www.samajalive.in
Sunday, December 14, 2025
23.1 C
Bhubaneswar

କୋଟିପତି ଭିକାରି

ବଳରାମ ଦାସଙ୍କ ଭାଷାରେ- ‘‘ଭାଗ୍ୟ ଥିଲା ଲୋକ ସିନା ପରକୁ ଦିଅଇ, ଅଭାଗ୍ୟବନ୍ତ ଲୋକ ଯେ ମାଗିବାକୁ ଯାଇ।’’ ସାଧାରଣତଃ ଆମେ ଜାଣୁ ‘‘ଭିକ୍ଷା ମାଗିବା ମନ୍ଦ କାମ’’ ପରନ୍ତୁ ଲୋକର ପେଟ ପୋଡ଼ିଗଲେ, ରୋଜଗାର କେଉଁଠି ନ ପାଇଲେ ବୃଦ୍ଧବୃଦ୍ଧାମାନେ ପରିବାର ଦ୍ୱାରା ପ୍ରତ୍ୟାକ୍ଷିତ ହୋଇ ଭିକ୍ଷାଥାଳ ଧରି ଦ୍ୱାର ଦ୍ୱାର ବୁଲୁଥାନ୍ତି। ଏହାଛଡ଼ା ଦିବ୍ୟାଙ୍ଗ ବ୍ୟକ୍ତିମାନେ ରୋଜଗାର ପନ୍ଥା ନ ପାଇ ଭିକ୍ଷାବୃତ୍ତିକୁ ଆଦରି ନେଇଥାନ୍ତି। ସାରା ପୃଥିବୀରେ ଭିକ୍ଷୁକ ଦେଖାଯାନ୍ତି। ଆମେରିକାରେ ମଧ୍ୟ ଭିକାରି ଅଛନ୍ତି। ଗ୍ରାମାଞ୍ଚଳରେ ଘରକୁ ଭିକାରିଟିଏ ଆସିଲେ ମା’ ମାନେ ଚାଉଳ ମୁଠିଏ ହେଉ ଅବା ଟଙ୍କା ଅବା ଖାଇବା ଜିନିଷ ଦେଇଥାନ୍ତି। ଦୁଆରୁ ଭିକାରି ଫେରିଗଲେ ଘରର ଅମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯଦିଓ ବର୍ତ୍ତମାନ ମଫସଲ ଗାଁ ମାନଙ୍କରେ ଭିକ୍ଷୁକ ଦେଖିବାକୁ ମିଳୁନାହାନ୍ତି; କିନ୍ତୁ ସହରରେ ଏମାନଙ୍କ ସଂଖ୍ୟା ଅଧିକ। ମେଳା ମହୋତ୍ସବ, ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ, ମନ୍ଦିର ସାମ୍‌ନା ଓ ଟ୍ରାଫିକ୍ ଛକମାନଙ୍କରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳେ।

ଆଗ କାଳରେ ବୌଦ୍ଧ ଭିକ୍ଷୁମାନେ ଭିକ୍ଷା କରୁଥିଲେ। ରାବଣ ଭିକ୍ଷୁକ ବେଶରେ ସୀତାଙ୍କୁ ଅପହରଣ କରିନେବା, ଭିକ୍ଷୁକ ବେଶରେ ଘରୁ ଚୋରି କରିବା ଓ ପିଲାଙ୍କୁ ଅପହରଣ କରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳେ। କେତେକ ଭଦ୍ର ଭିକାରି ରସିଦ ବହି ଖଣ୍ଡେ ଧରି ମନ୍ଦିର ନିର୍ମାଣ, ଯାଗଯଜ୍ଞ ନାମରେ ରସିଦ କାଟି ଉଦରସ୍ଥ କରିଥାନ୍ତି। ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଆମ ଦେଶ ଭାରତ ଭିକାରିରେ ସର୍ବାଗ୍ରେ ରହିଛି। ୨୮ ହଜାର ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ୩ ହଜାର ଭିକାରି ଡିପ୍ଳୋମା ଡିଗ୍ରୀଧାରୀ। ୨୦୧୧ ଜନଗଣନା ରିପୋର୍ଟରେ ଏହା ପ୍ରକାଶିତ। ଭାରତରେ ୩ ଲକ୍ଷ ୭୨ ହଜାର ଭିକାରିଙ୍କ ମଧ୍ୟରୁ ୨୧ ପ୍ରତିଶତ ଦ୍ୱାଦଶ ଶ୍ରେଣୀ ପଢ଼ା। ଅନେକ ଭିକାରି ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଛନ୍ତି। ଯେତେବେଳେ ଏମାନଙ୍କୁ ଭିକାରି ହେବାର କାରଣ ସଂପର୍କରେ ପଚରାଗଲା ସେମାନେ କହିଥିଲେ, ‘‘ଶିକ୍ଷାଗତ ଡିଗ୍ରୀଦ୍ୱାରା ଆଶାନୁଯାୟୀ ଚାକିରି ନ ମିଳିବାରୁ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛୁ ।’’

- Advertisement -

ଭିକ୍ଷା ମାଗିବା ଏକ ମନ୍ଦବୃତ୍ତି ହୋଇଥିବାରୁ ସରକାର ବର୍ତ୍ତମାନ ଭିକାରି ମୁକ୍ତ ସହର ଘୋଷଣା କରି ସେମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ଖାଇବା, ପିଇବା ଦେଇ ରଖିଲେ ମଧ୍ୟ ସେମାନେ ସେଠାରୁ ଲୁଚିଛପି ପୁଣି ଭିକ୍ଷାବୃତ୍ତିକୁ ଆପଣାଇ ନେଇଛନ୍ତି। ସେମାନଙ୍କ କହିବା କଥା ହେଲା ଆମେ ଏଠାରେ ରହିବା ଖାଇବାର ସୁବିଧା ପାଉଛୁ କିନ୍ତୁ କିଛି ରୋଜଗାର ନାହିଁ। ଭିକ୍ଷାବୃତ୍ତିରୁ ଅନେକ ଲକ୍ଷପତି ହୋଇଥିଲେ ମଧ୍ୟ ନିଜ ରୋଜଗାର ନେଇ କାହାର ଶାନ୍ତି ନାହିଁ।

ପାଟନାର ଜଣେ ଭିକାରୁଣୀ ସର୍ବତୀୟା ଦେବୀ ବୀମା ବାବଦକୁ ବାର୍ଷିକ ୩୨ ହଜାର ଟଙ୍କା ପୈଠ କରନ୍ତି। ମୁମ୍ୱଇରେ ଭିକାରିଙ୍କ ସଂଖ୍ୟା ୩ ଲକ୍ଷ ପାଖାପାଖି ଏବଂ ସେମାନଙ୍କ ବାର୍ଷିକ ଆୟ ଶତାଧିକ କୋଟି ଟଙ୍କା। ଏଠାରେ ଅଛନ୍ତି ବହୁ ଶ୍ରେଣୀର ଭିକାରି। କେବଳ ଭିକ୍ଷାବୃତ୍ତିରୁ ଅଧିକାଂଶଙ୍କର ମାସିକ ଆୟ ଅନ୍ୟୂନ ୨୦ ହଜାର ଟଙ୍କା। ସେମାନଙ୍କ ପାଇଁ ଭିକ୍ଷାବୃତ୍ତି ହେଉଚି ଉପାର୍ଜନର ସର୍ବଶ୍ରେଷ୍ଠ ପନ୍ଥା। କେତେକ ଗ୍ୟାଙ୍ଗ୍‌ ଭିକାରିଙ୍କୁ ନିୟନ୍ତ୍ରିତ କରୁଛନ୍ତି। ବମ୍ୱେର ଜଣେ ଭିକାରି ସ୍ୱାମୀଜୀ ସୋଲାପୁରରେ ଦୁଇଟି ଫ୍ଳାଟ୍‌ କିଣିଛନ୍ତି ଓ ତାଙ୍କର କୋଟି କୋଟି ଟଙ୍କାର ବ୍ୟାଙ୍କ୍‌ ବାଲାନ୍ସ ଅଛି।

ମାମୁ ଓରଫ ମଲାନାଙ୍କ ବୟସ ୭୦ ବର୍ଷ। ତାଙ୍କର ଦୈନିକ ଆୟ ହଜାରରୁ ପନ୍ଦର ଶହ ଟଙ୍କା। ପଶ୍ଚିମ ଅନ୍ଧେରୀ ଅନ୍ତର୍ଗତ ଆମ୍ବୋଲୀରେ ଏକ ଦୁଇ ମହଲା କୋଠାରେ ରହୁଥିବା ମାମୁ, ସନ୍ଧ୍ୟା ପରେ, ମଳିଧୂଳି ଲାଗିନଥିବା ମୂଲ୍ୟବାନ ପୋଷାକ ପିନ୍ଧି, ଅଟୋରେ ଭିକ ମାଗିବାକୁ ଯାଆନ୍ତି ‘ଆଡ଼ଲାଜ’ ନିକଟରେ ଅଟୋରୁ ଓହ୍ଲାଇ ପୋଷାକ ବଦଳାଇ, ଛିଣ୍ଡା ପିନ୍ଧି, ଭିକାରି ବେଶ ଧାରଣ କରନ୍ତି। ତାହାପରେ ରାତ୍ରି କାଳୀନ ଆସର ଜମୁଥିବା ମହଙ୍ଗା ରେସ୍ତୋରାଁଗୁଡ଼ିକ ଆଗରେ ରାତି ତିନିଟାଯାଏ ଘୂରି ବୁଲନ୍ତି। ଘରକୁ ଫେରନ୍ତି ଅଟୋରେ। ପୋଷାକ ବଦଳାନ୍ତି ‘ୟଶରାଜ ଷ୍ଟୁଡ଼ିଓ’ ପାଖରେ। ଦୁଇଟି କୋଠାଛଡ଼ା ତାଙ୍କର ଅଛି ପ୍ରାୟ ୫୦ ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତି। ମାମୁଙ୍କର ଦୁଇ ପୁଅ। ଜଣେ ଝାଡ଼ୁ ବିକେ; ଅନ୍ୟ ଜଣକ ଅନ୍ଧେରି ରେଳଷ୍ଟସନ୍‌ ଅଞ୍ଚଳରେ ବଦମାସି କରେ । କୃଷ୍ଣକୁମାର ବାତେଙ୍କ ବୟସ ତେପନବର୍ଷ। ତାଙ୍କର ଦୈନିକ ଆୟ ହଜାରେରୁ ଦୁଇହଜାର ଟଙ୍କା। ଚର୍ନୀ ରୋଡ଼ ଅଞ୍ଚଳରେ ସକାଳୁ ସନ୍ଧ୍ୟା ସେ ଘୂରି ବୁଲି ଭିକ୍ଷା ମାଗନ୍ତି। ନାଲା ସୋପାରାରେ ତାଙ୍କର ବିଶାଳ ପ୍ରାସାଦ ଅଛି। ଭାଇ, ଭାଇବୋହୂ, ପୁତୁରା, ଝିଆରୀଙ୍କ ସହ ସେ ରହନ୍ତି। ଘରକୁ ଫେରିଲେ, ଦିନର ରୋଜଗାର ଭାଇ ହାତରେ ଧରେଇ, ଦାମିକା ମଦ ପିଇ ଗଡ଼ନ୍ତି। ସେ ପିଅନ୍ତି କେବଳ ‘‘ଜ୍ୟାକ ଡାନିଏଲ’’ ଯାହାର ମୂଲ୍ୟ ପାଞ୍ଚ ହଜାରରୁ ଅଧିକ।

ଭରତ ଜୈନଙ୍କ ବୟସ ପଚାଶ ଉପରେ ଏବଂ ଦୈନିକ ଆୟ ଦୁଇ ହଜାରରୁ ପଚିଶ ଶହ ଟଙ୍କା। ସେ ଉଚ୍ଚ ଶିକ୍ଷିତ। ସ୍ପଷ୍ଟ ଇଂଲିଶ କହନ୍ତି। ଘର ପରଲରେ। ପାରିବାରିକ ବ୍ୟବସାୟ ରହିଛି। ସେଥିରୁ ପର୍ଯ୍ୟାପ୍ତ ଆୟ ହୁଏ। ଅଭାବ କଣ ଜାଣନ୍ତିନି; କିନ୍ତୁ ଗଲା ୩୦ ବର୍ଷ ହେବ ଆଜାଦ ମୈଦାନ ଏବଂ ଛତ୍ରପତି ଶିବାଜି ଟର୍ମିନାଲ ଅଞ୍ଚଳରେ ଭିକ ମାଗି ଆସିଲେଣି ତାଙ୍କର ଦୁଇ ପୁଅ। ଦୁହେଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିଛନ୍ତି। ଘରେ ଯେତେ ମନା କଲେ ମଧ୍ୟ ଘୃଣ୍ୟ ଧନ୍ଦା ଛାଡ଼ି ପାରୁ ନାହାନ୍ତି। ତାଙ୍କର ମୋଟ ସଂପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ।

ବମ୍ୱେ ପ୍ରିଭେନ୍‌ସନ୍‌ ଅଫ୍‌ ବେଗିଂ ଆକ୍ଟ ୧୯୫୯ ଅନୁଯାୟୀ ଭାରତରେ ଭିକ ମାଗିବା ବେଆଇନ୍‌। ଏକ ବର୍ଷ ପାଇଁ ଜେଲଦଣ୍ଡ ଏବଂ ଦ୍ୱିତୀୟ ଥର ଦୋଷୀ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ଦଣ୍ଡ କାହା ପ୍ରତି ଲାଗୁ ହୋଇନାହିଁ। ବିଦେଶୀ ପର୍ଯ୍ୟଟକଙ୍କ ନିକଟରେ ଭାରତ ଅପଦସ୍ଥ ହୋଇଛି। ଭିକ୍ଷାବୃତ୍ତି ଆପଣେଇଥିବା ବ୍ୟକ୍ତି ସ୍ୱାଭିମାନୀ ହୋଇ ସରକାରଙ୍କ ଆଶ୍ରୟସ୍ଥଳରେ ଅବଶିଷ୍ଟ ଜୀବନ ବିତାଇବା ଉଚିତ୍‌, କାରଣ ଏହା ଏକ ଘୃଣ୍ୟ କାର୍ଯ୍ୟ। ସରକାର ଏବଂ ସମାଜସେବୀମାନେ ଏମାନଙ୍କୁ ତୁରନ୍ତ ଥଇଥାନ କଲେ ବିଶ୍ୱସ୍ତରରେ ବଦନାମରୁ ଆମେ ରକ୍ଷା ପାଇପାରିବା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories