www.samajalive.in
Sunday, December 14, 2025
19.1 C
Bhubaneswar

ଚିକିତ୍ସା ନାମରେ ୪ ଲକ୍ଷ ଲୁଟ୍‌, କାମ ଦେଲାନି ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ

ସମ୍ବଲପୁର: ଚିକିତ୍ସା ଆଳରେ ଶୋଷଣର ଶିକାର ହେଉଛନ୍ତି ରୋଗୀ। ରୋଗୀଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ନଦେଇ ଚିକିତ୍ସା ପ୍ରକ୍ରିୟା ମଧ୍ୟରେ ତାଙ୍କଠାରୁ ଲୁଟ୍ କରୁଛନ୍ତି ଘରୋଇ ଡାକ୍ତରଖାନା। କଟିଯାଇଥିବା ହାତର ବୁଢ଼ା ଆଙ୍ଗୁଳି ​‌େ​‌ଯାଡିଯିବାର ପ୍ରତିଶ୍ରୁତି ଦେଇ ପେଟକାଟି ଭିତରେ ଆଙ୍ଗୁଳିକୁ ଭର୍ତ୍ତି କରି ଚିକିତ୍ସା ପଦ୍ଧତି ଚଳାଇଥିବା ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଠକେଇର ଶିକାର ହୋଇଛନ୍ତି ସମ୍ବଲପୁର ହୀରାକୁଦ କଲୋନୀ ବାସିନ୍ଦା ସନତ ମହାନ୍ତି। ଏବେ ତାଙ୍କର ଉଭୟ ପେଟ ଓ ହାତପାପୁଲି ସଂକ୍ରମିତ ହୋଇଛି। ସମ୍ପୂର୍ଣ୍ଣ ଚିକିତ୍ସା ପ୍ରକ୍ରିୟାରେ ସେ ୪ ଲକ୍ଷ ଟଙ୍କାର ଠକେଇ ହୋଇଛନ୍ତି। ଏପରିକି ୨୫ହଜାର ଟଙ୍କା ତାଙ୍କର କମ୍‌ ପଡିବାରୁ ସମ୍ପୂର୍ଣ୍ଣ ଦେୟ ପାଇଁ ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା। ଶେଷରେ ବକେୟା ଟଙ୍କାପାଇଁ ଅଣ୍ଡରଟେକିଂ ଲେଖିବା ପରେ ଯାଇ ତାଙ୍କୁ ସେଠାରୁ ଆସିବାକୁ ଦିଆଯାଇଥିଲା। ସବୁଠାରୁ ବଡ଼ କଥା ହେଲା ଭର୍ତ୍ତି ପୂବରୁ ଚିକିତ୍ସା ପାଇଁ ସେ ସାଥିରେ ନେଇ ଯାଇଥିବା ଆୟୁଷ୍ମାନ ଭାରତ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ତାଙ୍କୁ ରିଆତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ପରେ ଏଥିରେ ଓହରି ଯାଇଥିଲେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ।

ଏନେଇ ସମ୍ବଲପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଃଖ ବଖାଣିଛନ୍ତି ପୀଡିତ। ପେଟ ଓ ହାତ ପାପୁଲି ସଂକ୍ରମିତ ହୋଇଯାଇଥିବାରୁ ସେ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ନିୟମିତ ଡ୍ରେସିଂ କରାଉଥିବା ପ୍ରକାଶ କରିଛନ୍ତି। ଗତ ଜୁଲାଇ ୨୧ ତାରିଖରେ ନିଜ ଗାଡ଼ି ଧୋଇବାବେଳେ ସମ୍ବଲପୁରର ହୀରାକୁଦ କଲୋନୀ ବାସିନ୍ଦା ସନତଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳିଟି କଟି ଯାଇଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ସଦର ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ। ମାତ୍ର ସେଠାରେ ଆଙ୍ଗୁଳିକୁ ଯୋଡ଼ିବା ପାଇଁ କୌଣସି ଚିକିତ୍ସା ବ୍ୟବସ୍ଥା ନଥିବାରୁ ଛତିଶଗଡ଼ ରାୟପୁରର ପିଛଡ଼ିନାକା ରୋଡରେ ଥିବା ‘କାଲଡା ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସେଣ୍ଟର’କୁ ଯୋଗାଯୋଗ କରି ଯାଇଥିଲେ। ୫୦ ହଜାର ଟଙ୍କା ଭିତରେ ଚିକିତ୍ସା ହୋଇପାରିବ କହିବାରୁ ସନତ ଓ ତାଙ୍କ ପରିବାର ରାଜି ହୋଇଥିଲେ। ସଙ୍ଗେ ସଙ୍ଗେ ସର୍ଜରୀ ମଧ୍ୟ କରାଗଲା। ଦୁଇଦିନ ପରେ ସ୍ଥିତିରେ ସୁଧାର ନ ଆସିବାରୁ ପୁଣି ଅପରେସନ କରି ପେଟ ଭିତରେ ରଖିଲେ ୧୫ ଦିନ ଭିତରେ ନୂତନ ସେଲ ସୃଷ୍ଟି ହୋଇ ଅଙ୍ଗୁଳି ଠିକ୍‌ ହୋଇଯିବାର ୭୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ଡା. ସୁନୀଲ କୁମାର କାଲଡା କହିଥିଲେ। ତେବେ ଅପରେସନ କରିବାର ୧୩ ଦିନରେ ପେଟ ଭିତରେ ସଂକ୍ରମଣ ହୋଇଯାଇଥିଲା। ଯୋଡା ଅାଙ୍ଗୁଳି ଓ ପେଟ ଉଭୟ ସଂକ୍ରମିତ ହୋଇଥିଲା। ଅପରପକ୍ଷରେ ଆଙ୍ଗୁଳି ବାହାର ପରେ ବ୍ୟାଣ୍ଡେଜ କରି ଘରକୁ ନପଠାଇ ପୁଣି ବିଲ୍‌ ବଢ଼ାଇବା ପାଇଁ ପ୍ରକ୍ରିୟାକୁ ଆଗକୁ ବଢ଼ାଇଥିବା ସନତ ଅଭିଯୋଗ କରିଛନ୍ତି।

