ବୁଦ୍ଧିଭ୍ରଷ୍ଟ ବୁଦ୍ଧିଜୀବୀ

ରାଜେନ୍ଦ୍ର ନାରାୟଣ ଦାସ

“ରାଜନୀତି ହେଉଛି ଅନ୍ୟ ସମସ୍ତ ବୃତ୍ତିଠାରୁ ଭିନ୍ନ ଏକ ସ୍ୱତନ୍ତ୍ର ବୃତ୍ତି ଯାହାର ନିଜର ସ୍ୱତନ୍ତ୍ର କଠୋର ବାଧ୍ୟବାଧକତା ରହିଛି। ଏହି ବାଧ୍ୟବାଧକତା ଯୋଗୁଁ ରାଜନେତାଙ୍କୁ ‘ସୈତାନୀ ଶକ୍ତି’ମାନଙ୍କ ସହିତ ଚୁକ୍ତି କରିବାକୁ ପଡ଼ିଥାଏ। ତେଣୁ କୌଣସି ନୈତିକ ବଳ ସେମାନଙ୍କର ସହାୟକ ହୋଇ ନ ଥାଏ ଏବଂ ନିଜ ହାତକୁ ମଇଳା କରିବା ବ୍ୟତୀତ ସେମାନଙ୍କର ଅନ୍ୟ ଉପାୟ ନଥାଏ। ଏକ କଠିନ ପଟାରେ କଷ୍ଟ ସ୍ୱୀକାର କରି ଧୀର ମନ୍ଥର ଗତିରେ କଣା କରିବା ପାଇଁ ଅନବରତ ଚେଷ୍ଟା କରିଚାଲିବା ହେଉଛି ରାଜନୀତି ବୃତ୍ତିଧାରୀମାନଙ୍କର ବାଧ୍ୟତାମୂଳକ କାର୍ଯ୍ୟ।” ଏହା ଥିଲା ଜର୍ମାନୀର ସମାଜ ବିଜ୍ଞାନର ଜନ୍ମଦାତା ମାକ୍‍ସ ୱେବରଙ୍କର ଏକଶହ ବର୍ଷରୁ ସାମାନ୍ୟ ଅଧିକ ୧୯୧୯ ଜାନୁଆରି ୨୮ ଦିନ ଏକ ଉଦାରପନ୍ଥୀ ଜର୍ମାନ ଛାତ୍ର ସମାବେଶରେ ମ୍ୟୁନିକ୍‍ ସହରରେ ଏକ ଚମକପ୍ରଦ ମନ୍ତବ୍ୟ। ବିଷୟବସ୍ତୁ ଥିଲା ‘ରାଜନୀତି ବୃତ୍ତି’। ଦୀର୍ଘ ୬୨ ବର୍ଷରୁ ଊର୍ଦ୍ଧ୍ବ ଜର୍ମାନୀରେ ମୁଁ ବସବାସ କରୁଥିବାରୁ ମୋର ମନକୁ ଏହି ମନ୍ତବ୍ୟଟି ଆନ୍ଦୋଳିତ କରିଥିଲା। ଏହି ପ୍ରବନ୍ଧଟି ହେଉଛି ଏହାର ଫଳଶ୍ରୁତି।

ଆଜି ମଧ୍ୟ ମାକ୍‍ସ ୱେବରଙ୍କର ଉପରୋକ୍ତ ମନ୍ତବ୍ୟର ପ୍ରାସଙ୍ଗିକତା ରହିଛି। ସବୁପ୍ରକାର ନୈତିକ ମୂଲ୍ୟବୋଧକୁ ପଛରେ ପକାଇ ନିଷ୍ଠୁର ଭାବେ କ୍ଷମତାରେ ବା କ୍ଷମତା ଦଖଲ କରିବାର ରାଜନୀତି ତତ୍ତ୍ୱ ବିଶେଷ କରି ଭାରତବର୍ଷରେ ଆଜି ରାଜନେତାମାନଙ୍କୁ ପାଗଳ କରିଦେଇଛି। କ୍ଷମତା ରାଜନୀତିରେ ପ୍ରକୃତିଗତ ବାଧ୍ୟବାଧକତା ହେଉ ବା ପେସା ଭାବରେ ରାଜନୀତି କ୍ଷେତ୍ର ପ୍ରତି ଆକୃଷ୍ଟ ହେଉଥିବା ଲୋକମାନଙ୍କ ପ୍ରକୃତି / ପ୍ରବୃତ୍ତି କେତେଦୂର ଯେ ଯଥାର୍ଥ ତାହା ଆଜି ‘ଏକ ମିଲିଅନ ଡଲାର୍‍ର ପ୍ରଶ୍ନ’।

ହେନ୍‍ରୀ ଫୋର୍ଡ କହିଛନ୍ତି – ଏକଜୁଟ୍‍ ହେଲେ ‘ଆରମ୍ଭ’, ମିଳିମିଶି ରହିପାରିଲେ ‘ପ୍ରଗତି’ ଓ ମିଳିମିଶି କାମ କଲେ ‘ବିଜୟ’। କ’ଣ କଲେ ବିପର୍ଯ୍ୟୟ, ଦୁର୍ଗତି ଓ ଧ୍ୱଂସ ଇତ୍ୟାଦି ଘଟେ ସେକଥା ଅବଶ୍ୟ ଫୋର୍ଡ କହିନାହାନ୍ତି। କିନ୍ତୁ ଆମ ରାଜନୀତିରେ ଦୀର୍ଘ ୨୩ବର୍ଷ ହେଲା ଯାହାସବୁ ଘଟିଯାଇଛି ତାହା ସଚେତନ ନାଗରିକମାନଙ୍କୁ ଅଳ୍ପବହୁତେ ଜଣା। ସେଗୁଡ଼ିକର ଅଲଗାଅଲଗା ନାମକରଣ କରାଯାଇପାରିବ। ଏହି ପ୍ରସଙ୍ଗରେ ଅନେକ ବିଷୟ ଥିଲେ ମଧ୍ୟ ଏଇ ପ୍ରବନ୍ଧରେ ସାମ୍ପ୍ରତିକ ତଥାକଥିତ ଆମର ବୁଦ୍ଧିଭ୍ରଷ୍ଟ ବୁଦ୍ଧିଜୀବୀମାନଙ୍କ ବିଷୟରେ ଆଲୋଚନା କରାଯାଇଛି। ଆଉଥରେ ଟିକିଏ ଇତିହାସର ପୁରୁଣାପୃଷ୍ଠାକୁ ମନେପକାଇବା।

ଜର୍ମାନୀ ଦେଶରେ ହିଟ୍‍ଲର ଯେତେବେଳେ ସର୍ବୋଚ୍ଚ କର୍ତ୍ତା ଥିଲେ ସେତେବେଳେ ସେଠାରେ ବୁଦ୍ଧିଜୀବୀମାନଙ୍କର ସ୍ଥିତି ଆଜିର ଓଡ଼ିଶା ପରି ଥିଲା। ଜର୍ମାନୀର ବୁଦ୍ଧିଜୀବୀମାନେ ଜାତିର ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜାତିକୁ ନେତୃତ୍ୱ ବା ଦିଗ୍‍ଦର୍ଶନ ଦେବାକୁ ଏହିପରି ଅସମର୍ଥ ହୋଇପଡ଼ିଥିବାରୁ ଜର୍ମାନ ଜାତି, ସାମୟିକ ଭାବରେ ହେଲେ ମଧ୍ୟ, ପତନର ଅତଳ ଗହ୍ୱରକୁ ଓହ୍ଲାଇ ଯାଇଥିଲା। ସେହି କାରଣରୁ ଜର୍ମାନ୍‍ ପ୍ରଫେସର ୟୁଲିୟୁସ୍‍ ଏବିଙ୍ଗ୍‍ହାଉସ୍‍ କହିଥିଲେ- ‘‘The German Universities failed…They failed to keep the becon of freedom and right burning durning the right of tyranny’’ ଅନୁରୂପ ଭାବରେ କୁହାଯାଇପାରେ। ଆଜି ଓଡ଼ିଶାର ବୁଦ୍ଧିଜୀବୀମାନେ ଯଦି ସ୍ୱାଭିମାନହୀନ ହେବେ, ତେବେ ଏ ଜାତିର ସ୍ୱାଭିମାନ ଅଛି ବୋଲି କହିହେବ କି? ଆମ ଓଡ଼ିଶାର ବୁଦ୍ଧିଜୀବୀମାନେ ଏ ବାବଦରେ ସଚେତନ ହେବାର ବେଳ ଆଜି ଆସିଛି।

prayash

ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଆସିବା। ଏଥିରେ ଦ୍ୱିମତ ନାହିଁ ଯେ ଆମ ଓଡ଼ିଶାରେ ସାଧାରଣ ଜନତା ଯେମିତି ସରଳ ସେମିତି ଉଦାସୀନ! ମାତ୍ର ଆମ ବୁଦ୍ଧିଜୀବୀମାନେ? ସେମାନେ ବୁଦ୍ଧିଭ୍ରଷ୍ଟ ହେଲେ ଏ ସମାଜର ଗତି ନିଶ୍ଚିତ ଭାବରେ ରସାତଳକୁ!! ଜଗତକୁ ନିର୍ମାଣ କରି ଭଗବାନ ଏ ସମସ୍ତଙ୍କୁ ଭୋଗ କରିବା ପାଇଁ ଜୀବମାନଙ୍କୁ ସୃଷ୍ଟି କଲେ। ସେ ମଧ୍ୟ ପ୍ରାଣୀମାନଙ୍କୁ ପ୍ରବୃତ୍ତି ସହ ବୁଦ୍ଧି ପ୍ରଦାନ କଲେ। ମଣିଷ ନାମକ ପ୍ରାଣୀଟିକୁ କିନ୍ତୁ ବୁଦ୍ଧି ସହ ତା’ର ନିୟନ୍ତ୍ରଣ ଓ ପ୍ରୟୋଗ ପାଇଁ ‘ବିବେକ’ ଦାନ କଲେ। ଏଇ ବିବେକ ଦ୍ୱାରା ଉଚିତ-ଅନୁଚିତ, ଆବଶ୍ୟକ-ଅନାବଶ୍ୟକ, କର୍ତ୍ତବ୍ୟ-ଅକର୍ତ୍ତବ୍ୟ କରିବାର ଦକ୍ଷତା / ସ୍ୱତନ୍ତ୍ରତା କେବଳ ଏଇ ମଣିଷମାନଙ୍କୁ ହିଁ ମିଳିଲା। ଏପରି ନିର୍ଦ୍ଧାରଣକୁ ନିଜ ପାଇଁ ପ୍ରୟୋଗ କରିବା ସହ ଅନ୍ୟମାନଙ୍କ ପାଇଁ ବ୍ୟକ୍ତ କରିବାକୁ କ୍ଷମତାପ୍ରାପ୍ତ ହୋଇଥିବାରୁ ତାକୁ ‘ବ୍ୟକ୍ତି’ କୁହାଗଲା। କିନ୍ତୁ କେତେକ ଚତୁର ବୁଦ୍ଧିସଂପନ୍ନ ବ୍ୟକ୍ତି ଏଇ ବିବେକ ନାମକ ବିଚାରଶକ୍ତିକୁ ନିଜ ପାଇଁ ଭୋଗ-ବ୍ୟବସ୍ଥା କରିବା ସହ ପଦ, ଆସନ ଇତ୍ୟାଦି ସୃଷ୍ଟି କଲେ। ସେମାନଙ୍କର ଏପରି ମନୋବୃତ୍ତି ବିବେକ ଦ୍ୱାରା ଅନୁମୋଦିତ ହୋଇନଥିବାରୁ ଏମାନଙ୍କୁ ଭ୍ରଷ୍ଟ ବୁଦ୍ଧିସମ୍ପନ୍ନ ବା ‘ବୁଦ୍ଧିଭ୍ରଷ୍ଟ’ କୁହାଯାଇପାରିବ।

ଦେଶରେ ଓ ରାଜ୍ୟରେ ସାମାଜିକ, ଆର୍ଥନୀତିକ ଏବଂ ରାଜନୀତିକ ସମସ୍ୟା କିଛି ଉପୁଜିଲେ ବା ଭବିଷ୍ୟତରେ ଉପୁଜିବାକୁ ଯାଉଥିଲେ ବୁଦ୍ଧିଜୀବୀମାନେ କ୍ରମାଗତ ଭାବରେ ବିବ୍ରତ ହୁଅନ୍ତି। ସେମାନେ ସ୍ୱତଃପ୍ରବୃତ୍ତ ହୋଇ ଦୁନିଆର ଲୋକଙ୍କ ସୁଖଦୁଃଖର ସାଥୀ ହୁଅନ୍ତି, ସ୍ୱାଧୀନ ଭାବରେ ବ୍ୟବସ୍ଥା ବିରୋଧରେ ମତବ୍ୟକ୍ତ କରନ୍ତି, ସରକାରଙ୍କ କ୍ଷମତାରେ ତିଷ୍ଠି ରହିବାର ସମସ୍ତ ଲୁକ୍କାୟିତ ଯୋଜନା ଏବଂ ସ୍ୱାର୍ଥାନ୍ୱେଷୀ କୌଶଳ ବିରୋଧରେ ବିଦ୍ରୋହ କରିବାକୁ ଆହ୍ୱାନ ଦିଅନ୍ତି ଏବଂ ବ୍ୟବସ୍ଥାର ମୁଖ୍ୟ ସନ୍ଦେହକାରୀ ବ୍ୟକ୍ତି ପାଲଟିଥାନ୍ତି। … ଏହିସବୁ କାରଣରୁ, ଜଣେ ବୁଦ୍ଧିଜୀବୀ ସରକାରୀ ବା ବେସରକାରୀ ଯେକୌଣସି ଭୂମିକାରେ ଓ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ସେ ଏକ ବ୍ୟବସ୍ଥା ପାଇଁ ବିରକ୍ତକାରୀ ମୁଣ୍ଡବ୍ୟଥାର କାରଣ ହୁଅନ୍ତି। କିନ୍ତୁ ବ୍ୟବସ୍ଥାର ମୁଣ୍ଡବିନ୍ଧା ଯେତେ ବଢ଼େ ଗାଣତନ୍ତ୍ରିକ ପ୍ରକ୍ରିୟା ସେତେ ଜନମଙ୍ଗଳକାରୀ ହେବାକୁ ବାଧ୍ୟ ହୁଏ।
ଜଣେ ବୁଦ୍ଧିଜୀବୀ ହେବାକୁ ହେଲେ ସେ ଜଣେ ଜିଜ୍ଞାସୁ ଏବଂ ପ୍ରଶ୍ନିଳମନା ହେବା ଆବଶ୍ୟକ। ଯେକୌଣସି ସମାଜରେ ବୁଦ୍ଧିଜୀବୀମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ହିଁ ଲୋକଙ୍କୁ ଉତ୍ତେଜିତ କରାନ୍ତି, ଜନତାଙ୍କ ନୂତନ ଚିନ୍ତାଧାରାକୁ ଉନ୍ମୋଚନ କରନ୍ତି, ସେମାନଙ୍କ ସାମାଜିକ ଜୀବନଧାରାକୁ ନୂତନ ଉଚ୍ଚତାକୁ ଉଠାଇ ପାରନ୍ତି। ବୁଦ୍ଧିଜୀବୀମାନେ ଜାଣନ୍ତି ସମାଜର ତୃଣମୂଳ ସ୍ତରରେ ଥିବା ସାଧାରଣ ମଣିଷ ହିଁ ରାଷ୍ଟ୍ରନିର୍ମାଣର ମୂଳଦୁଆ। ମୂଳାଧାର ସୁଦୃଢ଼ ନହେଲେ ରାଷ୍ଟ୍ରର ପ୍ରଗତିର ସୌଧ ଭୁଶୁଡ଼ି ପଡ଼ିବ। ହେଲେ ପୌରାଣିକ ଯୁଗର ଇନ୍ଦ୍ରଙ୍କଠାରୁ ଆରମ୍ଭ କରି ଆଧୁନିକ ଯୁଗର ସ୍ୱେଚ୍ଛାଚାରୀ ଶାସକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବୁଦ୍ଧିଜୀବୀମାନଙ୍କ ପ୍ରତି ଚକ୍ଷୁଶୂଳ। ନିମ୍ନରେ ଏକ ଚମତ୍କାର ଉଦାହରଣ।

ମିଅାଁମାରର ତତ୍କାଳୀନ ବନ୍ଦୀ ଥିବା ପ୍ରଖ୍ୟାତ ବୁଦ୍ଧିଜୀବୀ ବିଦ୍ରୋହିଣୀ ଅଙ୍ଗ ସାନ୍‍ ସୁକିଙ୍କୁ ୨୧ ବର୍ଷ ମଧ୍ୟରେ ମୋଟ ୧୫ ବର୍ଷ ପାଇଁ ଗିରଫ କରାଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କ ସମର୍ଥକ ତଥା ଅନ୍ତର୍ଜାତୀୟ ପରିଦର୍ଶକଙ୍କୁ ଭେଟିବାକୁ ବାରଣ କରାଯାଇଥିଲା। ସୁକି କହନ୍ତି- ଜଣେ ବୁଦ୍ଧିଜୀବୀ ହେବାକୁ ହେଲେ ତାଙ୍କୁ ବୁଦ୍ଧିଜୀବୀ ଭାବରେ ନିଜର ପ୍ରବୃତ୍ତିକୁ ଦମନ କରିବାକୁ ପଡ଼ିବ, କିମ୍ବା ବର୍ମା ଛାଡ଼ିବାକୁ ପଡ଼ିବ, କିମ୍ବା ତାଙ୍କୁ ଯାଇ ଜେଲରେ ବସିବାକୁ ପଡ଼ିବ। କାରଣ ତାଙ୍କର ପ୍ରଶ୍ନିଳମନ ସର୍ବସତ୍ତାଧାରୀଙ୍କ ମନ ପ୍ରତି ସର୍ବଦା ବିପଦ ସୃଷ୍ଟି କରେ।

ଆଜିର ସମୟର ଓଡ଼ିଶାର ବର୍ତ୍ତମାନର ବୁଦ୍ଧିଜୀବୀମାନଙ୍କୁ ବିଚାରକୁ ନେଲେ ଆମେମାନେ ଦେଖିବାକୁ ପାଇବା ଯେ ସେମାନେ ଦେଶର ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥ ପଛରେ ଗୋଡେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଅବସର ପରେ ରାଜଭକ୍ତ ସାଜନ୍ତି। ଅବସର ପରେ ଉଚ୍ଚ ନିଯୁକ୍ତି, କିଛି ପୁରସ୍କାର ହାତେଇବା ପାଇଁ ଏମାନେ ସରକାରଙ୍କ ଗେହ୍ଲାପୁଅ ସାଜନ୍ତି। ଏବେ ମଧ୍ୟ କିଛି ବିଶିଷ୍ଟ ବୁଦ୍ଧିଜୀବୀ, ତଥାକଥିତ ଜ୍ଞାନବନ୍ତ ବ୍ୟକ୍ତି ରାଜନୀତିରେ ଜଡ଼ିତ। କବିବର ରାଧାନାଥଙ୍କ ଭାଷାରେ “ପଦପାଇଁ ଲୋକେ ହୋଇ ଲାଳାୟିତ / ତୋଷିବାକୁ ବ୍ୟସ୍ତ ମନୁଷ୍ୟର ଚିତ୍ତ। ଭ୍ରମନ୍ତି ମନୁଷ୍ୟ ପାଦ ଅନୁସରି / ସେହି ମନୁଷ୍ୟର ପୋଷା ଶ୍ବାନ ପରି (ଦରବାର)।” ଆଜିକାଲି ବେଶି ସଂଖ୍ୟାରେ ବୁଦ୍ଧିଜୀବୀ ଯେତେବେଳେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ନୀରବତା ଅବଲମ୍ବନ କରିଥାନ୍ତି ଓ ଆପଣା ସ୍ୱାର୍ଥ ପାଇଁ ସରକାରର ଗୋଡ଼ାଣିଆ ହୋଇଥାନ୍ତି।
ଓଡ଼ିଆ ଜାତି ଏକ ଅବକ୍ଷୟକାଳ ଭିତରେ ଅଛି ବୋଲି ମନେହୁଏ। କାରଣ ଓଡ଼ିଆ ସ୍ରଷ୍ଟା ଓ ବୁଦ୍ଧିଜୀବୀମାନେ ସମ୍ପୂର୍ଣ୍ଣ ଭାବରେ ସ୍ୱାଭିମାନହୀନ ହୋଇ ପଡ଼ିଛନ୍ତି। କ୍ଷମତାସୀନମାନେ (ସେ ମନ୍ତ୍ରୀ / ରାଜନୀତିକ ନେତା ହୁଅନ୍ତୁ) ବା ଆଜିର ସାମନ୍ତମାନେ ଓଡ଼ିଆ ସ୍ରଷ୍ଟା ଓ ବୁଦ୍ଧିଜୀବୀମାନଙ୍କର ଏପରି ମନୋଭାବ ଓ ଆଚରଣର ସ୍ୱାଭିମାନ ହୀନତାର ଯଥେଷ୍ଟ ସୁଯୋଗ ନେଉଛନ୍ତି। ମୋର ମନେହୁଏ ୨୩ ବର୍ଷ ନିରଙ୍କୁଶ ଶାସନ କରିବା ପରେ ଆଜିର ସରକାରର ମତରେ ଆଉ କିଛି ଆଦର୍ଶଗତ ବିବାଦ ନାହିଁ କି କୌଣସି ବୈପ୍ଳବିକ ଚିନ୍ତାଧାରାର ଆବଶ୍ୟକତା ନାହିଁ। ବୁଦ୍ଧିଜୀବୀମାନେ ଖାଇପିଇ ଆରାମ କରନ୍ତୁ, ସାହିତ୍ୟ ଆକାଡେମୀ ପୁରସ୍କାର ଇତ୍ୟାଦି ପାଇଁ ଉଦ୍ୟମ କରନ୍ତୁ। ସେମାନେ ଅଯଥାରେ ନିର୍ବାଚିତ ସରକାର ପାଇଁ ମାର୍ଗଦର୍ଶକ ହେବାର ଅଭିପ୍ରାୟ ନ କରି କୌଣସି ଅସୁବିଧା ସୃଷ୍ଟି ନ କରନ୍ତୁ। ବର୍ତ୍ତମାନ ଆମ ଓଡ଼ିଶାରେ “ପ୍ରତିବାଦର କ୍ଷେତ୍ର କ୍ରମାଗତ ଭାବେ ସଙ୍କୁଚିତ ହୋଇ ଚାଲିଛି। ସାମଗ୍ରିକ ଭାବରେ ଦେଖିଲେ ଗଣତନ୍ତ୍ର ଦୁର୍ବଳ ହୋଇଛି। କିନ୍ତୁ ଆମ ସରକାରର ମତରେ ଲୋକମାନେ ଯଦି ‘ଖୁସି’ ତେବେ ଏଥିରେ ଗଣତନ୍ତ୍ର କ୍ଷୁର୍ଣ୍ଣ ହେଲେ ଯାଏ କେତେ ଆସେ କେତେ? ଆଜିର ରାଜନୀତିର ନବ ନିର୍ଦ୍ଧାରିତ ସଂଜ୍ଞା ଅନୁସାରେ ଲୋକଙ୍କ ‘ଖୁସି’ ହିଁ ଆମ ଗଣତନ୍ତ୍ରର ପ୍ରକୃତ ପରିଚାୟକ।”

ପ୍ରବନ୍ଧର ଶେଷରେ ନେପୋଲିଅନ ବୋନାପାର୍ଟଙ୍କର ଏକ ସୁନ୍ଦର ଅଭିବ୍ୟକ୍ତି ମନେ ପଡ଼ିଯାଉଛି। ତାହା ହେଉଛି – “ଦୁଷ୍ଟ ଲୋକଙ୍କର ହିଂସାର କାରଣରୁ ବିଶ୍ୱ ଅଧିକ ପ୍ରଭାବିତ ହୋଇ ନଥାଏ ବରଂ ଭଲ ଲୋକଙ୍କର ନିରବତାରୁ ଅଧିକ କ୍ଷତିଗ୍ରସ୍ତ ହୁଏ।” ଆମ ବୁଦ୍ଧିଜୀବୀମାନଙ୍କର ‘ନିରବତା’ ଆମ ଓଡ଼ିଶା ପାଇଁ ସମ୍ପ୍ରତି ଏକ ବଡ଼ ସମସ୍ୟା ସୃଷ୍ଟି କରିଛି।
ତେଣୁ ବୁଦ୍ଧିଜୀବୀମାନେ ପରାଙ୍ଗପୁଷ୍ଟ କିମ୍ବା ପାଣ୍ଡିତ୍ୟସର୍ବସ୍ୱ ନ ହୋଇ ଆଜିର ଟଙ୍କିକିଆ ଚାଉଳ ଖାଇ ସରକାରଙ୍କୁ ବାହାବା ଦେଉଥିବା ପଙ୍ଗୁ ଓଡ଼ିଆମାନଙ୍କର ଭବିଷ୍ୟ କଥା ଚିନ୍ତା କରନ୍ତୁ। ଶାସ୍ତ୍ର ପୁରାଣରୁ କାହାଣୀ ନୁହେଁ ଜୀବନ ଖୋଜନ୍ତୁ। ସମାଜର ପଛଧାଡ଼ିର ମଣିଷମାନଙ୍କୁ ସାଙ୍ଗରେ ନିଅନ୍ତୁ। ସ୍ୱାଭିମାନହୀନ ଓଡ଼ିଶାକୁ ଉଦ୍ଧାର କରନ୍ତୁ।

kalyan agarbati

Comments are closed.