ବଦଳି
ଶରତ ଚନ୍ଦ୍ର ରଥ
ବଦଳି ହେବାକୁ ପଡ଼ିବ ବୋଲି ଭାବିନଥିଲି, ଚାକିରି ଆରମ୍ଭବେଳେ ବଦଳି ଚିନ୍ତା ତ ଚିନ୍ତା ଭାବନା ମଧ୍ୟରେ ନଥିଲା। ଚାକିରି କଲେ ବଦଳି ଅଛି ଶୁଣିଥିଲି, ମାତ୍ର କେତେ ସତ କେତେ ମିଛ ଭାବିନଥିଲି। ପରେ ବୁଝିଲି ଯେ ମୋ ଭାବନା ସହିତ ବଦଳି ପ୍ରକ୍ରିୟାର କିଛି ସମ୍ପର୍କ ନାହିଁ। ମୁଁ ନ ଭାବିଲେ ମଧ୍ୟ ବଦଳି ଆଦେଶ ଆସିବ, ବେଶିଦିନ ଚାକିରି କଲା ପରେ ଏକଥା ଅନୁଭବ କଲି। ଆମ ଅଫିସ ଭିତରୁ କେତେ ଜଣଙ୍କର ବଦଳି ହେବାର ଦେଖି ଏବଂ ଏଇ ଅଫିସରୁ ପ୍ରତ୍ୟେକଙ୍କର ଦିନେନା ଦିନେ ବଦଳି ହେବ ବୋଲି ଶୁଣି ବୁଝିବାକୁ ହେଲାଣି ଯେ ପ୍ରସ୍ତୁତ ରହିବାକୁ ପଡ଼ିବ। ବଡ଼ ଅଫିସର ତିନିଜଣଙ୍କର ଦୁଇବର୍ଷ ତଳେ ବଦଳି ହୋଇଥିଲା, ଗତ ବର୍ଷ ସାନ ଦୁଇଜଣଙ୍କର ବଦଳି ଆଦେଶ ଆସିଲା। ଏମିତି ତୁରନ୍ତ ଆଦେଶ ଯେ ମହଲତ ମାଗିବାକୁ ବେଳ ମିଳିଲା ନାହିଁ, ଯଥାଶୀଘ୍ର ନୂଆସ୍ଥାନରେ ଯୋଗଦେବାକୁ ତ୍ବରିତ ନିର୍ଦେଶ ଆସିଲା। ସେ ଆଦେଶକୁ ଖାରଜ କରିବାପାଇଁ ନେତା ମନ୍ତ୍ରୀ କେହି ସମର୍ଥ ହେଲେ ନାହିଁ। ଏପରିକି କାହା ପାଖରେ ଗୁହାରି କରିବାପାଇଁ ସମୟ ମଧ୍ୟ ମିଳିଲା ନାହିଁ। ଗୁହାରି କରିଥିଲେ ମଧ୍ୟ କିଛି ଲାଭ ହୋଇନଥାନ୍ତା। କାରଣ ସେପରି ସୁବିଧା ସେଥିରେ ପାଇବାର ବ୍ୟବସ୍ଥା ନଥିଲା। ବଦଳି ହିଁ ବଦଳି, ଯିବାକୁ ପଡ଼ିବ ହିଁ ପଡ଼ିବ।
ପୁରୁଣା ଅଫିସ ଏବଂ ନୂଆ ଅଫିସର ବ୍ୟବସ୍ଥା ଭିନ୍ନ, ସେଠାରେ ଏ ନଥିପତ୍ର, ଡ୍ରେସକୋଡ, ଖାତା ଖତିଆନ କିଛି କାମ ଦେବ ନାହିଁ। ସେଠାରେ ସବୁ ଅଲଗା, ସବୁ ନୂଆ କେବଳ କାମ ଦେଲେ ଦେବ କର୍ମଦକ୍ଷତା ଜନିତ କିଛି କିଛି ଅଭିଜ୍ଞତା। ସଚ୍ଚୋଟପଣିଆ, ଜନସହଯୋଗୀ ମନୋଭାବ, କର୍ତ୍ତବ୍ୟ ପରାୟଣତାକୁ ସାଙ୍ଗରେ ନେଇହେବ। ବଦଳି ତ ହେବ, ତେବେ ପ୍ରମୋସନରେ ବଦଳିହେଲେ ହୁଏତ ଏତେ ମନକଷ୍ଟ ହେବନାହିଁ। ଏକଥା ମଧ୍ୟ ବୁଝି ହେବ ଯେ ଚରିତ୍ର ପଞ୍ଜିକାରେ ନୈତିକତାଜନିତ ମାର୍କିଂ କାମ ଦେଲା ବୋଲି। ନୂଆ ଜାଗା, ନୂଆ ପରିବେଶ, ନୂଆ ଘରଦ୍ବାର, ନୂଆ ସହକର୍ମୀ, ସମସ୍ତେ ସେଠାରେ ନୂଆ ହେଲେ ମଧ୍ୟ ଚଳିବାରେ ବିଶେଷ ଅସୁବିଧା ହେବନାହିଁ କାରଣ ସାଙ୍ଗରେ ଯାଇଥିବା ସରଳତା, ମାନବିକତା, ସହୃଦୟତା ସର୍ବୋପରି ସଚେତନତା ସେଠାରେ ପୁଞ୍ଜିପରି କାମ ଦେବ। ଅତଏବ ଅଭିଜ୍ଞତା ସହିତ ମଣିଷପଣିଆ କେବଳ ସାଙ୍ଗରେ ଯିବ। ବଦଳି ପରେ ପୁରୁଣା ଅଫିସରେ ଚଉକି ଥିବ ମାତ୍ର ବସିବାକୁ ପୂର୍ବରୁ ବସୁଥିବା ଲୋକଜଣକ ନଥିବେ, କଲମ ଥିବ ମାତ୍ର ଲେଖିବାକୁ ସେ ହାତ ନଥିବ। ସେ ପଙ୍ଖା ଥିବ ଓ ବୁଲୁଥିବ ମାତ୍ର ସେ ପବନ ପାଇବାକୁ ସେ ବ୍ୟକ୍ତି ନଥିବେ। ବିଦାୟ ଉତ୍ସବରେ କେବଳ ଶ୍ରଦ୍ଧାର ଫୁଲମାଳଟିଏ ଅବା ଫୁଲତୋଡ଼ାଟିଏ ଦେବାର ବ୍ୟବସ୍ଥା ଥିବ, ଜୋତା ନୁହେଁ କି ଛତା ନୁହେଁ। କାରଣ ନୂଆ ଜାଗାକୁ ଛତା ନେଇହେବ ନାହିଁ କି ଜୋତା ନେଇ ହେବନାହିଁ। ତେଣୁ ବିଦାୟ ଉତ୍ସବରେ ଉପହାର ନିମନ୍ତେ ଏସବୁ ଜିନିଷ ବୃଥା। ଏହାର କିଛି ମୂଲ୍ୟ ନାହିଁ। କାରଣ ସେ ସ୍ଥାନର ତନଖି ଫାଟକରେ ଏସବୁ ବସ୍ତୁ ଯାଇପାରିବ ନାହିଁ। କଟକଣା ପ୍ରବଳ।
ମନରେ ପ୍ରଶ୍ନ ଆସିବ, ଏ କି ପ୍ରକାରର ବଦଳି, କିଛିନେଇ ହେବନାହିଁ, ଖଟ ନେଇ ହେବନାହିଁ, ଆଲମାରି ନେଇ ହେବନାହିଁ, ଟେବୁଲ-ଚେୟାର ନେଇହେବ ନାହିଁ, କିଛି ଆସବାବ ପତ୍ର ନେଇ ହେବ ନାହିଁ। ତେବେ ଚଳିବ କିପରି? ମଣିଷଟିଏ ତ ପଶୁ ନୁହେଁ ଯେ କିଛି ଆସବାବପତ୍ର ନଥାଇ ଚଳିଯିବ, ବିନା ଆସବାବପତ୍ରରେ ମଣିଷ ଚଳିବ କେମିତି। ଉତ୍ତର ହେଉଛି ସେ ଜାଗାରେ ପହଞ୍ଚିଲେ ଚଳିବାପାଇଁ ଯାହାଯାହା ଦରକାର ତାହା ସବୁ ନୂଆ କରି କିଣିବାକୁ ପଡ଼ିବ। ନୂଆ ଡିଜାଇନର ଜିନିଷପତ୍ର, ବେଶପୋଷାକ, ଖାଦ୍ୟପାନୀୟ, ଆୟ ଅଳଙ୍କାର ସବୁକିଛି କିଣିବାକୁ ପଡ଼ିବ। ଏ ଜାଗାର ଭାଷା ସେ ଜାଗାରେ ହୁଏତ ନ ଚଳିପାରେ, ନୂଆ ଭାଷା ଶିଖିବାକୁ ପଡ଼ିବ। ସବୁକିଛି ନିଜେନିଜେ କରିବାକୁ ପଡ଼ିବ। ପୁରୁଣା ଜାଗାର କେହି ସାଙ୍ଗରେ ଯିବେନି କି ପାଖରେ ନଥିବେ, ସେ ବିଚିତ୍ର ଜାଗା। ବଦଳିହେଲେ ଏକା ଯିବାକୁ ପଡ଼ିବ। ପୁରୁଣା ଜାଗା, ପୁରୁଣା ଚଳଣି, ପୁରୁଣା ଅଭ୍ୟାସ ବଦଳାଇବାକୁ ପଡ଼ିବ। ପୁରୁଣା ସବୁ କିଛି ପାସୋର ହୋଇଯିବ ଆପେଆପେ। କାରଣ ନୂଆ ଜାଗାର ଏକ କୁହୁକ ଶକ୍ତି ଅଛି। ନୂଆ ଏକ ମହକ ଅଛି। ସେଠାରେ ମିଳିବେ ନୂଆଲୋକ, ନୂଆ ପଡ଼ୋଶୀ, ନୂଆ ବନ୍ଧୁବାନ୍ଧବ, ନୂଆ ସାଙ୍ଗସାଥୀ, ଆସ୍ତେଆସ୍ତେ ସେ ଜାଗା ପୁଣି ଭଲ ଲାଗିବ, ମନ ପୁଣି ସେଠାରେ ଲାଗିବ, ଖାଲି ଲାଗିବ ନାହିଁ, ଏପରି ଲାଗିଯିବ ଯେ ପୁରୁଣା କଥା କିଛି ମନେ ପଡ଼ିବ ନାହିଁ। ମନେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ମନେ ପକେଇ ହେବନାହିଁ। ନୂଆ ଜାଗାରେ ମନକୁ ମନ ଖାପଖୁଆଇ ହୋଇଯିବ। ପୁଣି ନୂଆ ଘର, ନୂଆ ଘରସଜ୍ଜା ଆରମ୍ଭ ହେବ। ଭଲ ଲାଗିବ ସେ ହାଟବାଟ, ଭଲଲାଗିବ ସେ ନଈତୁଠ, ଭଲ ଲାଗିବ ସେ ମାଟି, ପାଣି, ପବନ, ଫଳ, ଫୁଲ, ନାଚ, ଗୀତ, ଭାଷାଚୟନ। ସକାଳର ସୂର୍ଯ୍ୟ କିରଣରେ ଭରିଥିବ ଅସୀମ ଆତ୍ମୀୟତା, ତାରାଭରା ଆକାଶରେ ବୁଝି ନହେଲେ ବି ଚାଲିଥିବ ତାରାମାନଙ୍କର ତୁନିତୁନି କଥା। ଜହ୍ନ ରାତିରେ ଝରିପଡ଼ୁଥିବ ମସୃଣ ଚାନ୍ଦିନୀ। ସାପ, ବେଙ୍ଗ, ମୂଷା, ଚୁଚୁନ୍ଦ୍ରା ଯେ ସେଠାରେ ନ ଥିବେ, ଏକଥା ବି ନୁହେଁ। କଣ୍ଟାଝଣ୍ଟା ଅଳିଆ ଅରମା ଯେ ନଥିବ ଏକଥା ନୁହେଁ। ରାସ୍ତାରେ ମଝିରେ ମଝିରେ ପଙ୍କକାଦୁଅ ଯେ ନଥିବ ଏକଥା ନୁହେଁ। ଗୋଡ଼ ଖସିଯାଇ ଗୋଡ଼ ଦରଜ ହେବା ଆଗରୁ ମନଦରଜ ଯେ ନହେବ ଏକଥା ନୁହେଁ। ମଣିଭୂଷିତ ସର୍ପମାନେ ଯେ ନଥିବେ, ଏକଥା ନୁହେଁ। ତଥାପି ବଦଳି ହେବ ହିଁ ହେବ। ଦେହରେ ବଦଳି ହେବ, ମନରେ ବଦଳି ହେବ। ବଦଳି ନହେଲେ ଅଗ୍ରଗତି ହେବ ନାହିଁ। ଦେହରେ ବଦଳି ହେଲେ, ମନରେ ବଦଳି ହେଲେ ଜୀବନ ହେବ ଝରଣାର ଜଳ ଯାହା ଝରିଝରି ଆଗକୁ ଯିବ। ଅତଏବ ଜୀବନ ଅଛି ମାନେ ମୃତ୍ୟୁ ଆସିବ, ମୃତ୍ୟୁ ଆସିବ ମାନେ ପୁଣି ଏକ ନୂଆ ଜୀବନ ଆସିବ। ନୂଆ ଜୀବନ ଆସିବ ମାନେ ନୂଆ ଅନୁଭୂତି ଆସିବ। ନୂଆ ଅନୁଭୂତି ଆସିବ ମାନେ ନୂଆ ଚେତନା ଆସିବ। ନୂଆ ଚେତନା ଆସିବ ମାନେ ଅପୂର୍ଣ୍ଣତାରେ ପୂର୍ଣ୍ଣତା ଆସିବ। ଅପୂର୍ଣ୍ଣତାରେ ପୂର୍ଣ୍ଣତା ଆସିବ ମାନେ ଜୀବନର ସାର୍ଥକତା ଆସିବ। ମାତ୍ର ଏଇ ସାର୍ଥକତା ଆତ୍ମହତ୍ୟା ଜନିତ ମୃତ୍ୟୁରେ ମିଳିବ ନାହିଁ। ଆତ୍ମହତ୍ୟା ଦ୍ବାରା ଚେତନାର ଗତି ତଳକୁ ତଳକୁ ହେବ, ରସାତଳଗାମୀ ହେବ। ସେପରି ମୃତ୍ୟୁ ପରେ ସହଜରେ ଆଉ ଏକ ଜୀବନ ମିଳିବ ନାହିଁ। ବହୁ ବିଳମ୍ବରେ ବହୁ କଷ୍ଟରେ ଯେଉଁ ଜୀବନ ମିଳିବ, ତାହା ପୂର୍ବଜୀବନ ଅପେକ୍ଷା ଅଧିକ ଯନ୍ତ୍ରଣାରେ ଜର୍ଜରିତ ହୋଇଥିବ ବୋଲି ବାରମ୍ବାର କୁହାଯାଇଛି।
ଅତଏବ ମୃତ୍ୟୁର ଚିନ୍ତା କରିବା କେବେ ମଧ୍ୟ ଉଚିତ୍ ନୁହେଁ। ‘ଜାତସ୍ୟ ହି ଧ୍ରୁବ ମୃତ୍ୟୁ’ ନ୍ୟାୟରେ ତାହା ସମୟକ୍ରମେ ଆସିବ। ସେହି ସମୟକ୍ରମେ ଆସୁଥିବା ମୃତ୍ୟୁ ହିଁ ଯଥାର୍ଥ ମୃତ୍ୟୁ। ତେଣୁ ତ କୁହାଯାଇଛି ଯେ ମୃତ୍ୟୁକୁ ଡାକିବାର ନାହିଁ, ମୃତ୍ୟୁକୁ ଭୟ କରିବାର ନାହିଁ କିମ୍ବା ମୃତ୍ୟୁକୁ ଅନୁମୋଦନ କରିବାର ନାହିଁ। ଯାହାକୁ ଯେମିତି ଜୀବନ ମିଳିଛି, ଯେମିତି ପରିବେଶ ମିଳିଛି, ସେ ସେଥିରେ ସନ୍ତୁଷ୍ଟ ରହିବା ଆବଶ୍ୟକ। ଜୀବନପ୍ରତି ଅଭିଯୋଗ ମନୋବୃତ୍ତି ହିଁ ଅସନ୍ତୋଷ ଆଣିଦିଏ। ଏହି ଅସନ୍ତୋଷ ବାଟଦେଇ ବହୁ ଯନ୍ତ୍ରଣା ପଶିଆସେ ଯାହା କ୍ଷତାକ୍ତ କରେ, ଆହତ କଲେ। କ୍ଷତାକ୍ତ ନ ହେବାପାଇଁ ମହୌଷଧି ହେଉଛି ନିଜ ଜୀବନ ଓ ପରିବେଶ ପ୍ରତି ସନ୍ତୋଷ ଭାବର ମୁଗ୍ଧ ଅନୁଭବ।
Comments are closed.