- Advertisement -

ପ୍ରଥମରୁ ହସପିଟାଲ କର୍ତ୍ତୃପକ୍ଷ ଦେଢ଼ ଲକ୍ଷ ଟଙ୍କାରେ ସୁସ୍ଥ ହୋଇ ଘରକୁ ଯିବେ ବୋଲି କହିଥିବାବେଳେ ତିନୋଟି ଅପରେସନ ପରେ ସନତଙ୍କ ପରିବାର ବିଲ ମାଗିବାରୁ ପ୍ରାୟ ୪ ଲକ୍ଷ ଟଙ୍କା ମାଗିଥିଲେ। ସନତଙ୍କ ପାଖରେ ଉଭୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଭାରତ କାର୍ଡ ଥିବା ବେଳେ ଆୟୁଷ୍ମାନ ଭାରତ କାର୍ଡର ବ୍ୟବହାର ପରେ ମାତ୍ର ୪୦ ପ୍ରତିଶତ ତାଙ୍କୁ ଦେବାକୁ ପଡିବ ବୋଲି କହିଥିଲେ। ତେବେ ପରେ ଅନ୍ୟ ରାଜ୍ୟର ହୋଇଥିବାରୁ ବିଜୁ ସ୍ବାସ୍ଥ୍ୟ କାର୍ଡ କାମରେ ଆସିବନି କହିଥିବା ବେଳେ ସ୍ଥାନୀୟ ଅଧିବାସୀ ହୋଇ ନଥିବାରୁ ଆୟୁଷ୍ମାନ ଭାରତ କାର୍ଡ ମଧ୍ୟ କାମରେ ଆସିବନି ବୋଲି କହିଥିଲେ। ଗତ ୬ ତାରିଖ ମୋଟ ଦେୟରୁ ମାତ୍ର ୨୫ ହଜାର ଟଙ୍କା କମ୍‌ ଦେଇ ସେ ସମ୍ବଲପୁର ଆସିଥିବାବେଳେ ୨୦ ଦିନ ମଧ୍ୟରେ ଏହି ଟଙ୍କା ନଦେଲେ ମାମଲା ରୁଜୁ କରିବେ ବୋଲି ଅଣ୍ଡରଟେକିଂ ଲେଖାଇଥିବା ସନତ କହିଛନ୍ତି। ଅପରେସନ ତଥ୍ୟ ସମ୍ପୂର୍ଣ୍ଣ ଦେଇନଥିବାରୁ ଏଠାରେ ଆସି ଡାକ୍ତରଙ୍କ ପରାମର୍ଶ ନେବାବେଳକୁ ଅସୁବିଧା ହେଉଥିବା ପରିବାର ପ୍ରକାଶ କରିଛନ୍ତି।

ଶାରୀରିକ ଓ ମାନସିକ ନିର୍ଯାତନା ପାଇଥିବାରୁ ପୀଡ଼ିତ ସନତ ନ୍ୟାୟ ଆଶାରେ ଖାଉଟି ଅଦାଲତରେ କାଲଡା ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସେଣ୍ଟର ଓ ଡା. ସୁନୀଲ କୁମାର କାଲଡ଼ାଙ୍କ ନାମରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ମା’ ବବିତା ମହାନ୍ତି କହିଛନ୍ତି ଯେ, ସନତ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ଆର୍ଥିକ ସମ୍ବଳ ନଥିଲେ ବି କୌଣସି ପ୍ରକାରେ ଟଙ୍କା ଜମା କରିଛନ୍ତି। ଏଣୁ ପୁଅକୁ ନ୍ୟାୟ ସହ ଡାକ୍ତରଙ୍କୁ ଶାସ୍ତି ପାଇଁ ଶ୍ରୀମତୀ ମହାନ୍ତି ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସନତଙ୍କ ବଡ଼ଭଉଣୀ ଅଙ୍କିତା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories