ବୟସ୍କଙ୍କ ହାତରେ ଖାଦ୍ୟ ନିରାପତ୍ତା

ସୁଜିତ୍‌ କୁମାର ନାଥ

ଆନ୍ତର୍ଜାତିକ ଶ୍ରମ ସଂସ୍ଥାର ତଥ୍ୟ ଅନୁସାରେ (୨୦୨୦) ପୃଥିବୀର ଛବିଶ ପ୍ରତିଶତ ଜନସାଧାରଣ କୃଷିକ୍ଷେତ୍ର ସହ ଜଡ଼ିତ। ଆମ ଦେଶରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଅଠାବନ ପ୍ରତିଶତ ଏହି କ୍ଷେତ୍ର ସହ ସଂପୃକ୍ତ ଥିବାବେଳେ ଓଡ଼ିଶାରେ ଏହା ତେସ୍ତରି ପ୍ରତିଶତ ଅଟେ। ଗତ ଶତାବ୍ଦୀର ​‌େ​‌ଶଷ ଦଶନ୍ଧିରେ ଆରମ୍ଭ ହୋଇଥିବା ବଜାରୀକରଣ ଅର୍ଥନୀତିର ପ୍ରଭାବରେ ବହୁ କୃଷକ କୃଷି କ୍ଷେତ୍ରରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ଭାରତ ସରକାରଙ୍କ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ପ୍ରାୟ ଚଉରାଳିଶ ନିୟୁତ କୃଷକ ନିଜ ଜୀବିକା ଛାଡ଼ି ଅଣକୃଷି ଧନ୍ଦାକୁ ଗ୍ରହଣ କରିଛନ୍ତି। ୨୦୧୧ ମସିହାର ଜନସୁମାରି ଅନୁସାରେ ମଧ୍ୟ ପ୍ରତ୍ୟେକ ଦିନ ଦୁଇଶହ କୃଷକ ଚାଷ ଜମି ଛାଡ଼ୁଛନ୍ତି। କହିବା ବାହୁଲ୍ୟ, କୃଷି କ୍ଷେତ୍ରକୁ ଛାଡ଼ିବାର ନିଷ୍ପତ୍ତି ନେଉଛନ୍ତି ମୁଖ୍ୟତଃ ଭାରତର ଯୁବ ସଂପ୍ରଦାୟ। ଗତ କରୋନା ମହାମାରୀବେଳର ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା ଯାତ୍ରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କେବଳ ଓଡ଼ିଶା ନୁହେଁ; ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଯୁବଶକ୍ତି କୃଷି ପ୍ରତି ବିମୁଖ ହୋଇ ଅଧିକ ରୋଜଗାରର ଆଶାରେ ଅଣକୃଷି କ୍ଷେତ୍ରରେ କର୍ମସଂସ୍ଥାନ ସନ୍ଧାନରେ ନିଜ ଭିଟାମାଟି ଛାଡ଼ିଛନ୍ତି। ଅତଏବ, ଦେଶରେ ସୁଦୃଢ଼ ଖାଦ୍ୟର ନିରାପତ୍ତା ବା ତିନିଶହ ନିୟୁତ ଟନ୍‌ ପରିମାଣର ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ମୁଖ୍ୟତଃ ଏହି ବୟସ୍କ କୃଷକମାନଙ୍କ ଯୋଗୁଁ ସମ୍ଭବ ହୋଇଛି, ଏହା ଅନସ୍ବୀକାର୍ଯ୍ୟ।

ସଂପ୍ରତି ସାରା ବିଶ୍ବରେ କୃଷିକ୍ଷେତ୍ରର ଓ କୃଷକମାନଙ୍କର ମୌଳିକ ସମସ୍ୟାରେ ଅନେକ ସାମଞ୍ଜସ୍ୟ ରହିଛି। ପୃଥବୀର ଆଗୁଆ ରାଷ୍ଟ୍ର ଭାବେ ପରିଗଣିତ ତଥା ଆମ ଦେଶରେ ବର୍ତ୍ତମାନ ସୁପରିଚିତ ଗ୍ରୁପ୍‌-୨୦ ସଦସ୍ୟ ରାଷ୍ଟ୍ରମାନଙ୍କ କୃଷିଜନିତ ଅବସ୍ଥିତିକୁ ଅନୁଶୀଳନ କରାଯାଉ। ଏହି ଗ୍ରୁପର ନିମ୍ନ ପାଞ୍ଚଟି ସ୍ଥାନରେ ରହୁଥିବା ଭାରତ, ଇଣ୍ଡୋନେସିଆ, ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଦେଶର ଯଥାକ୍ରମେ ୪୨.୬, ୨୮.୫, ୨୫.୩,୯.୧,୫.୩ ପ୍ରତିଶତ ଶ୍ରମ ଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଅପରପକ୍ଷେ ଶୀର୍ଷରେ ଥିବା ପାଞ୍ଚଟି ଦେଶ ଯଥା ଅ‌େଷ୍ଟ୍ରଲିଆ, ଫ୍ରାନ୍ସ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀର ମୋଟ ଶ୍ରମଶକ୍ତିର ମାତ୍ର ୨.୬, ୨.୫, ୧.୫, ୧.୪ ଓ ୧.୨ ପ୍ରତିଶତ କୃଷିକ୍ଷେତ୍ରରେ ଅଛନ୍ତି। ଅର୍ଥାତ୍‌ କୃଷି କ୍ଷେତ୍ରରେ ଆନୁପାତିକ ଭାବେ କମ୍‌ ଲୋକ ନିୟୋଜିତ ରହିଥିବା ଦେଶ ହିଁ ବିଶ୍ବରେ ଅଧିକ ସମୃଦ୍ଧ। ଅବଶ୍ୟ ଭାରତ ପରି ଜନବହୁଳ ରାଷ୍ଟ୍ରରେ କୃଷିକୁ ଅଣଦେଖା କରି ଅନ୍ୟ କ୍ଷେତ୍ରରେ ସଂଖ୍ୟାଧିକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବା ଅସମ୍ଭବ। ତେଣୁ ସବୁ ଜନବହୁଳ ରାଷ୍ଟ୍ରରେ କୃଷି ହିଁ ସିଂହଭାଗ ନାଗରିକଙ୍କର ମୁଖ୍ୟ ଜୀବିକା ହୋଇରହିବ। ତେବେ ଆମ ସମାଜ କୃଷିକୁ ଏକ ନିଷ୍ପ୍ରଭ, ଗୌଣ, ନ୍ୟୂନତର ପେସା ଭାବେ ଚିତ୍ରିତ କରିବା ପରେ ସାମାଜିକ ପ୍ରତିଷ୍ଠା ଓ ଅର୍ଥନୈତିକ ସ୍ବାବଲମ୍ବନତା ପାଇଁ ଭାରତର ଯୁବସମାଜ ଅଣକୃଷି କ୍ଷେତ୍ର ଆଡ଼କୁ ଅଗ୍ରସର ହୋଇଛନ୍ତି। ସରକାରୀ ସ୍ତରରେ ମଧ୍ୟ ଭାରତରେ କାରିଗରୀ କୌଶଳ ବିଭାଗ ଖୋଲାଯାଇ ଯୁବକମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ ଶିଳ୍ପ, ନିର୍ମାଣ, ସେବା ଆଦି କ୍ଷେତ୍ରରେ ଅଧିକ ଆୟ ବିଶିଷ୍ଟ ରୋଜଗାର ଦିଆଯାଇପାରୁଛି। ତେଣୁ ସ୍ବତଃପ୍ରବୃତ୍ତଭାବେ ଗ୍ରାମୀଣ ଭାରତର ବୟସ୍କ ତଥା ଅସହାୟମାନେ ମୁଖ୍ୟତଃ କୃଷି କ୍ଷେତ୍ରକୁ ନିଜ ଜୀବିକା ଭାବେ ଗ୍ରହଣ କରିଛନ୍ତି। ପରିସଂଖ୍ୟାନରୁ ଜଣାଯାଏ, ଜଣେ ଭାରତୀୟ କୃଷକର ହାରାହାରି ବୟସ ୫୦.୧ ବର୍ଷ। କେନ୍ଦ୍ର ସରକାରଙ୍କ କୃଷି​‌ି ମନ୍ତ୍ରଣାଳୟର ତଥ୍ୟ ମଧ୍ୟ କହେ ଦେଶର ୩୩.୭ ପ୍ରତିଶତ କୃଷକ ୪୧-୫୦ ବର୍ଷ ମଧ୍ୟରେ ଓ ୩୩.୨ ପ୍ରତିଶତ କୃଷକଙ୍କର ବୟସ ୫୧-୬୦ ବର୍ଷ ମଧ୍ୟରେ ଅଛି। ଜାତୀୟ ଯୁବନୀତି ଅନୁସାରେ ଭାରତୀୟ ଯୁବକଙ୍କ ବୟସ ୧୫ରୁ ୨୯ ବର୍ଷ ମଧ୍ୟରେ ହୋଇଥିବାବେଳେ, ଏହି ବୟସ ମଧ୍ୟରେ ଥିବା କୃଷକଙ୍କ ସଂଖ୍ୟା ଏଠାରେ ବହୁତ କମ୍‌। ଏପରି ସମସ୍ୟା କେବଳ ଆମ ଭାରତ ବର୍ଷରେ ସୀମିତ ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକାରେ କୃଷକର ହାରାହାରି ବୟସ ୫୮ ବର୍ଷ ହୋଇଥିବାବେଳେ ଜାପାନରେ ୬୮ ବର୍ଷ। ସମୃଦ୍ଧଶାଳୀ ପାଶ୍ଚାତ୍ୟ ଦେଶମାନଙ୍କରେ କୃଷକର ହାରାହାରି ବୟସ ୬୫ ବର୍ଷରୁ କମ୍‌ ନୁହେଁ। ତେଣୁ ସାରା ବିଶ୍ବର ଖାଦ୍ୟନିରାପତ୍ତା ସଂପ୍ରତି ବୟସ୍କ କୃଷକମାନଙ୍କ ଦ୍ବାରା ନିୟନ୍ତ୍ରିତ। ଅର୍ଥାତ୍‌ ଅାମ କୃଷି କ୍ଷେତ୍ର ବର୍ତ୍ତମାନ ଜରାଗ୍ରସ୍ତ ଓ ଏହା ଏକ ପ୍ରମୁଖ ବୈଶ୍ବିକ ସମସ୍ୟା।

prayash

ସୁତରାଂ ପ୍ରଶ୍ନ ଉଠେ, ଭାରତ ପରି ବିଶାଳ ରାଷ୍ଟ୍ର ଯାହାର ଜନସଂଖ୍ୟା ୨୦୫୦ ମସିହା ବେଳକୁ ୧୭୦ କୋଟିକୁ ଅତିକ୍ରମ କରିବ, ଏ ବୟସ୍କମାନଙ୍କ କୃଷି ଉତ୍ପାଦନ ସମସ୍ତଙ୍କୁ କ’ଣ ସୁନିଶ୍ଚିତ ଖାଦ୍ୟ ଯୋଗାଇ ପାରିବ? ଆକଳନ ଅନୁସାରେ ୨୦୫୦ ମସିହା ବେଳକୁ ଆମ ରାଷ୍ଟ୍ରର ଖାଦ୍ୟଶସ୍ୟ ଚାହିଦା ୬୦ ପ୍ରତିଶତ ବୃଦ୍ଧି ପାଇଥିବ। ଖାଦ୍ୟଶସ୍ୟ ତୁଳନାରେ ପନିପରିବା, ଫଳ, ଦୁଗ୍‌ଧଜାତ ଖାଦ୍ୟ, ମାଂସ ଆଦିର ଚାହିଦା ବହୁଗୁଣିତ ହେବ। ଆମର ଉଦ୍ଭାବିତ ନୂତନ ଜ୍ଞାନକୌଶଳ ସେ ଚାହିଦାକୁ ପୂରଣ କରିବାରେ ସକ୍ଷମ ହେବ ତ? ଆମର କ୍ଷୁଦ୍ରାତିକ୍ଷୁଦ୍ର ଅଣଜଳସେଚିତ ଓ ଅସମାନ ଭୂମିରୂ​‌େ​‌ପ ଥିବା ଜମିରେ କେଉଁ ଜ୍ଞାନକୌଶଳ ନେଇ ଜଣେ ଷାଠିଏ ବର୍ଷର ବୃଦ୍ଧ କୃଷକ ଆମ ଚାରି ଓଳି ଖାଦ୍ୟକୁ ଭବିଷ୍ୟତରେ ସୁନିଶ୍ଚିତ କରିପାରିବ; ଏହା ନିଶ୍ଚିତ ଭାବେ ଆଲୋଚ୍ୟ ପ୍ରସଙ୍ଗ। ପ୍ରକୃତିଗତ ଓ ମନୁଷ୍ୟକୃତ ସମସ୍ୟାରେ ଛନ୍ଦି ହୋଇ ରହିଥିବା କୃଷି କ୍ଷେତ କିପରି ଜଣେ ସାଧାରଣ ଓଡ଼ିଆ ଯୁବକର ରୋଜଗାରର ମାଧ୍ୟମ ହୋଇପାରିବ, ଆମର ବର୍ତ୍ତମାନର ଯୋଜନା ସେ ସବୁଦିଗରେ କେତେ ଫଳପ୍ରସୂ ହେବ, ଏହା ଚିନ୍ତାର ବିଷୟ।

ଅବଶ୍ୟ ଆମ ଦେଶ ତଥା ରାଜ୍ୟ ସରକାରଗଣ ଇତି ମଧ୍ୟରେ ଏ ଦିଗରେ କିଛି ପଦକ୍ଷେପ ନେବା ଆରମ୍ଭ କଲେଣି। କେନ୍ଦ୍ର ସରକାର ଓଡ଼ିଶା ରାଜ୍ୟର ଚାରିଟି ଜିଲାର କୃଷି ବିଜ୍ଞାନକେନ୍ଦ୍ର ମାଧ୍ୟମରେ ‘କୃଷି କ୍ଷେତ୍ରକୁ ଯୁବକମାନଙ୍କୁ ଆକର୍ଷଣ କରି ବାନ୍ଧିରଖିବା’ (ଆର୍ଯ୍ୟା) ନାମରେ ଏକ କ୍ଷୁଦ୍ର ପରିଯୋଜନା ଗତ କେତେ ବର୍ଷ ହେଲା ଆରମ୍ଭ କରିଛନ୍ତି। ଆମ ରାଜ୍ୟ ସରକାରଙ୍କର ମହଦାକାଙ୍‌କ୍ଷୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଯୁବକମାନଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବା ଦିଗରେ ଅଭିପ୍ରେତ। ଏସବୁ ବ୍ୟତୀତ କୃଷକମାନଙ୍କ ସାହାଯ୍ୟ ପାଇଁ ପାରମ୍ପରିକ ଭାବେ କୃଷିକାର୍ଯ୍ୟର ବିଭିନ୍ନ ଦିଗରେ ସରକାରଙ୍କର ଆର୍ଥିକ ସହାୟତା ଓ ରିଆତି ରହିଛି କିନ୍ତୁ ଏହା ରାଜ୍ୟର ସମ୍ବଳରହିତ ୯୩ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର କୃଷି ପରିବାରର ଦାୟାଦମାନଙ୍କୁ ଠିକ୍‌ ଭାବରେ ଆକୃଷ୍ଟ କରିପାରୁଛି ତ? ରାଜ୍ୟର ଅବହେଳିତ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗର ସ୍ବଳ୍ପ ସମ୍ବଳଧାରୀ ଯୁବକଗଣ ଏହାର ଲାଭ ଉଠାଇପାରୁଛନ୍ତି ତ? ୨୦୩୦ ମସିହା ବେଳକୁ ଭାରତର କେତେ ଯୁବଶକ୍ତି ନିଜକୁ କୃଷି କ୍ଷେତ୍ରରେ ସାମିଲ୍‌ କରିପାରିବେ ଓ ସେମାନେ ସମାଜର କେଉଁ ଅଂଶକୁ ପ୍ରତିନିଧିତ୍ବ କରୁଥିବେ, ସେ ଯୋଜନାର ବ୍ଲୁ ପ୍ରିଣ୍ଟ୍‌ କାହିଁ? ସର୍ବନିମ୍ନ ପୁଞ୍ଜି ନଥିବା ଉପରୋକ୍ତ ବର୍ଗର ଯୁବକ ଯୁବତୀମାନଙ୍କ ପ୍ରତି ବ୍ୟାଙ୍କମାନଙ୍କ ମନୋଭାବ କ’ଣ, ସେ ବିଷୟରେ ସରକାର ଅବଗତ କି? କଳା, ସଂସ୍କୃତି, କ୍ରୀଡ଼ା, ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଯୁବକ ସହ ସଫଳ ଯୁବ କୃଷକ କିପରି ସାମାଜିକ ସ୍ତରରେ ସମତୁଲ ହୋଇପାରିବ, ସେ ସମ୍ବନ୍ଧରେ ସରକାର କ’ଣ ଯୋଜନା କରିଛନ୍ତି? ଏସବୁ ପ୍ରଶ୍ନର ଉତ୍ତରରେ ହିଁ ଆମ ଭବିଷ୍ୟତର କୃଷି ତଥା ଖାଦ୍ୟ ନିରାପତ୍ତା ନିର୍ଭର କରେ। ବ୍ୟବସାୟୀ, ଓକିଲ, ଠିକାଦାର, ଚାକିରିଆ ଆଦି ବିଭିନ୍ନ ପେସାଦାରଙ୍କ ପରି କୃଷକ ସ୍ବାବଲମ୍ବୀ ହୋଇ ସାମାଜିକ ସ୍ବୀକୃତି ପାଇଲେ ହିଁ ତା’ର ପରପିଢ଼ି ଚାଷକୁ ଗ୍ରହଣ କରିବେ- ଏଥିରେ ସନ୍ଦେହ ନାହିଁ।

ଏବେ ସାରା ବିଶ୍ବର କୃଷି ବୟସ୍କଙ୍କ ଦ୍ବାରା ପରିଚାଳିତ। ସେମାନଙ୍କୁ ନେଇ ଖାଦ୍ୟ ନିରାପତ୍ତା ତଥା ପୁଷ୍ଟି ନିରାପତ୍ତାର ରଙ୍ଗିନ ଚିତ୍ର କେତେ ଦିନ ଆମେ ସମାଜକୁ ଦେଖେଇ ପାରିବା- ତାହା ଏକ ବିରାଟ ପ୍ରଶ୍ନବାଚୀ। ଏଥିପାଇଁ ସମସ୍ତେ ବେଳହୁଁ ସାବଧାନ ହେବା ଉଚିତ୍।

kalyan agarbati

Comments are closed.