ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଭାରତର ଆତିଥ୍ୟକୁ ନେଇ ବିଶ୍ୱ ନେତୃବୃନ୍ଦ ଭୂୟସୀ ପ୍ରଶଂସା କଲେ। ସମ୍ମିଳନୀର ଶତ ପ୍ରତିଶତ ସଫଳତାକୁ ନେଇ ପାକିସ୍ତାନ ଓ ଚୀନ ମାତ୍ରାଧିକ ଅସହିଷ୍ଣୁ ହୋଇପଡ଼ିଛନ୍ତି। ଯାହାର ପ୍ରତିକ୍ରିୟା କାଶ୍ମୀର ଉପତ୍ୟକାରେ ପ୍ରତିଫଳିତ ହୋଇଛି। ପାକିସ୍ତାନୀ ସେନାର ସମର୍ଥନ ଓ ପ୍ରରୋଚନାରେ ଆତଙ୍କବାଦୀ ଭାରତ ସୀମାକୁ ଅନୁପ୍ରବେଶ କରିବା ସହିତ ସେମାନଙ୍କର ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି କରିଛନ୍ତି। ପାକିସ୍ତାନ ଭଳି ଖଲିସ୍ତାନ ଆତଙ୍କବାଦୀମାନେ କାନାଡାରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଥିବାବେଳେ ନୂଆଦିଲ୍ଲୀ ଏହାକୁ ଦୃଢ ବିରୋଧ କରିଆସୁଛି। ଜି-୨୦ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ପ୍ରସଙ୍ଗରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କୁ ସ୍ପଷ୍ଟ ଭାବରେ ଭାରତର ନିଷ୍ପତ୍ତି ଜଣାଇ ଦେଇଥିଲେ। ବିଶ୍ୱର କୌଣସି ସ୍ଥାନରେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଟ୍ରୁଡୋ ମଧ୍ୟ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦିଆଯିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ସ୍ୱଦେଶ ଫେରିବା ପରେ ଟ୍ରୁଡୋଙ୍କର କଥାବାର୍ତ୍ତା ଓ ଆଭିମୁଖ୍ୟ ବଦଳିଯାଇଛି।
ଗତ ଜୁନ୍ ମାସରେ ବ୍ରିଟିଶ କଲମ୍ବିଆର ଜଣେ ସୁପରିଚିତ ଶିଖ୍ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ଭାଙ୍କୋଭର୍ର ସହରତଳି ଅଞ୍ଚଳ ସରେଠାରେ ହତ୍ୟା କରାଯିବା ଘଟଣାରେ ହରଡ ଘଣାରେ ପଡ଼ିଛନ୍ତି ଟ୍ରୁଡୋ। କାରଣ ସଂଖ୍ୟାଲଘୁ ସରକାରର ନେତୃତ୍ୱ ନେଉଥିବା ଜଷ୍ଟିନ୍ ଟ୍ରୁଡୋ ଏବେ ନିୟୁ ଡେମୋକ୍ରାଟିକ ପାର୍ଟିର ଭୋଟ ଉପରେ ନିର୍ଭର କରୁଛନ୍ତି। ଏହି ସଂଗଠନର ନେତା ଜଗମିତ୍ ସିଂ ‘ଏକ୍ସ’ ବା ପୂର୍ବର ଟ୍ୱିଟର୍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ ନିଜ୍ଜାରଙ୍କ ହତ୍ୟା ଘଟଣାରେ ଉଚିତ୍ ନ୍ୟାୟ ମିଳିବା ପର୍ଯ୍ୟନ୍ତ ତାଙ୍କର ଲଢେଇ ଜାରି ରହିବ। ବିଶ୍ୱ ଶିଖ୍ ସଂଗଠନ ମଧ୍ୟ ନିଜ୍ଜାରଙ୍କ ହତ୍ୟା ଘଟଣାରେ ଭାରତର ଭୂମିକା ସମ୍ପର୍କରେ ତଦନ୍ତ କରିବାକୁ ଓଟ୍ଟାୱା ପ୍ରଶାସନକୁ ନିବେଦନ କରିଛନ୍ତି। ବ୍ରିଟିଶ କଲମ୍ବିଆ ପୁଲିସ କହିଛି ଯେ ଏହା ଉକ୍ତ ଘଟଣାରେ ତିନିଜଣ ସନ୍ଦିଗ୍ଧ ସମ୍ପୃକ୍ତ ଥିବା ସନ୍ଦେହ କରୁଛି, ଯଦିଓ ସେମାନଙ୍କୁ ଚିହ୍ନଟ କରାଯାଇନାହିଁ। ଅନ୍ୟପକ୍ଷରେ କାନାଡାରେ ଜଣେ ଶିଖ୍ ନେତାଙ୍କୁ ହତ୍ୟା କରାଯିବା ଘଟଣାରେ ଭାରତର ସମ୍ପୃକ୍ତି ନେଇ ନିର୍ଭରଯୋଗ୍ୟ ଅଭିଯୋଗ ରହିଥିବା ଟ୍ରୁଡୋ କହିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଶିଥିଳତା ଆସିଛି।
କାନାଡା ପ୍ରଧାନମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଦେଶର ରାଷ୍ଟ୍ରୀୟ ନିରାପତ୍ତା ସେବାର ଗୋଇନ୍ଦା ରିପୋର୍ଟରେ ଏହି ହତ୍ୟା ପଛରେ ଭାରତର ଭୂମିକା ରହିଥିବା କୁହାଯାଇଛି। କାନାଡାର ସୁରକ୍ଷା ସଂସ୍ଥାଗୁଡିକ ଏବେ ତାହାର ତଦନ୍ତ କରୁଛନ୍ତି। ଟ୍ରୁଡୋ ଏହା ମଧ୍ୟ କହିଛନ୍ତି ଯେ କାନାଡା ମାଟିରେ ଜଣେ କାନାଡା ନାଗରିକଙ୍କୁ ହତ୍ୟା କରାଯିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ। ଦେଶର ସଂସଦରେ ସେ ଏହି ପ୍ରସଙ୍ଗ ଭାରତର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିବା ମଧ୍ୟ କହିଛନ୍ତି। ତେବେ ନୂଆଦିଲ୍ଲୀ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ମନଗଢା କହି ଏଡାଇଯାଇଛି। ଏହାକୁ ନେଇ ଏବେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କାନାଡା ସରକାର ସୋମବାର ଭାରତର ଜଣେ କୂଟନୀତିଜ୍ଞଙ୍କୁ ଦେଶଛାଡି ଚାଲିଯିବାକୁ ନିର୍ଦେଶ ଦେବାପରେ ନୂଆଦିଲ୍ଲୀ ଅନୁରୂପ ପଦକ୍ଷେପ ଗ୍ରହଣ କରିଛି।
ସୂଚନାଯୋଗ୍ୟ ଯେ ଖଲିସ୍ତାନ ବିଚ୍ଛିନ୍ନତାବାଦୀ ପ୍ରସଙ୍ଗକୁ ନେଇ ଭାରତ ଓ କାନାଡା ମଧ୍ୟରେ ଦୀର୍ଘ ବର୍ଷ ହେଲା ସମ୍ପର୍କ ଖରାପ ହୋଇପଡ଼ିଛି। ୨୦୨୦ରେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସପକ୍ଷରେ ଟ୍ରୁଡୋ ମତ ଦେବା ପରେ ପରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଓଟ୍ଟାୱା ହସ୍ତକ୍ଷେପ କରୁଛି ବୋଲି ନୂଆଦିଲ୍ଲୀ ଅଭିଯୋଗ କରିଥିଲା। ଏକ ଆକଳନ ଅନୁଯାୟୀ କାନାଡାରେ ପ୍ରାୟ ୮ ଲକ୍ଷ ଶିଖ୍ ବସବାସ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସରେ ଏବଂ ବ୍ରାମ୍ପ୍ଟନ ବାସିନ୍ଦା, ଯାହା ଟରଣ୍ଟୋର ସହରତଳି ଅଞ୍ଚଳରେ ଅବସ୍ଥିତ। କିଛି କାନାଡା ଅଧିବାସୀ ଶିଖ୍ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏହାକୁ ଭାରତ ସରକାର ଦୃଢ ବିରୋଧ କରିବା ସହିତ କାନାଡା ସରକାର ଶିଖ୍ ବିଚ୍ଛିନ୍ନତାବାଦୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ମଧ୍ୟ କରୁଛନ୍ତି। ସେମାନେ ଭାରତର ସାର୍ବଭୌମତା ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ନୂଆଦିଲ୍ଲୀ ଦର୍ଶାଉଛି। ଅଥଚ କାନାଡାର ରାଜନୈତିକ ନେତୃବୃନ୍ଦ ଖୋଲାଖୋଲି ଭାବରେ ଏଭଳି ଲୋକଙ୍କ ସପକ୍ଷରେ ବାହାରିବା ଏବଂ ସେମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା, ଗଭୀର ଚିନ୍ତାଜନକ ବିଷୟ ବୋଲି ଭାରତ କହିଛି।
ଏବେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାବେଳେ କାନାଡା ସହିତ ବାଣିଜ୍ୟ ଆଲୋଚନାକୁ ନୂଆଦିଲ୍ଲୀ ସ୍ଥଗିତ ରଖିଛି। ଭାରତ ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ଦେଶର ବିଭିନ୍ନ ପଣ୍ୟ ସାମଗ୍ରୀ ଆବଶ୍ୟକତା ନିମନ୍ତେ ରଣକୌଶଳାତ୍ମକ ଦୃଷ୍ଟିକୋଣରୁ କାନାଡା ଆଦୌ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନାହିଁ। ଦୁଇ ଦେଶ ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ମାତ୍ର ୮ ବିଲିଅନ ଡଲାର ରହିଥିଲା ଏବଂ ସେଥିମଧ୍ୟରେ ଆମଦାନୀ ଓ ରପ୍ତାନି ଅଂଶ ପ୍ରାୟ ସମାନ ଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପ୍ରାୟ ୨୦ ପ୍ରତିଶତ ହ୍ରାସପାଇଛି। ଇତିମଧ୍ୟରେ କାନାଡାରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ କାର୍ଯ୍ୟାଳୟଗୁଡିକ ବନ୍ଦ କରିବାକୁ ଶିଖ୍ସ୍ ଫର ଜଷ୍ଟିସ୍ ନାମରେ ଏକ ସଂଗଠନ ଚେତାବନୀ ଦେଇଛି। ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ତିକ୍ତ ହେଉଥିବାବେଳେ ଭାରତ ବିରୁଦ୍ଧରେ ବିଚ୍ଛିନ୍ନତାବାଦୀ ଶକ୍ତିଗୁଡିକ ସେମାନଙ୍କ କାର୍ଯ୍ୟକଳାପ ଚଳାଇ ରଖିବାକୁ ପ୍ରୋତ୍ସାହନ ପାଇବା ସ୍ୱାଭାବିକ। ଏହାର ଦୃଢ ମୁକାବିଲା ପାଇଁ ନୂଆଦିଲ୍ଲୀ ଆନ୍ତର୍ଜାତିକ ସହଯୋଗରେ କାନାଡା ଉପରେ ଚାପ ପ୍ରୟୋଗ ଜରିଆରେ ଯଥାଶୀଘ୍ର ସମାଧାନ ପନ୍ଥା ନିରୂପଣ କରିବା ଜରୁରୀ ହୋଇପଡ଼ିଛି।



