www.samajalive.in
Monday, December 15, 2025
15.1 C
Bhubaneswar

ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଜାଳିଦେଲେ ଫିରିଙ୍ଗିଆ ଥାନା, ଭୟରେ ଛତ୍ରଭଙ୍ଗ ଦେଲେ ଥାନା କର୍ମଚାରୀ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆରେ ଗଂଜେଇ ଧରିବା ନାଁରେ ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ଓ ପୋଲିସ ଗାଡ଼ିରେ ଗଂଜେଇ ଚାଲାଣ ଅଭିଯୋଗରେ ରାସ୍ତାରୋକ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୁପ ଧାରଣ କରିଥିଲା। ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଫିରିଙ୍ଗିଆ ଥାନାକୁ ଜାଳି ପୋଡ଼ିଦେବା ସହିତ ଥାନା ଭିତରେ ଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ସଂପୂର୍ଣ୍ଢଭାବେ ନଷ୍ଟ କରିଦେଇଛନ୍ତି। ଏଥି ସହିତ ପୂର୍ବରୁ ଜବତ ହୋଇ ଥାନା ଭିତରେ ଥିବା ଗଂଜେଇକୁ ମଧ୍ୟ ଆନ୍ଦୋଳନ କାରୀ ମାନେ ଜାଳିଦେବା ସହିତ ଥାନା ପରିସରରେ ଥିବା ଏକାଧିକ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନ କାରୀ ମାନେ ଥାନା ମଧ୍ୟରେ ଶହ ଶହ ସଂଖ୍ୟରେ ପ୍ରବେଶ କରିଥିବା ବେଳେ ସେହି ସମୟରେ ଥାନାରେ ଦାୟିତ୍ୱରେ ଥିବା କିଛି କର୍ମଚାରୀ ମାନେ ମଧ୍ୟ ଜୀବନ ଭୟରେ ଥାନା ଛାଡ଼ି ଦୌଡ଼ିଥିଲେ। ଦୀର୍ଘ ସମୟ ଧରି ଥାନା ପରିସର ମଧ୍ୟରେ ଆନ୍ଦୋଳନକାରୀମାନେ ସେମାନଙ୍କର ଆତଙ୍କରାଜ ଚଳାଇଥିବା ବେଳେ ବହୁ ବିଳମ୍ବରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷା ବାହିନୀ ପହଞ୍ଚିବା ପରେ ପରିସ୍ଥିତିକୁ ଆୟତ କରିଥିଲେ।

ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆନ୍ଦୋଳନକାରୀମାନଙ୍କର ଆକ୍ରମଣରେ ସଦର ଏସ୍‌‌.ଡ଼ି.ପି.ଓ ସୁପ୍ରସର୍ଣ୍ଣ ମଲିକଙ୍କ ସମେତ ଏସ୍‌‌.ଆଇ ବିକାଶ କୁମାର ଜାଲି ଅନ୍ୟ କେତେକ ସୁରକ୍ଷା ବାହିନି କର୍ମଚାରୀ ମାନେ ଆହତ ହୋଇଥିବା ବେଳେ ପୁଲିସ୍‌‌ ମାଡ଼ରେ ଅନେକ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି। ତେବେ ଆନ୍ଦୋଳନକାରୀମାନେ ସ୍ଥାନୀୟ ସହସିଲଦାର ଏମ୍‌‌.ଅନୁରାଧାଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇ ଥିଲେ ମଧ୍ୟ କିଛି ସୁରକ୍ଷା କର୍ମୀମାନେ ତହସିଲଦାରଙ୍କୁ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ନେଇଯାଇଥିଲେ। ତେବେ ଆନ୍ଦୋଳନକାରୀମାନଙ୍କ ହାବୁଡ଼ରେ ଏସ୍‌‌.ଡ଼ି.ପି.ଓଙ୍କ ସମେତ ଏକାଧିକ ପୁଲିସ୍‌‌ ଆକ୍ରମଣ ଯୋଗୁଁ ଗୁରୁତର ହୋଇଥିବା ବେଳେ ରିପୋର୍ଟ ଲେଖାହେବା ସୁଦ୍ଧା ଚିକିତ୍ସା ପାଇଁ ଏସ୍‌‌.ଡ଼ି.ପି.ଓ ଓ ଅନ୍ୟ ପୁଲିସ୍‌‌ କର୍ମଚାରୀଙ୍କୁ ଆମ୍ବୁଲାନ୍ସରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

- Advertisement -

ସେହିଭଳି ଏହି ସମୟରେ ଖବର ସଂଗ୍ରହ କରୁଥିବା ବେଳେ ଏକାଧିକ ଗଣମାଧ୍ୟମ ପ୍ରତିନିଧିମାନେ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଆହତ ହୋଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ସୁବ୍ରତ ମହାନ୍ତି ଗୁରୁତର ହେବା ଯୋଗୁଁ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ କନ୍ଧମାଳ ଏସ୍‌‌.ପି ସୁଭେନ୍ଦୁ ପାତ୍ର, ଫିରିଙ୍ଗିଆ ବିଡ଼ିଓ ରଶ୍ମି ରଂଜନ ମହନ୍ତ, ଫୁଲବାଣୀ ତହସିଲଦାର ଦିନମଣି ନାୟକଙ୍କ ସମେତ ଅନ୍ୟ କେତେକ ଅଧିକାରୀ ଓ ବ୍ୟାପକ ପୁଲିସ୍‌‌ ଫୋର୍ସ ପହଞ୍ଚି ପରିସ୍ଥିତି ପ୍ରତି ଦୃଷ୍ଟିଦେଇଛନ୍ତି। ସମଗ୍ର ଫିରିଙ୍ଗିଆରେ ୧୪୪ ଧାରା ଜାରି କରାଯିବା ସହିତ ସମଗ୍ର ଅଞ୍ଚଳରେ ବ୍ୟାପକ ପୁଲିସ୍‌‌ ଛାଉଣି ହୋଇଛନ୍ତି। ତେବେ ପରିସ୍ଥିତି ଜଟିଳ ଥିବା ଯୋଗୁଁ ପୁଲିସ୍‌‌ ପ୍ରଶାସନ ପକ୍ଷରୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଅଧିକ ଫୋର୍ସ ନିୟୋଜନ ପାଇଁ ପଦକ୍ଷେପ ନିଆଯାଇଛି। ଦୀର୍ଘ ସମୟ ଧରି ଥାନା ଓ ପରିସରରେ ଥିବା ଜିନିଷପତ୍ର ଏବଂ ଜବତ ଗଂଜେଇ ହୁ ହୁ ହୋଇ ଜଳିଥିବା ବେଳେ ଦମକଳ ବାହିନି ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ଆନ୍ଦୋଳନକାରୀ ଥାନା ପରିସରରେ ପଶି ଭଙ୍ଗାରୁଜା କରିବା ସହିତ ଥାନା ଭିତରେ ଥିବା ପୁଲିସ୍‌‌ ଟୋପି ପିନ୍ଧିବା ଓ ପୋଷାକ ପିନ୍ଧିବା ଭଳି ଦୃଶ୍ୟ ମଧ୍ୟ ଦେଖାଯାଇଛି। ତେବେ ପୂର୍ବରୁ ମଧ୍ୟ ପୋଲିସ୍‌ ଆକ୍ରୋଶର ଶୀକାର ଓ ଏହାର ପ୍ରତିବାଦରେ ଦୀର୍ଘବର୍ଷ ତଳେ ଆନ୍ଦୋଳନକାରୀ ଫିରିଙ୍ଗିଆ ଥାନାକୁ ଜାଳି ପୋଡ଼ି ସଂପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିବା ବେଳେ ଗତ ୨୦୦୮ ମସିହା କନ୍ଧମାଳ ହିଂସାକାଣ୍ଡ ସମୟରେ ମଧ୍ୟ ଆନ୍ଦୋଳନକାରୀମାନେ ଫିରିଙ୍ଗିଆ ଥାନାକୁ ନିଆଁ ଲଗାଇ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ତିନିଥର ଫିରିଙ୍ଗିଆ ଥାନାକୁ ବିଭିନ୍ନ ସମୟରେ ଆନ୍ଦୋଳନ କାରୀ ମାନେ ନିଆଁ ଲଗାଇ ଦେଇଥିବାର ଜଣାଯାଇଛି। ତେବେ ବହୁ ସଂଖ୍ୟାରେ ଫୋର୍ସ ପହଞ୍ଚିବା ପରେ ପୁଲିସ୍‌‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବାହିନି ମାନେ ବିଭିନ୍ନ ସ୍ଥାନରେ ଚଢାଉ କରି ଏକାଧିକ ବ୍ୟକ୍ତିଙ୍କୁ ଧରିଥିବାର ମଧ୍ୟ ଖବର ମିଳିଛି। ତେବେ ଅଚାନକ ଭାବେ ପୁଲିସ୍‌‌ ସହରରେ ପଶି ଯାହାକୁ ପାରିଲା ତାହାକୁ ବାଡ଼େଇବା ଆରମ୍ଭ କରିଥିବା ବେଳେ ଏଥିରେ ସାଧାରଣ ଜନତା ମଧ୍ୟ ଆକ୍ରମଣର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଏସ୍‌‌.ପି ଉପସ୍ଥିତି ରହି ପରିସ୍ଥିତି ପ୍ରତି ଦୃଷ୍ଟି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories