ବିଜେପି, କଂଗ୍ରେସର ମାଗଣା ଉପହାର ଲଢ଼େଇ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରଚାର ଜୋରଦାର ଚଳାଇଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଉଭୟ ଦଳ ବିଭିନ୍ନ ପ୍ରକାର ମାଗଣା ଉପହାର ଯୋଜନା ଘୋଷଣା କରିଚାଲିଛନ୍ତି। ଏପରିକି ମାଗଣା ଉପହାର ଯୋଜନା ଘୋଷଣା ପୂର୍ବକ କ୍ଷମତାରେ ରହିବା ଲାଗି ଉଭୟ ଦଳଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ‘ଲାଡଲି ବେହନା ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ପ୍ରତ୍ୟେକ ପରିବାରକୁ ୪୫୦ଟଙ୍କାରେ ଏଲପିଜି ଗ୍ୟାସ ସହିତ ବିଦ୍ୟୁତ୍ ବିଲ୍ରେ ରିଆତି ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅନ୍ୟପଟେ ରାଜ୍ୟ କଂଗ୍ରେସ ସଭାପତି କମଲ ନାଥଙ୍କ ଘୋଷଣା ଅନୁଯାୟୀ ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ସହିତ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ। ଲାଡଲି ବେହନ ଯୋଜନାରେ ରାଜ୍ୟର ୧.୨୫ କୋଟି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଯୋଗାଇ ଦିଆଯାଉଥିବାବେଳେ ସରକାର ଏହାକୁ ୧୨୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏପରିକି ଏହି ଅର୍ଥରାଶି ଆଗାମୀ ଦିନରେ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ଓ ବିଜେପିର ଏତେସବୁ ମାଗଣା ପ୍ରତିଶ୍ରୁତିକୁ କିପରି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପଟେ ମଧ୍ୟପ୍ରଦେଶ ଉପରେ ୩.୫ଲକ୍ଷ କୋଟି ଟଙ୍କାର ଋଣ ଭାର ରହିଛି। ଏହି ଋଣ ମଧ୍ୟରେ ସରକାର କିପରି ମାଗଣା ଯୋଜନା କାର୍ଯ୍ୟକାରୀ କରିବେ ତାହା ଚିନ୍ତାର ବିଷୟ। କେବଳ ମଧ୍ୟପ୍ରଦେଶ ନୁହେଁ ରାଜସ୍ଥାନ, ଛତିଶଗଡ ଓ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଠାରେ ମଧ୍ୟ ମାଗଣା ଯୋଜନା ଘୋଷଣାର ପ୍ରତିଯୋଗିତା ଚାଲିଛି।
ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ମାଗଣା ଯୋଜନାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚିନ୍ତା ବ୍ୟକ୍ତ କରିଛନ୍ତି। ଏପରି ମାଗଣା ବ୍ୟବସ୍ଥା ଦେଶର ଅର୍ଥନୀତିକୁ ରସାତଳଗାମୀ କରିଦେଉଥିବା ନେଇ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ସେହିପରି ଏହାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଦାୟର ହୋଇଥିଲା। ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ରାଜନୈତିକ ଦଳଗୁଡିକୁ ମାଗଣା ପ୍ରତିଶ୍ରୁତି ଘୋଷଣାରୁ ବିରତ ରହିବା ଲାଗି ସେ ନିର୍ଦେଶ ଦେଇପାରିବେ ନାହିଁ। ତେବେ ମାଗଣା ଘୋଷଣା ଦ୍ବାରା ଭୋଟରମାନେ ବେଶ ପ୍ରଭାବିତ ହୋଇ ଭୋଟ ଦେଉଥିବାରୁ ରାଜନୈତିକ ଦଳଗୁଡିକ ଏପରି ଘୋଷଣା କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଅନ୍ୟଥା ସେମାନଙ୍କୁ କ୍ଷମତାରୁ ଦୂରେଇ ରହିବାକୁ ପଡୁଛି।
Comments are closed.