ଜୁଆଙ୍ଗ ଶିଶୁଙ୍କ ପାଖରେ ପହଞ୍ଚିଲା ଶିଶୁ ମଙ୍ଗଳ ସମିତି

କେନ୍ଦୁଝରଗଡ଼: ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତାମାନେ ହରିଚନ୍ଦନପୁର ବ୍ଲକ କୁଆଝରଣ ଗ୍ରାମ ପରିଦର୍ଶନରେ ଯାଇ ଜୁଆଙ୍ଗ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ଭେଟି ଆଲୋଚନା କରିଛନ୍ତି। ୬୦ ପରିବାରର ୨୭୬ଲୋକ ବସବାସ କରୁଥିବା ଏହି ଗ୍ରାମଟି ସମ୍ପୂର୍ଣ୍ଣ ଜୁଆଙ୍ଗ ଅଧ୍ୟୁଷିତ ହୋଇଥିବା ବେଳେ ସେଠାରେ ଅବସ୍ଥାନ କରୁଥିବା ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଅଧାରୁ ପାଠ ପଢ଼ା ଛାଡିବା ଏବଂ ପିତୃହୀନ ୩ଟି ଶିଶୁ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପିତ ହୋଇଥିଲେ। ଏହି ସମିତିର କର୍ମକର୍ତ୍ତା ଅଙ୍ଗନବାଡି କେନ୍ଦ୍ର ଓ କ୍ରେଚ୍‍ କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କର ପୁଷ୍ଟି ଓ ସ୍ୱାସ୍ଥ୍ୟ ବିକାଶ ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଅଙ୍ଗନବାଡିକେନ୍ଦ୍ରରେ ୨୦ଜଣ ଓ କ୍ରେଚ୍‍ କେନ୍ଦ୍ରରେ ୧୨ଜଣ ଶିଶୁ ଓ ସେମାନଙ୍କ ମା’ ସହିତ ଯତ୍ନ ଏବଂ ସୁରକ୍ଷା ସମ୍ପର୍କରେ ବିଶେଷ ଧ୍ୟାନ ଦେବାକୁ ସମିତି ସଦସ୍ୟ କୃଷ୍ଣଚନ୍ଦ୍ର ବାରିକ, ସଦସ୍ୟା ରାଜଶ୍ରୀ ଉପାଧ୍ୟାୟ ଓ ସୋନାଲି ଦାସ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ ଅଙ୍ଗନବାଡିକର୍ମୀ ଚଞ୍ଚଳା ଜୁଆଙ୍ଗ, ଆଶାକର୍ମୀ ଦମୟନ୍ତୀ ଜୁଆଙ୍ଗ ଓ ସ୍ୱେଛାସେବୀ ଶ୍ରୀମତୀ ଜୁଆଙ୍ଗ ଉପସ୍ଥିତ ଥିଲେ। ଶିଶୁ ମଙ୍ଗଳ ସମିତି ଏଭଳି ଏକ ଅପହଞ୍ଚ ଗାଁରେ ପହଞ୍ଚି ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ପ୍ରତି ଗୁରୁତ୍ୱ ପ୍ରଦାନ କରିଥିବାରୁ ସାଧାରଣରେ ଏହାର ପ୍ରଶାଂସା କରାଯାଇଛି।

Comments are closed.