ନିରାଶା ମଧ୍ୟରେ ଆଶାର ଉଜ୍ଜୀବନ ଥିଲା ବୈକୁଣ୍ଠ – କବିତାର ନିଷ୍କର୍ଷ
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଭୁବନେଶ୍ୱର: ନିରାଶା ମଧ୍ୟରେ ଆଶାର ଉଜ୍ଜୀବନ ଥିଲା ବୈକୁଣ୍ଠନାଥଙ୍କ କବିତାର ନିଷ୍କର୍ଷ ବୋଲି ବୈକୁଣ୍ଠନାଥଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟା ୬ଟାରେ ବଡାମ୍ବା ପୂଜ୍ୟପୂଜା ସଂସଦଙ୍କ ସହଯୋଗ କ୍ରମେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏହି ଭବ୍ୟ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଅନ୍ୟ ଅତିଥିଙ୍କ ଗ୍ରହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପାର୍ଘ୍ୟ ପ୍ରଦାନ କରି ଉତ୍ସବ ଉଦଘାଟନ କରିଥିଲେ। ବରେଣ୍ୟ ଅତିଥି ଭାବେ ବଡାମ୍ବା ବିଧାୟକ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଯୋଗଦେଇଥିଲେ। ସମାରୋହରେ ସଭାପତିତ୍ୱ କରିଥିଲେ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ। ଶ୍ରୀ ମଲ୍ଲିକ ନିଜ ଉଦବୋଧନରେ କହିଥିଲେ ଯେ ବୈକୁଣ୍ଠନାଥଙ୍କ କବିତାରେ ମାନବିକତାର ଯେଉଁ ସ୍ପର୍ଶ ରହିଛି, ତା’ର ପଟ୍ଟାନ୍ତର ନାହିଁ। ସେଥିଲେ ସ୍ୱାଧୀନଚେତା କବି। ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବୈକୁଣ୍ଠନାଥ ସାମ୍ୟବାଦୀ ଚେତନାର ଜଣେ ଅଗ୍ରଣୀ ଉଦ୍ଗାତା ଥିଲେ। ସେ ତାଙ୍କ କବିତାର କେତେକ ପଙ୍କ୍ତି ଉଦ୍ଧାର କରିଥିଲେ।
ଶ୍ରୀ ମଲ୍ଲିକ ତାଙ୍କ ସଭାପତି ଅଭିଭାଷଣରେ କହିଥିଲେ ଯେ ବୈକୁଣ୍ଠମନା ସଂଶ୍ଳିଷ୍ଟଥିବା “ସବୁଜ ସାହିତ୍ୟ’ ସଂପର୍କରେ ଏକ ଆଲୋଚନାଚକ୍ରର ଆୟୋଜନ କରିବାକୁ ମାନନୀୟ ମନ୍ତ୍ରୀ ଶ୍ରୀ ପାତ୍ର ଯେଉଁ ପ୍ରସ୍ତାବ ଦେଇଥିଲେ ଏକାଡେମୀ ତରଫରୁ ସର୍ବଭାରତୀୟସ୍ତରରେ ତା’ର ଆୟୋଜନ କରାଯାଇ ବୈକୁଣ୍ଠ କୃତିର ତୁଳନାତ୍ମକ ଆଲୋଚନା କରାଯିବ। ଏକାଡେମୀର ଉପ ସଭାପତି ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପୂଜ୍ୟପୂଜା ସଂସଦ, ବଡ଼ାମ୍ବା ପକ୍ଷରୁ ରବୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭରେ ଉତ୍ସବ ସଂପର୍କରେ ସୂଚନା ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ରୀମତୀ ସଂଗୀତା ପଣ୍ଡା ଓ ତାଙ୍କର ସାଥୀ ବୈକୁଣ୍ଠ ନାଥଙ୍କ ରଚିତ ସଂଗୀତ ପରିବେଷଣ କରିଥିଲେ। ଏହି ଜୟନ୍ତୀ ସଭାରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବୈକୁଣ୍ଠପ୍ରେମୀ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।
Comments are closed.