ଜମି, ଜଙ୍ଗଲ ଓ ଜନଜାତି ଯନ୍ତ୍ରଣା

ପ୍ରଫୁଲ୍ଲ କୁମାର ସାହୁ

ଗତ ମଙ୍ଗଳବାର (୧୧.୦୭.୨୦୨୩) ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଅନୁମୋଦିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ଜଙ୍ଗଲ ଜମି ଅଧିକାର ଆଇନ ପାଇଁ ସ୍ୱତନ୍ତ୍ର ବଜେଟ ଆବଣ୍ଟନ, ଜନଜାତି ସମୂହର ଅର୍ଥନୈତିକ ସଶକ୍ତୀକରଣ ଓ ଜୀବିକା ଉନ୍ନତିକରଣ ତଥା ଆଦିବାସୀଙ୍କ କଳା ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟ ପରିସର ସଂପ୍ରସାରଣ ଇତ୍ୟାଦି। ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ ଜଙ୍ଗଲ ଜମି ଅଧିକାର ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଏବେ ଦେଶର ଅନ୍ୟ ଯେ କୌଣସି ରାଜ୍ୟ ଠାରୁ ଆଗୁଆ। ଜଙ୍ଗଲ ଜମି ଉପରେ ଜନଜାତିର ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଏଠାରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ ହେଉଛି ‘ମୋ ଜଙ୍ଗଲ ମୋ ଜମି’ ଯୋଜନା; କିନ୍ତୁ ବିଡ଼ମ୍ବନାର ବିଷୟ ଜନଜାତି ସଶକ୍ତୀକରଣ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ଘଟୁଛି ସତ; କିନ୍ତୁ କ୍ରମଶଃ ଅବକ୍ଷୟ ଆଡ଼କୁ ମୁହାଁଉଛି ଜନଜାତି, ସଂସ୍କୃତି ଓ ପରମ୍ପରା।

ଆଦିମ ଅଧିବାସୀ ଭାବରେ ଆଦିବାସୀମାନେ ହିଁ ଭାରତୀୟ ସଂସ୍କୃତିର ଆଦିନିର୍ମାତା। ଆଦିମ କାଳରୁ ଏ ଦେଶର ପାହାଡ଼ ପାଦଦେଶରେ କିମ୍ବା ଜଙ୍ଗଲ ଭିତରେ ବସତି ସ୍ଥାପନ କରିଥିବାରୁ ସେମାନେ ବନବାସୀ, ଗିରିଜନ ଓ ପାର୍ବତ୍ୟ ମଣିଷ ଭାବରେ ପରିଚିତ। ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣୟନ ପରେ (୧୯୫୦) ଧାରା ୩୪୨ ଅନୁଯାୟୀ ଆଦିବାସୀମାନଙ୍କୁ ଅନୁସୂଚିତ ଜନଜାତି ଭାବରେ ଘୋଷଣା କରାଗଲା ଏବଂ ସେମାନଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେଲା ସଂରକ୍ଷଣ ବ୍ୟବସ୍ଥା ଓ ନାନା କଲ୍ୟାଣକାରୀ ଯୋଜନା।

ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ୨୦୧୧ ଜନଗଣନା ଅନୁଯାୟୀ ଦେଶର ମୋଟ ଜନସଂଖ୍ୟାର ୯.୭ ଶତାଂଶ ଆଦିବାସୀ ହୋଇଥିବା ସ୍ଥଳେ ଓଡ଼ିଶାରେ ସେମାନଙ୍କର ସଂଖ୍ୟା (୯୫,୯୦,୬୫୬) ୨୨.୮୪ ଶତାଂଶ। ଅର୍ଥାତ୍‌ ଓଡ଼ିଶାରେ ପ୍ରତି ଚାରିଜଣଙ୍କ ମଧ୍ୟରେ ଜଣେ ଆଦିବାସୀ। ଏଠାରେ ବାସକରୁଥିବା ବିପୁଳ ସଂଖ୍ୟକ ଆଦିବାସୀଙ୍କର ରହିଛି ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ।

ଆଦିବାସୀମାନେ ପ୍ରକୃତିର ସନ୍ତାନ। ଜଙ୍ଗଲ ସେମାନଙ୍କ ଜୀବନ ଜୀବୀକାର ଆଧାର। କୈବଲ୍ୟର ଖଳା। ଗଛ ତାଙ୍କ ପାଇଁ ଦେବତା। ମାଟିରୁ ବାହାରି ଜଳ ଓ ତାପ ପାଇ ଆକାଶ ଆଡ଼କୁ ବିସ୍ତାରିତ ବୃକ୍ଷ ଭିତରେ ପ୍ରଥମେ ଆଦିବାସୀମାନେ ହିଁ ବିଶ୍ୱପ୍ରକୃତିର ମୌଳିକ ପ୍ରତ୍ୟୟ ଆବିଷ୍କାର କରି ଆରମ୍ଭ କରିଥିଲେ ବୃକ୍ଷପୂଜା ପରମ୍ପରା। ଆଦିବାସୀମାନେ ଖୁବ୍‍ ସରଳ, ପରିଶ୍ରମୀ ଓ କଷ୍ଟ ସହିଷ୍ଣୁ। ଉଦ୍ୟମ ଏମାନଙ୍କୁ ଦିଏ ପ୍ରଚୁର ଆନନ୍ଦ। ପାରମ୍ପରିକ ରୀତିନୀତି, ବେଶ ପୋଷାକ, ଖାଦ୍ୟପେୟ ଓ ଧର୍ମବିଶ୍ୱାସକୁ ଜାବୁଡ଼ି ଧରି ଏମାନେ ପ୍ରକୃତି କୋଳରେ ଗୋଷ୍ଠୀବଦ୍ଧ ଜୀବନ ଅତିବାହିତ କରନ୍ତି ଏବଂ ମହୁଲ ଫୁଲର ମହକ ଓ ସଲପର ମାଦକତା ଭିତରେ ଅନୁଭବ କରନ୍ତି ପ୍ରାଚୁର୍ଯ୍ୟମୟ ଜୀବନର ଉଲ୍ଲାସ। ନୃତ୍ୟ ଓ ସଙ୍ଗୀତ ସେମାନଙ୍କ ଜୀବନର ଅବି​‌େ​‌ଚ୍ଛଦ୍ୟ ଅଙ୍ଗ। ପେଟରେ ଭୋକ, ଆଖିରେ ଲୁହ, ତଥାପି ସ୍ୱପ୍ନର ହାଟ। ସଂଜ ନଇଁଲେ ଶୁଭେ ଚାଙ୍ଗୁ ଓ ଘୁମୁରାର ତାନ। ତେଣୁ ସେମାନଙ୍କ ପାଖରେ ଅଛି ନୃତ୍ୟ, ଗୀତ ଓ ସଙ୍ଗୀତର ଏକ ସମୃଦ୍ଧ ପରମ୍ପରା। ଏମାନଙ୍କ ସାଂସ୍କୃତିକ ପରମ୍ପରା ଯେତିକି ବୈଚିତ୍ର୍ୟମୟ, ସାମାଜିକ ଜୀବନବୋଧ ସେତିକି ସୌହାର୍ଦ୍ଦପୂର୍ଣ୍ଣ। ଗାଁ ଭିତରେ ଧାଡ଼ି ଧାଡ଼ି ଘର। ପରସ୍ପର ପ୍ରତି ମନରେ ନଥାଏ ବିନ୍ଦୁଏ ମଳିନତା। ଆଦିବାସୀ ସତ୍ୟନିଷ୍ଠ ହୋଇଥିବାରୁ ସେମାନଙ୍କ ଦୃଷ୍ଟିରେ ମିଛ କହିବା, ଅନ୍ୟକୁ ଠକିବା, ପ୍ରତାରଣା କରିବା, ଚଞ୍ଚକତା କରିବା ଇତ୍ୟାଦି ପାପ। ସାଧୁତା ଓ ସରଳତା ହିଁ ଜନଜାତି ମଣିଷର ଭୂଷଣ। ଏମାନେ କହନ୍ତି – ମଣିଷମାନଙ୍କ କ୍ଷେତ୍ରରେ ମା’ର କ୍ଷୀର ଯେପରି ତା’ର ଛୁଆ ପାଇଁ, ଗାଈର କ୍ଷୀର ସେମିତି ତା’ର ବାଛୁରୀ ପାଇଁ। ଆମେ ଯଦି ମା’ର କ୍ଷୀର ବିକ୍ରି କଲୁ ନାହିଁ, ଗାଈର କ୍ଷୀର ବିକିବୁ କାହିଁକି? ଏହା ହିଁ ସେମାନଙ୍କ ସରଳପଣ ଓ ମୂଲ୍ୟବୋଧ ଭିତ୍ତିକ ବିଚାରଧାରାର ନମୁନା। ଅତିଥି ଦେବୋ ଭବ – ଭାବନା ଜନଜାତି ଜୀବନର ଏକ ମହାର୍ଘ ଦିଗ। ତାର ଅତିଥି ଚର୍ଚ୍ଚାରେ ନଥାଏ ସାମାନ୍ୟତମ କୁଣ୍ଠା ଓ ଛଳନା।

prayash

ନାରୀର ସ୍ଥିତି, ସୁରକ୍ଷା ଓ ସ୍ୱାଧୀନତା ପ୍ରସଙ୍ଗରେ ଖୁବ୍‍ ଉଚ୍ଚାଙ୍ଗ ମନେହୁଏ ଜନଜାତି ସାଂସ୍କୃତିକ ପରମ୍ପରା ଓ ସାମାଜିକ ଜୀବନଧାରା। ତୁଳନାତ୍ମକ ଭାବେ ବିଚାରକଲେ ତଥାକଥିତ ସଭ୍ୟ ସମାଜର ସୁଦୀର୍ଘ ସାଂସ୍କୃତିକ ଇତିହାସରେ ନାରୀ କେବେ ବି ପୁରୁଷ ସହ ସମତୁଲ ଜୀବନ ବଞ୍ଚିନି, ବରଂ ବଞ୍ଚିଛି ଏକ ଅବହେଳିତ ଜୀବନ। ଏକବିଂଶ ଶତାବ୍ଦୀର ପ୍ରଗତି ପ୍ରେକ୍ଷାପଟରେ ବି ଏଠାରେ ବଦଳି ନାହିଁ ନାରୀ ପ୍ରତି ପୁରୁଷର ମଧ୍ୟଯୁଗୀୟ ମାନସିକତା। ଅନ୍ୟ ପକ୍ଷରେ ଆଦିବାସୀ ସମାଜରେ ନା ଅଛି ଯୌତୁକ ନିର୍ଯାତନା ନା ନାରୀ ପ୍ରତି ପୁରୁଷର ବଳାତ୍କାର ମାନସିକତା। ମା’କୁ ସମ୍ମାନ ଓ ସୁରକ୍ଷା ସେଠାରେ କିଛି ରାଜନୈତିକ ସ୍ଲୋଗାନ ନୁହେଁ, ବରଂ ଏକ ସାଂସ୍କୃତିକ ଅକଲବନ୍ଦୀ। ସାମାଜିକ ଦାୟିତ୍ୱ।

ଆଦିବାସୀମାନେ ସତ୍ୟର ପୂଜାରୀ ଓ ସ୍ୱାଭିମାନର ମଣିଷ। ସ୍ୱାଭିମାନକୁ ବଳିଦେଇ ହାତ ପାତନ୍ତିନି କାହା ପାଖରେ। ତେଣୁ ଭିକ୍ଷା ବୃତ୍ତି ପ୍ରତି ସେମାନଙ୍କର ପ୍ରବଳ ଘୃଣା। ସ୍ୱାଭିମାନ ଉପରେ ଆଘାତ ଲାଗିଲେ ଆଦିବାସୀ ପାଲଟିଯାଏ ବଣର ବାଘ ଭାଲୁ ପରି ହିଂସ୍ର ଓ ଅରଣା। ଏମାନେ ଯେତିକି ସ୍ୱାଧୀନଚେତା, ସେତିକି ଦେଶପ୍ରେମୀ। ଆଦିବାସୀ ଆଦୌ ଅଧିକାରବାଦୀ ନୁହନ୍ତି ସତ୍ୟ; କିନ୍ତୁ ଭିଟାମାଟି ପ୍ରତି ତାଙ୍କର ମମତା ଦୁର୍ବାର। ମାଟି, ଜଙ୍ଗଲ, ପାହାଡ଼, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସେ କେତେବେଳେ ଗଡ଼ଜାତ ଗଞ୍ଜଣା ବିରୋଧରେ ପ୍ରତିବାଦ କରିଛି ତ କେତେବେଳେ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିଛି ରକ୍ତାକ୍ତ ଲଢ଼େଇ। ପାଇକ ବିଦ୍ରୋହ ଠାରୁ ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ପ୍ରଲମ୍ବିତ ଏମାନଙ୍କ ଲଢ଼େଇର କାହାଣୀ। ଆଦିବାସୀ ସ୍ୱଭାବତଃ ପ୍ରଚାର ବିମୁଖ। ସେଥିପାଇଁ ଇତିହାସରେ ବିସ୍ତୃତ ଭାବରେ ସ୍ଥାନ ପାଇପାରିନି ସେମାନଙ୍କ ବୀରତ୍ୱ ଓ ବଳିଦାନ।

ଜନଜାତି ସଭ୍ୟତାର ଇତିହାସ ହେଉଛି ଶୋଷଣ ଓ ଅତ୍ୟାଚାରର ଇତିହାସ। ଏମାନେ କେବେ ବହିରାଗତ ଆର୍ଯ୍ୟମାନଙ୍କ ଦ୍ୱାରା ବିତାଡ଼ିତ ହୋଇଛନ୍ତି ତ କେବେ ଏମାନଙ୍କୁ ଲୁଟିଛନ୍ତି ସାହୁକାର, ମହାଜନ ଓ ରାଜକର୍ମଚାରୀମାନେ। ବିଶେଷ କରି ବ୍ରିଟିଶ ଶାସନ କାଳରେ ଜଙ୍ଗଲ ବିଭାଗ ଗଠନ (୧୮୬୫) ହେବା ପରେ ସଂକୁଚିତ ହେବାକୁ ଲାଗିଲା ସ୍ୱୟଂଶାସିତ ଆଦିବାସୀମାନଙ୍କ ଅଧିକାର। ସେମାନଙ୍କୁ ଉଦ୍‍ବାସ୍ତୁ କରି ଜଙ୍ଗଲ ଜମିରେ ଖଣିଖନନ ଓ କଳକାରଖାନା ପ୍ରତିଷ୍ଠା ପାଇଁ ୧୮୯୪ ମସିହାରେ ତିଆରି ହେଲା ଜମି ଅଧିଗ୍ରହଣ ଆଇନ।
ପ୍ରାଚୀନ ସାହିତ୍ୟ ରାମାୟଣରେ ରହିଛି ଆଦିବାସୀଙ୍କ କାରିଗରୀ କୌଶଳର ନମୁନା। ଭାସମାନ ଶିଳାରେ ନିର୍ମିତ ରାମସେତୁ ଏବେ ସୁଦ୍ଧା ସମୁଦ୍ରରେ ବିଦ୍ୟମାନ। ଦୁନିଆରେ ସବୁଠାରୁ ଦୀର୍ଘସ୍ଥାୟୀ କୁହାଯାଉଥିବା ଏହି ସେତୁର ବିନ୍ଧାଣି ଥିଲେ ବିଶିଷ୍ଟ ଯନ୍ତ୍ରୀ ନଳ, ଯିଏ ଜଣେ ବନବାସୀ। ରାମାୟଣରେ ରହିଛି ଲକ୍ଷ୍ମଣର ଶକ୍ତିଭେଦ ପ୍ରସଙ୍ଗ। ସଂଜ୍ଞାହୀନ ଲକ୍ଷ୍ମଣ ଆଶୁ ଆରୋଗ୍ୟ ଲାଭ କରିଥିଲେ ଜଣେ ବନବାସୀ ଚିକିତ୍ସକଙ୍କ ସହାୟତାରେ। ପ୍ରାଚୀନ ସାହିତ୍ୟରେ ଏସବୁ ବର୍ଣ୍ଣନା ହୋଇପାରେ କବିର କଳ୍ପନା; କିନ୍ତୁ ଏହି କଳ୍ପନା ଭିତରେ ରହିଛି ଆଦିବାସୀଙ୍କ ଦ୍ୱାରା ପରୀକ୍ଷିତ ବିଭିନ୍ନ ପ୍ରାଣରକ୍ଷାକାରୀ ଔଷଧୀୟ ବୃକ୍ଷଲତା, ଗଳ୍ମ ଓ ଚେର ସମ୍ପର୍କିତ ସୂଚନା।

ଆଦିବାସୀଙ୍କ ଶିକ୍ଷା, ସଚେତନତା ତଥା ସର୍ବାଙ୍ଗୀଣ ବିକାଶ ଅତ୍ୟନ୍ତ ଜରୁରୀ। ଶିକ୍ଷାର ପ୍ରସାର ଘଟିଲେ ଲୋପ ପାଇବ ସେମାନଙ୍କ ଭିତରେ ବସା ବାନ୍ଧିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର। ମାତ୍ର ପ୍ରଗତି ନାଁରେ ପରମ୍ପରା ପ୍ରତି କୁଠାରାଘାତ କାରଣରୁ ବିକାଶ ପ୍ରକ୍ରିୟା ଯେତେ ଆଗକୁ ଯାଉଛି ସେତିକି ଉତ୍‍ଖାତ ହେଉଛି ଜନଜାତି ଭାଷା ଓ ସଂସ୍କୃତି। ଭିଟାମାଟିରୁ ବିସ୍ଥାପିତ ହୋଇ ଆଦିବାସୀମାନେ କାମଧନ୍ଦା ପାଇଁ ଏବେ ସହରମୁହାଁ ହେଉଛନ୍ତି ଏବଂ ସେଠାରେ ମାଣ୍ଡିଆଜାଉ ବଦଳରେ ଖୋଜୁଛନ୍ତି ଫାଷ୍ଟଫୁଡ୍‍ ଦୋକାନ। ହାଣ୍ଡିଆ ମହୁଲୀ ବଦଳରେ ପିଉଛନ୍ତି ବିଦେଶୀ ବଦ। ଉଜୁଡ଼ା କ୍ଷେତ, ଉଜୁଡ଼ା ଜଙ୍ଗଲ ପରି ଉଜୁଡ଼ି ଯାଉଛି ଜନଜାତି ସଂସ୍କୃତି, ଯେଉଁ ଜ୍ଞାନଗର୍ଭା ସଂସ୍କୃତିରେ ନିହିତ ମାନବିକତାର ମନ୍ତ୍ର ଓ ନିରାମୟ ଜୀବନ ବଞ୍ଚିବାର ସୂତ୍ର। ଏ ଦିଗରେ ସତର୍କ ନ ହେଲେ ଯୁଗାତୀତ ସାଧନା ସ​‌େ​‌ତ୍ତ୍ବ ବି ତାକୁ ଆଉ ଖୋଜି ପାଇବନି ସଭ୍ୟ ମଣିଷ।

kalyan agarbati

Comments are closed.