ବେଗରୁ ବିପତ୍ତି

0

ସପ୍ତାହକ ପରେ ପୁଣି ଏକ ସଡ଼କ ଦୁର୍ଘଟଣା ଲିଭାଇଛି ରାଜ୍ୟର ୧୦ ଅମୂଲ୍ୟ ଜୀବନ। ଚିକିତ୍ସାଧୀନ ଅଛନ୍ତି ୫୨ରୁ ଅଧିକ ଯାତ୍ରୀ ଏବଂ ୪ ଜଣଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ। ମଙ୍ଗଳବାର ତାଳଚେରରୁ ବାହାରି ଭୁବନେଶ୍ବର ଯାଉଥିବା ଏହି ଘରୋଇ ବସ୍‌ଟି କଟକର ମହାନଦୀ ପୋଲ ଉପରେ ଯେଉଁ ଦୁର୍ଘଟଣା ଘଟାଇଲା ତାହା ପୁଣିଥରେ ଆମ ସଡ଼କ ସୁରକ୍ଷା ଓ ସଚେତନତା ସ୍ଲୋଗାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆସନ୍ନ ମୃତ୍ୟୁରୁ ଖଣ୍ଡିଆଖାବରା ହୋଇ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ପାଇଁ ନିଶ୍ଚିତ ରୂପେ ଏହା ଏକ ଭୟଙ୍କର ଅନୁଭବ ବଞ୍ଚିଥିବାଯାଏଁ ରହିବ। ବସ୍‌ଟି ଏକ ମଇଁଷିକୁ ଧକ୍କା ଦେଇ ମହାନଦୀ ପୋଲର କଂକ୍ରିଟ୍ ବାଡ଼ଭାଙ୍ଗି ନଦୀଗର୍ଭକୁ ଖସିପଡିବା ଏହାର ତୀବ୍ର ବେଗକୁ ପ୍ରମାଣିତ କରୁଛି। ଯଦି ନଦୀର ବାଲିରେ ନ ପଡ଼ି ପାଣି ଭିତରେ ପଡ଼ିଥାନ୍ତା; ତେବେ ମୃତ୍ୟୁସଂଖ୍ୟା ବହୁଗୁଣିତ ହୋଇଥାନ୍ତା। ଦୁର୍ଘଟଣାଗ୍ରସ୍ତ ପୋଲରେ ବିଜୁଳିବତି ନ ଥିବା ଓ ନଦୀର ଉଭୟପାର୍ଶ୍ବରେ ପାଣି ରହିବା ଉଦ୍ଧାରକାର୍ଯ୍ୟକୁ ବିଳମ୍ବିତ କଲା। ଆଉ କେତେ ଅଘଟଣ ଘଟିଲେ ଆମେ ସତର୍କ ହେବା? ଦୁର୍ଘଟଣାର କାରଣ ଏବେ ଖୋଜୁଛି ଏକ ତିନିଜଣିଆ କମିଟି। ତଦନ୍ତ ରିପୋର୍ଟ ଯାହା ଆସୁନା କାହିଁକି, ଜଳଜଳ ଦିଶୁଛି ଦ୍ରୁତ ଗତି ହିଁ ଆଣିଲା ବିପତ୍ତି । ସାଧାରଣତଃ ସେତୁ, ପାହାଡ଼ିଆ ଅଞ୍ଚଳର ସଂକୀର୍ଣ୍ଣ ଓ ସର୍ପିଳ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଯଥେଷ୍ଟ ସାବଧାନତା ଚାଳକ ଗ୍ରହଣ ଲାଗି ନିର୍ଦେଶନାମା ରହିଛି। ଗାଡ଼ିର ଗତିକୁ କମାଇବା କଥା; ମାତ୍ର ଏହାକୁ ମାନୁଛନ୍ତି କେତେ? ପରିବହନ ବିଭାଗ ବି ଏକ୍ଷେତ୍ରରେ ପଦକ୍ଷେପ ଗ୍ରହଣ ପୂର୍ବକ ଲାଇସେନ୍ସ ବାତିଲ ଦୂରର କଥା; ଏଭଳି ବେପରବାୟ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣଟିଏ ବି କାଟୁଥିବା ନଜିର ନାହିଁ। ଗତକାଲିର ବସ୍‌ ଦୁର୍ଘଟଣା ପୁଣିଥରେ ୫ ନଭେମ୍ବର ୧୯୯୮ କେନ୍ଦ୍ରାପଡ଼ାର ‘କନକ ଦୁର୍ଗା’ ବସ୍‌ ମହାନଦୀ ପୋଲରୁ ଖସି ୪୭ ଜଣ , ୧୭ ଏପ୍ରିଲ ୨୦୧୬ରେ ଦେବଗଡ଼ ଜିଲାର ତଳେଇବଣି ବ୍ଲକ୍‌ ଗାଇଲୋ ଘାଟିରେ ଯାତ୍ରା କଳାକାରଙ୍କୁ ନେଇ ଯାଉଥିବା ‘ଜନ୍ନତ’ ବସ୍‌ ଦୁର୍ଘଟଣା‌େର ୨୭ ଜଣ ଏବଂ ୯ ସେପ୍ଟେମ୍ବର ୨୦୧୬ ଅନୁଗୋଳ ଜିଲା ପୁରୁଣାମାଣତ୍ରୀର ‘ମହାରାଜା’ ବସ୍‌ ଦୁର୍ଘଟଣାରେ ୧୯ ଯାତ୍ରୀଙ୍କ ଅକାଳ ବିୟୋଗ ଘଟଣାକୁ ସ୍ମରଣ କରାଇଛି। ସପ୍ତାହକ ତଳେ ଅରବିନ୍ଦ ବିଦ୍ୟାଳୟର ପାଠ୍ୟଚକ୍ରରେ ଯୋଗଦେବାକୁ ଯାଇ ନଗରଙ୍ଗପୁର ଜିଲା ଝରିଗାଁ ଓ ଚନ୍ଦାହାଣ୍ଡିସ୍ଥିତ ଏକ ଘାଟିରୁ ବସ୍ ଖସି ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଭଳି ହିସାବ ଲେଖିଲେ ସ୍ଥାନାଭାବ ପଡିବ। କେବଳ କିଛି ପ୍ରମୁଖ ଦୁର୍ଘଟଣା ସଂପର୍କରେ ସ୍ମରଣ କରାଇ ସଚେତନତା ସୃଷ୍ଟି କରିବା ଲାଗି ଏଭଳି ଆଲେଖ୍ୟର ପ୍ରୟୋଜନତା ରହିଛି।
ଏସବୁ ସଡ଼କ ଦୁର୍ଘଟଣା ସତ୍ତ୍ବେ ବି ଏହା କମିବା ତୁଳନାରେ ବଢିବାରେ ଲାଗିଛି। ଚାଳକଙ୍କ ବେପରବାୟ ତଥା ଦ୍ରୁତ ଗତିରେ ଗାଡ଼ିଚାଳନା, ମଦପାନ, ଯାତ୍ରୀ ଗୋଟାଇବା ଚକ୍କରରେ ପ୍ରତିଦ୍ବନ୍ଦ୍ବୀ ଯାନର ପିଛା କରିବା ନେଇ ତୀବ୍ର ଦୌଡ଼, ସଡ଼କ ନିର୍ମାଣ ଡିଜାଇନ୍‌ରେ ତ୍ରୁଟି, ବ୍ଲାକ୍ ହୋଲ୍ ତଥା ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ ଭଳି ଏକାଧିକ ତ୍ରୁଟି ଦୁର୍ଘଟଣାର କାରଣ। ଯଦି ଚାଳକ ଟିକିଏ ସତର୍କ ରୁହନ୍ତେ, ତାହେଲେ ୮୦ ପ୍ରତିଶତ ଦୁର୍ଘଟଣାକୁ ଏଡାଯାଇପାରନ୍ତା। ଏମିତି କୌଣସି ଗୋଟିଏ ବି ଦିନ ନାହିଁ ଯେଉଁଦିନ ରାଜ୍ୟରେ ଶୂନ୍ୟ ସଡ଼କ ଦୁର୍ଘଟଣା ଖବର ଆମେ ରିପୋର୍ଟ କରୁଛୁ। ଯଦି ଗାଡ଼ିର ଗତିକୁ ୫ ପ୍ରତିଶତ ହ୍ରାସ କରାଯାଏ, ତେବେ ୨୦ରୁ ୩୦ ପ୍ରତିଶତ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଯାଇପାରେ। ଜାତୀୟ ହାର ତୁଳନାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ସର୍ବାଧିକ। ପ୍ରତି ୧୦୦ ଜଣ ମୃତକଙ୍କ ମଧ୍ୟରୁ ଓଡ଼ିଶାରୁ ୪୬ ଜଣ । ଜାତୀୟ ସ୍ତରରେ ହାରାହାରି ମୃତ୍ୟୁହାର ୨୯ ଥିବାବେଳେ ଓଡ଼ିଶାରେ ଏହା ଦେଢଗୁଣରୁ ଅଧିକ। କେବଳ ଦୁଇଚକିଆ ଯାନ ଦୁର୍ଘଟଣାର ମୃତ୍ୟୁସଂଖ୍ୟା ଓଡ଼ିଶାରେ ୩୫ ପ୍ରତିଶତରୁ ଅଧିକ। ଆଉ ୭୮ ପ୍ରତିଶତ ମୃତକଙ୍କ ବୟସ ୧୫ରୁ ୪୫ ବର୍ଷ। ମୋଟର ସାଇକେଲ ଚଳାଇବା ବେଳେ ମୋବାଇଲର ବ୍ୟବହାର, କାନରେ ଇୟରଫୋନ୍ ଲଗାଇବା, ନିଶାସେବନ କରି ଦ୍ରୁତଗତିରେ ଗାଡି ଚଳାଇବା ଆଦି ଦୁର୍ଘଟଣାର କାରଣ। ୨୦୧୭ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୭୯୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧୧,୦୦୦ ଆହତ ହୋଇଥିଲେ। ସବୁଠୁ ଦୁର୍ଭାଗ୍ୟଜନକ କଥା ହେଉଛି, ଦୁର୍ଘଟଣାରୁ ବର୍ତ୍ତିଗଲେ ବି ପରବର୍ତ୍ତୀ ଅବସ୍ଥାରେ ହାତଗୋଡ଼ ହରାଇବା, ଅଣ୍ଟା ଓ ପିଠିର ହାଡ଼ ଆଦି ଭାଙ୍ଗିବା ଦ୍ବାରା ବ୍ୟକ୍ତିଟି ଜୀବନବ୍ୟାପୀ ପଙ୍ଗୁ ହୋଇଯାଏ। ଯାହାକି ପରିବାର ତଥା ଦେଶ ଲାଗି ଆଶାବାଡ଼ି ବଦଳରେ ନିଜେ ଆଶାର ପାତ୍ର ପାଲଟିଯାଏ ପୀଡିତ। ଏହା ସେମାନଙ୍କ ମାନସିକତାକୁ ମଧ୍ୟ ଦୁର୍ବଳ କରିଦିଏ। ଗତବର୍ଷ ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧.୫ ଲକ୍ଷ ଥିଲା। ବିଶ୍ବବ୍ୟାପୀ ଏହି ସଂଖ୍ୟା ୧୦ ଲକ୍ଷରୁ ଅଧିକ। ଏଭଳି ଦୁର୍ଘଟଣା କେବଳ ଶାରୀରିକ ତଥା ମାନସିକ ବିକଳାଙ୍ଗ କରେନି; ବରଂ ମୋଟ ଘରୋଇ ଉତ୍ପାଦନ (ଜିଡିପି)କୁ ୩ ପ୍ରତିଶତ କ୍ଷତି ପହଞ୍ଚାଏ ତଥା ହ୍ରାସ କରାଏ। ଏତେବଡ଼ ମାନବ ସମ୍ବଳ ଓ ଅର୍ଥନୈତିକ କ୍ଷତିକୁ ଦୃଷ୍ଟିରେ ରଖି ଅତୀତରେ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାବ୍ୟକ୍ତ କରି ଏହାକୁ ୧୦ ପ୍ରତିଶତ ହାରରେ କମାଇବାକୁ ରାଜ୍ୟ ମାନଙ୍କୁ ନିର୍ଦେଶ ଦେଇଥିଲେ। ସରକାର ମଧ୍ୟ ବହୁବିଧ ପଦକ୍ଷେପ ଗ୍ରହଣ କରିଥିବା ପ୍ରଚାର କଲେ। ‘ନୋ-ହେଲ୍‌ମେଟ୍‌- ନୋ ଫୁଏଲ’ ଠାରୁ ବେଗ ନିୟନ୍ତ୍ରଣ ଲାଗି ବିଭିନ୍ନ ଛକ ତଥା ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କ୍ୟାମେରା ଖଞ୍ଜିବା, ସ୍ପ୍ରିଡ୍ ବ୍ରେକର ଲଗାଇବା ଭଳି ଯୋଜନା ସଫଳ କାର୍ଯ୍ୟାନ୍ବୟନ ହୋଇଥିଲେ ଦୁର୍ଘଟଣା କମିଥାନ୍ତା। ଦୁର୍ଭାଗ୍ୟଜନକ ଏହିଯେ, ୧୦ ପ୍ରତିଶତ ଦୁର୍ଘଟଣା କମିବା ସ୍ଥାନରେ ଏହା ୭.୩୩ ପ୍ରତିଶତ ୨୦୧୬ ତୁଳନାରେ ୨୦୧୭ରେ ବଢିଥିବା ତଥ୍ୟ ଆସିଛି।
ଏଥିରୁ ବୁଝିହେଉଛି ଗୋଟିଏ ପଟେ ସରକାରଙ୍କ ଉଦ୍ୟମ ଓ ପଦକ୍ଷେପ ଏବଂ ଅପରପକ୍ଷେ ଜନତାଙ୍କ ସଚେତନତା ତଥା ନୀତିପାଳନ ଭିତରେ ଏକ ବଡ଼ ଫାଙ୍କ ରହିଛି। ଅଳ୍ପ କିଛି ମାସ ତଳେ ଆମେ ପାଳିଛେ – ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସ୍ଲୋଗାନ ଦେଇ ସଡ଼କ ସୁରକ୍ଷା ସପ୍ତାହ। ଅଥଚ ଦୁର୍ଘଟଣା କମିବା ବଦଳେ ବଢୁଛି। ଖାଲି ଗାଡ଼ି ପଛରେ ‘ଦ୍ରୁତ ଗତି, ମହାବିପତ୍ତି ’ ଲେଖିଦେଲେ ଚଳିବନି। ଏହାକୁ ପାଳନ କରିବାକୁ ହେବ। ଜଣେ ଚାଳକର ସାମାନ୍ୟ ଅସାବଧାନତା କେତେ ଲୋକଙ୍କ ଜୀବନ ନେଇପାରେ, ପରିବାରଜନଙ୍କୁ ହତାଶ ଭିତରକୁ ଠେଲିଦିଏ ଗତକାଲିର ଦୁର୍ଘଟଣା ତା’ର ଏକ ଉଦାହରଣ। ସରକାରଙ୍କ ପଦକ୍ଷେପ କଥା ଛାଡ଼; ଯଦି ଏଥିପ୍ରତି ଜନତାଙ୍କ ଭିତରେ ସଚେତନତା ଓ ଜାଗରୁକତା ବଢନ୍ତା; ତାହେଲେ ଏହା କମିପାରନ୍ତା। ଦୁର୍ଲଭ ଜୀବନକୁ ଏମିତି ରାଜରାସ୍ତାରେ ହରାଇବାର ମାନେ କିଛି ନଥାଏ ! ଆଜି ବି ଅଧିକାଂଶ ଯୁବକ ପୁଲିସ ଜୋରିମାନାରୁ ବର୍ତ୍ତିବା ଲାଗି ଗାଡ଼ି ହ୍ୟାଣ୍ଡଲ କିମ୍ବା ବାସ୍କେଟ୍‌ ପଛରେ ହେଲମେଟ୍‌କୁ ଝୁଲାଇବା ଅଭ୍ୟାସରୁ ମୁକ୍ତ ନୁହଁନ୍ତି। ଏଭଳି ମାନସିକତା ରହିଲେ ଜୀବନ ସୁରକ୍ଷିତ ରହିବ ତ? ଖାଲି ସରକାର ଓ ପ୍ରଶାସନକୁ ଦାୟୀ କଲେ ଠିକ୍ ହେବନି; ବରଂ ସମସ୍ତଙ୍କୁ ନିଜ ନିଜ ଜୀବନ ପ୍ରତି ପ୍ରଯତ୍ନଶୀଳ ହେବାକୁ ପଡିବ। ବେପରବାୟ ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ତାହେଲେ ଯାଇ ସ୍ଥିତିରେ ପରିବର୍ତ୍ତନ ଆସିବା ଆଶା!

kalyan agarbati
Leave A Reply