ମାଗଣା ସଂସ୍କୃତି ଅର୍ଥନୀତି ପ୍ରତି ବିପଦ
ସୂର୍ଯ୍ୟନାରାୟଣ କର
ବୋଧହୁଏ ୧୯୫୫ ମସିହା ସେପ୍ଟେମ୍ବର ମାସ, ଓଡ଼ିଶାରେ ବିଶେଷ ଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବନ୍ୟା ବିତ୍ପାତ ମାଡ଼ି ଆସିଲା। ଅବିଭକ୍ତ ବାଲେଶ୍ୱର ଜିଲାଠାରୁ ଆରମ୍ଭ କରି ପୁରୀ ଜିଲାର ଅନେକ ଅଞ୍ଚଳ ବନ୍ୟା ପ୍ଲାବିତ ହେଲା। ହଜାର ହଜାର ଲୋକ ଗୃହଶୂନ୍ୟ ହୋଇପଡ଼ିଲେ। ଅନେକ ଗୋରୁ ଗାଈ ପଶୁ ଇତ୍ୟାଦି ବନ୍ୟାରେ ଭାସି ଯାଇଥିଲେ। ସେଇ ସମୟରେ କଟକ ଜିଲାର କନ୍ଦରପୁର ନିକଟସ୍ଥ ଦଳେଇଘାଇ ଭାଙ୍ଗିଯାଇ ବନ୍ୟାର ତାଣ୍ଡବ ଲୀଳାକୁ ଆହୁରି ଦ୍ୱିଗୁଣିତ କରିଦେଲା। ତତ୍କାଳୀନ ଓଡ଼ିଶା ସରକାର ଆପ୍ରାଣ ଉଦ୍ୟମ କରି ଜନସାଧାରଣଙ୍କୁ ବଞ୍ଚାଇବା ପାଇଁ ବିପୁଳ ଉଦ୍ୟମ କରିଥିଲେ। ଉଡ଼ାଜାହାଜରୁ ଶୁଖିଲା ଖାଦ୍ୟ ବିସ୍କୁଟ, ମହମବତି, ଦିଆସିଲି ଏବଂ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଇତ୍ୟାଦି ଆକଶ ମାର୍ଗରୁ ବିପନ୍ନଙ୍କ ପାଇଁ ପକାଯାଇଥିଲା। ସେତେବେଳେ ଗାଁ ଗହଳିକୁ ଆଜିକାଲିକା ପରି ରାସ୍ତାଘାଟର ସୁବିଧା ନଥିଲା। ସରକାର ପ୍ରତ୍ୟେକ ବିପନ୍ନ ଅଞ୍ଚଳକୁ ଯଥାସାଧ୍ୟ ରିଲିଫ୍ ଚାଉଳ, ଲୁଗାପଟା, ଶୁଖିଲା ଖାଦ୍ୟ, ଔଷଧ ଇତ୍ୟାଦି ବଣ୍ଟନ କରିବାର ଚେଷ୍ଟା କରିଥିଲେ। ବନ୍ୟା ବିତ୍ପାତ ମୁଁ କେବେହେଲେ ଆଗରୁ ଦେଖି ନଥିଲି।
ଆମ ଅଞ୍ଚଳକୁ ଏହି ସମୟରେ ସରକାରଙ୍କ ତରଫରୁ ରିଲିଫ୍ ଚାଉଳ ଓ ଅନ୍ୟାନ୍ୟ ଜିନିଷପତ୍ର ଆସିଥାଏ। ସେତେବେଳେ ଲୋକଙ୍କ ଆର୍ଥିକ ଅବସ୍ଥା ଆଦୌ ଭଲ ନଥିଲା। ସେତେବେଳକୁ ଭାରତ ସ୍ୱାଧୀନତା ଲାଭ କରିବାର ମାତ୍ର ଆଠବର୍ଷ ପୂର୍ଣ୍ଣ ହୋଇଥାଏ। ଯେଉଁମାନେ ଗ୍ରାମରେ ଏକାନ୍ତ ଅସହାୟ, ନିରାଶ୍ରୟ, ଭିନ୍ନକ୍ଷମ, ବର୍ଷାଧିକ ଦରିଦ୍ର, ବୟସ୍କ, ସେମାନେ ହିଁ ରିଲିଫ୍ ସାମଗ୍ରୀ ରଖିଲେ। ମାତ୍ର ଅନ୍ୟମାନେ ରିଲିଫ୍ ଚାଉଳ ରଖିବାକୁ ସିଧା ମନା କରିଦେଲେ। ସେମାନଙ୍କର ମତ ଥିଲା-ରିଲିଫ୍ ଚାଉଳ କେବଳ ଏକାନ୍ତ ଦୁଃସ୍ଥ ଦରିଦ୍ର ଓ ନିରାଶ୍ରୟ ଲୋକମାନଙ୍କ ପାଇଁ ଆସିଛି। ରିଲିଫ୍ ଚାଉଳ ମାଗଣା ଦିଆଯାଏ ଏବଂ ଅନ୍ୟ ଅର୍ଥରେ କହିଲେ ମାଗିକରି ନେବା ସହିତ ସମାନ। ମାନସିକ ସ୍ତରରେ ଆମେ ରିଲିଫ୍ ଚାଉଳ ଗ୍ରହଣ କରି ନିଜକୁ ହୀନମନ୍ୟ କରିବାକୁ ଇଚ୍ଛା କରୁନା। ବନ୍ୟା ଆଗରୁ ଆମେ ଯେପରି ଜୀବନ କଟାଉଥିଲୁ, ବର୍ତ୍ତମାନ ସେହିପରି ରହିବୁ। ସେତେବେଳର ଗାଁ ଗଣ୍ଡାର ଲୋକମାନେ ରିଲିଫ୍ ଚାଉଳ ଗ୍ରହଣ ନ କରି ଫେରାଇ ଦେଇଥିଲେ।
କିନ୍ତୁ ବର୍ତ୍ତମାନ କ’ଣ ଚାଲିଛି? ଏବେ ରାଜ୍ୟ ସରକାର ଲୋକମାନଙ୍କୁ ବିଶେଷ ଭାବରେ ଦରିଦ୍ର, ଅବହେଳିତ, ନିରାଶ୍ରୟ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଟଙ୍କିକିଆ ଚାଉଳ, ଗହମ, କିରାସିନି ଇତ୍ୟାଦି ଯୋଗାଉଛନ୍ତି। ଏହା ବ୍ୟତୀତ ସ୍କୁଲ ପିଲାମାନଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ, ବହିପତ୍ର, ଖାତା, ସାଇକଲ, ଜୋତା, ଛତା, ଇତ୍ୟାଦି ଯୋଗାଇ ଦେଉଛନ୍ତି। ଏହା ଏକ ବ୍ୟବସ୍ଥା। ବିଂଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ ଭାରତ ତଥା ଓଡ଼ିଶାରେ ମାଗଣା ବାଣ୍ଟିବା ସଂସ୍କୃତିର ଅୟମାରମ୍ଭ ହୋଇ ନଥିଲା ଏବେ ଏକବିଂଶ ଶତାବ୍ଦୀର ପ୍ରଥମ ପାହାଚରୁ ମାଗଣା ବାଣ୍ଟିବା ସଂସ୍କୃତିର ପ୍ରଚଳନ ଆରମ୍ଭ ହେଲା। ସରକାର ଯେଉଁ ନିରାଶ୍ରୟ ଅସହାୟ ବ୍ୟକ୍ତିମାନଙ୍କ ପାଇଁ ମାଗଣା ବ୍ୟବସ୍ଥା କରିଥିଲେ ପରବର୍ତ୍ତୀ ସମୟରେ ସେ ସୁବିଧା ପ୍ରାୟତଃ ରାଜ୍ୟର ତିନି