରେ ସେ କାର୍ଯ୍ୟ ସୁଚାରୁ ରୂପେ କରିପାରିବେ। ଅତଏବ ଉନ୍ନତ ସ୍ବାସ୍ଥ୍ୟସେବା ଏବଂ ପୁଷ୍ଟିକର ଖାଦ୍ୟର ଲଭ୍ୟତା ମଣିଷକୁ ଦୀର୍ଘାୟୁ କରିବ। ଅନ୍ୟପକ୍ଷରେ କୃତ୍ରିମ ମେଧାଦ୍ବାରା ନିୟନ୍ତ୍ରିତ ଗମନାଗମନ ବ୍ୟବସ୍ଥା ପ୍ରାୟତଃ ସମ୍ପୂର୍ଣ୍ଣ ସୁରକ୍ଷିତ, ଦ୍ରୁତ ତଥା ପ୍ରଦୂଷଣମୁକ୍ତ ହେବ। ପୁନଶ୍ଚ ସହର ସମେତ ସମସ୍ତ ଜନବସତି ସରସ ସୁନ୍ଦର ଏବଂ ଅପରାଧ ମୁକ୍ତ ହେବା ସହିତ ସମସ୍ତ ଅତ୍ୟାବଶ୍ୟକ ସେବା ହାତ ପାଅନ୍ତାରେ ଉପଲବ୍ଧ ହୋଇପାରିବ। ମୋଟ ଉପରେ ଏହା ଆମ ଜୀବନ ଧାରଣର ମାନବୃଦ୍ଧି ଘଟାଇବ। ତେବେ ଏହାର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିବ ବିଜ୍ଞାନ, ଗବେଷଣା ଓ ପ୍ରଯୁକ୍ତି ବିଦ୍ୟାକୁ ବିଶେଷକରି, ମହାକାଶ, ଜୈବ-ପ୍ରଯୁକ୍ତି ବିଦ୍ୟା ଏବଂ ସ୍ବୟଂକ୍ରିୟ ବ୍ୟବସ୍ଥାକୁ। ଅତଏବ ତାହା ଆହୁରି ଏକ ନୂତନ ଶିଳ୍ପ ବିପ୍ଳବ ଆଗମନର ଶଙ୍ଖଧ୍ବନି କରିବ।
କୃତ୍ରିମ ମେଧା ଓ ପଞ୍ଚମ ଶିଳ୍ପ ବିପ୍ଳବର ଏ ସମସ୍ତ ଇଜ୍ବଳ ସମ୍ଭାବନା ସତ୍ତ୍ବେ ତାହା ସମ୍ପୂର୍ଣ୍ଣ ରୂପେ ଆଶଙ୍କାମୁକ୍ତ ନୁହେଁ। ଉଦାହରଣ ସ୍ବରୂପ, ମନେକରାଯାଏ ଯେ, କୃତ୍ରିମ ମେଧା ଯଦି ଦିନେ ମଣିଷର ବୁଦ୍ଧିମତ୍ତାକୁ ଅତିକ୍ରମ କରିଯାଏ ଏବଂ ଏହା ତାକୁ ପରିଚାଳିତ କରିବାକୁ ସମର୍ଥ ହୁଏ ତା’ ହେଲେ ପରିଣାମ ଭୟାବହ ହୋଇପଡ଼ିବ। ଏଥୁରୁ ଉତ୍ପନ୍ନ ପରିସ୍ଥିତି ସହିତ ଆମେ ଖାପଖୁଆଇ ପାରିବା ନାହିଁ। ଆମେ ନିଜେ ପାଲଟିଯିବା ଗୋଟିଏ ଗୋଟିଏ ଭାବପ୍ରବଣତାହୀନ ତଥା ସୃଜନଶୀଳ ଚିନ୍ତାଧାରା ରହିତ ଯନ୍ତ୍ର, ଯାହାକି ଧ୍ବଂସକୁ ଡାକିଆଣିବ। ତେବେ, ଏହା ଏତେଦୂର ଯିବନାହିଁ ଏବଂ କୃତ୍ରିମ ମେଧା ମଣିଷର ବୁଦ୍ଧିମତ୍ତାକୁ କଦାପି ଅତିକ୍ରମ କରିପାରିବ ନାହିଁ ବୋଲି ବହୁ ଭବିଷ୍ୟଦ୍ରଷ୍ଟା ବୈଜ୍ଞାନିକ ଆଶ୍ବାସନା ବାଣୀ ଶୁଣାନ୍ତି। ତଥାପି ଏ ଆଶଙ୍କା ଦୂର କରିବା ପାଇଁ କେତେକ ପଦକ୍ଷେପ ଦିଗରେ ଗଭୀର ଚିନ୍ତନ ଓ କାର୍ଯ୍ୟକ୍ରମ ଲାଗି ସେମାନେ ପରାମର୍ଶ ଦେଇଛନ୍ତି।
ତଦନୁଯାୟୀ, ଯେତେ କର୍ମନିପୁଣ ହେଲେ ମଧ୍ୟ କୃତ୍ରିମ ମେଧାଧାରୀ ରୋବର୍ଟ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକର ମସ୍ତିଷ୍କ ନାହିଁ କି ଭାବପ୍ରବଣତା ନାହିଁ। ତେଣୁ ସେଗୁଡ଼ିକୁ ମୌଳିକ ଚିନ୍ତନ ତଥା ସୃଜନଶୀଳତା ଆବଶ୍ୟକ କରୁଥିବା କାର୍ଯ୍ୟଗୁଡ଼ିକରେ ନିୟୋଜିତ କରିବା ଉଚିତ ନୁହେଁ। ତାହେଲେ ସେଗୁଡ଼ିକ ସର୍ବଦା ମଣିଷର ସୃଜନଶୀଳ ଦିଗ୍‌ଦର୍ଶନ ଉପରେ ନିର୍ଭରଶୀଳ ହୋଇ ରହିବେ। ଫଳରେ କୃତ୍ରିମ ମେଧା ଚାଳିତ ପଞ୍ଚମ ଶିଳ୍ପ ବିପ୍ଳବ ଦ୍ବାରା ମାନବ ସମାଜ ବହୁଳ ଭାବେ ଉପକୃତ ହେବ ଏବଂ ଆଗାମୀ କାଲିର ପରିବର୍ତ୍ତିତ ପୃଥିବୀରେ ନିଜ ସ୍ଥିତି ସୁଦୃଢ଼ କରିବା ସହିତ ପ୍ରତ୍ୟେକ ଲୋକ ପାଇଁ ଉଚ୍ଚମାନର ଜୀବନଯାପନ ନିଶ୍ଚିତ କରିପାରିବ। ଅନ୍ୟପକ୍ଷରେ, ସେଥିପ୍ରତି ଧ୍ୟାନ ନଦେଇ ଯଦି ପରମାଣୁ ବିଜ୍ଞାନକୁ ଦାୟିତ୍ବହୀନ ଭାବେ ​‌େ​‌ବାମା ତିଆରିରେ ନିୟୋଜିତ କଲାଭଳି ତାହାକୁ ଯୁଦ୍ଧ, ସନ୍ତ୍ରାସବାଦ ଆଦି ଧ୍ବଂସାତ୍ମକ କାର୍ଯ୍ୟର ଆୟୁଧ ରୂପେ ଦୁରୁପଯୋଗ କରାଯାଏ ତା’ହେଲେ ପରିଣାମ ଏପରି ଭୟାବହ ହେବ ଯେ, ତାହା ଧରାପୃଷ୍ଠରୁ ମାନବ ପ୍ରଜାତି ସମେତ ସମସ୍ତ ଜୀବଜଗତକୁ ବିଲୋପ କରିଦେଇପାରିବ।

 

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ବର
ଦୂରଭାଷ:୯୯୩୭୩୦୧୪୬୦

Comments are closed.