ନୂଆଦିଲ୍ଲୀରେ ଜି-୨୦ ସମନ୍ୱୟ କମିଟି ବୈଠକ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ବୁଧବାର ନୂଆଦିଲ୍ଲୀଠାରେ ଜି-୨୦ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜି-୨୦ ନୂଆଦିଲ୍ଲୀରେ ବିଶ୍ବନେତୃବୃନ୍ଦଙ୍କ ସମ୍ମିଳନୀ ପୃଷ୍ଠଭୂମିରେ ବିଶେଷକରି ପରିବହନ, ପ୍ରୋଟକଲ, ନିରାପତ୍ତା ଏବଂ ଗଣମାଧ୍ୟମ ସମ୍ପର୍କିତ ଯୋଗଯୋଗ ସ୍ଥିତି ଉପରେ ସେ ସମୀକ୍ଷା କରିଛନ୍ତି। ଏହା ଥିଲା ସମନ୍ୱୟ କମିଟିର ନବମ ବୈଠକ। ଏଥିରେ ଜି-୨୦ ସଚିବାଳୟ, ବୈଦେଶିକ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସଂସ୍କୃତି, ସୂଚନା ଓ ପ୍ରସାରଣ ଏବଂ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସମ୍ମିଳନୀକୁ ତ୍ରୁଟିଶୂନ୍ୟ କରିବା ଲାଗି ଏହା ସହ ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ଏବଂ ବିଭିନ୍ନ ସଂଗଠନର ମୁଖ୍ୟମାନେ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବା ନେଇ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ସକାଶେ ବିଭିନ୍ନ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବା ଲାଗି ଭାରତ ମଣ୍ଡପମ୍‌‌ଠାରେ ଏକ ମଲ୍ଟି–ଏଜେନ୍ସି କଣ୍ଟ୍ରୋଲ ରୁମ୍‌‌ ସ୍ଥାପନ କରାଯିବ। ସେହି ମଣ୍ଡପମ୍‌‌ଠାରେ ସଂସ୍କୃତି ଓ ଗଣତନ୍ତ୍ରର ଜନନୀ ସଂକ୍ରାନ୍ତ ପ୍ରଦର୍ଶନୀ ଆୟୋଜିତ ହେବ। କାର୍ଯ୍ୟକ୍ରମ ସ୍ଥଳରେ ଅତିଥିମାନଙ୍କ ସମ୍ମାନାର୍ଥେ ସ୍ଥାପନ କରାଯାଉଥିବା ନଟରାଜ ମୂର୍ତ୍ତିର ସ୍ଥିତି ନେଇ ଡକ୍ଟର ମିଶ୍ର ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜି-୨୦ ପାଇଁ ଏକ ମୋବାଇଲ ଆପ୍‌‌ ‘ଜି-୨୦ଇଣ୍ଡିଆ’କୁ ପ୍ରଥମଥର ପାଇଁ ବିକଶିତ କରାଯାଇଛି। ଏହା ବର୍ତ୍ତମାନ ଉଭୟ ଆଣ୍ଡ୍ରଏଡ୍‌‌ ଓ ଆଇଓଏସ୍‌‌ ମୋବାଇଲ୍‌‌ ମାଧ୍ୟମରେ ଡାଉନ୍‌‌ଲୋଡ୍‌‌ କରାଯାଇପାରିବ। ନିରାପତ୍ତା ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଡକ୍ଟର ମିଶ୍ରଙ୍କୁ ଅବଗତ କରାଇଛନ୍ତି । ଏହି ଅବସରରେ ଗଣମାଧ୍ୟମ ସୁପରିଚାଳନା ନେଇ ସମୀକ୍ଷା କରାଯାଇଛି।
ସୂଚନାଯୋଗ୍ୟ ଯେ, ଅଦ୍ୟାବଧି ବିଦେଶୀ ଗଣମାଧ୍ୟମ ସହ ୩ ହଜାର ୬୦୦ ଆବେଦନ ଆସିଥିବାବେଳେ ଏ ସଂକ୍ରାନ୍ତରେ ସ୍ୱୀକୃତିପତ୍ର ସେମାନଙ୍କ ନିକଟକୁ ପଠାଯାଉଛି।

Comments are closed.