ଚୀନକୁ ଧକ୍କା : ବିଆରଆଇ ପ୍ରକଳ୍ପରୁ ଓହରିବ ଇଟାଲୀ

ବେଜିଂ : କରୋନା ମହାମାରୀ ପରେ ଦେଶର ଅର୍ଥନୀତିକୁ ସୁଧାରିବା ନିମନ୍ତେ ଚୀନ ଚଳାଇଥିବା ଉଦ୍ୟମକୁ ବଡ ଧକ୍କା ଲାଗିିବାକୁ ଯାଉଛି। ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଜି-୭ ଶିଳ୍ପ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି। ତିନିଦିନିଆ ବେଜିଂ ଗସ୍ତ ପୂର୍ବରୁ ଇଟାଲୀ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି କହିଛନ୍ତି ଯେ ଚୀନ ସହିତ ହୋଇଥିବା ବିଆରଆଇ ବୁଝାମଣା ଆବଶ୍ୟକ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି। ୨୦୨୪ ମାର୍ଚ୍ଚରେ ବିଆରଆଇ ବୁଝାମଣା ସ୍ବୟଂକ୍ରିୟ ଭାବେ ନବୀକରଣ ହେବାକୁ ଥିବାବେଳେ ଇଟାଲୀ ଏପରି କହିଛି। ଏଥିରୁ ବୁଝାପଡୁଛି ଯେ ବର୍ଷ ଶେଷ ଆଡକୁ ଇଟାଲୀ ଏହି ବୁଝାମଣାରୁ ଓହରିଯିବ। ତାଜାନି କହିଛନ୍ତି ଯେ ଆମେ ଚୀନ ସହିତ କାମ କରିବାକୁ ଚାହୁଁଥିଲୁ। ମାତ୍ର ବିଆରଆଇ ଆମର ଆବଶ୍ୟକ ସ୍ବାର୍ଥ ସାଧନ କରିବାରେ ବିଫଳ ହୋଇଛି। ୨୦୨୨ରେ ଇଟାଲୀ ବିଆରଆଇ ମାଧ୍ୟମରେ ଚୀନକୁ ୧୬୫୦ କୋଟି ୟୁରୋର ସାମଗ୍ରୀ ରପ୍ତାନି କରିଛି। ଅନ୍ୟପଟେ ଫ୍ରାନ୍ସ ଓ ଜର୍ମାନୀକୁ ଏହି ବର୍ଷକ ମଧ୍ୟରେ ଯଥାକ୍ରମେ ୨୩୦୦ କୋଟି ଓ ୧୦୭୦୦ କୋଟି ୟୁରୋର ସାମଗ୍ରୀ ରପ୍ତାନି କରିଛି।
ଇଟାଲୀ ଯଦି ବିଆରଆଇ ପ୍ରକଳ୍ପରୁ ଓହରିଯାଏ ତେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବଡ ଧକ୍କା ଲାଗିବ। କାରଣ ବିଆରଆଇ ପ୍ରକଳ୍ପ ମାଧ୍ୟମରେ ଚୀନ ୟୁରୋପୀୟ ରାଷ୍ଟ୍ରଗୁଡିକ ସହିତ ବାଣିଜ୍ୟ କାରବାର ସୁବିଧା ସୃଷ୍ଟି କରିବାକୁ ଯାଉଥିଲେ। ବିଆରଆଇ ପ୍ରକଳ୍ପ ମାଧ୍ୟମରେ ଚୀନ ଏସିଆ, ଆଫ୍ରିକା ଓ ୟୁରୋପ ମହାଦେଶରେ ସଡକ ପଥ ସହିତ ରେଳରାସ୍ତା, ବନ୍ଦର ଓ ବିମାନବନ୍ଦରର ଭଳି ଭିତ୍ତିଭୂମିର ବିକାଶ କରିବାରେ ଲାଗିଛି। ଚୀନର ଏପରି ପ୍ରକଳ୍ପକୁ ଭାରତ ବିରୋଧ କରିଆସୁଛି। ଗତ ଏସସିଓ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ଏହି ପ୍ରକଳ୍ପକୁ ସମାଲୋଚନା କରିଥିଲେ। ଚୀନ ଏହାର ବିଆରଆଇ ପ୍ରକଳ୍ପ ମାଧ୍ୟମରେ ଭାରତର ସାର୍ବଭୌମତ୍ବ ଉପରେ ହସ୍ତକ୍ଷେପ କରୁଛି ବୋଲି ମୋଦୀ କହିଥିଲେ। କାରଣ ଚୀନ ବିଆରଆଇ ପ୍ରକଳ୍ପ ଅଧୀନରେ ପାକିସ୍ତାନ ଅଧିକୃତ କାଶ୍ମୀରରେ (ପିଓକେ)ରେ ରାସ୍ତା ତିଆରି କରିଛି। ପିଓକେକୁ ଭାରତ ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଚୀନ ଏଠାରେ ଭାରତର ଅନୁମତି ବିନା ରାସ୍ତା ତିଆରି କରିଛି। ମାତ୍ର ପାକିସ୍ତାନ ସହଯୋଗୀ ରାଷ୍ଟ୍ର ଭାବେ ଚୀନକୁ ପିଓକେରେ ରାସ୍ତା ନିର୍ମାଣ ଅନୁମତି ଦେଇଛି।

Comments are closed.