‘ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଇଁବ’

ମୁଖ ଖୋଲିଲେ ମୋଦୀ

ଧ୍ବନି ମତରେ ଅନାସ୍ଥା ପ୍ରସ୍ତାବ କାଟ୍‌,  ‘୨୦୨୮ରେ ବିରୋଧୀ ପୁନଃ ଅନାସ୍ଥା ଆଣିବେ’
କକ୍ଷ ଛାଡ଼ି ଚାଲିଗଲେ ବିରୋଧୀ,  ଅଧିରଞ୍ଜନ ଲୋକସଭାରୁ ନିଲମ୍ବିତ

prayash

ନୂଆଦିଲ୍ଲୀ : ମଣିପୁରରେ ଲାଗି ରହିଥିବା ହିଂସା ନିୟନ୍ତ୍ରଣକୁ ଆସିବା ସହିତ ଖୁବ୍‌ଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖି ଗୁରୁବାର ପ୍ରଧାନମନ୍ତ୍ରୀ ଲୋକସଭାରେ ଏହା କହଛନ୍ତି। ସେ କହିଛନ୍ତି, ମଣିପୁରରେ ଶାନ୍ତିର ସୂର୍ଯ୍ୟୋଦୟ ହେବ। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ। ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆମ ହୃଦୟର ଏକ ଅଂଶ। ତେଣୁ ମଣିପୁର ସମେତ ଉତ୍ତର-ପୂର୍ବାଞ୍ଚଳର ସୁରକ୍ଷା ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ। ମଣିପୁରବାସୀଙ୍କ ପଛରେ ସମ୍ପୂର୍ଣ୍ଣ ଦେଶର ସମର୍ଥନ ରହିଛି। ମେ ୩ରୁ ରାଜ୍ୟରେ ଲାଗି ରହିଥିବା ହିଂସା ସମୟରେ ମହିଳାଙ୍କ ପ୍ରତି ହୋଇଥିବା ନିର୍ଯାତନା ଅକ୍ଷମଣୀୟ। ମହିଳାଙ୍କ ପ୍ରତି ହିଂସା ଆଚରଣ କରିଥିବା ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ତେଣୁ ମଣିପୁରରେ ଖୁବ୍‌ଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବା ନେଇ ମୁଁ (ପ୍ରଧାନମନ୍ତ୍ରୀ) ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ସହିତ ଆଗାମୀ ଦିନରେ ଏହା ଦ୍ରୁତ ବିକାଶ ପଥରେ ଆଗକୁ ବଢିବ। ହିଂସାର ସମାଧାନ ପାଇଁ ସେମାନେ ମିଳିମିଶି କାର୍ଯ୍ୟ କରିବା ସହିତ ମଣିପୁରରେ ଶାନ୍ତି ପ୍ରତିଷ୍ଠା ହେବ।
ମଣିପୁର ହିଂସା ପ୍ରସଙ୍ଗରେ କହିବା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ୨ଘଣ୍ଟା ୧୩ ମିନିଟ୍‌ର ବକ୍ତବ୍ୟରେ ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳବାସୀଙ୍କ ଭାବାବେଗକୁ ବୁଝିବା ଲାଗି କଂଗ୍ରେସ କେବେହେଲେ ଚେଷ୍ଟା କରିନାହିଁ। ମାତ୍ର ସେ ତାଙ୍କର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ୫୦ଥର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ଗସ୍ତ କରିଛନ୍ତି। ଏହା ଉତ୍ତର-ପୂର୍ବାଞ୍ଚଳବାସୀଙ୍କ ପ୍ରତି ତାଙ୍କର ତ୍ୟାଗ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଯେଉଁ ସବୁ ସମସ୍ୟା ସୃଷ୍ଟି ହେଉଛି ତାର ଜନକ ହେଉଛି କଂଗ୍ରେସ। କଂଗ୍ରେସର ରାଜନୀତି ଯୋଗ ଯୋଗଁୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଅସ୍ଥିରତା ଲାଗି ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଦେଶ ଅପେକ୍ଷା ଦଳକୁ ଅଧିକ ଗୁରୁତ୍ବ ଦେଉଛି। ସେହିପରି ବିରୋଧୀ ‘ଇନ୍‌ଡିଆ’ ମେଣ୍ଟ ଗରିବଙ୍କ ଭୋକ ଅପେକ୍ଷା ନିଜର କ୍ଷମତାକୁ ଅଧିକ ଗୁରୁତ୍ବ ଦେଉଛି। ସଂସଦରେ ଅନେକ ବିଧେୟକ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଥିବାବେଳେ ବିରୋଧୀ ଦଳଗୁଡିକ ଏଥିରେ ଭାଗ ନେବା ପରିବର୍ତ୍ତେ ହୋହଲ୍ଲା କରି ଗୃହ କାର୍ଯ୍ୟକୁ ଅଚଳ କରିଛନ୍ତି। ଏପରି କରି ବିରୋଧୀ ସଦସ୍ୟମାନେ ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି। କାରଣ ଦେଶବାସୀ ନିଜର ସମସ୍ୟାକୁ ସଂସଦରେ ଉପସ୍ଥାପନ ନିମନ୍ତେ ଭୋଟ ଦେଇ ସାଂସଦମାନଙ୍କୁ ନିର୍ବାଚିତ କରିଥାନ୍ତି। ବିରୋଧୀ ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଲୋଚନା ନିମନ୍ତେ ନିଜକୁ ଉପଯୁକ୍ତ ପ୍ରସ୍ତୁତ କରିପାରି ନାହାନ୍ତି। ଆଲୋଚନା ନିମନ୍ତେ ସେମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲେ ମଧ୍ୟ ଏହି ସମୟକୁ ସେମାନେ ଉପଯୁକ୍ତ ବିନିଯୋଗ କରିପାରି ନାହାନ୍ତି। ଏଥିପାଇଁ ବିରୋଧୀ ଦଳଗୁଡିକର ବଡବଡ ନେତାମାନେ ନିଜକୁ ଆଲୋଚନାରେ ସାମିଲ କରିପାରି ନାହାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳଗୁଡିକର ଲକ୍ଷ୍ୟ ଦେଶର ବିକାଶ ଲାଗି ଉଦ୍ଦିଷ୍ଟ ହେବା ଦରକାର। ତାଙ୍କ ସରକାର ଦେଶର ସମ୍ମାନକୁ ବିଶ୍ବରେ ଉପରକୁ ନେଇଛନ୍ତି। ମାତ୍ର କେତେକ ଲୋକ ଦେଶର ସମ୍ମାନକୁ ବିଦେଶରେ ନୀଚ କରିବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟ ୨୦୨୪ରେ ପୁନର୍ବାର କ୍ଷମତାକୁ ଆସିବ ଓ ୨୦୨୮ରେ ବିରୋଧୀ ମେଣ୍ଟ ପୁଣି ଥରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ। ତେଣୁ ୨୦୨୮ ଅନାସ୍ଥା ପ୍ରସ୍ତାବ ନିମନ୍ତେ ବିରୋଧୀ ଦଳଗୁଡିକ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେବା ଦରକାର। ସେ କହିଛନ୍ତି ଯେ କଂଗ୍ରେସର ଅଂହକାର ଯୋଗୁଁ ନିଜ ସତ୍ତା ହରାଇବାକୁ ବସିଲାଣି। ଲୋକସଭାରେ ଦଳର ସଦସ୍ୟ ସଂଖ୍ୟା ଦିନେ ୪୦୦ ଥିବାବେଳେ ଏବେ ଏହା ୪୦କୁ ଖସି ଆସିଲାଣି। ସେହିପରି କଂଗ୍ରେସର ଅହଂକାର ଯୋଗୁଁ ଏହି ଦଳ ଅନେକ ରାଜ୍ୟରେ ଦୀର୍ଘ ବର୍ଷ ହେଲା କ୍ଷମତାକୁ ଫେରିପାରୁ ନାହିଁ। ତାମିଲନାଡୁ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ତ୍ରିପୁରା ଓ ଓଡ଼ିଶା ଭଳି ରାଜ୍ୟ କଂଗ୍ରେସ ଉପରୁ ବିଶ୍ବାସ ହରାଇବସିଲେଣି। ‘ଇନ୍‌ଡିଆ’ ମେଣ୍ଟକୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହି ମେଣ୍ଟ ବେଙ୍ଗାଲୁରୁରେ ୟୁପିଏ ମେଣ୍ଟର ଅନ୍ତିମ ସଂସ୍କାର କରିଦେଇଛନ୍ତି। ବିରୋଧୀଙ୍କର ଏବେ ଯେଉଁ ଇନ୍‌ଡିଆ ମେଣ୍ଟ ହୋଇଛି ତାର ସ୍ଥିତି ପାଇଁ ଏନଡିଏର ଆବଶ୍ୟକତା ରହିଛି। କାରଣ ଏନଡିଏ ସହିତ ଦୁଇଟି ‘ଆଇ’ ଯୋଗ କରି ବିରୋଧୀ ଦଳ ଇନ୍‌ଡିଆ ମେଣ୍ଟ କରିଛନ୍ତି। ‘ଆଇ’ (ମୁଁ) ହେଉଛି ଅହଂକାରର ପ୍ରତୀକ। ପ୍ରଥମ ‘ଆଇ’ ୨୬ଟି ଦଳର ଅହଂକାରକୁ ସୂଚିତ କରୁଥିବା ବେଳେ ଦ୍ବିତୀୟ ‘ଆଇ’ ଗୋଟିଏ ପରିବାରର ଅହଂକାରକୁ ସୂଚିତ କରୁଛି।
ମଣିପୁର ହିଂସାକୁ ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଲୋକସଭାରେ କାଟ୍‌ ଖାଇଛି। ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ପୂର୍ବରୁ ଏହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ତୃତ ଉତ୍ତର ରଖିଥିଲେ। ଏହା ସହିତ ପ୍ରସ୍ତାବ ଉପରେ ତିନି ଧରି ଶାସକ ଓ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଆଲୋଚନା କରାଯାଇଥିଲା। ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳଗୁଡିକୁ ଆଗାମୀ ୨୦୨୮ରେ ପୁନର୍ବାର ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ସୁଯୋଗ ଦେଇଛନ୍ତି। ଆଉ ଏହି ଅନାସ୍ଥା ପ୍ରସ୍ତାବରେ କିପରି ବିଜୟୀ ହେବେ ସେଥିଲାଗି ଏବେଠାରୁ ନିଜକୁ ପ୍ରସ୍ତୁତ କରିବାକୁ ମୋଦୀ ବିରୋଧୀଙ୍କୁ ଆହ୍ବାନ ଦେଇଛନ୍ତି। ୨୦୧୮ରେ ମଧ୍ୟ ମୋଦୀ କହିଥିଲେ ଯେ ୨୦୨୩ରେ ବିରୋଧୀ ଦଳଗୁଡିକ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ। ମୋଦୀଙ୍କ ଏପରି ଅନୁମାନ ଠିକ୍ ହୋଇଥିଲା। ୨୦୧୮ରେ ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଥିଲା। ତେବେ ଏହି ଅନାସ୍ଥା ପ୍ରସ୍ତାବ ମୋଦୀ ସରକାର ପାଇଁ ଶୁଭଙ୍କର ହୋଇଥିଲା। କାରଣ ୨୦୧୯ରେ ଏନଡିଏ ସରକାର ଅଧିକ ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ସେହିପରି ୨୦୨୩ ଅନାସ୍ଥା ପ୍ରସ୍ତାବ ମଧ୍ୟ ତାଙ୍କ ସରକାର ପାଇଁ ଶୁଭଙ୍କର ହେବ ବୋଲି ମୋଦୀ କହିବା ସହିତ ୨୦୨୪ ନିର୍ବାଚନରେ ଏନଡିଏ ମେଣ୍ଟ ଅଧିକ ଆସନରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ୨୦୨୮ରେ ବିରୋଧୀ ଦଳ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସମୟରେ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଥିବ।
ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ତିନି ଦିନର ଆଲୋଚନା ପରେ ଗୁରୁବାର ଲୋକସଭାରେ ଆସ୍ଥା ଭୋଟ ହୋଇଥିଲା। ବାଚନିକ ଭାବେ ହୋଇଥିବା ଆସ୍ଥା ଭୋଟରେ ଏନଡିଏ ସରକାର ବିଜୟୀ ହୋଇଥିଲା। ଏହା ସହିତ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଥିଲା। ଗୃହରେ ଆସ୍ଥା ଭୋଟ ଲୋଡାଯିବା ସମୟରେ ବିରୋଧୀ ଦଳଗୁଡିକ କକ୍ଷ ତ୍ୟାଗ କରିଥିଲେ। ଆସ୍ଥା ଭୋଟରେ ଏନଡିଏର ସଦସ୍ୟଙ୍କ ସହିତ ବିଜେଡି, ଟିଡିପି, ୱାଇଏସ୍‌ଆରସିପି, ବିଏସପି, ଏସଏଡି ଭଳି ନିରପେକ୍ଷ ଦଳଗୁଡିକ ଗୃହରେ ଉପସ୍ଥିତ ରହିଥିଲେ। କଂଗ୍ରେସ ସଦସ୍ୟ ଗୌରବ ଗୋଗଇ ଜୁଲାଇ ୨୬​‌େ​‌ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।
ଲୋକସଭାରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏ ନେଇ ବିତର୍କ ସମୟରେ ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେବା ସହ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ କ୍ଷମା ମାଗିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧୀର ରଞ୍ଜନଙ୍କୁ କହିଥିଲେ। ତେବେ ଅଧୀର ରଞ୍ଜନ କ୍ଷମା ମାଗିନଥିଲେ। ତାଙ୍କୁ ନିଲମ୍ବିତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ତରଫରୁ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଯାହା ବାଚନିକ ଭୋଟ୍‌​‌ରେ ପାରିତ ହୋଇଥିଲା। ଗୁରୁବାର ବିତର୍କରେ ଭାଗ ନେଇ ଅଧୀର ରଞ୍ଜନ କହିଥିଲେ ମଣିପୁରରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଥିବା ବେ​‌େ​ଳ ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍‌ ରହିବା ଦୁର୍ଭାଗ୍ୟଜନକ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଧୀର ରଞ୍ଜନ କେତେକ କଟୁ ମନ୍ତବ୍ୟ ଦେଇଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ଶାସକ ଦଳ ତରଫରୁ ବିରୋଧ କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ବାଧ୍ୟ କରିବା ନିମନ୍ତେ ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବ ଆଣିଲେ ବୋଲି ଗୁରୁବାର ଗୃହରେ କହିଥିଲେ କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଅନାସ୍ଥା ପ୍ରସ୍ତାବ ନେଇ ବକ୍ତବ୍ୟ ଦେବାକୁ ଗୁରୁବାର ମୋଦୀ ଲୋକସଭାକୁ ଆସି ନିଜ ଆସନରେ ବସିବା ପରେ ଅଧୀର ରଞ୍ଜନ କହିଥିଲେ ଅନାସ୍ଥା ପ୍ରସ୍ତାବର ଶକ୍ତି ବଳରେ ବିରୋଧୀଦଳମାନେ ମୋଦୀଙ୍କୁ ମଣିପୁର ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ବାଧ୍ୟ କରାଇଛନ୍ତି। ବିରୋଧୀ ଦଳମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ସପକ୍ଷରେ ନ ଥିଲେ।

kalyan agarbati

Comments are closed.