ଚତୁର୍ଥାଂଶ ଲୋକମାନଙ୍କୁ ଦିଆଗଲା। ଅଳ୍ପଦିନ ତଳେ ଏହି ଲେଖକ ଗୋଟିଏ ଗାଁକୁ ଯାଇଥିଲେ। ଗାଁରେ ଚାଳ କିମ୍ବା ଆଜବେଷ୍ଟସ୍ ଘର ନାହିଁ। ଲୋକେ ଏକ ମହଲା ଠାରୁ ଆରମ୍ଭ କରି ଦୁଇ ମହଲା କୋଠାଘର କରି ରହୁଛନ୍ତି। ଗାଁର ଅନେକ ଲୋକ ସରାକାରୀ ଅଥବା ବେସରକାରୀ ସଂସ୍ଥାରେ ଚାକିରି କରୁଛନ୍ତି ବୋଲି ଜାଣିବାକୁ ପାଇଲି। ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କୁ ବାଦ୍ ଦେେଲ, ସେମାନଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କର ବି.ପି.ଏଲ୍. କାର୍ଡ଼ ରହିଛି। ଏମାନେ ପ୍ରତି ମାସରେ ଡିଲରମାନଙ୍କୁ କାର୍ଡ଼ ଦେଖାଇ ସେଇ ଚାଉଳକୁ ଡିଲରକୁ କେଜିପିଚ୍ଛା ୧୭/୧୮ ଟଙ୍କାରେ ବିକ୍ରି କରି ଦିଅନ୍ତି। ଆଉ ଜଣେ ଭଦ୍ର ଲୋକଙ୍କ ସହିତ ଦେଖାହେଲା, ତାଙ୍କର କୋଠାଘର। ସେ କ୍ଷୀର ବ୍ୟବସାୟ କରନ୍ତି। ଘରେ ୫/୬ଟି ଜର୍ସି ଗାଈ। ଦୈନିକ ହାରାହାରି ୪୦ ଲିଟର କ୍ଷୀର ବିକ୍ରି କରନ୍ତି ଯାହାର ଦାମ୍ ଦୁଇହଜାର ଟଙ୍କା ହେବ। ମାସିକ ରୋଜଗାର ୬୦ ହଜାର ଟଙ୍କା। ସେ ବି.ପି.ଏଲ୍. କାର୍ଡ଼ ପାଇଛନ୍ତି। ସେ ଘରକୁ ଚାଉଳ ଆଣନ୍ତି ନାହିଁ ବରଂ ଯେଉଁ ଚାଉଳ ମିଳିବା କଥା ସେ ତାକୁ ଡିଲରକୁ ବିକ୍ରି କରି ତାଠାରୁ ଟଙ୍କା ଆଣନ୍ତି ବୋଲି କହିଲେ।
ଶୁଣିବାକୁ ମିଳେ ଯେ ରାଜ୍ୟ ଜନସଂଖ୍ୟାର ତିନିକୋଟି ଅଶୀ ଲକ୍ଷ ଲୋକଙ୍କୁ ବି.ପି.ଏଲ୍. କାର୍ଡ଼ ଦିଆହୋଇଛି। ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗର ପରିସଂଖ୍ୟାନ ତତ୍ତ୍ୱରୁ ଯାହା ଜଣାଯାଏ, ରାଜ୍ୟରେ ୨୦୦୫ ମସିହାରେ ଦାରିଦ୍ର୍ୟର ସୀମାରେଖା ଶତକଡ଼ା ୫୭ ଭାଗ ଥିଲାବେଳେ ୨୦୨୦ ମସିହା ବେଳକୁ ଏହା ଶତକଡ଼ା ୧୫କୁ ଖସିଆସିଛି। ଏଥିରୁ ସ୍ପଷ୍ଟ ସୂଚନା ମିଳେ ଯେ ରାଜ୍ୟର ଦାରିତ୍ର୍ୟ ସୀମା ତଳେ ଥିବା ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ଖୁବ୍ ଉନ୍ନତ ଅବସ୍ଥାରେ ଅଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାରଙ୍କର ଆହୁରି ଅନେକ ଯୋଜନା ଅଛି, ଯାହା ମାଧ୍ୟମରେ ଲୋକେ ଅନେକ ଜିନିଷପତ୍ର ମାଗଣା ପାଉଛନ୍ତି। ଅନେକ ବ୍ୟକ୍ତି ମୋଟର ସାଇକଲ୍ ବା ସ୍କୁଟରରେ ଯାଇ ଟଙ୍କାକିଆ ଚାଉଳ ଆଣୁଛନ୍ତି ଏବଂ ସମ୍ପୃକ୍ତ ଡିଲରକୁ ସେହି ଚାଉଳ ପୁନରାୟ ବିକ୍ରି କରି ଦେଉଛନ୍ତି।
ମାସିକ ୬୦ ହଜାର ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଜଣଙ୍କୁ ଯଦି ବି.ପି.ଏଲ୍. କାର୍ଡ଼ ଦିଆଗଲା, ଯେଉଁ ସମ୍ପୃକ୍ତ ଅଧିକାରୀଙ୍କ ନିେର୍ଦଶରେ ସେ ବ୍ୟକ୍ତି କାର୍ଡ଼ ପାଇଲେ, ତାହା ତଦନ୍ତର ବିଷୟ। ରାଜ୍ୟରେ ନିର୍ଦ୍ଦିଷ୍ଟ ଭାବରେ ଅତି ଦରିଦ୍ର, ନିଃସ୍ୱ, ଅସହାୟ, ନିରାଶ୍ରୟ, ଆଜନ୍ମ ଅନ୍ଧ, ଭିନ୍ନକ୍ଷମ ଏବଂ ଅନେକ ଦରିଦ୍ର ବେରୋଜଗାରୀ ବ୍ୟକ୍ତିମାନଙ୍କୁ ବି.ପି.ଏଲ୍. କାର୍ଡ଼ ଦେବା ଏକାନ୍ତ ଜରୁରୀ ଏବଂ ଆବଶ୍ୟକ। ମାତ୍ର ଯାହାଙ୍କର ୫/୬ ଏକରରୁ ଊର୍ଦ୍ଧ୍ବ ଜମିବାଡ଼ି ଅଛି ଯାହାଙ୍କର ରୋଜଗାର ମାସିକ ୧୫ ରୁ ୨୦ ହଜାର ଟଙ୍କାରୁ ଅଧିକ, ସେମାନେ କେଉଁ ନିୟମକୁ ଆଧାର କରି ବି.ପି.ଏଲ୍. କାର୍ଡ଼ ପାଇଲେ ତାହା ବିଚାରଯୋଗ୍ୟ। ରାଜ୍ୟର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଛି, କରୋନା ମହାମାରୀ ଜନସାଧାରଣଙ୍କୁ କର୍ମଚ୍ୟୁତ କରିବା ସହିତ ବେରୋଜଗାର କରାଇଛି। ପୁନଃଶ୍ଚ ବର୍ଷକୁ ୩୦/୪୦ କୁଇଣ୍ଟାଲ୍ ଧାନ ବିକ୍ରି କରୁଥିବା କୌଣସି ଚାଷୀ ବିପିଏଲ୍ କାର୍ଡ଼ ନେଇ ଟଙ୍କିକିଆ ଚାଉଳ କିଣୁଛି, କି ଆଶ୍ଚର୍ଯ୍ୟ ସତେ?
ଏହିପରି ବିନା ମୂଲ୍ୟରେ ଜିନିଷ ପାଇବା ଦ୍ୱାରା ରାଜ୍ୟବାସୀଙ୍କର କି ଉପକାର ହେଉଛି? ଲୋକମାନେ ମାଗଣା ଖାଦ୍ୟଶସ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପାଇଲା ପରେ ଆଉ କୌଣସି କାର୍ଯ୍ୟ କରିବାକୁ ଯାଉନାହାନ୍ତି। ୪/୫ ଏକର ଜମି ଏବଂ ଜଳସେଚନର ସୁବିଧା ଥାଇ ବି ଜମି ପଡ଼ିଆ ପଡ଼ୁଛି। ଗାଁ ଗଣ୍ଡାରେ ଏବେ ମୂଲିଆଟିଏ ମଧ୍ୟ ମିଳୁ ନାହାନ୍ତି। ଯାହାଫଳରେ ହଜାର ହଜାର ଏକର ଜମି ଚାଷ ହୋଇପାରୁନି। ଲୋକେ ମାଗଣା ସାମଗ୍ରୀ ପାଇବା ପରେ ଏକରକମ କର୍ମବିମୁଖ। କାହିଁକି କାମକୁ ଯାଉନ ବୋଲି ପ୍ରଶ୍ନ କଲେ, ଉତ୍ତର ମିଳେ, କାମ ମିଳିଲା ପରେ ଯେଉଁ ରୋଜଗାର କରି ଅତ୍ୟାବଶ୍ୟକ ସାମଗ୍ରୀ କିଣାଯାଏ ତାହା ମାଗଣା ମିଳୁଛି, କାହିଁକି କାମକୁ ଯିବୁ?
ମାଗଣା ଚାଉଳ, ଗହମ, ଡାଲି, କିରାସିନି ଏପରି କି ଆର୍ଥିକ ସମ୍ବଳ ଯୋଗାଇବା ଦ୍ୱାରା ରାଜ୍ୟ ରାଜକୋଷରୁ ସରକାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଋଣ କରିସାରିଲେଣି। ବର୍ତ୍ତମାନ ରାଜ୍ୟବାସୀଙ୍କ ଉପରେ ମୁଣ୍ଡପିଛା ଋଣ ପରିମାଣ ଟ. ୨୫,୦୦୦ ରୁ ଅଧିକ ଶୁଝିବାକୁ ହେଉଛି।
୧୯୮୦ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଖାଦ୍ୟ ବଦଳରେ କାମ କରିବାର ସୁଯୋଗ ଦେଇଥିଲେ। ଜଣେ ନିୟମ ଅନୁସାରେ କାର୍ଯ୍ୟ ସାରିବା ପରେ ପରିମାଣ ଅନୁସାରେ ଚାଉଳ ନେଉଥିଲେ ଅନ୍ତତଃ ମାଗଣା ସଂସ୍କୃତିର ପ୍ରଚଳନ ନଥିଲା।
ଏଇ ମାଗଣା ସଂସ୍କୃତିରେ କ୍ଷୋଭ ପ୍ରକାଶକରି ଅଳ୍ପଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ, ମାଗଣା ବଣ୍ଟନକୁ ନିନ୍ଦାକରି ଏହାକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ। ୧୮୬୬ ମସିହାରେ ଇଂରେଜ ସରକାରଙ୍କ ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା। ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଆତ୍ମଜୀବନୀରେ ନଅଙ୍କ ଦୁର୍ଭିକ୍ଷର କରାଳ ଛାୟା ଦେଖିଛନ୍ତି ବୋଲି ଲେଖିଛନ୍ତି। ସେତେବେଳେ ସରକାର ଲୋକଙ୍କୁ ମାଗଣା ଚାଉଳ ଦେବା ସହିତ ଖାଇବା ପାଇଁ ଅନ୍ନଛତ୍ର ଖୋଲିଥିଲେ। ଏବେ ଅନ୍ନଛତ୍ର ଦିଆ ନଗଲେ ମଧ୍ୟ ସରକାର ମାତ୍ର ପାଞ୍ଚ ଟଙ୍କାରେ ଆହାର କେନ୍ଦ୍ର ଖୋଲି ଜନସାଧାରଣଙ୍କୁ ଖାଇବାକୁ ଦେଉଛନ୍ତି। ଏହାକୁ ଅନ୍ନଛତ୍ର ସହିତ ତୁଳନା କରାଯାଇ ପାରେ। ଏବେ ଆମ ରାଜ୍ୟର ତଥା ଆମ ଦେଶରେ ନଅଙ୍କ ପରି ଅବସ୍ଥା ଉପୁଜି ନାହିଁ। ବର୍ତ୍ତମାନ ଓଡ଼ିଶା ତଥା ଭାରତବର୍ଷ ଖାଦ୍ୟ ଶସ୍ୟରେ ସ୍ୱାବଲମ୍ବୀ। ଏପରି ସ୍ଥିତିରେ ରାଜ୍ୟ ବା କେନ୍ଦ୍ର ସରକାର କେଉଁ ଉଦ୍ଦେଶ୍ୟରେ ଆବଶ୍ୟକ କରୁନଥିବା ଜନସାଧାରଣଙ୍କୁ ମାଗଣାରେ ଖାଦ୍ୟ ପଦାର୍ଥ ଯୋଗାଉଛନ୍ତି! ସରକାର ଯେଉଁ ଖାଦ୍ୟ ପଦାର୍ଥ ନିଜେ କିଣି ମାଗଣାରେ ବାଣ୍ଟୁଛନ୍ତି, ସେଇ ଅର୍ଥ ଏ ଦେଶର କୋଟି କୋଟି ଟିକସଦାତାଙ୍କ ଅର୍ଥ। ଏ ଅର୍ଥ କେବଳ ଜନସାଧାରଣଙ୍କ ବିକାଶ ତଥା କଲ୍ୟାଣ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବା କଥା। ଭାରତବର୍ଷର ଅନେକ ରାଜ୍ୟ ଆଜି ମାଗଣା ସଂସ୍କୃତି ଦ୍ୱାରା ଗଭୀର ଭାବରେ ପ୍ରଭାବିତ। ଭାରତର ପଡ଼ୋଶୀ ରାଜ୍ୟ ଶ୍ରୀଲଙ୍କା କଥା ବିଚାର କରାଯାଉ। ଏହି ମାଗଣା ସଂସ୍କୃତି ପାଇଁ ଆଜି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଗୁରୁତର ଏବଂ ଦୟନୀୟ। ସେହିପରି ଭାରତର ପଡ଼ୋଶୀ ଦେଶ ନେପାଳ, ପାକିସ୍ତାନ, ବାଂଲାଦେଶର ଆର୍ଥିକ ସ୍ୱଚ୍ଛଳତା ନୈରାଶ୍ୟଜନକ।
ରାଜ୍ୟ ସରକାର ରାଜ୍ୟରେ ଅନେକ ସହରରେ ଆହାର କେନ୍ଦ୍ର ଖୋଲିଛନ୍ତି। ଦରିଦ୍ର, ଅସହାୟ, ଦିନ ମଜୁରିଆ, ଶ୍ରମିକ, ଇତ୍ୟାଦିଙ୍କ ପାଇଁ ଆହାର ଯୋଜନା ଉଦ୍ଦିଷ୍ଟ। ମାତ୍ର ବାସ୍ତବରେ କ’ଣ ଦେଖାଯାଉଛି। ଘରୁ କାର୍, ବାଇକ୍ କିମ୍ବା ସ୍କୁଟରରେ ଆସି ମଟନ ଅଥବା ଚିକେନ୍ ସହିତ ଆହାର କେନ୍ଦ୍ରରେ ବସି ଭାତ ଖାଉଛନ୍ତି। ଏହା କ’ଣ ଓଡ଼ିଶାର ଆତ୍ମନିର୍ଭରଶୀଳତାର ପରିଚୟ? ଏହାଦ୍ୱାରା ଭାରତବର୍ଷର ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସମ୍ମାନ ଓ ସ୍ୱାଭିମାନ ଉପରେ କୁଠାରଘାତ କରାଯାଉନି ତ? ସମୟ ଆସିଛି, ରାଜ୍ୟର ବିଜ୍ଞ ଓ ଗୁଣୀ ବ୍ୟକ୍ତିଗଣ ଏହାକୁ ଗୁରୁତରଭାବେ ହୃଦୟଙ୍ଗମ କରିବା ଉଚିତ ମନେହୁଏ।
Comments are closed.