www.samajalive.in
Monday, December 8, 2025
27.1 C
Bhubaneswar

ଆମ ସଦାଚାର ଭିତରେ ସଂସ୍କୃତି ପରିସ୍ଫୁଟ

ସଂସ୍କୃତି ସୁସଂହତ ଆଚରଣ ଭିତରେ ପ୍ରକାଶିତ ହୁଏ। ‘କୃତି’ ଶବ୍ଦରେ ସମ୍‍ ଉପସର୍ଗ ଯୋଗ ପରେ ଆମେ ସଂସ୍କୃତି ଶବ୍ଦ ପାଇଥାଉ। ମଣିଷ ସ୍ୱଭାବର ଅଳଙ୍କାର ହେଉଛି ସଂସ୍କୃତି। ଏହା ସଚ୍ଚରିତ୍ର, ସୁଆଚରଣ ଓ ସାଧୁ ଉଦ୍ୟମ ଭିତରେ ପ୍ରକଟିତ ହୋଇଥାଏ। ଆମ ସଭ୍ୟତା ବହିର୍ମୁଖୀ ହୋଇଥିବା ବେଳେ ସଂସ୍କୃତି ଅନ୍ତର୍ମୁଖୀ ହୋଇଥାଏ। ଏହି ପରିପ୍ରେକ୍ଷୀରୁ ବିଶ୍ୱବିଶ୍ରୁତ ଦାର୍ଶନିକ ରସେଲ ସାହେବ- ଜ୍ଞାନ ପିପାସା, ପ୍ରେମ ପିପାସା ଓ ପ୍ରାଣୀ ସମାଜ ପ୍ରତି ସମ୍ବେଦନାକୁ ସଂସ୍କୃତିର ପ୍ରାଣ ଭାବେ ଅଭିହିତ କରିଛନ୍ତି। ପ୍ରତି ଯୁଗର ବୁଦ୍ଧିଜୀବୀମାନେ ଜୀବନର ଗୁଣାତ୍ମକ ଅଭିବୃଦ୍ଧି ଉପରେ ପ୍ରଶ୍ନବାଚୀ ବସାଇଛନ୍ତି। ବ୍ୟକ୍ତି, ସମାଜ ବା ଜାତିର ପ୍ରବହମାନ ଜୀବନଧାରା ଭିତରେ ଯାହାକିଛି ଗୁଣାତ୍ମକ ବୈଶିଷ୍ଟ୍ୟ ବା ଚମତ୍କାର ତାହା ହିଁ ସଂସ୍କୃତି। ସଦାଚାର ଭିତରେ ସଂସ୍କୃତି ପରିସ୍ଫୁଟ। ମଣିଷ ଜୀବନ କେବଳ ବିଚିତ୍ର ନୁହେଁ, ବ୍ୟାପକ ଓ ଜଟିଳ। ତା’ ଭିତରର ହିଂସା, ଘୃଣା, ଦୁର୍ବାର କାମନା, ପ୍ରଲୋଭନ, ଅହମିକା ତାକୁ ସତତ ବିପଥଗାମୀ ହେବାକୁ ପ୍ରଚୋଦିତ କରିଥାଏ। ସେହିପରି ତା’ର ସତ୍ୟ, ଅହିଂସା, ଅକ୍ରୋଧ, ଅପରିଗ୍ରହ ଭଳି ମହତ ଗୁଣ ସତ୍‍ ପଥରେ ଗତି କରିବା ସକାଶେ ପ୍ରେରଣା ପ୍ରଦାନ କରିଥାଏ।

ଆମର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳର ମୋଟ ୪,୦୩୩ ବିଧାୟକଙ୍କ ମଧ୍ୟରୁ ୪୦୦୧ ଜଣଙ୍କ ସତ୍ୟପାଠକୁ ଅନୁଧ୍ୟାନ କରାଯାଇ ଜଣାପଡିଛି ୧୧୩୬ ଅର୍ଥାତ ୨୮% ବିଧାୟକଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ,ମହିଳାଙ୍କ ପ୍ରତି ଅପରାଧ ଆଦି ଗମ୍ଭୀର ମାମଲା ରହିଛି। ସେହିପରି ଆମ ଓଡ଼ିଶାର ୧୪୫ ଜଣ ବିଧାୟକଙ୍କ ମଧ୍ୟରୁ ୬୪ ଜଣ ଅର୍ଥାତ୍‌ ୪୪.୧୩% ଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି। ତେବେ ଏହିଭଳି ଲୋକ ଯଦି ଆମର ନେତୃତ୍ୱ ନେବେ ତେବେ ଦେଶର ସଂସ୍କୃତି ତଥା ସ୍ୱାଭିମାନର ବିପର୍ଯ୍ୟୟ ହେବନି କି? ଆଜି ଆମର ସମାଜ ତଥା ନେତୃ ବର୍ଗ ମହାଭାରତର ଦୁର୍ଯ୍ୟୋଧନ ଭୂମିକାରେ। ଭଗବାନ ବ୍ୟାସ ଦୁର୍ଯ୍ୟୋଧନକୁ ସୁପରାମର୍ଶ ଦେଇ ତାର କାର୍ଯ୍ୟକଳାପର ଭୟଙ୍କର ପରିଣତି ସମ୍ପର୍କରେ ସୂଚାଇଥିଲେ ମାତ୍ର ଆଜି ବ୍ୟାସଦେବ ନାହାନ୍ତି ଆମର ସମାଜର ଦୁର୍ଯ୍ୟୋଧନମାନଙ୍କୁ ତାଙ୍କର ତାଙ୍କ ଅପରାଧ, ଅନ୍ୟାୟ, ଅତ୍ୟାଚାର ବିଷୟରେ ସୂଚାଇବେ! ଯିଏ ସୂଚାଇବା କଥା ସିଏ ନିଜେ ବିପଥଗାମୀ।

- Advertisement -

କଥାଟିଏ ମନେପଡେ। ବୁଦ୍ଧଦେବ ଜେତବନରେ ଆସୀନ। ଜନୈକ ଆଗନ୍ତୁଙ୍କର ବୁଦ୍ଧଙ୍କୁ ପ୍ରଶ୍ନ ଥିଲା- ଆପଣ କ’ଣ ଯାଦୁକର? ବୁଦ୍ଧ ଦୃଢ ଭାବରେ ଉତ୍ତର ଦେଇଥିଲେ ନା ତା’ନୁହେଁ। ପରବର୍ତ୍ତୀ ପ୍ରଶ୍ନ ଥିଲା ତେବେ କ’ଣ ଆପଣ ଜଣେ ମହାନ ସନ୍ଥ? ଅନୁରୂପ ନାସ୍ତିବାଚକ ଉତ୍ତର ମିଳିଥିଲା ଆଗନ୍ତୁକଙ୍କୁ। ଶେଷ ପ୍ରଶ୍ନ ଥିଲା ତେବେ ଆପଣ କିଏ? ଏଥର ଉତ୍ତର ମିଳିଲା ‘ଜାଗ୍ରତ’। ମଣିଷ ତା’ର ଚିତ୍ତବୃତ୍ତିରେ ସୃଷ୍ଟି ହେଉଥିବା ସକାରାତ୍ମକ ଓ ନକାରାତ୍ମକ କ୍ରିୟା ଓ ବିକ୍ରିୟା ପ୍ରତି ଯେତିକି ଜାଗ୍ରତ ତଥା ସଚେତନ ହେବ, ସେ ସେତିକି ମହତ ହେବ। ସେ ସବୁକୁ ଅନୁଧ୍ୟାନ ଓ ଅନୁଶୀଳନ କରି ଯାହା ବ୍ୟକ୍ତିଜୀବନ ଓ ସମାଜ ଜୀବନ ପାଇଁ ଶୁଭଙ୍କର ତାକୁ ହିଁ ଜାଗ୍ରତ ମଣିଷ ପ୍ରୟୋଗ କରିବା ବିଧେୟ। ଆଦିକବି ବାଲ୍ମୀକିଙ୍କ ରାବଣ ଚରିତ୍ର ସେହିପରି ଏକ ଅନନ୍ୟ ସୃଷ୍ଟି। ଏହା ଲୋକଶିକ୍ଷା ପାଇଁ ଉଦ୍ଦିଷ୍ଟ। ରାମଚନ୍ଦ୍ରଙ୍କ ସୈନ୍ୟ ବଳ କଳନା କରି ଶୁକ ଓ ସାରଣ ରାମଙ୍କ ସୈନ୍ୟ ବଳର ଗରିମା ଓ ଗୌରବ ବଖାଣିବା ବେଳେ ରାବଣ ସେମାନଙ୍କୁ ଦଣ୍ଡ ଦେବା ଲାଗି ଉଦ୍ୟତ ହୋଇଛି। ସେମାନଙ୍କର ସତ୍ୟକଥନ ତା’ ପାଇଁ ବିରକ୍ତିକର ଓ ଶ୍ରୁତିକଟୁ ହୋଇଛି। ଜଣେ ଅଧସ୍ଥନ ମନ୍ତ୍ରୀ ପକ୍ଷେ ନିଜ ଅନ୍ନଦାତା ପ୍ରଭୁ ନିକଟରେ ଏପରି ଅରୁଚିକର ମନ୍ତବ୍ୟ ରାବଣ ଦୃଷ୍ଟିରେ ଅଶୋଭନୀୟ ଓ ଅକ୍ଷମଣୀୟ। ରାବଣର ଅହେତୁକ ଅହମିକା ତା’ର ସ୍ୱବଂଶ ନିଧନର ହେତୁ ହୋଇଥିଲା। ଏ ମଧ୍ୟ ଆମ ଐତିହ୍ୟର ଆଲେଖ୍ୟ, ଅପସଂସ୍କୃତିର ଅଜ୍ଞାନ ଅଭିବ୍ୟକ୍ତି। ରାବଣ ଥିଲା ଏକ ପ୍ରଜ୍ଞା-ଶାଣିତ ପୌରାଣିକ ବ୍ୟକ୍ତିତ୍ୱ, ଶାସ୍ତ୍ର ନିପୁଣ। ତ୍ରିପୁର ବିଜୟୀ; କିନ୍ତୁ ନିଜ ଉପରେ ବିଜୟ ହାସଲ କରିବାରେ ସେ ବିଫଳ ହୋଇଛି। ଆଜି ଆମ ସମାଜର ନେତୃବର୍ଗଙ୍କ ଅବସ୍ଥା ଠିକ୍‍ ରାବଣ ପରି। ନିଜର କର୍ମ, ଧର୍ମ,ବିବେକ ଉପରେ ସେମାନେ ବିଜୟ ହାସଲ କରିପାରି ନାହାନ୍ତି।

ଆଜକୁ ଦୁଇ ହଜାର ବର୍ଷ ପୂର୍ବର ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରେ କାଳଜୟୀ କଥାକାର ପାରସ୍ୟର ଈଶପ୍‍ ତାଙ୍କ କାହାଣୀ ମାଧ୍ୟମରେ ଏକ ସରଳ କଥାର ଅବତାରଣା କରି ସେ ଦୁର୍ନୀତିର ଉତ୍ସ ପ୍ରତି ଅଙ୍ଗୁଳି ନି‌େ‌ର୍ଦଶ କରିଯାଇଛନ୍ତି। ସାମାନ୍ୟ ବୁଢୀଆଣୀ ଜାଲର ଉଦାହରଣ ଦେଇ ସେ କହିଛନ୍ତି- ବୁଢିଆଣୀ ଜାଲ ବଡ ସୂକ୍ଷ୍ମ। ସାମାନ୍ୟ ମାଛିଟିଏ ଜାଲରେ ପଡିଗଲେ ସେ ଅଟକିଯାଏ; କିନ୍ତୁ ଛୋଟିଆ ପଥର ଖଣ୍ଡେ କିମ୍ବା କ୍ଷୁଦ୍ର ଏଣ୍ଡୁଅ କିମ୍ବା ଝିଟିପିଟି ପଡିଗଲେ ଜାଲ ଛିଣ୍ଡିଯାଏ। ବଡ ବଡ ପ୍ରଭାବଶାଳୀ ବ୍ୟକ୍ତିଗଣ ସେହିପରି ପ୍ରଶାସନିକ ଆଇନ୍‍କାନୁନ ଭାଙ୍ଗି ନିଜକୁ ଦୁର୍ନୀତିମୁକ୍ତ ଭାବେ ସାବ୍ୟସ୍ତ କରିପାରନ୍ତି। ଆଜକୁ ସତେଇଶ ଶହ ବର୍ଷ ପୂର୍ବେ ରାଜନୈତିକ ସ୍ତରରେ ଯାହା ସତ୍ୟ ଥିଲା ଆଜି ମଧ୍ୟ ତାର ବ୍ୟତିକ୍ରମ ଘଟିନାହିଁ। ମନେପଡେ ମୌର୍ଯ୍ୟ ରାଜୁତି ପୂର୍ବର ଏକ କାହାଣୀ। ଆଚାର୍ଯ୍ୟ ମାର୍ତ୍ତଣ୍ଡ ଥିଲେ ଜଣେ ବିଜ୍ଞ ଓ ଆଚାରନିଷ୍ଠ ବ୍ରାହ୍ମଣ। ପରାମର୍ଶଦାତା ଭାବେ ତାଙ୍କର ବେଶ୍‍ ସୁଖ୍ୟାତି ଥିଲା। ପ୍ରଧାନ ସେନାପତି ପଡୋଶୀ ରାଜ୍ୟର ରାଜାଙ୍କ ଠାରୁ ପ୍ରଚୁର ଧନ ସମ୍ପତ୍ତି ଲାଭ କରି ସେ ରାଜାଙ୍କର ବଶବର୍ତ୍ତୀ ହେବା ସହ ଯଦି ପଡୋଶୀ ରାଜା ଆକ୍ରମଣ କରିବେ ସେନାପତି ହିସାବରେ ସେ କେବଳ ଯୁଦ୍ଧର ଛଳନା କରିବେ ସିନା କିନ୍ତୁ ପ୍ରକୃତ ପକ୍ଷେ ଶତ୍ରୁକୁ ସାହାଯ୍ୟ କରିବେ ବୋଲି କହିଥିଲେ। ଗୁପ୍ତଚର ରାଜାଙ୍କୁ ସମ୍ବାଦ ଦେଲା। ରାଜା ସେନାପତିଙ୍କ ବିରୁଦ୍ଧରେ ବିଚାର ପାଇଁ କାହାକୁ ମନୋନୀତ କରିବେ, ଏହି ଦ୍ୱନ୍ଦ୍ବରେ ପଡିଥିବା ସମୟରେ ତାଙ୍କର ଆଚାର୍ଯ୍ୟ ମାର୍ତ୍ତଣ୍ଡଙ୍କ କଥା ମନେ ପଡିଲା। ମାର୍ତ୍ତଣ୍ଡ ଥିଲେ ଅତ୍ୟନ୍ତ ଜନପ୍ରିୟ। ସୈନ୍ୟ ସାମନ୍ତଙ୍କର ମଧ୍ୟ ଆଚାର୍ଯ୍ୟଙ୍କ ପ୍ରତି ଥିଲା ଗଭୀର ସମ୍ମାନ। ଆଚାର୍ଯ୍ୟଙ୍କ ଦ୍ୱାରା ସେନାପତିଙ୍କ ବିରୋଧରେ ଅଭିଯୋଗର ବିଚାର ଲାଗି ଦିନ ଧାର୍ଯ୍ୟ ହେଲା। ଭଷ୍ଟାଚାରୀ ସେନାପତି ବିଚଳିତ ହୋଇଗଲେ। ବିଚାର ଦିବସର ପୂର୍ବରାତ୍ରି ଥିଲା ଅମାବାସ୍ୟାର ଘୋର ଅନ୍ଧକାର ରାତ୍ରି। ଧୂର୍ତ୍ତ ସେନାପତି ଏକ ସୁନା ଥାଳିରେ ବହୁ ମୂଲ୍ୟବାନ ହୀରା, ନୀଳା,ମଣିମୁକ୍ତା ଧରି ଘନ ଅନ୍ଧକାର ଭେଦକରି ଆଚାର୍ଯ୍ୟଙ୍କ କୁଡିଆରେ ପହଞ୍ଚିଲେ। ଆଚାର୍ଯ୍ୟ ଦୀପ ଆଲୋକରେ ନ୍ୟାୟଶାସ୍ତ୍ର ଅଧ୍ୟୟନରେ ରତ ଥିଲେ। ମଣିମୁକ୍ତା ଭରା ସୁନାଥାଳି ଆଚାର୍ଯ୍ୟଙ୍କ ସମକ୍ଷରେ ରଖି ପ୍ରଣାମ କଲେ ସେନାପତି। ନୀରବତା ଭଙ୍ଗକରି ସେନାପତି କହିଲେ- ବହୁ ମୂଲ୍ୟବାନ୍‍ ମଣିମୁକ୍ତାର ବିନିମୟରେ ଆଚାର୍ଯ୍ୟଙ୍କ ଦାରିଦ୍ର୍ୟ କେବଳ ଦୂର ‌େହବନାହିଁ, ତାଙ୍କର ବଂଶଧରମାନେ ପୁରୁଷ ପୁରୁଷ ଧରି ବିଳାସମୟ ଜୀବନଯାପନ କରି ପାରିବେ। ଆଉ ଏ ବିଷୟ କେହି ଜାଣିବାର ଅବକାଶ ମଧ୍ୟ ନାହିଁ। ଅମା ଅନ୍ଧକାର ଭିତରେ ଏସବୁ କାହାରି ଦୃଷ୍ଟିରେ ପଡିବାର ନାହିଁ। ଆଚାର୍ଯ୍ୟ ହତବାକ୍‍। କିଛି କ୍ଷଣ ପରେ ଆଚାର୍ଯ୍ୟ ଉତ୍ତର ଦେଲେ- ଆକାଶରେ କୋଟି କୋଟି ନକ୍ଷତ୍ର ଏସବୁକୁ ପ୍ରତ୍ୟକ୍ଷ କରିଛନ୍ତି। ବାୟୁ ମୂଲ୍ୟବାନ ମଣିମୁକ୍ତାକୁ ସ୍ପର୍ଶ କରିଛି। ଚାରିପଟର ପ୍ରକୃତି ମଣିଷର ଦୁଃସାହସ ଦେଖି ସ୍ତବ୍ଧ ହୋଇଯାଇଛି। ସର୍ବଶେଷରେ ମଣିଷ ଭିତରେ ଯେଉଁ ସର୍ବବ୍ୟାପୀ ଉପଦ୍ରଷ୍ଟା ରୂପେ ମହାନ ଆତ୍ମା ବିଦ୍ୟମାନ, ସେ ମଧ୍ୟ ନୀରବରେ ଲକ୍ଷ୍ୟ କରୁଛି। ତେବେ କୁହନ୍ତୁ ସେନାପତି ମହାଶୟ ଏ ଘଟଣା ଅପ୍ରକଟ ହୋଇ ରହିଲା କିପରି? ସେନାପତିଙ୍କର ସବୁ ଅନୁନୟ ବିନୟ ବ୍ୟର୍ଥ ହେଲା! ଏହା ହିଁ ଆମ ଐତିହ୍ୟ ଯାହା ଆମ ସଂସ୍କୃତିକୁ ଉଦ୍‍ବୋଧିତ କରିଛି; କିନ୍ତୁ ସଭ୍ୟ ମଣିଷ ତଥା ନେତୃବୃନ୍ଦ ଇତିହାସରୁ କିଛି ଶିଖୁ ନାହିଁ। ଭ୍ରଷ୍ଟାଚାର ବଢି ବଢି ଚାଲିଛି। ବିଧାୟକ କିଣାବିକା ହେଉଛନ୍ତି! ବେଦ କହେ ‘ହେ ରାଷ୍ଟ୍ର ନାୟକ ତୁମେ ସର୍ବୋଚ୍ଚ ଶାସନରେ ଅଧିଷ୍ଠିତ , ଜନସାଧାରଣଙ୍କ ମଧ୍ୟରେ ରୁହ। ସମଗ୍ର ଜନସମାଜର ତୁମେ ଦୃଷ୍ଟାନ୍ତ ଭାବେ ଊଭାହୁଅ, ତୁମଠାରୁ ରାଷ୍ଟ୍ର ଅଧିଚ୍ୟୁତ ନହେଉ।’

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories