www.samajalive.in
Monday, December 15, 2025
27.1 C
Bhubaneswar

ସିଗ୍‌ନାଲ ତ୍ରୁଟିରୁ ଦୁର୍ଘଟଣା ; ଦାୟୀ ୭ କର୍ମଚାରୀ ନିଲମ୍ବିତ

ଚିହ୍ନଟ ହୋଇପାରିନାହିଁ୪୧ ଯାତ୍ରୀଙ୍କ ଶବ, ସମୁଦାୟ ୨୯୫ ମୃତ, ୧୭୬ ଗୁରୁତର ଆହତ, ୨୯.୪୯ କୋଟି କ୍ଷତିପୂରଣ ରାଶି ବଣ୍ଟନ

ନୂଆଦିଲ୍ଲୀ : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୧ ଜଣ ଯାତ୍ରୀଙ୍କ ଶବ ଚିହ୍ନଟ ହୋଇପାରିନାହିଁ। ପରିଚୟ ମିଳିପାରିନଥିବା ଯାତ୍ରୀଙ୍କ ଶବକୁ ଭୁବନେଶ୍ୱରସ୍ଥିତ ଏମ୍ସରେ ସଂରକ୍ଷିତ ରଖାଯାଇଛି ବୋଲି ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଣାଇଛନ୍ତି। ସାଂସଦ ଡ଼ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ନୂଆଦିଲ୍ଳୀ ସ୍ଥିତ କେନ୍ଦ୍ରୀୟ ଫରେନସିକ ଲାବ୍ରୋଟାରୀ (ସିଏଫଏସଏଲ)କୁ ମୃତକଙ୍କ ଡିଏନଏ ପଠାଯାଇଥିଲା। ଭବିଷ୍ୟତରେ ଦାବିଦାରଙ୍କ ଡିଏନଏ ସହ ମୃତକଙ୍କ ଡିଏନଏ ତାଳମେଳ ପାଇଁ ରିପୋର୍ଟ ଗୁଡ଼ିକୁ ରଖାଯାଇଛି। ମୃତକଙ୍କ ଅନ୍ତିମସଂସ୍କାର ପ୍ରସଙ୍ଗରେ ମନ୍ତ୍ରୀ ବୈଷ୍ଣବ ଜଣାଇଛନ୍ତି ଯେ ଆଇନ ଅନୁଯାୟୀ ଡାକ୍ତରୀ ଦଳ, ସରକାରୀ ରେଳ ପୁଲିସ ଏବଂ ସିବିଆଇ ପରାମର୍ଶ କ୍ରମେ ଶବସତ୍କାର କରାଯିବ। ଜୁନ ୨ ରେଳ ଦୁର୍ଘଟଣାରେ ସମୁଦାୟ ୨୯୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହ ୧୭୬ ଜଣ ଯାତ୍ରୀ ଗୁରୁତର ଭାବେ ଆହତ, ୪୫୧ ଜଣ ସାମାନ୍ୟ ଭାବେ ଆହତ ଏବଂ ୧୮୦ ଜଣଙ୍କୁୂ ଫାଷ୍ଟଏଡ ଚିକିତ୍ସା ମିଳିଥିଲା। ମୃତକଙ୍କ ମଧ୍ୟରୁ ୨୫୪ ଜଣଙ୍କ ଶବ ଚିହ୍ନଟ ସରିଛି ଏବଂ ମରଶରୀର ଅନ୍ତିମସଂସ୍କାର ପାଇଁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।
ଦୁର୍ଘଟଣା କ୍ଷତିପୂରଣ ବାବଦରେ ଜୁଲାଇ ୧୬ ସୁଦ୍ଧା ରେଳ ମନ୍ତ୍ରାଳୟ ଦ୍ୱାରା ସମୁଦାୟ ୨୯ କୋଟି ୪୯ ଲକ୍ଷ ରାଶି ବଣ୍ଟନ ସରିଛି। ଏଥିରେ ମୃତକଙ୍କ ଆତ୍ମୀୟସ୍ୱଜନଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ରହିଛି। ରେଲୱେ କ୍ଲେମ ଟ୍ରାଇବୁନାଲଙ୍କ ଆଦେଶକ୍ରମେ କ୍ଷତିପୂରଣ ରାଶି ରେଳ ମନ୍ତ୍ରାଳୟ ପ୍ରଦାନ କରୁଛି। ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ରେଳ କ୍ଲେମ ଟ୍ରାଇବୁନାଲ ପୀଠ ଦ୍ୱାରା ଯଥାଶୀଘ୍ର ଦାଖଲ ଦାବି ସମାଧାନ ପାଇଁ ନୂଆଦିଲ୍ଲୀ ସ୍ଥିତ ରେଳ କ୍ଲେମ ଟ୍ରାଇବୁନାଲଙ୍କ ପ୍ରଧାନପୀଠ ନିଜଆଡ଼ୁ ୧୫ ଜୁନ ୨୦୨୩ରେ ଆଦେଶନାମା ଜାରି କରିଥିଲେ। ଜୁଲାଇ ୧୩ ସୁଦ୍ଧା ବାହାନଗା ରେଳ ଦୁର୍ଘଟଣା କ୍ଷତିପୂରଣ ପ୍ରସଙ୍ଗରେ ବିଭିନ୍ନ ରେଳ କ୍ଲେମ ଟ୍ରାଇବୁନାଲ ପୀଠରେ ସମୁଦାୟ ୨୫୮ଟି ଦାବି ହସ୍ତଗତ ହୋଇଛି। ସେଥିମଧ୍ୟରୁ ୫୧ଟି ଦାବିକୁ ରେଳ କ୍ଲେମ ଟ୍ରାଇବୁନାଲ ଫଇସଲା କରିସାରିଛନ୍ତି।
ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)ଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ବାହାନଗା ରେଳଷ୍ଟେସନ ଉତ୍ତର ସିଗନାଲ ଗୁମୁଟିରେ ସିଗନାଲିଂ-ସର୍କିଟ-ଅଲଟରେସନ ସମୟରେ ତ୍ରୁଟି ଯୋଗୁଁ ରେଳ ଦୁର୍ଘଟଣା ଘଟିଥିଲା। ବାହାନଗା ରେଳଷ୍ଟେସନ ନିକଟସ୍ଥ ଗେଟ ସଂଖ୍ୟା ୯୪ରେ ଇଲେକ୍‌‌ଟ୍ରିକ ଲିଫ୍ଟିଂ ବ୍ୟାରିଅର ବଦଳ ସମୟରେ ସିଗନାଲିଂ କାର୍ଯ୍ୟରେ ମଧ୍ୟ ତ୍ରୁଟି ଘଟିଥିଲା। ଏସବୁ ତ୍ରୁଟି ଯୋଗୁଁ ଅପ ଲାଇନରେ ଆସୁଥିବା ଟ୍ରେନ ସଂଖ୍ୟା ୧୨୮୪୧କୁ ଭୂଲ ସଂକେତ ମିଳିଥିଲା। ଅପ ମେନ ଲାଇନରେ ସିଗନାଲ ସବୁଜ ଥିବା ବେଳେ ରେଲ ଲାଇନର ସଂଯୋଗ ଲୁପ ଲାଇନରେ ହିଁ ରହିଥିଲା। ଫଳରେ ଲୁପ ଲାଇନରେ ଛିଡ଼ା ହୋଇରହିଥିବା ମାଲଗାଡ଼ିକୁ ଟ୍ରେନ ସଂଖ୍ୟା ୧୨୮୪୧ ପଛରୁ ଧକ୍କା ଦେଇଥିଲା। ରେଳ ସୁରକ୍ଷା ଆୟୁକ୍ତଙ୍କ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଟି ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ଅବହେଳାରୁ ଘଟିଛି। ଏଥିଯୋଗୁଁ ଦୁର୍ଘଟଣାରେ ଦାୟୀ ୭ଜଣ ରେଳ କର୍ମଚାରୀଙ୍କୁ ନିଳମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଡି ଆଣ୍ଡ ଏଆର ପ୍ରୋସିଡିଂ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories